ଶରତ ପଥାଳ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ କୋକ୍ ଓଭାନ୍, ରୋଲିଂ ମିଲ୍, ଷ୍ଟିଲ ମେଲଟିଙ୍ଗ୍ ସପ୍, ଫେରୋକ୍ରୋମ, ପାୱାର ପ୍ଲାଣ୍ଟ, ଡ଼ିଆରଆଇ ଭଳି ୬ଟି ୟୁନିଟକୁ ନେଇ ଗଠିତ ଭିସା ଷ୍ଟିଲ ଏବେ ଋଣରେ ଉବୁଡ଼ୁବୁ। ଏହି କାରଖାନାରେ କୋଟି କୋଟି ଟଙ୍କାର କ୍ଷତି ଘଟୁଥିବା ଏହାର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ୨୦୦୫ ମସିହାରେ ଉତ୍ପାଦନକ୍ଷମ ହୋଇଥିବା ଏହି କାରଖାନା କ୍ଷତି ସହୁଥିବା ଦର୍ଶାଇ ଇତିମଧ୍ୟରେ ହଜାରେରୁ ଅଧିକ ଶ୍ରମିକ-କର୍ମଚାରୀଙ୍କୁ ଛଟେଇ କରିଛି। ଏକପ୍ରକାର ଦେବାଳିଆ ସ୍ଥିତିରେ ପହଁଚିଥିବା ଅବସ୍ଥାରେ ଏହି କାରଖାନା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରୁ ଋଣ କରିଥିବାରୁ ବ୍ୟାଙ୍କ ସମୂହ କାରଖାନାକୁ ନିଜ କର୍ତ୍ତୃତ୍ବକୁ ନେଇଛନ୍ତି। ପାଖାପାଖି ବର୍ଷେ ହେବ ବ୍ୟାଙ୍କ୍ ପରିଚାଳନାରେ ଚାଲୁଥବା ଭିସା ଷ୍ଟିଲ କାରଖାନାର ଭବିଷ୍ୟତ ଏକ ପ୍ରକାର ଅନ୍ଧକାର ଆଡ଼କୁ ଟାଣି ହୋଇଯାଇଛି। କାରଖାନାର କିଛି ଉପରିସ୍ଥ ପଦାଧିକାରୀ ଏବଂ ହାତଗଣତି କେଇଜଣ ଠିକାଦାରଙ୍କ ଗୁପ୍ତ ବୁଝାବଣା ପରିସ୍ଥିତିକୁ ଆହୁରି ଜଟିଳ ଆଡ଼କୁ ନେଇ ଯାଉଛି। ଏହି କାରଖାନା ପାଇଁ କମ୍ପାନୀ ଭାରତୀୟ ଷ୍ଟେଟ ବ୍ୟାଙ୍କ, ହୁଡ଼କୋ, ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ, ୟୁକୋ ଭଳି ୧୭ଟି ବ୍ୟାଙ୍କ୍ରୁ ଋଣ ଉଠାଇଛି। କମ୍ପାନୀର ମୋଟ ଋଣ ପରିମାଣ ପ୍ରାୟ ୩୩୦୦ କୋଟି ଟଙ୍କା। ଏହି ଋଣ କମ୍ପାନୀ ପରିଶୋଧ କରିପାରୁ ନାହିଁ। ଅନ୍ୟପକ୍ଷରେ କାରଖାନା ବର୍ଷକୁ ବର୍ଷ କ୍ଷତି କରିଚାଲିଛି। କମ୍ପାନୀ ଦେଇଥିବା ହିସାବ ଅନୁସାରେ କାରଖାନାର ୨୦୧୧-୧୨ ଆର୍ଥିକ ବର୍ଷରେ ୧୮୮ କୋଟି ୮୫ ଲକ୍ଷ, ୨୦୧୨-୧୩ରେ ୯୧ କୋଟି ୪ ଲକ୍ଷ, ୨୦୧୩-୧୪ରେ ୧୫୨ କୋଟି ୫୦ ଲକ୍ଷ, ୨୦୧୪-୧୫ରେ ୨୪୧ କୋଟି ୪୪ ଲକ୍ଷ ଟଙ୍କା କ୍ଷତି ହୋଇଛି। ଆସନ୍ତା ଦିନରେ ଏହା ବଢିବାର ସମ୍ଭାବନା ରହିଛି। ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ ସମୂହ ନୋଟିସ୍ ମାଧ୍ୟମରେ ଭିସାକୁ ତାଗିଦ କରିଥିଲେ। କମ୍ପାନୀ ଋଣ ଟଙ୍କା ପରିଶୋଧ ନକରିବାକୁ ବ୍ୟାଙ୍କ ଭିସା ଷ୍ଟିଲ୍କୁ ନିଜ କର୍ତ୍ତୃତ୍ବକୁ ନେଇଥିଲେ। ତେବେ ବ୍ୟାଙ୍କ ସମୂହ କାଗଜପତ୍ରରେ ଭିସାକୁ ନିଜ କର୍ତ୍ତୃତ୍ବକୁ ନେଇଥିଲେ ହେଁ ଭିସାର କର୍ମଚାରୀମାନେ ଏହାକୁ ପରିଚାଳନା କରୁଛନ୍ତି। ଭିସା ବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିଲାବାବେଳେ ବ୍ୟାଙ୍କର ମତାମତ ନନେଇ ଭିସା ପଦାଧିକାରୀମାନେ ବିଭିନ୍ନ ଠିକାଦାରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କ୍ଷେତ୍ରରେ ମନଇଚ୍ଛା ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ନିର୍ଦ୍ଦିଷ୍ଟ କେତେକ ଠିକାଦାରଙ୍କୁ ସୁହାଇଲା ଭଳି ଠିକା ସର୍ତ୍ତ ଚୂଡ଼ାନ୍ତ କରିବା ଓ ଠିକା ଦେବା ପରେ ସର୍ତ୍ତ ବଦଳାଇବା ଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। କମ୍ପାନୀର ପଦାଧିକାରୀମାନେ ଜାଣିଶୁଣି ବ୍ୟାଙ୍କ ଋଣ ଫାଙ୍କିବା ପାଇଁ ଏଭଳି କରୁଛନ୍ତି ନା ନିଜ ସ୍ବାର୍ଥ ପାଇଁ ଏହା ସେମାନଙ୍କର ଦୁର୍ନୀତି ତାହା ସ୍ପଷ୍ଟ ନୁହେଁ। ତେବେ ସେମାନଙ୍କର ଏପରି କାର୍ଯ୍ୟ କାରଖାନାର କ୍ଷତି ବଢ଼ାଇବା ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛି। ଏଭଳି ଚାଲିଲେ ବ୍ୟାଙ୍କଗୁଡ଼ିକ ସୁଧ-ମୂଳ ଫେରି ପାଇବା ଯେମିତି ଅସମ୍ଭବ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ଭବିଷ୍ୟତ ମଧ୍ୟ ସେହିପରି ଅନିଶ୍ଚିତ ହୋଇଚାଲିଛି।