ଗଣ୍ଠିବାତ

ଗଣ୍ଠିବାତ

Share :

ଡାକ୍ତର ମଦନମୋହନ ସାହୁ ସାଧାରଣତଃ ଶରୀର ଯେକେଣସି ଗଣ୍ଠିର ବିନ୍ଧା ଯନ୍ତ୍ରଣାକୁ ଗଣ୍ଠିବାତ ବା ଆରଥ୍ରାଟିସ୍ କୁହାଯାଏ| ଶରୀରର ଅଙ୍ଗ ଚାଳନାରେ ଗଣ୍ଠିର ଭୂମିକା ଗୁରୁତ୍ବପୂର୍ଣ୍ଣ| ଗଣ୍ଠିରେ ଥିବା ହାଡ଼ ଏକ ମସୃଣ ଆବରଣ ଦ୍ବାରା ଆଚ୍ଛାଦିତ ହୋଇଥାଏ| ଯାହାକି ତରୁଣାସ୍ଥି ଭାବେ ପରିଚିତ| ଏହା ଗଣ୍ଠିର ଚଳପ୍ରଚଳ ବା ଗତିର ଆଘାତ ଶୋଷଣକାରୀ ବା ସକ୍ଆବଜର୍ ଭାବେ କାର୍ଯ୍ୟ କରିଥାଏ| ଏହି ତରୁଣାସ୍ଥି ନଷ୍ଟ ହେବାର କାରଣ ହେଉଛି ଗଣ୍ଠିବାତର ଯନ୍ତ୍ରଣା| ଏଥିରେ ରହିଥିବା ଏକ ତରଳ ପଦାର୍ଥ ମାତ୍ରା ହ୍ରାସ ପାଇବା କାରଣରୁ ଶରୀରରେ ଗଣ୍ଠିଟି ଫୁଲିବା ସହିତ ଯନ୍ତ୍ରଣା ଆରମ୍ଭ ହୋଇଥାଏ| କେତେକ କ୍ଷେତ୍ରରେ ଗଣ୍ଠି ଟାଣ ହୋଇଯିବାର ଦେଖାଯାଇଥାଏ| ବିଭିନ୍ନ ପ୍ରକାର ଗଣ୍ଠିବାତ ଦେଖା ଯାଇଥାଏ| ଯୁବକ ବୟସରୁ ପାଖାପାଖି ପଚାଶ ବର୍ଷ ପର୍ଯ୍ଯନ୍ତ ଗଣ୍ଠିବାତକୁ ରିଉମାଟାଏଡ଼ ଆଥ୍ରିର୍ଟିସ୍ ଓ 50 ବର୍ଷ ବୟସ ପରେ ଅଷ୍ଟିଓ ଆଥ୍ରିର୍ଟିସ୍ ଯାହାକୁ ବାର୍ଦ୍ଧକ୍ଯ ଜନିତ ଗଣ୍ଠିବାତ କୁହାଯାଏ ତାହା ଦେଖାଯାଇ ଥାଏ| ଆଣ୍ଠୁ ଓ କଟି ଗଣ୍ଠି ବେଶୀ ପରିମାଣରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଦେଇଥାଏ| ସାଧାରଣତଃ ବାର୍ଦ୍ଧକ୍ଯ ଜନିତ ଗଣ୍ଠିବାତ ଅଧିକମାତ୍ରାରେ ଦେଖା ଯାଏ| ବାର୍ଦ୍ଧକ୍ଯ ଜନିତ ଗଣ୍ଠିବାତ କ୍ଷେତ୍ରରେ ଗଣ୍ଠିରେ ରହିଥିବା ତରଳ ପଦାର୍ଥ କମିଯିବା ସହ ତରୁଣାସ୍ଥି ଧୀରେ ଧୀରେ ନଷ୍ଟ ହୋଇଥାଏ| ଏହାଦ୍ବାରା ଆଣ୍ଠୁରେ ଯନ୍ତ୍ରଣା ବଢ଼ିବା ସହିତ ଫୁଲିବାର ଦେଖାଯାଇଥାଏ| ଯଦିଓ ଏହା ଧୀରେ ଧୀରେ ବଢ଼ିଥାଏ ଓ କମିଥାଏ| ତେବେ ପରବର୍ତ୍ତୀ ସମୟରେ ଏହା ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ| ଆଣ୍ଠୁ ଟାଣ ହେବା ସହ ବଙ୍କା ହୋଇଯିବା କେତେକ କ୍ଷେତ୍ରରେ ଦେଖାଯାଏ ଯାହାଦ୍ବାରା ରୋଗୀଟି ସିଧାସଳଖ ଭାବେ ଚାଲିବା ସକ୍ଷମ ହୋଇନଥାଏ ଓ ଛୋଟେଇ ଛୋଟେଇ ଚାଲିବା ସହ ବାଡ଼ି ଧରି ଚାଲିବାକୁ ବାଧ୍ୟ ହୋଇଥାଏ| କେବଳ ସେତିକି ନୁହେଁ ନିଜର ନିୟମିତ ନିତ୍ଯକର୍ମ ବା ଶେଚ କର୍ମ ପାଇଁ ଆତ୍ମୀୟ ସ୍ବଜନଙ୍କ ସାହାଯ୍ଯ ଲୋଡ଼ିଥାଏ| ତେବେ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ପାଇଁ ସଂପ୍ରତି ଆଣ୍ଠୁଗଣ୍ଠି ପ୍ରତିରୋପଣ ବା ଟୋଟାଲ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରାଯାଉଛି| ତେବେ ବାର୍ଦ୍ଧକ୍ଯ ଜନିଜ ଗଣ୍ଠିବାତ ବା ଅଷ୍ଟ୍ରିଓ ଆଥିର୍ରଟିସ୍ର ପ୍ରକୃତ କାରଣ ବୟସ ଜନିତ ସମସ୍ଯାକୁ ନେଇ ସବୁକ୍ଷେତ୍ରରେ କୁହାଯାଇନପାରେ| କେତେକ କ୍ଷେତ୍ରରେ ବଂଶଗତ କାରଣକୁ ଦାୟୀ କରାଯାଇଥିବା ବେଳେ କେତେକ କ୍ଷେତ୍ରରେ ଶରୀରରେ ମେଦବୃଦ୍ଧି ପାଇ ଅତ୍ଯଧିକ ଓଜନ ବଢ଼ିବା, କୌଣସି କାରଣରୁ ପୂର୍ବରୁ ଶରୀରର ଗଣ୍ଠିରେ ଆଘାତ ଲାଗିବା କାରଣ ମଧ୍ୟ ପରବର୍ତ୍ତୀ ବାର୍ଦ୍ଧକ୍ଯ ସମୟରେ ଗଣ୍ଠିବାତ ପାଇଁ କାରଣ ହୋଇ ଥାଏ| ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆମ ସମାଜରେ ଦିନକୁ ଦିନ ପରିଣତ ବୟସର ଲୋକ ବା ବାର୍ଦ୍ଧକ୍ଯ ଲୋକଙ୍କ ସଂଖ୍ଯା ବଢ଼ିବାରେ ଲାଗିଛି| 1947 ମସିହାରେ ଜଣେ ମଣିଷର ଜୀବନଧାରଣାର ସମୟ ସୀମା 47 ବର୍ଷ ଥିବାବେଳେ 2000 ମସିହାରେ ଏହା 60 ବର୍ଷରେ ପହଞ୍ଂଚିଛି| ଜନସଂଖ୍ଯା ଦୃଷ୍ଟିକୋଣକୁ ଦେଖିଲେ ଆମ ଦେଶରେ 60 ବର୍ଷରୁ ଅଧିକ ଲୋକଙ୍କ ସଂଖ୍ଯା ହେଉଛି 8 କୋଟିରୁ ଅଧିକ| ସେମାନଙ୍କ ମଧ୍ୟରୁ ପାଖାପାଖି ଦୁଇ ପ୍ରତିଶତ ଲୋକଙ୍କର ବାର୍ଦ୍ଧକ୍ଯଜନିତ ଆଣ୍ଠୁଗଣ୍ଠି ବାତ ସମସ୍ଯା ରହିଛି| କେତେକ କ୍ଷେତ୍ରରେ ଅଭିଜ୍ଞ ଅସ୍ଥିଶଲ୍ଯ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ଦ୍ବାରା ଏହାକୁ ଆରୋଗ୍ଯ କରାଯାଉ ଥିବାବେଳେ କେତେକ କ୍ଷେତ୍ରରେ ସଂପୂର୍ଣ୍ଣ ଆଣ୍ଠୁଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ଦରକାର ହୋଇଥାଏ | ପ୍ରାଥମିକ ସମୟରୁ ଏହି ରୋଗ ପାଇଁ ଯୋଗ, ବ୍ଯାୟାମ ଓ ଫିଜିଓଥେରାପି ଦ୍ବାରା ଉପଶମ ମିଳିଥାଏ| ତେବେ ଯନ୍ତ୍ରଣା ନିବାରକ ଔଷଧ ବ୍ଯବହାର କରିବାକୁ ଚାହୁଁଥିଲେ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ| ଗଣ୍ଠିର ତରୁଣାସ୍ଥି ଓ ସାଇନୋଭିଆଲ ଫ୍ଲୁଇଡ଼୍ର ବୃଦ୍ଧି ପାଇଁ ଡାଏସେରିନ୍, ଗ୍ଲୋକୋସାମିନ୍ ଓ କଣ୍ଟ୍ରୋଟିନ୍ ସଲଫେଟ୍ ପରି ଔଷଧ ବଜାରରେ ଉପଲବ୍ଧ ହେଉଛି| ତେବେ ଏସବୁ ବ୍ଯବହାର କ୍ଷେତ୍ରରେ ପ୍ରାଥମିକ ଓ ଗୁରୁତ୍ବପୂର୍ଣ୍ଣ ଭାବେ ବିଚାର କରି ବିଶେଷଜ୍ଞଙ୍କ ପରାମର୍ଶ ହିଁ ଜରୁରୀ| ଆଣ୍ଠୁଗଣ୍ଠି ବାତ ପାଇଁ ଗାଁ ଗହଳିରେ ତୁଟୁକା ତୁଟୁକି ଚିକିତ୍ସାକୁ ଆପଣାଇ ନିଆଯାଉଛି| ତୁଟୁକା ତୁଟୁକି ଚିକିତ୍ସା ବା ସେକ ଏସବୁ ବ୍ଯବହାର କରିବା ପୂର୍ବରୁ ଅସ୍ଥିଶଲ୍ଯ ବିଶେଷଜ୍ଞଙ୍କ ପରାମର୍ଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ| କାରଣ ଥରେ କାହାର କାନକୁହା କଥା ଶୁଣି ଆପଣ ଏହାପାଇଁ ନିଜ ହାତରେ ନିରାକରଣର ବ୍ଯବସ୍ଥା କଲେ ପରବର୍ତ୍ତୀ ସମୟ ପାଇଁ ଏହା ଯନ୍ତ୍ରଣାଦାୟକ ଓ ବିପଦଜ୍ଜନକ ହୋଇପାରେ| ସରକାରଙ୍କ ଜିଲ୍ଲା ସଦରମହକୁମା ଠାରୁ ସିଟି ହସ୍ପିଟାଲ ଓ ରାଜ୍ଯର ସର୍ବବୃହତ୍ତ ଚିକିତ୍ସା ପ୍ରତିଷ୍ଠାନରେ ଅସ୍ଥିଶଲ୍ଯ ବିଶେଷଜ୍ଞ ଏହାର ପରୀକ୍ଷା ନିରୀକ୍ଷା ଓ ନିଦାନ ସହ ନିରାକରଣ ପାଇଁ ପ୍ରସ୍ତୁତ ଅଛନ୍ତି| ସେମାନଙ୍କର ପରାମର୍ଶ ନିଅନ୍ତୁ| ପ୍ରତିଦିନ ନିଜର ଦେନନ୍ଦିନ ଜୀବନଚର୍ଯ୍ଯା ପାଇଁ ଭଲ ରୁଟିନ୍ଟିଏ ତିଆରି କରନ୍ତୁ| ପ୍ରତ୍ୟୁଷରୁ ଶଯ୍ଯାତ୍ଯାଗ ଖୁବ୍ ଭଲ| ଯୋଗ, ପ୍ରାଣାୟାମ ଏବଂ କିଛିବାଟ ଚଲାବୁଲା ନିଜ ସକାଳ ସମୟର ରୁଟିନ୍ ରଖନ୍ତୁ| ସୁଷମ ଖାଦ୍ୟ, ଫଳ, ଶାଗ ଓ କ୍ଯାଲସିୟମ ଜାତୀୟ ଖାଦ୍ୟକୁ ଗୁରୁତ୍ବ ଦିଅନ୍ତୁ| ବେଶୀ ସମୟ ଗୋଟିଏ ସ୍ଥାନରେ ବସି ନରହି ଟିକିଏ ଚଲାବୁଲା କରନ୍ତୁ| ବିଶ୍ରାମ ପାଇଁ ନିର୍ଦ୍ଧାରିତ ସମୟ ରଖନ୍ତୁ| ନିଦ ବଟିକା ଠାରୁ ବା ଯେ କେଣସି ନିଶା ସେବନ ଠାରୁ ନିଜ ଜୀବନରୁ ଦୂରେଇ ଦିଅନ୍ତ| ଈଶ୍ବରଙ୍କ ନାମ ସ୍ମରଣ ସହ ଭଗବତ୍ ବିଶ୍ବାସ ସବୁଠାରୁ ଆପଣଙ୍କ ପାଇଁ ଭଲ ସାଧନା ଦେଖିବେ ଆପଣଙ୍କ ପାଇଁ ଗଣ୍ଠିବାତ ଯନ୍ତ୍ରଣାଦାୟକ ହେବନାହିଁ|

Share :