ସୁରକ୍ଷିତ ରକ୍ତ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ସୁରକ୍ଷିତ ରକ୍ତ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Share :

ରାଜ୍ୟରେ ରକ୍ତ ଆବଶ୍ୟକ କରୁଥିବା ସବୁ ରୋଗୀଙ୍କୁ ବିଶୁଦ୍ଧ ରକ୍ତ ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ରକ୍ତ ଭଣ୍ଡାରଗୁଡିକର ଭିତ୍ତିଭୂମି ତଥା ମାନବ ସମ୍ୱଳ ବିକାଶ ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ରକ୍ତଭଣ୍ଡାର ସୁପରିଚାଳନା, ସୁରକ୍ଷିତ ରକ୍ତ ଓ ରକ୍ତ ସଂଗ୍ରହ କ୍ଷେତ୍ରରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇ ଜୁନ ୨୫ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଏହି ମର୍ମରେ ରକ୍ତ ସଂଗ୍ରହ କ୍ଷେତ୍ରରେ କୌଣସି ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।   ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ରାଜ୍ୟରେ ରକ୍ତଭଣ୍ଡାର ଗୁଡିକର ସୁପରିଚାଳନା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକାକୁ କଡାକଡି ପାଳନ କରାଯିବା ଦରକାର। ରକ୍ତଭଣ୍ଡାର ଗୁଡିକର ଉନ୍ନତି ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଉ ୧୬ କୋଟି ଟଙ୍କା ଯୋଗାଇ ଦିଆଯିବ। ଖୁବ‌୍‍ ଶୀଘ୍ର ୬୦ ଜଣ ଲାବୋରେଟରୀ ଟେକ୍ନିସିଆନ‌୍‍ ନିଯୁକ୍ତି ହେବା ସହିତ ଆବଶ୍ୟକ ଡାଟାଏଂଟ୍ରି ଅପରେଟରଙ୍କୁ ନିୟୋଜିତ କରାଯିବ। ରକ୍ତଭଣ୍ଡାରଗୁଡିକର ସୁପରିଚାଳନା ପାଇଁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଜିଲ୍ଲାପାଳ / ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଗୁଡିକର ନିୟମିତ ବୈଠକ ବସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ବ୍ୟତିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାନ୍ସଫ୍ୟୁଜନ କମିଟିର ବୈଠକ ମଧ୍ୟ ନିୟମିତ ବସିବ। କ୍ୟାପିଟାଲ ହସପିଟାଲ ସମେତ ୩ ଟି ଯାକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ କାର୍ଯ୍ୟକ୍ଷମ ହୋଇଥିବା ନାଟ‌୍‍-ପିସିଆର‌୍‍ ବ୍ୟବସ୍ଥାର ସୁଫଳ ଯେପରି ଜନସାଧାରଣ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ରକ୍ତଭଣ୍ଡାର ଅଧିକାରୀମାନେ ପ୍ରଯତ୍ନ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆଶାପ୍ରକାଶ କରିଥିଲେ।   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ରକ୍ତଭଣ୍ଡାର ଗୁଡିକର ପରିଚାଳନା ନିମନ୍ତେ ଏସ‌୍‍.ଓ.ପି ଜାରି କରାଯାଇଛି ଓ ଏହାର ଅନୁପାଳନ କଡାକଡି ଭାବରେ ହେବା ଉଚିତ ବୋଲି ପ୍ରକାଶ କରି ରକ୍ତଭଣ୍ଡାର ଦାୟୀତ୍ୱରେ ଥିବା କର୍ମଚାରୀମାନେ ରକ୍ତ ସଂଗ୍ରହ ଓ ପ୍ରଦାନ ଦିଗରେ ସମସ୍ତ ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ରକ୍ତସଂଗ୍ରହ ଓ ଯୋଗାଣ କ୍ଷେତ୍ରରେ କୌଣସି ତୃଟିବିଚ୍ୟୁତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କହିଥିଲେ। ଶ୍ରୀମତୀ ଆହୁଜା ଏ ନେଇ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ , ନିଦ୍ଦେର୍ଶକ କ୍ୟାପିଟାଲ ହସପିଟାଲ , ସମସ୍ତ ସିଡିଏମ‌୍‍ଓ, ଏସ‌୍‍ଡିଏମ‌୍‍ଓ ଓ ରେଡକ୍ରସ‌୍‍ ରକ୍ତଭଣ୍ଡାର ନିଦ୍ଦେର୍ଶକଙ୍କ ସମେତ ଅନ୍ୟମାନଙ୍କୁ ଏସ‌୍‍ଓପି ପାଳନ ନିମନ୍ତେ ପତ୍ର ଲେଖିଛନ୍ତି।   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ଏନ‌୍‍.କେ.ଦାସ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦ୍ଦେର୍ଶିକା ଶାଳିନୀ ପଣ୍ଡିତ, ପ୍ରକଳ୍ପ ନିଦ୍ଦେର୍ଶକ ଏଡସ‌୍‍ ସେଲ ଡଃ ଏମ‌୍‍. ମୁଥୁକୁମାର, ଯୁଗ୍ନ ସଚିବ ସୁରଜିତ ଦାଶ, ସ୍ୱାସ୍ଥ୍ୟସେବା ନିଦ୍ଦେର୍ଶକ ଡାଃ ଚିତ୍ତରଞ୍ଜନ ନାୟକ , ଡିଏମ‌୍‍ଇଟି ଡାଃ ପ୍ରଫେସର ପ୍ରକାଶ ମହାପାତ୍ର ଏବଂ ନିଦ୍ଦେର୍ଶକ ରାଜ୍ୟ ରକ୍ତ ସଂଚାଳନ ପରିଷଦ ଡାଃ ଜ୍ଞାନ ମହାନ୍ତି, ତିନି ମେଡିକାଲ କଲେଜ ଓ ହସପିଟାଲ ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଅଧିକାରୀ, କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share :