ମଡେଲିଂ ଜଗତର ଚମକ୍ ଶେକ୍ସପିଅର୍

ମଡେଲିଂ ଜଗତର ଚମକ୍ ଶେକ୍ସପିଅର୍

Share :

  ମାୟାନଗରୀ ମୁମ୍ବାଇରେ ଫିଲ୍ମ ଓ ମଡେଲିଂ ଜଗତରେ ପାଦ ଥାପିବାକୁ ପ୍ରୟାସ କରୁଥିବା ଜଣେ ପ୍ରଗତିଶୀଳ ଓଡ଼ିଆ ଯୁବକ ହେଲେ ଶେକ୍ସପିଅର୍ କିଙ୍ଗ। ନାଁଟି ତାଙ୍କର ଇଂଲିଶ ହେଲେ ବି ସେ ଜଣେ ପକ୍କା ଓଡ଼ିଆ। ମାତ୍ର 25 ବର୍ଷ ଭିତରେ ସେ ମୁମ୍ବାଇର ମଡେଲିଂ ଜଗତରେ ବେଶ୍ ଏକ ପରିଚିତ ନାଁରେ ପରିଣତ ହେଲେଣି। ଡ୍ରାମା, ଥିଏଟର ଓ ସିରିଆଲରେ ପାଦ ଥାପି ସଫଳତା ପାଇଲେଣି।   ବକ୍ସି ଜଗବନ୍ଧୁ ବିଦ୍ୟାଧର ବା ବିଜେବି କଲେଜରୁ ଇଂରାଜୀରେ ଡିଷ୍ଟିଙ୍କସନ୍ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶେକ୍ସପିଅର୍ ମୁମ୍ବାଇରେ ପ୍ରଥମେ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଭାରତ, ବାଂଲାଦେଶ, ପାକିସ୍ଥାନ ଓ ଶ୍ରୀଲଙ୍କାର ଅନେକ ଉତ୍ପାଦ ପାଇଁ ମଡେଲିଂ କରିଛନ୍ତି। ଏଇ ଅଳ୍ପ ସମୟ ମଧ୍ୟରେ ସେ ପ୍ରାୟ 46ଟି ବିଜ୍ଞାପନ ଫିଲ୍ମରେ ଅଭିନୟ କରି ମଡେଲିଂ ଜଗତରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।   ଶେକ୍ସପିଅର୍ ଯେଉଁସବୁ ଉତ୍ପାଦ ପାଇଁ ମଡେଲିଂ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି କେତେକ ଜଣାଶୁଣା ନାମ। ଡିକୋଲ୍ଡ ଟୋଟାଲ୍, ଡୋମିନୋ’ଜ୍ ଡବ୍ଲ ବର୍ଷ୍ଟ ପିଜ୍ଜା, ବୁବାଲୁ କୁଲ୍ ମିଣ୍ଟ ଆଦି ଲୋକପ୍ରିୟ ଉତ୍ପାଦ ପାଇଁ ଶେକ୍ସପିଅର୍ ବିଜ୍ଞାପନ ଫିଲ୍ମ କରିଛନ୍ତି। ସାମସଙ୍ଗ, ନୋକିଆ, ସୋନି ଏରିକ୍ସନ୍, ବୋର୍ଣ୍ଣଭିଟା, ଏୟାର୍ଟେଲ୍, ପାନାସୋନିକ୍ ଓ ନିଭିଆ ଆଦି କମ୍ପାନୀର ଉତ୍ପାଦ ପାଇଁ ମଧ୍ୟ ଶେକ୍ସପିଅର ଏକାଧିକ ବିଜ୍ଞାପନ ଫିଲ୍ମରେ ମଡେଲ୍ ସାଜିଛନ୍ତି। ତାଙ୍କ ପୂର୍ବରୁ ଓଡ଼ିଶାର କୌଣସି କଳାକାର ଏତେ ସଂଖ୍ୟକ ଅନ୍ତର୍ଜାତୀୟ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ପାଇଁ ମଡେଲିଂ କରିନଥିଲେ।   କେବଳ ମଡେଲିଂ ତାଙ୍କର ଜୀବନ ନୁହେଁ। ସେ ଟିଭି ରିୟାଲ୍ଟି ଶୋ ଓ ସିରିଆଲରେ ମଧ୍ୟ କାମ କରିଛନ୍ତି। ଏମଟିଭିର କ୍ରଞ୍ଚ, ଏକ୍ଝଷ୍ଟେଡ୍ ଓ ଆଇଡିଆ ଭି ଦ ପ୍ଲେୟାର୍ ପରି ରିଆଲିଟି ଶୋ’ରେ ଅଂଶଗ୍ରହଣ କରି ସେ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ନିକଟରେ ମୁମ୍ବାଇରେ ପ୍ରଦର୍ଶୀତ ଏକ ନାଟକରେ ଅଭିନୟ କରି ସେ ପ୍ରବୀଣ ଥିଏଟର କଳାକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହି ନାଟକର ନାମ ହେଉଛି ‘ଇଜ୍ ଇଟ୍ ଲଭ୍ ଅର୍ ଜଷ୍ଟ ବିଜିନେସ୍’। ସେଥିରେ ଶେକ୍ସପିଅର୍ ମୁଖ୍ୟ ଚରିତ୍ର ଦଶରଥ ଭୂମିକାରେ ଅଭିନୟ କରିଥିଲେ। ଦଶରଥ ଜଣେ ଚତୁର ବ୍ୟକ୍ତି। ସେ ବିଭିନ୍ନ କୌଶଳରେ ବହୁ ମହିଳାଙ୍କ ସହିତ ସଂପର୍କ ରଖିଛନ୍ତି। ନାଟକରେ ଶେକ୍ସପିଅରଙ୍କ ସଂଳାପ ଉଚ୍ଚାରଣ ଓ ଅଭିନୟ ଅନେକଙ୍କୁ ଅଭିଭୂତ କରିଥିଲା।   ୨୦୧୫ ଜୁଲାଇ ମାସରେ ତାଙ୍କର ଏକ ହିନ୍ଦୀ ସିରିଆଲ୍ ମଧ୍ୟ ବିନ୍ଦାସ୍ ଟେଲିଭିଜନରେ ପ୍ରଦର୍ଶୀତ ହୋଇଥିଲା। ମୁଖ୍ୟତଃ ଯୁବଗୋଷ୍ଠୀ ଭିତ୍ତିକ ଏହି ସିରିଆଲର ନାମ ହେଉଛି ‘ୟହ୍ ହୈ ଆଶିକି, ଇଶ୍କ କା ସିୟାପା’। ସେଥିରେ ସେ ଅଭିନୟ କରିଥିବା ଚରିତ୍ରର ନାମ ଥିଲା ଆକାଶ। ଏହି ଭୂମିକାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା।   2013 ମସିହାରେ ଏକ କ୍ଷୁଦ୍ର ଫିଲ୍ମରେ ଅଭିନୟ କରିବା ପାଇଁ ସେ ଫ୍ରାନ୍ସରୁ ମଧ୍ୟ ନିମନ୍ତ୍ରଣ ପାଇଥିଲେ।   ଶେକ୍ସପିଅର୍ ହେଉଛନ୍ତି ଅଧ୍ୟାପକ ଡକ୍ଟର ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀ ଓ ଅଧ୍ୟାପିକା ଅଶୋକା ତ୍ରିପାଠୀଙ୍କ ପୁଅ। ବାପା ଓ ମା’ ଉଭୟ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରନ୍ତି। ଶେକ୍ସପିଅରଙ୍କ ଭଉଣୀ ଲେସ୍ଲି ତ୍ରିପାଠୀ ମଧ୍ୟ ଉଭୟ ଓଲିଉଡ଼୍ ଓ ବଲିଉଡ଼ରେ ଏକ ବହୁ ପରିଚିତ ନାମ।

Share :