ଭୋଗବାଦରୁ ମୁକ୍ତ କରିବ ଯୋଗ

ଭୋଗବାଦରୁ ମୁକ୍ତ କରିବ ଯୋଗ

Share :

  ସମଗ୍ର ବିଶ୍ୱରେ ମାନବ ସମାଜ ଆଜି ଭୋଗବାଦ ସଂସ୍କୃତିର ଦାସତ୍ୱ ସ୍ୱୀକାର କରିଛି। ଆଧୁନିକ ମଣିଷର ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସମୁନ୍ନତିର ପରାକାଷ୍ଠା ତାର ଭୋଗବାଦ ପିପାସାର ପରିପୁଷ୍ଟି ନିମନ୍ତେ ନିୟୋଜିତ ହୋଇଛି। ଫଳତଃ ମଣିଷର ନୈତିକ ଅଧୋପତନ ଘଟିଛି ଏବଂ ତା ଭିତରେ ଆସୁରିକ ପ୍ରବୃତ୍ତିର ପ୍ରାବଲ୍ୟ ଯୋଗୁଁ ସାମାଜିକ ବାତାବରଣ ଅଶାନ୍ତି, ହିଂସା, ଦ୍ୱେଷ ଓ ପରଶ୍ରୀକାତରତାରେ ପରିପୂର୍ଣ୍ଣ ହୋଇଛି। ଭୋଗବାଦ ସଂସ୍କୃତିର ତାଡନାରେ ମାନବ ସମାଜ ଏବେ ଭୀତତ୍ରସ୍ତ ହୋଇପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ସଂସ୍କୃତିର ଅମୂଲ୍ୟ ରତ୍ନ ଯୋଗାଭ୍ୟାସ ହିଁଁ ମନୁଷ୍ୟର ମନ, ବୁଦ୍ଧି ଓ ଆତ୍ମାକୁ ଭୋଗବାଦର ଦାସତ୍ୱରୁ ମୁକ୍ତକରି ତାକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ସଂପନ୍ନ ଦେବାତ୍ମାର ପରିଚୟ ପ୍ରଦାନ କରିପାରିବ ବୋଲି ଅର୍କକ୍ଷେତ୍ର କୋଣାର୍କରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି।   ମଙ୍ଗଳବାର(ଜୁନ ୨୧ତାରିଖ) ଅନ୍ତର୍ଜାତୀୟ ଯୋଗଦିବସ ପରିପ୍ରେକ୍ଷୀରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କ କ୍ଷେତ୍ରରୂପେ ପରିଚିତ କୋଣାର୍କର ଚାରିଆଡେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ପ୍ରଦର୍ଶନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଶିକ୍ଷା ବିକାଶ ସମିତି ପକ୍ଷରୁ ନିମାପଡା ସଂଙ୍କୁଳ ଅନ୍ତର୍ଗତ କୋଣାର୍କ, କାକଟପୁର, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ଶହରୁ ଅଧିକ ଛାତ୍ରଛାତ୍ରୀ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ପ୍ରକାର ଯୋଗାସନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀ, ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ବାବା ଆଦିତ୍ୟ ଦାସ ପ୍ରମୁଖ ଅତିଥିରୂପେ ଯୋଗଦେଇ ଯୋଗଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏତଦ ବ୍ୟତିତ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ସହାୟତାରେ ସାଧନା ସଂଗଠନ, ନେହେରୁ ଯୁବକେନ୍ଦ୍ର ପୁରୀ, କୋଣାର୍କ ସାହିତ୍ୟ ସଂସଦ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ମଧ୍ୟ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳିତ ହୋଥିଲା ଆନ୍ତର୍ଜାତିକ ଯୋଗଦିବସ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ଯୋଗ ପ୍ରଦର୍ଶନ କରିଥିଲେ। ଯୋଗାଚାର୍ଯ୍ୟ ଦୁର୍ଗାପ୍ରସାଦ ଦାଶ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରାଇଥିଲେ।   ଯୋଗ ପ୍ରଦର୍ଶନ ପରେ ପରେ ସମୂହ ମନ୍ଦିର ସମ୍ମୁଖରୁ ଏକ ସଚେତନତା ଶେଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ପୂର୍ବାହ୍ନ ୧୦ଟାରେ ରୁଦ୍ରାଣୀ କଲ୍ୟାଣ ମଣ୍ଡପଠାରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହୀନିପତିଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା ଯୋଗ ସଂପର୍କିତ ଏକ କର୍ମଶାଳା ଓ କବିତା ପାଠ ଉତ୍ସବ। ଏହି କର୍ମଶାଳାରେ ବିଦ୍ୱାନମାନେ ଅତିଥି ରୂପେ ଯୋଗଦେଇ ଯୋଗାଭ୍ୟାସର ମହତ୍ତ୍ୱ ସଂପର୍କରେ ଆଲୋଚନା କରିଥିଲେ।   ସେହିପରି ଏନସିସିର ଷଷ୍ଠ ବାଟାଲିୟନ, ପୁରୀଙ୍କ ପକ୍ଷରୁ ଉଭୟ ବାଳକ ଓ ବାଳିକା ବର୍ଗର ୮୪ ଏନସିସି କ୍ୟାଡେଟଙ୍କୁ ନେଇ ଚଳିତ ମାସ ୧ ତାରିଖରୁ ଆୟୋଜିତ ହୋଇଥିବା ୨୦ ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ଉଦଯାପିତ ହୋଇଯାଇଛି। ଏହି ଯୋଗ ପ୍ରଶିକ୍ଷଣ ଶିବିର ଚଳିତ ଜୁନ ମାସର ୧ ତାରିଖରୁ କୋଣାର୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ବେଳେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଉଦଯାପିତ ହୋଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ମଧ୍ୟରେ ଶାରୀରିକ, ମାନସିକ, ନୈତିକ ଏବଂ ଆଧ୍ୟାତ୍ମିକ ଜ୍ଞାନର ବିକାଶ ପାଇଁ ଯୋଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ବୋଲି କୋଣାର୍କ ଭଗବତୀ ମାହାବିଦ୍ୟାଳୟର ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ବିନୟଭୂଷଣ ମହାନ୍ତି ଓ କୋଣାର୍କ ଉଚ୍ଚ ବିଦ୍ୟାଳୟର ଏନସିସି ଅଧିକାରୀ ଦିଲ୍ଳୀପ କୁମାର ଦାସ ସୂଚନା ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ କୋଣାର୍କ ଭଗବତୀ ମହାବିଦ୍ୟାଳୟରୁ ୩୪ ଜଣ, କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ୨୫ ଜଣ ଓ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨୫ ଜଣ ବାଳକ ଓ ବାଳିକା ବିଭାଗରେ ମୋଟ ୮୪ ଜଣ କ୍ୟାଡେଟ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ। ସେହିପରି କୋଣାର୍କର ଅଗ୍ରଣୀ େସ୍ୱଚ୍ଛାସେବୀ ସଂଗଠନ ଅର୍କଶ୍ରୀ, ରେଡିଓ ନମସ୍କାର ଓ େସ୍ୱଚ୍ଛା କୋଣାର୍କ ପକ୍ଷରୁ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି।

Share :