ନିୟମଗିରିରେ ଚାଲିଛି କନ୍ଧ ଦମନ!

ନିୟମଗିରିରେ ଚାଲିଛି କନ୍ଧ ଦମନ!

Share :

ନିୟମଗିରି ପର୍ବତ ଉପରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ କନ୍ଧମାନଙ୍କୁ ସେଠାରୁ ତଡିବା ପାଇଁ ରାଜ୍ୟ ସରକାର ଏବଂ ବେଦାନ୍ତ କଂପାନୀର ଇଙ୍ଗିତରେ ପୁଲିସ ଓ ସିଆରପିଫ‌୍‍ ଯୋଜନାବଦ୍ଧ ଭାବେ ସେମାନଙ୍କୁ ମାଓବାଦୀ ଆଖ୍ୟା ଦେଇ ମିଥ୍ୟା ଏନକାଉଣ୍ଟର କରିବା ସହ ନାନାଦି ହଇରାଣ କରୁଥିବା ଘଟଣାକୁ ମାନବାଧିକାର କର୍ମୀମାନେ ନିନ୍ଦା କରିଛନ୍ତି।   କିଛି ଦିନ ତଳେ ନିୟମଗିରି ପର୍ବ ସମୟରେ ଡଙ୍ଗାମାଟି ଗାଁର କାଡ୍ରାକା ମଣ୍ଡାକୁ ମାଓବାଦୀ ଦର୍ଶାଇ ପୁଲିସ ଏନକାଇଣ୍ଟର କରି ମାରିଥିଲା। ଏହାକୁ ନେଇ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇ ଥିଲା। ଏନେଇ ମୁମ୍ୱାଇ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କେ. ପାଟିଲଙ୍କ ନେତୃତ୍ୱରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଜେନା, ପୋସ୍କୋ ପ୍ରତିରୋଧ ମଞ୍ଚର ପ୍ରଶାନ୍ତ ପାଇକରାୟ, ଝାଡ଼ଖଣ୍ଡର ଦାମୋଦର ପୁରି, ଭାରତ ଜନ ଆନ୍ଦୋଳନର ମହେଶ ରାଉତ, ପ୍ରାକୃତିକ ସଂପଦ ସୁରକ୍ଷା ପରିଷଦର ଆବାହକ ଭଗବାନ ମାଝି, ନିୟମଗିରି ସୁରକ୍ଷା ସମିତିର ବରିଷ୍ଠ ସଂଗଠକ ସୁରେଶ ସଂଗ୍ରାମ, ସତ୍ୟ ମାହାର, ପ୍ରମୁଖ ଡଙ୍ଗାମାଟି ଗାଁକୁ ଯାଇ ମିଥ୍ୟ ଏନକାଉଣ୍ଟର ଓ ପୁଲିସ ପକ୍ଷରୁ ରୁଜୁ କରାଯାଇଥିବା ମିଥ୍ୟା ମାମଲା ସଂପର୍କରେ ଆଦିବାଦୀଙ୍କଠାରୁ ପଚାରି ବୁଝିବା ସହ ପୁଲିସର ଦମନଲୀଳାକୁ ତୀବ୍ର ନିନ୍ଦା କରିଥିଲେ। ଏହି ତଥ୍ୟାନୁସନ୍ଧାନକାରୀ ଦଳ ନିୟମଗିରିର ବିଭିନ୍ନ ଗାଁ ବୁଲିବା ସମୟରେ ଲୋକମାନେ ସେମାନଙ୍କୁ ପୁଲିସ ଦମନଲୀଳା ସଂପର୍କରେ ନାନାଦି ତଥ୍ୟ ଓ ବିବରଣୀ ପ୍ରଦାନ କରିଛନ୍ତି।   ବେଦାନ୍ତ ବିରୋଧୀ କନ୍ଧଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ମାଓବାଦୀ ନାଁରେ ମିଥ୍ୟା ମାମଲା ରୁଜୁ କରି କାଡ୍ରାକା ଦାସରୁ, ଜାକେସିକା ଗୋବ‌୍‍କୋ, ମାଂଜେଲିକା ଦଧି, ପିଡିକାକା ବାରିଙ୍କୁ ପୁଲିସ ଘରୁ ଉଠାଇ ନେଇ ଜେଲରେ ପୂରାଇଛି। ଅନ୍ୟମାନଙ୍କ ମଧ୍ୟରେ ନେପାଲ ଟାକରି, ବାଲି କର୍କର‌୍‍ିଆ, ପଦ୍ନନାଭ ଚୌଧୁରୀ, ଜାକାସିକା ଡେଞ, ସିକୋକା ଦଧି, ସିକୋକା ପ୍ରମୋଦ, ହରିବନ୍ଧୁ କଡ୍ରାକା, ତେଲା କର୍କରିଆ ପ୍ରମୁଖ ପୁଲିସ ଅତ୍ୟାଚାରର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ କାଡ୍ରାକା ଡିର୍କା ପୁଲିସ ଅତ୍ୟାଚାର ସହିନପାରି ଆତ୍ମହତ୍ୟା କରିଥିବା ନେଇ ଆଦିବାସୀମାନେ ଅଭିଯୋଗ କରିଛନ୍ତି।   ତଥ୍ୟାନୁସନ୍ଧାନକାରୀ ଦଳ ନିୟମଗିରିରୁ ଫେରି ଆଦିବାସୀ ଦମନ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିବା ସହିତ ଏହା ଭିତ୍ତିରେ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିବେ ବୋଲି ଜଣାପଡ଼ିଛି।

Share :