ସରିଲା ରଜ ମଉଜ

ସରିଲା ରଜ ମଉଜ

Share :

ଓଡ଼ିଶାର ପ୍ରାଚୀନ ସଂସ୍କୃତିର ସ୍ମୃତି ବହନ କରୁଥିବା ରଜପର୍ବର ପୂର୍ବ ମହକ ଆଉ ନ ଥିବା ବେଳେ କୋଣାର୍କର ଅଗ୍ରଣୀ େସ୍ୱଚ୍ଛାସେବୀ ସଂଗଠନ ଆର୍କଶ୍ରୀ ପକ୍ଷରୁ ଆୟୋଜିତ ହୋଇଯାଇଛି ସପ୍ତଦଶ ରଜ ଉତ୍ସବ। ପାଶ୍ଚାତ୍ୟ ସଂସ୍କୃତିର କୁପ୍ରଭାବରେ ଏବେ ଗ୍ରାମାଞ୍ଚଳରେ ରଜ ପର୍ବର ସ୍ମୃତି ହଜିଯାଉଥିବା ବେଳେ କୋଣାର୍କ ସ୍ଥିତ ମା’ ଭଗବତୀଙ୍କ ପୀଠରେ ଅର୍କଶ୍ରୀ ପକ୍ଷରୁ ଆୟୋଜିତ ଚାରିଦିନିଆ ରଜ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ପହିଲି ରଜରେ ଅର୍କଶ୍ରୀ ସଂପାଦକ ଉମେଶ ସ୍ୱାଇଁଙ୍କ  ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବକୁ ଓଡିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଉଦଘାଟନ କରିଥିଲେ। ରଜ ସଂକ୍ରାନ୍ତିର ଦ୍ୱିତୀୟ ଦିବସର ସନ୍ଧ୍ୟାରେ  ଅତିଥିରୂପେ ଯୋଗ ଦେଇଥିଲେ ପୁରୀ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସୀମର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ରନାଥ ସେଠୀଙ୍କ ସମେତ ଅନ୍ୟ ଅତିଥିମାନେ। ରଜର ତୃତୀୟ ଦିବସ ବା ଭୂମିପୂଜା ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଆମ ଓଡିଶାର ପରମ୍ପରା ଓ ସଂସ୍କୃତି ଲୋକଙ୍କ ମଧ୍ୟରେ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଭାଇଚାରା  ସୃଷ୍ଟି କରିଥାଏ ବୋଲି ଅତିଥିମାନେ ମତପୋଷଣ କରିଥିଲେ।   ରଜ ତିନି ଦିନ ଧର ଏଠାରେ ଥିବା ବିଶାଳକାୟ ବଟବୃକ୍ଷର ଶାଖା ପ୍ରଶାଖାରେ ଝୁଲୁଥିବା ଦୋଳିରେ ଖେଳିଥିଲେ ଝିଅ ବୋହୂମାନେ। ବିଭିନ୍ନ ପ୍ରକାର ରଜଗୀତ ବୋଲି  ଝୁଲିଥିଲେ ରଜ ଦୋଳିରେ। ମହିଳା ଓ ଯୁବତୀମାନେ ପରସ୍ପରକୁ ଅଳତା ଲଗାଇ ସଜ ହୋଇଥିଲେ। ଉତ୍ସବସ୍ଥଳୀରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା, ମୁଢ଼ି ଓ ରଜପାନର ଆସର ଜମିଥିଲା। ଦେଶ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ବହୁ ସଂଖ୍ୟାରେ ଏହି ରଜ ଉତ୍ସବରେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା। ରଜ ସଂକ୍ରାନ୍ତି ଅବସରରେ ବିଭିନ୍ନ ପ୍ରକାର ପାରଂପରିକ ପ୍ରତିଯୋଗିତା ହୁଳହୁଳି, କାନ୍ଦଣା, ଝୋଟି, ତାସ, ଲୁଡ଼ୁ, ମେହେନ୍ଦି, ପୁଚି, ନଡ଼ିଆ ଲଢ଼େଇ ପ୍ରଭୃତି ଆୟୋଜିତ ହୋଇ ଉତ୍ସବ ସ୍ଥଳୀକୁ ରଜମୌଜରେ ଉଲ୍ଲସିତ କରିଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା।   ବିଭିନ୍ନ ସାଂସ୍କୃୁତିକ ଦଳମାନଙ୍କ ପକ୍ଷରୁ ଗୋଟିପୁଅ ନୃତ୍ୟ, ସମ୍ୱଳପୁରୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଶଙ୍ଖ ବାଦନ, ପ୍ରବଚନ, କବିତା ପାଠ ଭଜନ ସମେତ ବିଭିନ୍ନ ପ୍ରକାର ସଚେତନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନେତା, ମନ୍ତ୍ରୀ, ପ୍ରଶାସକ ଓ ପର୍ଯ୍ୟଟକମାନେ ବି ନିଜକୁ ହଜାଇ ଦେଇଥିଲେ ରଜ ଉତ୍ସବରେ। ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ତା କରାଯାଇଥିଲା। ଏହା କେବଳ ଏକ ଉତ୍ସବ ନୁହେଁ। ମହିଳା ସଶକ୍ତୀକରଣ, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଏବଂ ଉତ୍କଳୀୟ କଳା, ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ଦିଗରେ ଏକ ଆନ୍ଦୋଳନ ବୋଲି ରଜ ଉତ୍ସବ ଆୟୋଜକ ଅର୍କଶ୍ରୀ ସଂପାଦକ ଉମେଶ ସ୍ୱାଇଁ କହିଛନ୍ତି। ତିନିଦିନ ଧରି ରଜଉତ୍ସବର ସାଂସ୍କୃତିକ ମଞ୍ଚର କାର୍ଯ୍ୟକ୍ରମକୁ ଶିକ୍ଷକ ଗନ୍ଧର୍ବ ସେନାପତି ସଂଚାଳନ କରିଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ଆୟୋଜିତ ହେଉଥିବା ବୈଠକର କାର୍ଯ୍ୟକ୍ରମକୁ  ଶିକ୍ଷକ ପ୍ରତାପ ରାଉତ ସଂଚାଳନ କରିଥିଲେ। ରଜନୀ ନାୟକ, ବାବା ଶକ୍ତିଦେବ ଶତପଥୀ, ଯୁଧିଷ୍ଠିର ଜେନା, ସୁଦିପ୍ତା ରାଉତରାୟଙ୍କ ସମେତ ଅର୍କଶ୍ରୀର ସମସ୍ତ ସଭ୍ୟସଭ୍ୟା ଚାରିଦିନିଆ ରଜଉତ୍ସବକୁ ପରିଚାଳନା କରିଥିଲେ।

Share :