ଭଗବତୀ ପୀଠରେ ପାରମ୍ପାରିକ ରଜ

ଭଗବତୀ ପୀଠରେ ପାରମ୍ପାରିକ ରଜ

Share :

ଆଧୁନିକତାର ପ୍ରଭାବରେ ଏବେ ଗ୍ରାମାଞ୍ଚଳରେ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ସ୍ମୃତି ବହନ କରୁଥିବା ରଜପର୍ବ ତା’ର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା ହରାଉଥିବା ବେଳେ ଗତ ୧୬ ବର୍ଷ ଧରି କୋଣାର୍କର ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ ଆର୍କଶ୍ରୀ ପକ୍ଷରୁ ଆୟୋଜିତ ହୋଇଆସୁଛି ରଜ ଉତ୍ସବ। କୋଣାର୍କ ସ୍ଥିତ ମା’ ଭଗବତୀଙ୍କ ପୀଠରେ ଅର୍କଶ୍ରୀ ପକ୍ଷରୁ ରଜ ଉତ୍ସବ ସମସ୍ତ ପାର୍ପାରିକ ରୀତିର ସହିତ ପାଳିତ ହେଉଛି।     ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମା’ ଭଗବତୀଙ୍କ ପୀଠରେ ଥିବା ବିଶାଳକାୟ ବଟବୃକ୍ଷର ଶାଖା ପ୍ରଶାଖାରେ ଝୁଲୁଛି ଶତାଧିକ ଦୋଳି। ଉତ୍ସବସ୍ଥଳୀରେ ସମବେତ ଆବାଳବୃଦ୍ଧବନିତା ଝୁଲୁଛନ୍ତି ରଜ ଦୋଳିରେ। ମହିଳା ଓ ଯୁବତୀମାନେ ପରସ୍ପରକୁ ଅଳତା ଲଗାଇ ରଜସଜବାଜ ମଧ୍ୟ ହେଉଛନ୍ତି। ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା, ମୁଢ଼ି ଓ ରଜପାନର ଷ୍ଟଲ ମାନ ଖୋଲାଯାଇଛି। ସଂକ୍ରାନ୍ତି ଅବସରରେ ବିଭିନ୍ନ ପ୍ରକାର ପାରଂପରିକ ପ୍ରତିଯୋଗିତା ହୁଳହୁଳି, କାନ୍ଦଣା, ଝୋଟି, ତାସ, ଲୁଡ଼ୁ, ମେହେନ୍ଦି, ପୁଚି, ନଡ଼ିଆ ଲଢ଼େଇ  ଆୟୋଜିତ ହୋଇ ଉତ୍ସବସ୍ଥଳୀକୁ ରଜମୌଜରେ ଉଲ୍ଲସିତ କରିଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ରଜର ତୃତୀୟ ଦିବସରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କୃାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଉଛି।   ରଜ୍ୟ ଓ ରାଜ୍ୟ ବାହାରର କୋଣ ଅନୂକୋଣରୁ ଆସିଥିବା ପର୍ଯ୍ୟଟକମାନେ ବି ନିଜକୁ ହଜାଇ ଦେଇଥିଲେ ଏହି ରଜ ଉତ୍ସବରେ। ବିଦେଶୀମାନେ ମଧ୍ୟ ରଜ ଦୋଳି ଖେଳିବା ସହ ଅଳତା ଲଗାଇ ପାନ ଓ ବିଭିନ୍ନ ପ୍ରକାର ପିଠା ଖାଇ ରଜମୌଜରେ ହଜି ଯାଇଥିଲେ।   ଦ୍ୱିତୀୟ ଦିବସର ସନ୍ଧ୍ୟାରେ ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିଥି ରୂପେ ପୁରୀ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ରନାଥ ସେଠୀ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, କଟକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀିତିରାୟ ଚାନ୍ଦ, ଏନ‌୍‍.ଏମ.ଇ.ଆଇ.ଟି.ର ଅଧ୍ୟକ୍ଷ ରମେଶଚନ୍ଦ୍ର ପରିଡା, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରଜର ଉତ୍ସବର ଅତିତ ଓ ବର୍ତ୍ତମାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ  ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରତିଭା ସମ୍ମାନରେ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଅର୍କଶ୍ରୀ ସମ୍ମାନ ଓ ପ୍ରତିଭାରାୟ ଚାନ୍ଦଙ୍କ ଅର୍କପ୍ରଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବାଦଲ ବେହେରାଙ୍କୁ ସାଧୁଚରଣ ରାଉତରାୟ ସ୍ମୃତି ସମ୍ମାନ ଏବଂ ବିଭିନ୍ନ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ଶିକ୍ଷାବିତ ରବୀନ୍ଦ୍ରନାଥ ବାହୀନିପତି, ସାମ୍ୱାଦିକ ଆଲୋକରଞ୍ଜନ ରାଉତରାଙ୍କୁ ରଜ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।   ଉତ୍ସବ ସ୍ଥଳରେ ଥିବା ଏକ ସ୍ୱତନ୍ତ୍ର ସ୍ଥାୟୀ ମଞ୍ଚରୁ ଦିନ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ  ଭଜନ, ରଜଗୀତ, କାନ୍ଦଣା, ହୁଳହୁଳୀ, ଘୋଡା ନାଚ, ଓଡ଼ିଶୀ ନୃତ୍ୟ ସମେତ ବିଭିନ୍ନ ପ୍ରକାର ପାରମ୍ପରିକ ସଂାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉତ୍ସବକୁ ଦିଗୁଣିତ କରିଥିଲା। ରଜ ଉତ୍ସବର ତୃତୀୟ ଦିବସକୁ ଭୁମିଦହନ ଦିବସ ଭାବେ ପାଳନ କରାଯାଉଥିବାବେଳେ ଚତୁର୍ଥ ଦିବସହେରେ ବସୁମତୀ ଗାଧୁଆ ପର୍ବ ଭାବରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ରଜଉତ୍ସବକୁ ଶିକ୍ଷକ ପ୍ରତାପ ରାଉତ ଓ ଗନ୍ଧର୍ବ ସେନାପତି ସଂଚାଳନ କରୁଥିବାବେଳେ ସୁରେଶଚନ୍ଦ୍ର ସ୍ୱାଇଁ, ରଜନୀ ନାୟକ ଓ ଅର୍କଶ୍ରୀର ସମସ୍ତ ସଭ୍ୟସଭ୍ୟା ରଜ ଉତ୍ସବକୁ ପରିଚାଳନା କରୁଛନ୍ତି।

Share :