ବାଲିକପିଳେଶ୍ୱରଙ୍କ ପୀଠରେ ଶିବ ବିବାହ

ବାଲିକପିଳେଶ୍ୱରଙ୍କ ପୀଠରେ ଶିବ ବିବାହ

Share :

ଗୁରୁବାର ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ କୋଣାର୍କରେ ଥିବା ବିଭିନ୍ନ ଶୈବପୀଠରେ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି। କୋଣାର୍କ ନିକଟସ୍ଥ ସର୍ବ ପୁରାତନ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଶୈବଭକ୍ତ ଉପସ୍ଥିତ ରହି ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ କରିଥିଲେ।   ପରମ୍ପରାନୁଯାୟୀ ମା’ ପାର୍ବତୀଙ୍କ ସେବକମାନେ ଗତ ବୁଧବାର ଦିନ ମା’ଙ୍କୁ ଆସ୍ଥାନରୁ ନେଇ କାନପୁର ଗ୍ରାମସ୍ଥିତ ଗ୍ରାମଦେବତୀଙ୍କ ମନ୍ଦିରରେ ଲୁଚାଇ ରଖିଥିଲେ। ଦେବ ଦେବ ମହାଦେବ ମାତା ପାର୍ବତୀଙ୍କୁ ମନ୍ଦିରରେ ନ ପାଇ ଖୋଜି ଖୋଜି କାନପୁର ଗ୍ରାମରେ ପହଞ୍ଚି ମାତା ପାର୍ବତୀଙ୍କୁ ଫେରାଇ ଆଣୀଥୀଲୋ। ଏହାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବାଲିକପିଳେଶ୍ୱର ଦେବଙ୍କ ବିବାହ ଉତ୍ସବ ନିମନ୍ତେ ବୈଦିକ ରୀତି ନୀତିରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ କରାଯାଇଥିଲା। ବିଶେଷକରି ବିବାହ ଉତ୍ସବ ସମୟରେ ଦେବନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ମଙ୍ଗଳ ଆଳତୀ, ୪ଟାରେ ସ୍ନାନ ନୀତି, ଚନ୍ଦନ ବେଶ, ବଲ୍ଲଭ ଭୋଗ, ୪ଟା ୩୦ରେ ସର୍ବସାଧାରଣ ଦର୍ଶନ, ୮ଟାରେ ଖେଚୁଡି ଭୋଗ, ବାଳଭୋଗ, ସାହାଣ ଦର୍ଶନ, ୨ଟାରେ ମଧ୍ୟାହ୍ନ ସ୍ନାନ ଓ ଶଂଖୁଡି ଧୂପ, ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତୀ, ରାତ୍ର ୯ଟାରେ ରାତ୍ରୀ ସ୍ନାନ, ରାତି ୧ଟାର ଛତ୍ର ଭୋଗ, ସ୍ନାନ ନୀତି, ରାତ୍ର ୧ଟା ୩୦ରେ ହରିହର ଭେଟ, କେତକୀ ଲାଗି, ମଙ୍ଗଳ ଭୋଗ ମନ୍ଦିରର ପୂଜା ନୀତିରେ କରାଯାଇଥିଲା।   ମନ୍ଦିର ସମ୍ମୁଖରେ ନିର୍ମିତ ହୋଇଥିବା ବିବାହ ବେଦୀ ନିକଟରେ  ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବ ବୃଷଭରେ ବିରାଜମାନ ହୋଇ ପହଞ୍ଚିବା ପରେ କନ୍ୟା ପକ୍ଷ ଲୋକମାନେ ବରଣୀ କରିଥିଲେ। ମା’ ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ବିରାଜମାନ କରାଇ ବିବାହ ବେଦୀ ନିକଟକୁ ଅଣା ଯାଇଥିଲା। ମାତା ପାର୍ବତୀ ଓ ମହାଦେବ ଶିବଙ୍କୁ ବିବାହ ବେଦୀରେ ବସାଇ ବୈଦିକ ରିତୀ ନୀତିରେ ମନ୍ତ୍ର ଉଚ୍ଚାରଣର ସହ ଶଙ୍ଖ, ହୁଳହୁଳି, ଯୋଡି ନାଗରା, ମହୁରୀ ବାଜା, ବାଣ, ରୋଷଣୀ ଓ ମାଙ୍ଗଳିକ ବାଦ୍ୟ ମଧ୍ୟରେ ଦେବ ଦମ୍ପତୀଙ୍କ ହାତଗଣ୍ଡି ପଡିଥିଲା। କନ୍ୟା ପିତା ଭାବରେ ସେବକ ନାରାୟଣ ପଣ୍ଡା କନ୍ୟାଦାନ କରିଥିବା ବେଳେ ନାରଣ ଦ୍ୱିବେଦୀ ମହାଦେବଙ୍କ ପିତା ଭୁମିକାରେ ଅବତ୍ତୀର୍ଣ୍ଣ ହୋଇ ବିବାହ କାର୍ଯ୍ୟରେ ସଂପନ୍ନ କରିଥିଲେ।   ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବ ଦମ୍ପତ୍ତି ଶ୍ୱଷୁର ଘର କାନକୁର ଗ୍ରାମକୁ ଯାଇ ସେଠାରେ କିଛି ସମୟ ବିତାଇ ପୁନର୍ବାର ମନ୍ଦିରକୁ ଫେରିଥିଲେ। ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅଷ୍ଟମ ପ୍ରହର, ଓଁ ନମଃ ଶିବାୟ ନାମ, ଭଜନ, କୀର୍ତ୍ତନ, ହରିନାମ ସଂକୀର୍ତ୍ତନ, ବିଶ୍ୱ ଶାନ୍ତି ପାଇଁ ଘୃତଯଜ୍ଞ ଓ ଲଉଡି ନୃତ୍ୟ ଓ ସଂସ୍କୃତି ରକ୍ଷାକାରୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିବାହ କାର୍ଯ୍ୟ ସମ୍ପନ୍ନ ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ। ତିନି ଦିନ ଧରି ମନ୍ଦିର ପରିସର ଉତ୍ସବ ମୁଖର ହୋଇ ଉଠିଥିଲା।   ଏହି ବିବାହ ଉତ୍ସବର ସମସ୍ତ କାର୍ଯ୍ୟକୁ ବାବା ବାଲିକପିଲେଶ୍ୱର ସେବାୟତ କମିଟିର ସଭାପତି ରାଜକିଶୋର ପଣ୍ଡା, ଉପସଭାପତି ସୁବାସ ନାୟକ, ସଂପାଦକ ମଦନମୋହନ ମହାପାତ୍ର ଓ କୋଷାଧ୍ୟକ୍ଷ ଚିତ୍ରସେନ ପଣ୍ଡାଙ୍କ ସମେତ ସମସ୍ତ ସେବାୟତ ସହଯୋଗ କରିଥିଲେ।    ଏତଦ ବ୍ୟତିତ  କୋଣାର୍କ-ପୁରୀ ବୋଲାମାର୍ଗରେ ଥିବା ବାବା ବେଲେଶ୍ୱର ଓ ବାବା ଗରୁଡେ଼ଶ୍ୱରଙ୍କ ମନ୍ଦିର, କୋଣାର୍କର ତ୍ରିବେଣୀଶ୍ୱର, ବାଲୁଗ୍ଧେଶ୍ୱର, ଅର୍କେଶ୍ୱର, ମଙ୍ଗୁଳେଶ୍ୱର, ଭାଣପୁରର ଈଶାଣେଶ୍ୱର, କୁରୁଜଙ୍ଗର ଦକ୍ଷିଣେଶ୍ୱର ମନ୍ଦିର ସମେତ ଏ ଅଞ୍ଚଳରେ ଥିବା ବିଭିନ୍ନ  ଶୈବ ପୀଠମାନଙ୍କରେ ମଧ୍ୟ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଶ୍ରଦ୍ଧାଳୁମାନ ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କୁ ଦର୍ଶନ କରିବା ସହ ଶିବକୃପାଲାଭ କରିଥିଲେ।

Share :