ପାଚେରୀ ବୈଧ, ମନ୍ଦିର ଅବୈଧ!

ପାଚେରୀ ବୈଧ, ମନ୍ଦିର ଅବୈଧ!

Share :

ଜଙ୍ଗଲ ଜମିରେ ଯଦି ପଥର ପାଚେରୀ ହୋଇପାରିବ ତେବେ କୋଠା କାହିଁକି ନୁହେଁ? ଯଦି ଦର୍ଶନୀବନ୍ତ ଆଶ୍ରମ ଜବରଦଖଲ ଜଙ୍ଗଲ ଜମିରେ ଥିଲା ତେବେ ସରକାର ସେଠୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପରେ କୋଠା ଓ ମନ୍ଦିର ଭାଙ୍ଗିବା କି ଦରକାର ଥିଲା? ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଦର୍ଶନୀବନ୍ତ ଆଶ୍ରମର ମନ୍ଦିର ଓ ଧର୍ମଶାଳା ଆଦିକୁ ସରକାରୀ କଳ ସଂପୂର୍ଣ୍ଣ ଭାଙ୍ଗିଦେବା ପରେ ସ୍ଥାନୀୟ ଅଂଚଳରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି। ଏହା ସରକାରଙ୍କର ମହମ୍ମଦ ତୁଗଲକୀୟ ଖିୟାଲ ବୋଲି ଚଚ୍ଚିର୍ତ ହେଉଛି। ଉଲ୍ଲେଖ ବାହୁଲ୍ୟ ଯେ ବହୁ ସରକାରୀ ନେତାଙ୍କ ଅନୁଦାନରେ ଏହି ଆଶ୍ରମ ଗଢ଼ି ଉଠିଥିଲା। ଏବେ ସେସବୁ ଟଙ୍କା ପାଣିରେ ପଡ଼ିଲା।   ବହୁ ଚର୍ଚ୍ଚିତ ବିବାଦୀୟ ଦର୍ଶନୀବନ୍ତରୁ ବାନାବାବାଙ୍କ ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳ‌୍‍କୀ ଯୋଗାଶ୍ରମର କୋଠାବାଡି ଉଚ୍ଛେଦ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଜୁନ ୫ ତାରିଖ ସନ୍ଧ୍ୟା ସୁଧା ୬୦ ପ୍ରତିଶତରୁ ଅଧିକ କୋଠାବାଡି ଭଙ୍ଗା ସରିଥିଲା। ଏଠାରେ ବନ ବିଭାଗର ଏକ ସେକ୍ସନ ଅଫିସ ପାଇଁ ଆବଶ୍ୟକ ହେଉଥିବା ଗୃହକୁ ଛାଡି ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ବନ୍ତ ଉପରେ ଥିବା ଆଶ୍ରମର ସବୁ କୋଠାବାଡି ଭଙ୍ଗା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ବୋଲି ବନ ବିଭାଗ ପକ୍ଷରୁ ଜଣା ପଡିଛି। କୋଠା ବାଡି ଭଙ୍ଗା କାର୍ଯ୍ୟ ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମିର ସୀମାରେ ପ୍ରାଚୀର ନିର୍ମାଣ ପାଇଁ ବାଲି ଖୋଳା ଯାଇଛି। ସୋମବାରଠାରୁ ଏଠାରେ ପ୍ରାଚୀର ନିର୍ମାଣ ପାଇଁ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦର୍ଶନୀବନ୍ତରୁ କୋଠାବାଡି ସଂପୂର୍ଣ୍ଣ ଉଚ୍ଛେଦ ହେବା ପରେ ଆସନ୍ତା ୨ ମାସ ମଧ୍ୟରେ ଏଠାରେ ଏକ ସେକ୍ସନ ଅଫିସ କାର୍ଯ୍ୟକ୍ଷମ କରିବା ସହ କୃଷ୍ଣସାର ମୃଗଙ୍କ ବଂଶ ବିସ୍ତାର ପାଇଁ ପ୍ରଜନନ କେନ୍ଦ୍ର କରାଯିବ ବୋଲି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ‌୍‍ ବିଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।   ପୂର୍ବରୁ ବନ ବିଭାଗ ପକ୍ଷରୁ ଆଶ୍ରମ ଛାଡି ଦେବା ପାଇଁ ନୋଟିସ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲେ ମଧ୍ୟ ବାନାବାବାଙ୍କ ଶମର୍ଥକମାନେ ଆଶ୍ରମ ଛାଡି ନ ଥିଲେ। ଫଳରେ ଗତ ୩ ତାରିଖ ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଆଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ, ବନବିଭାଗ ଓ ପୁଲିସର ବରିଷ୍ଠ ଅଧିକାରୀମାନେ ଆସିଥିବା ବେଳେ ଆଶ୍ରମର ସମର୍ଥକମାନେ ଘୋର ବିରୋଧ କରିଥିଲେ। ବିରୋଧ କରୁଥିବା ପୁରୁଷ ଓ ମହିଳା ସମର୍ଥକମାନଙ୍କୁ ପୁଲିସ ଆଶ୍ରମ ପରିସରରୁ ଘଉଡାଇବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଧରି ନେଉଥିବା ଦେଖି ସମର୍ଥକମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ମହିଳା ଓ ପୁରୁଷ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଶ୍ରମ ପରିସରରେ ୧୪୪ ଧାରା ଜାରି କରାଯାଇଥିବା ଏବଂ ଗିରଫ ହେବା ଭୟରେ ସମର୍ଥକ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଏଠାରେ ଦେଖିବାକୁ ମିଳୁ ନାହିଁ।   ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ମଧୁସୁଦନ ଦାସ, ନିମାପଡା ଏସଡିପିଓ ଅରୁଣ କୁମାର ଜେନା, କୋଣାର୍କ ଥାନା ଆଇଆଇସି ଅରୁଣକୁମାର ତ୍ରିପାଠୀ, ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ‌୍‍ ବିଜୟ କୁମାର ପଟ୍ଟନାୟକ, କାକଟପୁର ତହସିଲଦାର ପ୍ରଚୀ ମହାପାତ୍ର ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟାର ତଦାରଖ କରିଛନ୍ତି। ଏଥିସହ ଶାନ୍ତିଶୃଙ୍ଖଳା ରଖା ପାଇଁ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବା ସହ ଶତାଧିକ ଅଧିକ ବନ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଛନ୍ତି।   ଆଶ୍ରମର ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଅନତିଦୂରରେ ରହୁଥିବା ବାନାବାବା କହିଛନ୍ତି ଯେ ଏହି ସବୁ କୋଠାବାଡି ଭକ୍ତଙ୍କ ଦାନରେ ଜଗତ କଲ୍ୟାଣ ପାଇଁ ନିର୍ମାଣ ହୋଇଥିଲା। ଏସବୁ କୋଠାବାଡି ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଅଭିଯୋଗ ଆସିବା ପରେ ମୁଁ ତ ତାକୁ ଗତ ୨୦୧୫ ମସିହା ସେପ୍ଟେମ୍ୱର ମାସ ୪ ତାରିଖ ରାତି ୧୦ଟା ୩୦ମିନିଟ ସମୟରେ ତ୍ୟାଗ କରି ଆସିଛି। କୋଠାବାଡି ପ୍ରତି ମୋର ଆସକ୍ତି ନଥିଲା କି ଏବେ ମଧ୍ୟ ନାହିଁ। ମୋ ଆଖି ସାମ୍ନାରେ ମୋ ଭକ୍ତଙ୍କ ଦାନରେ ନିର୍ମାଣ ହୋଇଥିବା କୋଠାବାଡି ଭଙ୍ଗା ଯାଉଥିବା ଦେଖି ଦୁଃଖ ଲାଗୁଛି। ପ୍ରଶାସନ ନିଜ କାମରେ ନ ଲଗାଇ ଭାଙ୍ଗି ଦେବା ଦୁଃଖ ଓ ପରିତାପର ବିଷୟ। ଐତିହାସିକ ଦର୍ଶନୀବନ୍ତର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରୁଥିବା ବେଳେ ଗିରଫ ହେବା ଭୟରେ ପ୍ରତିବାଦ କରିପାରୁ ନାହାନ୍ତି।

Share :