ବଳଦ ଚୋରି : ଓଡ଼ିଆ ଭାଷା

ବଳଦ ଚୋରି : ଓଡ଼ିଆ ଭାଷା

Share :

ରବି କାନୁନ୍‌ଗୋ   ଯୋଗ ମନ୍ଦ ଥାଏ। ଦିନେ ବଡ଼ିଭୋରୁ ବନ୍ଧୁ ଦେବେନ୍ଦ୍ର ମହାନ୍ତିଙ୍କଠାରୁ ଖବର ପାଇଲି। ଇସ୍ପାତ କାରଖାନାର ସେ ଜଣେ ନାମୀ ଅଫିସର ଥିଲେ। ଖ୍ୟାତ ଲେଖକ ବି। ‘କଲ‌୍ଚରାଲ‌୍‍ ଏକାଡେମି’ର ସଭାପତି ଥିଲେ। ଫେରୁଥା’ନ୍ତି ସାନ ଝିଅ ପାଖରୁ ନିଜ ଘରକୁ - ରାଉରକେଲା। ତାଙ୍କ କାର‌୍‍ ଛତିଶଗଡ଼ର କୁନ‌୍‍କୁନି - ବୀରମିତ୍ରପୁର ରାସ୍ତାରେ ଆକ୍ସିଡେଣ୍ଟ‌୍‍ ହେଇଛି।   ମାନେ ଦାନ୍ତେୱାଡ଼ା ଜଙ୍ଗଲ ଭିତରେ ୟା’ଙ୍କ ଗାଡ଼ି ଠିଆ ହୋଇଛି। ନେସନାଲ ହାଇେୱ ଆଗକୁ କି ପଛକୁ କୋଉଠି ବଙ୍କା ନାହିଁ। ଗୋଟେ ଧୁରୁବା ମଦୁଆ ଲୁନା ଆଣି ପିଟି ଦେଲା। ତା’ ବେଗ କମ‌୍‍ ଥିବାରୁ ଏବଂ ସେ ନିଜେ ହଲୁଥିବାରୁ ‘ଆକ୍ସିଡେଣ୍ଟ‌୍‍ ଇମ୍ପ୍ୟାକ୍ଟ’ କମ‌୍‍ ହେଲା। କାର‌୍‍ ଚକରେ ବାଜି ଚାଳକ ଛିଟିକି ପଡ଼ିଲା ଆହୁରି ଆଗକୁ। ପରେ ଫିଟ‌୍‍ଫାଟ‌୍‍ ହୋଇ ଠିଆ ହେଲା। ନିଜ ପରିଚୟ ବତେଇଲା। ଜାଣିଚ ମୁଁ କିଏ? ପଣ୍ଡିତ ରାଜ ଶେଖର ପାଣ୍ଡ୍ୟା। ତିନି ଚାରିଟା ଡେଜିଗନେସନ‌୍‍ ଓ ସମାଜରେ ତା’ର ‘ହୋଲ୍ଡ‌୍‍’! ଅସଲରେ ସେ ଭାଜପାର ଜଣେ କୁଜି ନେତା ଓ ବନବାସୀ ପରିଷଦ ନାଁରେ ଆଦିବାସୀଙ୍କ ଭିତରେ ପତିଆରା ଜମେଇ ଥାଏ। କିନ୍ତୁ ମାଓବାଦୀଙ୍କି ଡରି ସବୁବେଳେ ଲୁଚି ବୁଲୁଥାଏ। ସେମାନଙ୍କ ଠାର, ଠିକଣା ଜାଣେ ବୋଲି ଏଯାଏଁ ମରିନି।   ଆଗକୁ ବିଧାନସଭା ନିର୍ବାଚନ। ପୂରା ଅଞ୍ଚଳ ମାଓବାଦ ପ୍ରବଣ। ଯାହା ଦେଖିଚୁ, ସେଠି ପୁଲିସର ଜୀବନ ବଞ୍ଚେଇବାକୁ ଥାନାକୁ ଗଡ଼ରେ ପରିଣତ କରାଯାଇଛି ଓ ଅଧିକା ବଞ୍ଚିବା ଦରକାର ହେଲେ - ଥାନାରେ ତାଲା ପଡେ଼। ସେଠି ପୁଲିସ‌୍‍ଙ୍କୁ ସୈନ୍ୟବାହିନୀ ଜଗନ୍ତି।   ଏ ନେତାଙ୍କୁ ଦେବ ବାବୁ କହିଲେ - ଆମେ ଭାବୁଚୁ ଆପଣ ୟା’ଠୁଁ ବି ବଡ଼। ହେଲେ କାହିଁକି ଠିଆ ହୋଇଥିବା ଗାଡ଼ିରେ ବାଡେ଼ଇହେଲେ? ସେମାନଙ୍କ ଯୁକ୍ତିତର୍କ ଆଗକୁ ଗଲାନି। ପାଖରୁ ଜଣେ ସିଆରପିଏଫ ଯବାନ ଏ ଦୃଶ୍ୟ ଦେଖୁଥା’ନ୍ତି। ଦଶ ମିନିଟ‌୍‍ ଭିତରେ ଘଟଣାସ୍ଥଳକୁ ଜଣେ ପୁଲିସ‌୍‍ ଇନ୍ସପେକ୍ଟର ପହଞ୍ଚିଲେ। ସାଙ୍ଗରେ ଦୁଇଟି ଅସ୍ତ୍ରସଜ୍ଜିତ ସାମରିକ ଗାଡ଼ି ଓ ଦଶ ଯବାନ।   ମଦୁଆକୁ ଆ’ କହି, ଏମାନଙ୍କୁ ବି ଥାନାକୁ ଯିବାକୁ ଅର୍ଡର କଲେ।   ମାଇଲଖୁଣ୍ଟ ମାପି ଦୁର୍ଘଟଣାର ସ୍ଥଳ ଠାବ କରିପାରିଲୁନି। କାର‌୍‍ ଖୋଜିଲୁ - ପାଇଲୁନି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ସୀମାକୁ ଲାଗି ଛତିଶଗଡ଼ ଜସପୁର ଜିଲ୍ଲାର ତପସରା ଥାନା। ଜାଗାଟା ଛତିଶଗଡ଼ ଦାନ୍ତେୱାଡ଼ା ଜଙ୍ଗଲ‌୍‍ ରେଞ୍ଜ‌୍‍ ଭିତରେ। ଆଉ ମୋବାଇଲ‌୍‍ ଧରୁନି। ପ୍ରାୟ ପାଞ୍ଚ ଘଣ୍ଟା ତଳେ ସେ କହିଥିଲେ - ଭଲ ଅଛୁ। ଯବାନ ଜଣକ ଆମ ଉଣ୍ଡାଳିବା ହାବଭାବ ଠଉରେଇ ସେଠୁ ପ୍ରାୟ ୧୮ କିଲୋମିଟର ତପକରା ଥାନାକୁ ଯିବାକୁ କହିଲେ।   ସେଠି ଭେଟିଲାବେଳକୁ ପିଲାମାନେ ଥାନାର ଅଫିସର୍ସ ଗେଷ୍ଟ‌୍‍-ହାଉସ‌୍‍ରେ ଅଛନ୍ତି। ଇନ୍ସପେକ୍ଟରଙ୍କ ଘରୁ ଖାଦ୍ୟପେୟ ଆସୁଚି। ଯାହା ଆଶଙ୍କା କରିଥିଲୁ ସେପରି କିଛି ନ ଥିଲା। ବରଂ ଓଡ଼ିଶାରୁ ତିନି ଜଣ ଆଇପିଏସ‌୍‍ ଅଫିସର ଥାନା ଫୋନ‌୍‍ରେ ଦେବେନ୍ଦ୍ର ବାବୁ ଓ ପିଲାଙ୍କ ସହିତ ଭଲମନ୍ଦ କଥା ହେଉଥା’ନ୍ତି।   ଇନ୍ସପେକ୍ଟର ବାବୁଙ୍କ ନାଁ ଚନ୍ଦ୍ରଚୂଡ଼ ପୈଁକରାୟ। ଚେହେରାଟା କଡ଼ା। ମୁଠା ମୁଛ। ସେ ନିଜକୁ ‘ପାଇକ-ଓଡ଼ିଆ’ ଜାତିର ବୋଲି ଗର୍ବରେ କହନ୍ତି। କିନ୍ତୁ ସେ ଓଡ଼ିଶା ସଂପର୍କରେ କିଛି ଜାଣନ୍ତିନି। ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଦି’ ତିନି ଥର କୋର୍ଟ ସାକ୍ଷୀ ଦେବାକୁ ଆସିଛନ୍ତି କେବଳ। ଆମ ବୀରମିତ୍ରପୁର ଇନ୍ସପେକ୍ଟର ପାଳ ବାବୁଙ୍କୁ ଭଲ ଭାବେ ଜାଣନ୍ତି। ତାଙ୍କର ଜଗନ୍ନାଥ ଦର୍ଶନ ପାଇଁ କଳ୍ପନା ଅଛି। ଦୁଃଖ କରୁଥିଲେ ଯେ ମା’ ମରିଗଲେ, ଦର୍ଶନ କରିପାରିଲେନି। ଏବେ ଆଶା ରଖିଛନ୍ତି, ବାପାଙ୍କୁ ଅନ୍ତତଃ!   ଇନ୍ସପେକ୍ଟର ପୈଁକରାୟଙ୍କୁ ଧନ୍ୟ କହିବି। ଆମକୁ ଦେଖି ସେ ଖୁସି ହୋଇଗଲେ। କହିଲେ - କଥା କିଛି ନାହିଁ। ଆପଣଙ୍କ ଲକ‌୍‍ ଖରାପ। ଶଳା ମଦୁଆଟା ଆପଣଙ୍କ ଗାଡ଼ିରେ ଝାଙ୍କ ଖାଇ ପଡ଼ିବାର ଥିଲା ନା? ଛାଡ଼ନ୍ତୁ ସେ କଥା, ସେମାନେ ଏବେ ଡିମାଣ୍ଡ କରୁଛନ୍ତି ଦି’ ଲକ୍ଷ ଟଙ୍କା। ମୁଁ ସାହାବଙ୍କୁ କହିଚି - କାହିଁକି? ମଦୁଆଟେ ଇଲେକ୍ସନରେ ମାତିଚି ବୋଲି? ମାଓବାଦୀ ଯାହା, ଏମାନେ ବି ସେଇଆ।   ସାର‌୍‍ ବୁଦ୍ଧି ବତେଇ ଦେଲେ। ଶଳେ କଚୁ କଦଳୀ ପାଇବେ। ମୁଁ ଯାହା କରିଚି ଠିକ‌୍‍ କି ନା? ଡ୍ରାଇଭର‌୍‍କୁ ଆରେଷ୍ଟ‌୍‍ ଦେଖେଇ ମୁଁ ସ୍ପଟ‌୍‍-ବେଲ‌୍‍ରେ ଗାଡ଼ି ରିଲିଜ୍ କରିଦେବି। ସାଙ୍ଗରେ ସିଆର‌୍‍ପିଏଫ‌୍‍ ଏସକର୍ଟ ଯାଇ ବୀରମିତ୍ରପୁର ସୀମାରେ ଛାଡ଼ି ଆସିବେ। ହବନି?   ସମସ୍ତେ ଏ ପ୍ରସ୍ତାବରେ ରାଜି ହେଲୁ। ଅବସ୍ଥାରୁ ତ୍ରାହି ପାଇବାକୁ ଏହା ହିଁ ଉତ୍ତମ ପନ୍ଥା ଥିଲା।   ତା’ପରେ ତିନି ଥର ଛତିଶଗଡ଼ କୋର୍ଟକୁ ଯିବାକୁ ପଡ଼ିଛି। ପ୍ରତିଥର ପୈଁକରାୟଙ୍କ ସହଯୋଗ ମିଳିଚି। ତାଙ୍କର ନିଜ ଓକିଲ ଅଛନ୍ତି। ସେମିତି ଜଣେ ଯୁବକ ଓକିଲ ପୁରୋହିତ ବାବୁ ତିନୋଟି ତାରିଖ ପାଇଁ ନେଇଥିଲେ ମାତ୍ର ପାଞ୍ଚ ଶହ ଟଙ୍କା। ଥାନା ଖର୍ଚ୍ଚ ନାହିଁ ସହିତ ସମାନ। ଖର୍ଚ୍ଚ କେବଳ ଆମର ଯାତାୟତ।   ଜଜ‌୍‍ ସାହେବ ଯୁବକ। ଶେଷ ଦିନ। ସେ ଆମ ଓକିଲଙ୍କୁ ଇସାରାରେ ଡାକିଲେ। ବାବୁ ହାତରେ ଫାଇଲ‌୍‍ଟିଏ ଧରି ଫେରିଲେ।   ଛଅ ବର୍ଷ ତଳୁ ବଳଦ ଚୋରି ବିବାଦରେ ଘଟିଥିବା ଗୋଟିଏ ମର୍ଡର କେଶ‌୍‍ର ଯେ ସାକ୍ଷୀ ଥିଲେ ସେ ସୁନ୍ଦରଗଡ଼ ଜିଲ୍ଲାର। ତାଙ୍କ ଷ୍ଟେଟମେଣ୍ଟ‌୍‍ ଓଡ଼ିଆରେ ରେକର୍ଡ କରି ଓଡ଼ିଶା ପୁଲିସ ‘ବଳଦ ତମର ମର୍ଡର ତମର’ କହି ଫାଇଲ ଛତିଶଗଡ଼ ପଠେଇଦେଲା।   କେହି ପଢ଼ି ପାରୁନାହାଁନ୍ତି, କେଶ‌୍‍ ଅଟକିଛି ସେଇଠି। ସେଠି ଓଡ଼ିଆର କିଛି ମାନେ ନାହିଁ। ତେଣୁ ଆତତାୟୀ ଥରେ ବେଲ‌୍‍ରେ ଖସିଚି ଯେ ଆଉ ଧରା ଦେଉନି। ନୂଆ ଜଜ୍ ପଚାରିଲେ - ପାରିବେ?   ଆମେ କ୍ୟୁ’ରେ ଠିଆ ହୋଇଥାଉ ଜାମିନ‌୍‍ ପାଇଁ।   ନିଶ୍ଚୟ ପାରିବି। ହିନ୍ଦୀ ଜାଣେନି, ଇଂଲିଶରେ ଧାଡ଼ିଧାଡ଼ି ଟ୍ରାନ୍ସଲେଟ‌୍‍ କରି ପାରିବି। ସେଥରୁ ଆପଣ ହିନ୍ଦୀ କରନ୍ତୁ।   ତାହା ହେଲା। ଉପକାର ତତ୍କାଳ ପାଇଛୁ। ଓକିଲବାବୁ ଆମ ପାଖରେ ବ୍ୟସ୍ତ ଥା’ନ୍ତି, ତାଙ୍କୁ ପେସ୍କାର ଡାକିଲେ - ତମ ଅର୍ଡର ନେଇ ଯା’! ‘ବୁଡ଼ିଲା ଲୋକର କୁଟାଖିଅକୁ ଆଶ୍ରା’ - ନିରାଶା ପାଇଁ କୁହାଯାଏ। ଆଶ୍ଚର୍ଯ୍ୟ, ଇଏ ବି ମିଳିଥିଲା। କାରଣ ବଳଦ ଚୋରି ଦେଖିଥିବା ସୁନ୍ଦରଗଡ଼ର ଜଣେ ସରଳ ଅଧିବାସୀ ଓଡ଼ିଆରେ କହିଥିଲା ବୋଲି।

Share :