ଟିକସ ଟଙ୍କାର ହିସାବ ମାଗ!

ଟିକସ ଟଙ୍କାର ହିସାବ ମାଗ!

Share :

ରତ୍ନେଶ୍ବର ସାହୁ   ଲୋକେ ଟିକସ ଦେଉଛନ୍ତି। ଅନେକ ଜିନିଷର ମୂଳ ଦରର ପ୍ରାୟ ଦୁଇ ଗୁଣ ହେଉଛି ଟିକସ ଅର୍ଥ। ଯଦି ଦେଖିବା ଲୁଣ ଦିନେ ୨ ଟଙ୍କାରେ ଗୋଟେ କିଲୋ ମିଳୁଥିଲା। କିନ୍ତୁ ଆଜି ୧୦ ଟଙ୍କାରୁ ଅଧିକ। ସାବୁନ ୫ ଟଙ୍କାରୁ ଆସି ପହଞ୍ଚିଲାଣି ୩୦ ଟଙ୍କାରେ। ସେମିତି ପରିବା କଥା ନ କହିଲେ ଭଲ। ଡାଲି, ତେଲ ରସୁଣ ଭଳି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଉତ୍ପାଦନ ଦର ଓ ବିକ୍ରି ଦର ମଧ୍ୟରେ ପାତାଳ ଓ ଆକାଶର ବ୍ୟବଧାନ।   ସବୁଠାରୁ ବଡ କଥା ହେଲା ଏହି ସବୁ କଥା ସାମୟିକ ଆଲୋଚନା ପରେ ସରକାରୀ ଫାଇଲରେ ନାଲି ଫିତା ଦ୍ବାରା ବନ୍ଦ ହୋଇଯାଉଛି। ବେଳେ ବେଳେ ନଜର ଦିଆଯାଉଛି ହେଲେ ଏହି ସମସ୍ୟା ଯେମିତିକୁ ସେମିତି ରହିଯାଉଛି।   ଲୋକଙ୍କ ଆଖି ଆଗରେ ସବୁ ଘଟଣା ଘଟି ଯାଉଛି। କିନ୍ତୁ ସମସ୍ତେ ଏହାକୁ ହସି ହସି ଉପଭୋଗ କରି ଚାଲିଛନ୍ତି। ଯଦି କାହାକୁ ପଚାରିବା ସେ କହିବେ ଭାଇ ସୁବିଧା ପାଇବା ତେଣୁ ଖର୍ଚ୍ଚ କରିବାକୁ ପଡିବ। ଆମେ ଯେତେବେଳେ ଆମ ଗାଁର ଜଳଖିଆ ଦୋକାନକୁ ଜଳଖିଆ ଖାଇବାକୁ ଯାଉ ଯଦି ବରା କି ସିଂଗଡାର ଦର ବଢିଥାଏ ତେବେ ଦୋକାନୀଙ୍କୁ ପାଟିକରୁ। ପରିବା ଦୋକାନୀ ପରିବା ଦର ବଢ଼ିଗଲେ ନିନ୍ଦା ଶୁଣେ। କିନ୍ତୁ ଯଦି ସାବୁନ, ତେଲ, ବେସନ ଏବଂ କୌଣସି ଶିଳ୍ପଜାତ ସାମଗ୍ରୀର ଦର ବଢ଼େ ତେବେ କାହାକୁ କେତେ କହୁଛୁ? ଲୋକ ସାନ ଲୋକଙ୍କ ଗାଳି ସହି ପାରନ୍ତି ନାହିଁ। କିନ୍ତୁ ବଡ଼ ଲୋକଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧେର ପାଟି ଫିଟାନ୍ତି ନାହିଁ।   ଲୋକେ ବୁଝିବା କଥା ଯେ ଖୁଚୁରା ଦୋକାନୀମାନେ ସବୁ ପ୍ରକାର ସାମଗ୍ରୀ ପାଇଁ ବଡ଼ ଦୋକାନ ବା ଦୋକାନ ଉପରେ ନିର୍ଭରଶୀଳ। ପାଇକାରୀ ଦର ବଢିଲେ, ମଜୁରୀ ଦର ବଢିଗଲେ ଏମାନେ ମଧ୍ୟ ପ୍ରସ୍ତୁତ ସାମଗ୍ରୀକୁ ଦର ବଢାଇବା ପାଇଁ ବାଧ୍ୟ।   ଲୋକମାନେ ଯେଉଁ ଲୋକଟିକୁ ନିଜ ପାଖରେ ଦେଖନ୍ତି ତାହାକୁ ଅନେକ କଥା ଶୁଣାନ୍ତି। କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେଲେ ଏମାନେ ଯେଉଁ ଅବଦାନ ଦିଅନ୍ତି ତାହା ଶତକଡ଼ା ମାତ୍ର ୫ ରୁ ୧୦। ତାହାହେଲେ ଆମେ କ’ଣ କରିବା ଉଚିତ? ଆମକୁ ଟିକିଏ ଚିନ୍ତା କରିବାକୁ ପଡିବ। ଆମଭିତରୁ ଅଧିକାଂଶ ଆଜି ଜାତି ନାମରେ, ଧର୍ମ ନାମରେ ଏବଂ ରାଜନୈତିକ ଦଳ ନାମରେ ବିଭାଜିତ ହୋଇଯାଇଛେ। ଆମେ ଚିନ୍ତା କଲୁନାହିଁ ଯେ ଆମେ ମିଳିମିଶି ରହିଛୁ ବୋଲି। ଆମେ ଭାରତୀୟ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲୁ। ଆମେ ସମସ୍ତେ ସ୍ବାଧୀନଚେତା ମାନବ ସମାଜ। କିନ୍ତୁ ଆଜି ଆମେ କେଉଁଠି?   ଏଠାରେ ଏକ ଗପ ଉପସ୍ଥାପନ କରୁଛି।   ଥରେ ଦୁଇ ସାଙ୍ଗ ମିଶିକରି ଗୋଟିଏ ଅଞ୍ଚଳକୁ ବୁଲିବାକୁ ଗଲେ। ସନ୍ଧ୍ୟା ସମୟରେ ଗୋଟିଏ ସ୍ଥାନରେ ରାତ୍ରୀ ଯାପନ କରିବା ପାଇଁ ଚିନ୍ତା କଲେ। ସେଠାରେ ଜଣେ ଲୋକ ଆସି କହିଲା ଆଜ୍ଞା ଏହି ସ୍ଥାନରେ ବିଶ୍ରାମ ନିଅନ୍ତୁ। ଏଠାରେ ତମ୍ବୁ ଟାଣି ଶୋଇ ପଡନ୍ତୁ। ଦୁଇସାଙ୍ଗ ଭାବିଲେ ଆଜି ବି ଲୋକେ ସାହାଯ୍ୟ କରିବା ଚିନ୍ତାଧାରାରେ ଅଛନ୍ତି। ରାତ୍ରିରେ ଭୋଜନ ସାରି ଶୋଇବାକୁ ଗଲେ ଏବଂ ଶୋଇ ପଡିଲେ। ଅଧ ରାତ୍ରିରେ ଜଣେ ସାଙ୍ଗ ଅନ୍ୟକୁ ଉଠାଇ କହିଲା ଆରେ ଦେଖ କି ସୁନ୍ଦର ପୃଥିବୀ। ଜହ୍ନ, ତାରା ଏବଂ ଉଲ୍କାପାତ ହେଉଛି।   ଅନ୍ୟ ସାଙ୍ଗଟି କହିଲା ଆରେ ତମ୍ବୁ କାଇଁ?   ସେମିତି ଆମେ ଅନ୍ୟର ସାଧାରଣ କଥାରେ ବଶୀଭୂତ ହୋଇ ଦିନକୁ ଦିନ କ୍ରୟ କରିବାର କ୍ଷମତା କମାଇବାରେ ଲାଗି ପଡିନୁ କି? ତାହା ପୁଣି ଖୁସିରେ।   ଠିକ ସମୟରେ ଟିକସ ଦେବା ଏକ ଦାୟିତ୍ବ। କିନ୍ତୁ କଥା ଉଠୁଛି ଯେ ସେହି ଟିକସ ଅର୍ଥରେ ଖାଦ୍ୟ ନିରାପତ୍ତା ଚାଉଳ ବଣ୍ଟନ, ରାସ୍ତା, ସ୍କୁଲ୍ ଓ ଡାକ୍ତରଖାନା ନିର୍ମାଣ ଭଳି ଯେଉଁ ବ୍ୟବସ୍ଥା ରହିଛି ସେଗୁଡିକ ବିଷୟରେ କିଛି ସୂଚନା ପାଇବା ପାଇଁ କୌଣସି ନାଗରିକ ଯଦି ସରକାରୀ ଅଧିକାରୀଙ୍କୁ ପଚାରନ୍ତି ତେବେ ସେହି ପ୍ରଶ୍ନଟି ସିଧାସଳଖ ରାସ୍ତା ଠିକାଦାର, ଯୋଗାଣ ଠିକାଦାରଙ୍କ ପାଖରେ ପହଞ୍ଚିଯାଏ। ଯେଉଁ ଲୋକଟି ପ୍ରଶ୍ନ କରିଥାନ୍ତି ତାଙ୍କୁ ବିଭିନ୍ନ ଧମକ ମିଳେ।   ସଚେତନତାର ଅଭାବ ମଧ୍ୟ ସେହି ଠିକାଦାରଙ୍କୁ ଏପରି ଧମକ ଦେବାର ସାହସ ଯୋଗାଏ। ସେମାନେ ଭୁଲି ଯାଉଛନ୍ତି ଯେ ଯେଉଁ କାମଟି ସେମାନେ ପାଇଛନ୍ତି ତାହା ଲୋକେ ପୈଠ କରିଥିବା ଟିକସ ଅର୍ଥର ଅନୁଦାନ। ଯଦି ଲୋକେ ଟିକସ ଦେଉ ନ ଥାନ୍ତେ ତେବେ ଏମାନେ ମଧ୍ୟ ରୋଜଗାର ଏବଂ ଜୀବିକା ପାଇଁ ଅନ୍ୟ ବାଟ ବାଛିବାକୁ ବାଧ୍ୟ ହୋଇଥାନ୍ତେ।   ଲୋକଙ୍କୁ କୁହାଯାଉଛି ଯେ ବଡ ବଡ ଶିଳ୍ପପତି ଅଧିକ ଟିକସ ଦେଉଛନ୍ତି। କିନ୍ତୁ କିଏ ବି ପ୍ରଶ୍ନ କରନ୍ତି ନାହିଁ ଯେ ଏହି ଶିଳ୍ପପତିମାନେ ଯେହେତୁ ଲୋକମାନେ ସାମଗ୍ରୀ କିଣୁଛନ୍ତି ତେଣୁ ଆୟ କରନ୍ତି ଏବଂ ଆୟ ଯୋଗୁଁ ଟିକସ ଦେବାକୁ ବାଧ୍ୟ ହୁଅନ୍ତି। ଜଣେ ମାସିକ କୋଟିଏ ଟଙ୍କା ରୋଜଗାର କରି ଲକ୍ଷେ ଟଙ୍କା ଟିକସ ଦେଲେ ଯେତିକି କଷ୍ଟ ହୁଏ ନାହିଁ ତାହାଠାରୁ ଅଧିକ କଷ୍ଟ ହୁଏ ଆୟର ୮୦ ରୁ ୯୦ ଭାଗ ଖର୍ଚ କଲେ। ଟିକସ ପାଇଁ ଗରିବ ଓ ମଧ୍ୟବିତ୍ତ ଲୋକର ଅବଦାନ ଅଧିକ। କୋଟିଏ ଟଙ୍କା ଆୟ କରୁଥିବା ଲୋକ ଅପେକ୍ଷା ମାସିକ ୫ ହଜାର ଟଙ୍କା ଆୟ କରୁଥିବା ଲୋକର ଅବଦାନ ଅଧିକ। କିନ୍ତୁ ଯେହେତୁ ସମସ୍ତେ ଅନ୍ୟସହ ନିଜକୁ ତୁଳନା କରନ୍ତି ତେଣୁ ସେମାନେ ନିଜେ ନିଜକୁ ଅନ୍ୟଠାରୁ ଛୋଟ ବୋଲି ଭାବନ୍ତି। କିନ୍ତୁ ଭୁଲି ଯାଉଛନ୍ତି ଯେ ସେମାନେ ଯାହା ରୋଜଗାର କରିଛନ୍ତି ସବୁ ସରିଯାଇଛି। ତେଣୁ ଯାହା ଥିଲା ତାହା ଦେଇଛନ୍ତି। ଦେଶଗଠନରେ କାହାର ଅବଦାନ ଅଧିକ ଟିକିଏ ଚିନ୍ତା କରିବା କି?   ଟିକସ ଅର୍ଥର ସୁବିନିଯୋଗ ହୋଇଛି କି?   ଉପଯୁକ୍ତ ହିତାଧିକାରୀ ଘର, ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ପାଉଛନ୍ତି କି? ବିଭିନ୍ନ ଯୋଜନା ଯେପରିକି ଉପଯୁକ୍ତ ସ୍ଥାନରେ ପୋଖରୀ ଖୋଳିବା, ସମନ୍ବିତ କାର୍ଯ୍ୟ ଯୋଜନା (ଆଇଏପି), ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆରଜିଏଫ) ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ଏମଜିଏନଆରଜିଏସ) ଭଳି ଅନେକ ଯୋଜନା ଯେତେବେଳେ କାର୍ଯ୍ୟକାରୀ ହୁଏ ଲୋକମାନଙ୍କୁ ପଚରାଯାଉଛି କି ଯେ ସେମାନେ କ’ଣ କାର୍ଯ୍ୟକ୍ରମ ଚାହାଁନ୍ତି ବୋଲି?   ଏମଏଲଏଲ୍ୟାଡ଼ ଓ ଏମପିଲ୍ୟାଡ଼ୋ ଜରିଆରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସବୁ ଯୋଜନାର କାମ ପ୍ରାୟ ସମାନ। ରାସ୍ତା, ପୋଖରୀ, ଘର ତିଆରି ଓ ଗଛ ଲଗେଇବାରେ ପ୍ରତିବର୍ଷ ଏମିତି ହଜାର ହଜାର କୋଟି ଉଡ଼ିଯାଉଛି। ତଥାପି ଅନେକ ଗାଁକୁ ରାସ୍ତା ଯାଇନି, ଅନେକ ଗାଁରେ ପୋଖରୀ ନାହିଁ, ଅନେକ ଲୋକ ବାସହୀନ।   ଆହୁରି ଏକ ଆଶ୍ଚର୍ଯ୍ୟର କଥା ହେଲା ନଳକୂଅ। ସେହି ଗୋଟିଏ ନଳକୂଅକୁ ଗ୍ରାମୀଣ ବିକାଶ ବିଭାଗ କହିବ ଆମେ କରିଛୁ, ଆଦିବାସୀ ଉନ୍ନୟନ ବିଭାଗ କହିବେ ଆମେ କରିଛୁ ଏବଂ ପଞ୍ଚାୟତିରାଜ ବିଭାଗ କହିବେ ଆମେ କରିଛୁ। ଗୋଟିଏ ନଳକୂଅ ଦେଖଇ ତିନି ଥର ଖର୍ଚ୍ଚ। ଯଦିଓ ଏହି ଭଳି ପ୍ରମାଣ ଆମ ପାଖରେ କିଛି ନାହିଁ ତଥାପି ସ୍ବଚ୍ଛତା ରହୁ ନ ଥିବାରୁ ଅନେକ ପ୍ରଶ୍ନ ଆମ ମନ ଭିତରେ ଉଠୁଛି।   ପୋଲିସ୍ ପ୍ରଶାସନ ରହିଛି ଲୋକମାନଙ୍କୁ ଶାନ୍ତି ବାତାବରଣ ମଧ୍ୟରେ ଜୀବନ ବିତାଇବାକୁ ସହଯୋଗ କରିବା ନିମନ୍ତେ। କିନ୍ତୁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ସହର ଗୁଡିକରେ ତାହାର ଉଦାହରଣ ଅସଂଖ୍ୟ।   ତାହାହେଲେ ଟିକସ ଅର୍ଥ କେଉଁ କାମରେ ଲାଗୁଛି? ଆମ ଦେଶ ଅହିଂସାର ଦେଶ। କିନ୍ତୁ କେଉଁ ବ୍ୟବସ୍ଥା ଆଜି ଲୋକମାନଙ୍କୁ ନିଜ ପାଖରେ ବିଭିନ୍ନ ମରଣାସ୍ତ୍ର ରଖିବାର ସୁଯୋଗ ଦେଇଛି ତାହାକୁ ଅନୁଶୀଳନ କରାଯାଇଛି କି? ଅନ୍ୟକୁ ଭୟରେ ରଖିବାକୁ ଚେଷ୍ଟା କଲେ ନିଜେ ମଧ୍ୟ ଭୟଭୀତ ଜୀବନ ବିତାଇବାକୁ ପଡିବ। ଫଳରେ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନର ସହଯୋଗ ନେବାକୁ ପଡିବ। କିନ୍ତୁ ଯଦି ସେହିଭଳି ଅସୁବିଧା ନ ଥାନ୍ତା ତେବେ ଟିକସ ଅର୍ଥ ଅନ୍ୟସ୍ଥାନରେ ବ୍ୟବହୃତ ହୋଇଥାନ୍ତା ଏବଂ ପୋଲିସ୍ ବ୍ୟବସ୍ଥା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡନ୍ତା ନାହିଁ।   କୁହାଯାଉଛି ଯେ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ ହେଲା କୌଣସି ଲୋକ ଭୋକରେ ମରିବେ ନାହିଁ। ତାହାହେଲେ ଯେଉଁମାନେ ଗତ ୬୫ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି ସେମାନେ କ’ଣ କରୁଛନ୍ତି? କଥା ଉଠିଲେ ଗୋଟିଏ ରାଜନୈତିକ ଦଳ ଅନ୍ୟ ଦଳକୁ ନିନ୍ଦା କରନ୍ତି। ରାଜ୍ୟରେ ଥିବା ଦଳ ଏବଂ କେନ୍ଦ୍ରରେ ଥିବା ଦଳ ଯଦି ଅଲଗା ତେବେ କେନ୍ଦ୍ର ଅବହେଳା ବୋଲି କୁହନ୍ତି। ଆମର ପ୍ରଶ୍ନ ହେଲା କେନ୍ଦ୍ର ସରକାର ରାଜ୍ୟ ସ୍ତରରେ ସିଧାସଳଖ ଯୋଜନା କାର୍ଯ୍ୟକାରୀ କରନ୍ତି ନାହିଁ କି ହିତାଧିକାରୀ ଚୟନ କରନ୍ତି ନାହିଁ, ତେବେ ରାଜ୍ୟ ସ୍ତରରେ ଯେଉଁ ସବୁ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଅଣଦେଖା କରାଯାଇଛି ସେଥିପାଇଁ କିଏ ଦାୟୀ?   ରାଜ୍ୟସ୍ତରର ନେତାମାନଙ୍କ ଏତେ ସମ୍ପତ୍ତି ଆସିଲା କିପରି? ଠିକାଦାରମାନଙ୍କ ସମ୍ପତ୍ତି ବଢିଲା କିପରି? ଲୋକମାନଙ୍କୁ ସାମାଜିକ ଏବଂ ଆର୍ଥିକ ଉନ୍ନତି ହେଉଛି ବୋଲି କହୁଥିଲା ବେଳେ ଚାଉଳ/ଗହମ ପାଇଁ କେନ୍ଦ୍ର ଉପରକୁ ଦୋଷ ଦିଆଯାଉଛି କେଉଁ ଆଧାରରେ? ଚାଉଳ/ଗହମ ବସ୍ତାରେ ଉପଯୁକ୍ତ ଓଜନର/ପରିମାଣର ସାମଗ୍ରୀ ରହୁଛି କି? ଏହି ସବୁ ହେଉଛି ଟିକସ ଅର୍ଥ। ଟିକସ ଅର୍ଥରେ କ୍ଷମତା ଓ ବିଳାସ ଉପଭୋଗ ଏକ ମାତ୍ର ଲକ୍ଷ୍ୟ ହେବା ଉଚିତ କି?   ଯଦି ଲୋକମାନଙ୍କୁ ଏତେ ପରିମାଣର ଟିକସ ଦେବାକୁ ପଡୁ ନ ଥାନ୍ତା ତେବେ ସେମାନେ ନିଜେ ନିଜର ମନ ପସନ୍ଦର ଖାଦ୍ୟ ଖାଇ ପାରୁଥାନ୍ତେ। ଆରାମରେ ନିଜ ପାଇଁ ଘରଟିଏ କରି ପାରିଥାନ୍ତେ। ସେମାନେ କାହା ଉପରେ ନିର୍ଭର କରିବାକୁ ପଡୁ ନ ଥାନ୍ତା। ଆମକୁ ଟିକସ ଦେବାକୁ ପଡିବ। କିନ୍ତୁ କେଉଁ କାର୍ଯ୍ୟ ପାଇଁ ଏହି ଟିକସ ଦେବାକୁ ପଡୁଛି ତାହା ସର୍ବସାଧାରଣ ଜାଣିବା ଉଚିତ। ଲୋକେ ଯେତେବେଳେ ଜାଣିବେ ଯେ ଏହି କାମଗୁଡିକ ତାଙ୍କର ଟିକସ ଅବଦାନ ଯୋଗୁଁ ସମ୍ଭବ ହୋଇଛି ସେତେବେଳେ ସେମାନେ ନିଜେ ପ୍ରଶ୍ନ କରିବେ ଏବଂ ନିଜେ ଖୁସିରେ ଖୁସିରେ ଟିକସ ଦେବେ।

Share :