ନାବାଳିକା ନିଖୋଜ ହୁଏ କିପରି?

ନାବାଳିକା ନିଖୋଜ ହୁଏ କିପରି?

Share :

ଅବିନାଶ ଷଡ଼ଙ୍ଗୀ     ଏଠି ସମସ୍ତେ କାନ୍ଦୁଛନ୍ତି ହେଲେ କାହା ଆଖିରୁ ଲୁହ ବାହାରୁନି। ସଭା, ସମିତି, ପ୍ରଚାର, ସଚେତନତା, ଓ୍ବାର୍କସପ୍ ଖାଲି ଗଣମାଧ୍ୟମରେ ପ୍ରଚାରସର୍ବସ୍ବ। କିଛି ସଂସ୍ଥାଙ୍କର ତ ବ୍ୟବସାୟିକ ଫାଇଦା ମୁଖ୍ୟ ଉଦ୍ଦେଶ୍ୟ। ଆଉ ସରକାରୀ ଯୋଜନା ତାଠଉଁ ବଳି। କେବଳ ପ୍ରହସନ। ବାସ୍ତିବିକ ଆନ୍ତରିକତା ଟିକିଏ ବି ନାହିଁ।   ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଆଧାରରେ ଏନଜିଓ ସଂସ୍ଥା ଚାଇଲ୍ଡ ରାଇଟସ ଆଣ୍ଡ୍ ୟୁ ବା କ୍ରାଏ ନିକଟ ଅତୀତରେ ଏଭଳି ରିପୋର୍ଟ ରଖିଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ସଂସ୍ଥାର ସର୍ଭେ ଅନୁସାରେ ଦେଶର ପ୍ରତି ଶହେ ଜଣରେ ୧୪ ଜଣ ନାବାଳିକା କେବଳ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ଏଭଳି ଦୁର୍ଭାଗ୍ୟଜନକ ପରିସଂଖ୍ୟାନରେ ଓଡ଼ିଶାର ସ୍ଥାନ ଆସାମ, ବିହାର ସହ ଦ୍ବିତୀୟରେ। ପଶ୍ଚିମ ବଙ୍ଗ ୪୨ ପ୍ରତିଶତ ସହ ତାଲିକାର ଶୀର୍ଷରେ ରହିଛି।   ନାବାଳିକା ଚାଲାଣକୁ ନେଇ ବିଗତ କିଛି ଦଶନ୍ଧି ଧରି ଅନେକ ରିପୋର୍ଟ ବିଭିନ୍ନ ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରକାଶ କରିଛନ୍ତି। କିନ୍ତୁ କ୍ରାଏର ଏହି ରିପୋର୍ଟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି କେତେ ଉଦବେଗଜନକ। ଆମ ସରକାର, ପ୍ରଶାସନ, ବିଭାଗୀୟ ଶୃଙ୍ଖଳ ଓ ବିଧିବ୍ୟବସ୍ଥା ପାଇଁ ଏହା ଏକ ଚିନ୍ତାଜନକ ବିଷୟ।   ଏ ସଂସ୍ଥାର ରିପୋର୍ଟ କହୁଛି, ଗତ ପାଞ୍ଚ ବର୍ଷ ମଧ୍ୟରେ ନାବାଳିକା ଚାଲାଣର ହାର ୬୦୮ ପ୍ରତିଶତ ବଢ଼ିଛି। ଏ ସ୍ଥିତି ଯେତିକି ସଂଗୀନ, ସେତିକି ଚିନ୍ତାଜନକ।   ଅପରେସନ ସ୍ମାଇଲ ଭଳି କିଛି ଯୋଜନାରେ ଦେଶର ଅନେକ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ସରକାରୀ ରେକର୍ଡ କହୁଛି। ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ ହଜାର ଶିଶୁ ଓ ରାଜ୍ୟର ୯୦୦ ଶିଶୁ ଉଦ୍ଧାର ହୋଇଛନ୍ତି। ସେହିପରି ସ୍ମାଇଲ-୨ରେ ଓଡ଼ିଶାର ୧୩୯ ଜଣ ଉଦ୍ଧାର ହୋଇଥିବା କୁହାଯାଇଛି। କିନ୍ତୁ ସିଡବ୍ଲ୍ୟୁସି ଅଧିକାରୀଙ୍କ କହିବା କଥା, ଏହା ବାସ୍ତବ ଚିତ୍ର ନୁହେଁ। କାହିଁକି ନା ଯାହାବି ଶିଶୁ ଉଦ୍ଧାର ହୁଅନ୍ତି ସେମାନଙ୍କ ଜରିଆରେ ପରିବାରକୁ ହସ୍ତାନ୍ତର କରାଯାଏ। ତାଙ୍କ ଜରିଆରେ ଏତେ ଶିଶୁ ଉଦ୍ଧାର ହୋଇ ପରିବାରକୁ ହସ୍ତାନ୍ତର କରାଯାଇନି ବୋଲି ସେମାନେ କହୁଛନ୍ତି। ତା ହେଲେ କିଏ ସତ? ସିଡବ୍ଲ୍ୟୁସି ନା ସରକାର? ଯଦି ଆମେ ଏତେ ଶିଶୁଙ୍କୁ ବିଭିନ୍ନ ରାଜ୍ୟ ଓ ବିଦେଶରୁ ଉଦ୍ଧାର କରିଛନ୍ତି, ତା ହେଲେ ଗତ ପାଞ୍ଚ ବର୍ଷ ଭିତରେ ଏହାର ହାର ୬୦୮ ପ୍ରତିଶତ ବଢିଲା କେମିତି?   କିଭଳି ଚାଲାଣ ହୁଅନ୍ତି ନାବାଳିକା? କଅଣ ପାଇଁ ସେମାନଙ୍କୁ ଚାଲାଣ କରାଯାଏ? କାହାଦ୍ବାରା ଏମାନଙ୍କୁ ସ୍ଥାନାନ୍ତର କରାଯାଏ? କଅଣ କରନ୍ତି ସେମାନଙ୍କୁ ନେଇ? କେଉଁଠିକି ଯାଆନ୍ତି ଏମାନେ?   ନାବାଳିକା ଚାଲାଣ ପଛରେ କାମ କରେ ଲମ୍ବା ରାକେଟ୍। ଯେଉଁ ରାକେଟର ଚେର ଏତେ ଗଭୀର ଯେ ଏହାର ଆଦ୍ୟାନ୍ତ ବୁଝିବା ସାଧାରଣ ମଣିଷ ପକ୍ଷେ ମୁସ୍କିଲ୍।   ଏହି ରାକେଟ କାମ କରୁଛି ବିଭିନ୍ନ ପର୍ଯ୍ୟାୟରେ। ପ୍ରତ୍ୟେକ ସ୍ତର ବା ପର୍ଯ୍ୟାୟରେ ଏହି କୋମଳମତି ନାବାଳିକାମାନେ ଦଲାଲମାନଙ୍କ ଦ୍ବାରା ଶୋଷଣର ଶିକାର ହୁଅନ୍ତି। ଗାଁ ଗହଳି, ଉପାନ୍ତ ଓ ଆଦିବାସୀବହୁଳ ଇଲାକାର ଅପାଠୁଆ କି ଅଳ୍ପଶିକ୍ଷିତ ମଣିଷମାନେ ଯେତେବେଳେ ପେଟ ଚାଖଣ୍ଡକ ପାଇଁ ପ୍ରତିଦିନ ସଂଘର୍ଷ କରୁଥାନ୍ତି, ସେତେବେଳେ ଏହି ଦଲାଲମାନେ ସେମାନଙ୍କ ସରଳତା ଓ ଅଶିକ୍ଷାର ଫାଇଦା ନିଅନ୍ତି। ତୋ ଝିଅକୁ ସହରରେ ଚାକିରୀବାକିରି କରେଇ ଦେବି, ଭଲ ସ୍କୁଲରେ ପାଠ ପଢେଇବି, ଝିଅ ସୁନ୍ଦର ଥିଲେ ସିନେମାରେ ହିରୋଇନ୍ କରେଇଦେବି, ତୋ ପରିବାରରେ ଅଭାବ ରହିବ ନାହିଁ ବୋଲି କେତେ କଣ ପ୍ରଲୋଭନ ଦେଖାନ୍ତି ଏମାନେ।   ଶେଷରେ ସରଳ ଓ କ୍ଷଣିକ ବିଶ୍ବାସୀ ବାପାମାଆ ତା ଝିଅକୁ ଟେକିଦିଅନ୍ତି ସେ ଦଲାଲ ହାତକୁ। ଆଉ ସେ ଦଲାଲ ବା ଏଜେଣ୍ଟ କିଏ ଜାଣନ୍ତି? ବିଭିନ୍ନ ରିପୋର୍ଟ ଓ ଗ୍ରାଉଣ୍ଡ ଜିରୋର ତଥ୍ୟ କୁହେ, ଏ ଦଲାଲମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ସେ ନାବାଳିକାଟିର ନିକଟ ସଂପର୍କୀୟ ମାମୁଁ, ଦାଦା ଭାଇ କି ମଉସା ଇତ୍ୟାଦି। ରାକେଟ କିଙ୍ଗପିନଠାରୁ ଏ ବାବଦରେ ମୋଟା ଅଙ୍କର ଅର୍ଥ ଆଣି, ତାର ସିଂହ ଭାଗ ରଖି ମାତ୍ର ହଜାରେ ଦୁଇହଜାରେ ପ୍ରଥମେ ପିଙ୍ଗିଦିଅନ୍ତି ସେଇ ଅଭାଗୀର ବାପାମାଆ ମୁହଁକୁ। ଆଉ ପେଟ ପାଇଁ ପ୍ରତିଦିନ ଜୁଝୁଥିବା ସେ ମାଟିର ମଣିଷ ଭାବିନିଏ ଏହା ତାପାଇଁ ଐରାବତ ହାତୀ।   ଏହି ପ୍ରଥମ ପର୍ଯ୍ୟାୟ ଦଲାଲ କେବଳ ପରିବାର ପାଖରୁ ସେ ଝିଅକୁ ଅଲଗା କରିଥାନ୍ତି। ତାପରେ ଆଉ ଏକ ଦଲାଲ ଗ୍ୟାଙ୍ଗ ସହର ନେବାକୁ କହି ଟ୍ରେନ, ଟ୍ରକ କିମ୍ବା ଅନ୍ୟାନ୍ୟ ଗାଡି ମାଧ୍ୟମରେ କରାଇଦିଏ ସୀମାପାର। ସେଇଠୁ ସରିଯାଏ ସେ ଦଲାଲର କାମ। ଅନ୍ୟ ଜଣେ ଦଲାଲ ସୀମା ଆରପଟରେ ଥାଇ ଏମାନଙ୍କୁ ପହଁଚାଏ ଚେନର ମାଷ୍ଟରମାଇଣ୍ଡ ପାଖରେ। ଏଭଳି ଦୁଇତିନିଟି ପର୍ଯ୍ୟାୟରେ କାମକରେ ଏହି ରାକେଟ।   ଏମାନେ ତ ଛୋଟଛୋଟ ଝିଅ। ଏମାନଙ୍କୁ ନେଇ କରନ୍ତି କଣ?   କେତେବେଳେ ଯୌନ ଶୋଷଣ ତ କେତେବେଳେ ବଳପୂର୍ବକ ଦେହ ବେପାରରେ ସେମାନଙ୍କୁ ନିୟୋଜିତ କରାଯାଏ। ବନ୍ଦୀଘରେ ମାସ ମାସ ରଖି ବାପା ବୟସର ଦେହରାକ୍ଷସମାନେ ଖିନଭିନ କରି ଖାଇଯାଆନ୍ତି ଦୁନିଆକୁ ଭଲକରି ଦେଖିନଥିବା ସେ ନାବାଳିକାଟିକୁ। ଏ ଯୌନଲାଳସା କେବଳ ସେଇଠି ସରିନଥାଏ, ପର୍ଯ୍ୟାୟ ପରେ ପର୍ଯ୍ୟାୟ, ପରସ୍ତ ପରେ ପରସ୍ତ କରି ବିକ୍ରି କରିଚାଲନ୍ତି ସେଇ କୋମଳମତିକୁ। ସେ ପାଲଟିଯାଏ ବିପଣନ ସାମଗ୍ରୀ ।   ଜୀବନ ଆରପାରିରେ ବାଜି ଲାଗିଛି, ଯୌବନ ନିଜକୁ ଦେଖି ଅଟ୍ଟହାସ୍ୟ କରୁଛି ଆଉ ଶରୀର ଅନ୍ୟର କାମନା ବାସନା ପାଇଁ ଫଡା ଫଡା ହୋଇ ବିକ୍ରି ହୋଇଚାଲିଛି।   ଏହି ଚିତ୍ର କେବଳ ଏ ଗୋଟିଏରେ ସୀମିତ ନାହିଁ। କେତେବେଳ ନଗ୍ନଚିତ୍ର ପାଇଁ ତା ଦେହ ନିଲାମ ହେଉଛି ତ, କେତେବେଳେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ସେ ବନିଯାଇଛି ବିଜ୍ଞାପନ ସାମଗ୍ରୀ। ଆଉ କେତେବେଳେ ସେ ପାଲଟିଯାଇଛି ପତିତାପଡ଼ାର ମୋନାଲି, ରୁନାଲି କିମ୍ବା ସୋନାଲି। ସେ ସ୍ବପ୍ନରେ କେବେ ବି ଭାବିନଥିବ ଇଏ ହେଉଛି ସେ ଟୁନା ମାମୁଁର ସହର, କାଳିଆ ମଉସାର ଅଫିସ୍ କି ବଟ ଭାଇର ସ୍କୁଲ।   ଏ କଳା ଫର୍ଦ୍ଦ ଲମ୍ବିଛି ଦାଦନ, ଭିକ୍ଷାବୃତ୍ତିଠାରୁ ଆରମ୍ଭ କରି ବ୍ରାଉନସୁଗାର ଚାଲାଣ ପର୍ଯ୍ୟନ୍ତ। ପ୍ରତ୍ୟେକ ଦିନ ବସଷ୍ଟାଣ୍ଡ, ଷ୍ଟେସନ, ସପିଂମଲ୍, ରାସ୍ତାକଡ଼ରେ କୁନିକୁନି ଝିଅମାନଙ୍କୁ ପଇସା ମାଗୁଥିବାର ଦେଖୁଥିବେ। ଏମାନଙ୍କ ଭିତରୁ ଅନେକଙ୍କୁ ଏହି ଗ୍ୟାଙ୍ଗ ଭିକ୍ଷାବୃତ୍ତିରେ ଲଗାଇଥାନ୍ତି। ଏଥିରୁ ମିଳେ ଲକ୍ଷଲକ୍ଷ ଟଙ୍କା। ଦଶକୋଡ଼ିଏ ଟଙ୍କା ପ୍ରତ୍ୟେକ ପିଲାଙ୍କ ମୁହଁରେ ଫିଙ୍ଗି ଦେଲାପରେ ବାକି ସବୁ ସେମାନଙ୍କର। ବ୍ରାଉନସୁଗାର ଚରସ ଭଳି ସାଂଘାତିକ ନିଶାଦ୍ରବ୍ୟ ଏମାନଙ୍କ ଦ୍ବାରା ପହଁଚେ ଟାର୍ଗେଟସ୍ଥଳରେ। କାରଣ ଏଥିରେ ରିସ୍କ କମ। ପୁଲିସ ଚେକ୍ କରେନି କି କେବେ ସନ୍ଦେହ ନଜରରେ ବି ଦେଖେନି। ସହଜେ ବି ଏମାନେ ଛୋଟ ଛୋଟ ଝିଅ। କିଏ ବା କାହିଁକି ସନ୍ଦେହ କରିବ?   ପ୍ରୌଢ଼ ଓ ବୃଦ୍ଧଙ୍କ ସହିତ ବିବାହ ପାଇଁ ଆରବ ଦେଶମାନଙ୍କୁ ମଧ୍ୟ ଚାଲାଣ କରାଯାଏ ଏମାନଙ୍କୁ। ଦେହର ଅଙ୍ଗପ୍ରତ୍ୟଙ୍ଗ କାଢି ମଧ୍ୟ ବିକିବାକୁ ପଛାନ୍ତି ନାହିଁ ସେହି ନର ରାକ୍ଷସମାନେ। ଅନେକ ସମୟରେ ମୌତ କା କୁଆଁ, ବାଉଁଶରାଣୀ ଭଳି ବିଭିନ୍ନ ବିପଦଜନକ କାମରେ ଏମାନଙ୍କୁ ଲଗାଇଥାନ୍ତି।   କଅଣ ଏକଥା ସରକାର ଜାଣିନାହାନ୍ତି ନା ତାଙ୍କ ପାଖରେ ରିପୋର୍ଟ ନାହିଁ? କେବେ ଭାଙ୍ଗିବ କୁମ୍ବକର୍ଣ୍ଣ ନିଦ୍ରା? ଖାଲି ମେକାନିଜମ୍ ତିଆରି କଲେ ହେବନି। ତାହା ଠିକ୍ ଭାବେ କିଭଳି କାର୍ଯ୍ୟ କରିବ, କାମ କରୁଛି କି ନାହିଁ, ଯେଉଁମାନେ ଦାୟିତ୍ବରେ ଅଛନ୍ତି ସେମାନେ କେତେଦୂର ତାକୁ ତୁଲାଉଛନ୍ତି ତାର ସମୀକ୍ଷା ହେବା ଦରକାର।

Share :