ଲୁଟ୍‌ମାର୍ ଗେଟ୍!

ଲୁଟ୍‌ମାର୍ ଗେଟ୍!

Share :

ଶ୍ରୀ ଅଖଣ୍ଡ   ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଦୟା ଆସୁଛି ରାଜ୍ୟର ବ୍ୟବସ୍ଥା ଉପରେ। ମନ୍ତ୍ରୀ ଘୋଷଣା କରୁଛନ୍ତି ଅନେକ ଟୋଲ‌୍‍ ଗେଟ‌୍‍ ବେଆଇନ ଭାବେ ହୋଇଛି। ଆଉ ଆମ କଥା କେହି ଶୁଣୁନାହାନ୍ତି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଏସବୁ ଟୋଲ‌୍‍ ଗେଟ‌୍‍ ଦେଇ ଚାଲିଛନ୍ତି। ଆମେ ଏ ସମ୍ପର୍କରେ କେନ୍ଦ୍ରକୁ ଜଣାଇବୁ। କେଉଁ ଯୁଗରେ ଆମେ ଅଛେ ଓ ଆଉ କିଏ ଆମର ଶାସକ?   ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥର ପିପିଲି ନିକଟବର୍ତ୍ତୀ ନିର୍ମିତ ଟୋଲ‌୍‍ ଗେଟ‌୍‍ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକେ ଗତ ବର୍ଷ ଆନ୍ଦୋଳନ କରିଥିଲେ। ସରକାରୀ ଦଳର ନେତାମାନେ କିଛି ଦିନ ଏହାକୁ ବିରୋଧ କରି ପରେ ସରକାରଙ୍କ ସହ ସାଲିସ କଲେ। ବିଭିନ୍ନ ରାଜନୈତିକ ଦଳରେ ନେତା ଏହି ପ୍ରସଙ୍ଗରେ ପାଟି ଖୋଲି ନଥିଲେ। ଓଲଟି ଆନ୍ଦୋଳନକାରୀମାନଙ୍କୁ ବିଭିନ୍ନ ଉପାୟରେ ନିରୁତ୍ସାହିତ କରିବାକୁ ପଛାଇ ନଥିଲେ। ସେତେବେଳେ ଜିଲ୍ଲା ପ୍ରଶାସନ ଅଫିସରଙ୍କ ସହ ମଧ୍ୟ ବହୁଥର ଆଲୋଚନା ହୋଇଥିଲା। କିନ୍ତୁ କିଛି ଲାଭ ହେଲାନି। ପ୍ରଥମେ କିଛି ମାସ ପାଇଁ ଏଭଳି ବେଆଇନ ଚାନ୍ଦା ଆଦାୟ ବନ୍ଦ ହୋଲା। କିନ୍ତୁ ସଚିବାଳୟରୁ ଜିଲ୍ଲା ପ୍ରଶାସନ ଉପରେ ଚାପ ପଡିଥିଲା। ଯେନତେନ ପ୍ରକାରେଣ ଆନ୍ଦୋଳନକାରୀଙ୍କୁ ହଟାଇ ଟୋଲ‌୍‍ ଗେଟ‌୍‍ରେ ଚାନ୍ଦା ଆଦାୟ କର। ଜିଲ୍ଲା ପ୍ରଶାସନ ବି ସେୟା କରିଥିଲା। ଜୋର ଜବରଦସ୍ତ ଆନ୍ଦୋଳନକାରୀମାନଙ୍କୁ ଗିରଫ କରାଗଲା ଓ ଟୋଲ‌୍‍ ଆଦାୟ ଚାଲିଛି।   କେମିତି ଏହି ଟୋଲ‌୍‍ ଗେଟ‌୍‍ ବେଆଇନ? ଜାତୀୟ ରାଜପଥ ଶୁଳ୍କ (ଦର ନିର୍ଧାରଣ ଓ ଆଦାୟ) ନିୟମ ୨୦୦୮ର ୮ ଧାରାକୁ ଏହା ଖୋଲାଖୋଲି ଉଲଂଘନ କରିଛି। ଧାରା ୮ରେ ଟୋଲ‌୍‍ ପ୍ଲାଜାର ଅବସ୍ଥିତି କେଉଁଠି ହେବ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ରହିଛି। ଏହି ନିୟମ ଅନୁସାରେ ଟୋଲ‌୍‍ ପ୍ଲାଜାର ଅବସ୍ଥିତି ପୌରପାଳିକା କିମ୍ୱା ଅନ୍ୟ ସ୍ଥାନୀୟ ସହରଠାରୁ ଅନୁନ୍ୟ ୧୦ କିଲୋମିଟର ଦୂରରେ ରହିବା ଆବଶ୍ୟକ। ତେବେ କର୍ତ୍ତୃପକ୍ଷ ଚାହିଁଲେ ଏହାକୁ କୋହଳ କରିପାରିବେ। କେଉଁ କାରଣ ଯୋଗୁଁ ନିୟମ କୋହଳ କରାଯାଉଛି ତାହା ଲିଖିତ ଆକାରରେ ଦିଆଯିବ। ତେବେ କୋଣସି କ୍ଷେତ୍ରରେ ସହରାଂଚଳଠାରୁ ୫ କିଲୋମିଟର ମଧ୍ୟରେ ଏହି ଟୋଲ‌୍‍ ଗେଟ‌୍‍ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ଏହି ନିୟମକୁ ନା ମାନିଲେ କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଅଧିକାରୀ, ନା ମାନିଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନା ମାନିଲେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଧିକାରୀ ! ପିପିଲି ବିଜ୍ଞାପିତ ଅଂଚଳ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଟୋଲ‌୍‍ ଗେଟ‌୍‍ଟି ନିର୍ମାଣ ହେଲା। ତଦନ୍ତ ପରେ ଜିଲ୍ଲା ପ୍ରଶାସନ ଏହି ଟୋଲ‌୍‍ଗେଟ‌୍‍ ବେଆଇନ ବୋଲି ରିପୋର୍ଟ ଦେଇ ସାରିଛି।   ଏବେ ଘୋଷଣା କରୁଛନ୍ତି ସରକାର।   ସରକାର ସେଠାରେ ଏମିତି ତାମ‌୍‍ଝାମ‌୍‍ କରି ଟଙ୍କା ଆଦାୟ କଲେ ଯେ ସମସ୍ତେ ମାନି ନେଇଥିଲେ ଯେ ଏହି ଟୋଲ‌୍‍ ଗେଟ‌୍‍ ସଂପୂର୍ଣ୍ଣ ଆଇନ ସମ୍ମତ। କିନ୍ତୁ ଏବେ ମନ୍ତ୍ରୀଙ୍କ ବିବୃତି ପରେ ଲୋକମାନେ ଭାବିବାକୁ ଆରମ୍ଭ କଲେଣି ପିପିଲିରେ ଲୋକମାନେ ଯେଉଁ ଯୁକ୍ତିକୁ ନେଇ ବିରୋଧ କରୁଥିଲେ ତାହା ଠିକ‌୍‍। ଏବେ ସେଠାରେ ପୁଣି ବିରୋଧ ମୁଣ୍ଡ ଟେକିଲାଣି। ଟୋଲ‌୍‍ ଗେଟ‌୍‍ କ୍ରିୟାନୁଷ୍ଠାନ କମିଟି ତାର ଆନ୍ଦୋଳନକୁ ଜୋରଦାର କରିବ। ତେବେ ଏଠି ସରକାରଙ୍କ ଭୂମିକ କଣ କିଛି ନାହିଁ। କେବଳ ଘୋଷଣା କରି କାମ ଶେଷ କରିଦେଲେ। ବେଆଇନ ଟୋଲ‌୍‍ ଗେଟ‌୍‍ଗୁଡିକୁ ତୁରନ୍ତ ହଟାଇଦେବା ଦରକାର। ନହେଲେ ଏଭଳି ବେଆଇନ ଚାନ୍ଦା ଆଦାୟକାରୀଙ୍କ ବେଲଗାମ ଜୁଲୁମ ଚାଲୁରହିଲେ, ଆମେ ଭାବିବା ଆମେ ଏକ ଆଇନକାନୁନ‌୍‍ ବିହୀନ ରାଜ୍ୟରେ ବାସ କରୁଛେ। ଏଠି କେଉଁଟା ଆଇନ ଓ କେଉଁଟା ବେଆଇନ ତାହା ସମ୍ୱିଧାନ ନୁହେଁ, ସରକାର ସ୍ଥିର କରନ୍ତି !   ଫୋନ‌୍‍ - ୯୯୩୮୮୭୧୯୮୯

Share :