ସଂକଟରେ ସ୍ବରାଜ
 

ସଂକଟରେ ସ୍ବରାଜ  

Share :

ଅଣସ୍ତରୀତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭାରତର ସାମ୍ବିଧାନିକ ଗଣତନ୍ତ୍ର ଓ ଆର୍ଥନୀତିକ ଅସମାନତା ସଂପର୍କରେ ଯେଉଁ ଉଦବେଗ ପ୍ରକାଶ କରିଥିଲ ତାହାକୁ ଦେଶବାସୀ ହାଲୁକା ଭାବେ ଗ୍ରହଣ କରିବା ଆଦୌ ଉଚିତ ନୁହେଁ | ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଧରି ଭାରତୀୟ ରାଜନୀତି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ପ୍ରଣବ ମୁଖାର୍ଜୀ ଭାରତର ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଅର୍ଥନୀତି ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି ଅର୍ଜନ କରିଛନ୍ତି | ସାଂପ୍ରତିକ ଭାରତରେ ସେ ହେଉଛନ୍ତି ସବୁଠୁଁ ଅଭିଜ୍ଞ ରାଷ୍ଟ୍ରନେତା | ତାଙ୍କ ଉଦବେଗକୁ ଜଣେ ରାଜନେତାର ଆନୁଷ୍ଠାନିକ ଭାଷଣ ଭାବେ ଗୁରୁତ୍ବ ନଦେଇ, ଆଡ଼େଇ ନଦେଇ ଦେଶବାସୀ ତାହାର ତର୍ଜମା ଓ ଅନୁଧ୍ୟାନ କଲେ ସେ କ’ଣ କହିଛନ୍ତି ତାହାର ଗୁରୁତ୍ବ ଉପଲବ୍ଧ ହେବ | ରାଷ୍ଟ୍ରପତି କହିଛନ୍ତି ବିକାଶ ଓ ପ୍ରଗତିର ସୁଫଳ ପ୍ରଥମେ ଧନୀ ଲୋକଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପୂର୍ବରୁ ଦରିଦ୍ରତମ ଲୋକ ନିକଟରେ ପହଂଚିବା ଉଚିତ | ବାସ୍ତବରେ ଯଦି ଦେଶର ସମସ୍ତ ବିକାଶ ଓ ପ୍ରଗତିର ସୁଫଳ ଦରିଦ୍ରତମ ଲୋକଙ୍କ ନିକଟରେ ପହଞ୍ଚୁଥାନ୍ତା ତେବେ ରାଷ୍ଟ୍ରପତି ଏପରି କହିବାର ଆବଶ୍ୟକତା ନଥାନ୍ତା | ସ୍ବାଧୀନତାର ସାତ ଦଶନ୍ଧି ଭିତରେ ଯେ ଦେଶ ଆଦୌ ପ୍ରଗତି କରିନାହିଁ ତାହା ମଧ୍ୟ କୁହାଯାଇ ପାରିବ ନାହିଁ | ବିଶେଷ କରି 1990 ମସିହା ପରଠୁଁ ଆରମ୍ଭ ହୋଇଥିବା ଉଦାରୀକରଣ, ଜଗତୀକରଣ ଓ ଆର୍ଥନୀତିକ ସଂସ୍କାର ଜରିଆରେ ଦେଶର ବିକାଶ ଓ ପ୍ରଗତିର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି- ଏହା କେହି ଅସ୍ବୀକାର କରିପାରିବେ ନାହିଁ | ଏହି ସମୟ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିଛି | ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବାକୁ ଉଦ୍ୟମ ହେଉ ନହେଉ ସେହିପରି ସ୍ଲୋଗାନ ଦିଆଯାଇଛି | ଏହି ସମୟ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ସୁବିଧା କ୍ଷେତ୍ରରେ ଅନେକ କିଛି କରାଯାଇଛି ବୋଲି ଦାବି ହୋଇଛି | କିନ୍ତୁ ଏସବୁର ସୁଫଳ ଦରିଦ୍ରତମ ଲୋକ ନିକଟରେ କେତେ ପହଂଚିଛି ଓ ସୁବିଧାଭୋଗୀ ଗୋଷ୍ଠୀ କେତେ ହଡ଼ପ କରିଛି ତାହାର ତର୍ଜମା ଓ ଅନୁଧ୍ୟାନ ଏଯାଏଁ ହୋଇନାହିଁ | ଏହି ସମୟ ମଧ୍ୟରେ ଅନେକ ଗାଁରେ ଅନେକ ସ୍କୁଲ୍ ନିର୍ମାଣ କରାଯାଇଛି| କିନ୍ତୁ ସେଥିରୁ ଯେତିକି ଲାଭ ପାଇଛନ୍ତି ଠିକାଦାର, ଯୋଗାଣକାରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀ ସେତିକି ସୁଫଳ ପାଇ ନାହାନ୍ତି ଶିକ୍ଷାରୁ ବଂଚିତ ଦରିଦ୍ରତମ ଗୋଷ୍ଠୀ | ସେହିପରି ଏହି ସମୟ ମଧ୍ୟେର ନିର୍ମାଣ ହୋଇଛି ଅନେକ ଡାକ୍ତରଖାନା ଯାହାର ଫାଇଦା ପାଇଛନ୍ତି ଡାକ୍ତର, ଫାର୍ମାସିଷ୍ଟ,  ଠିକାଦାର, ଔଷଧ ଉତ୍ପାଦକ, ଯୋଗାଣକାରୀ, ନେତା ଓ ବାବୁ | ଗରୀବ ଶ୍ରେଣୀର ରୋଗୀ ପାଇଁ ସ୍ବାସ୍ଥ୍ୟ ସେବା ଏବେ ବି ଏକରକମ ଅପହଞ୍ଚ | ଅନ୍ୟ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି | ସେତୁ, ସଡ଼କ, ଶିଳ୍ପ, ଉଦ୍ୟୋଗ, ବ୍ୟବସାୟ ଆଦି ଅନେକ କ୍ଷେତ୍ରରେ ନିବେଶିତ ଦେଶୀ ଓ ବିଦେଶୀ ପୁଞ୍ଜି ପରିମାଣ ବୃଦ୍ଧି ପାଇବାରେ ଲାଗିଛି| ମାତ୍ର ସେଥିରୁ ସାଧାରଣ ଲୋକଙ୍କ ଅପକ୍ଷା ଅଧିକ ଫାଇଦା ପାଇଛନ୍ତି ସୁବିଧାବାଦୀ ଗୋଷ୍ଠୀ| ଅନେକ ହୋଇଛି ଅତ୍ୟାଧୁନିକ ସ୍କୁଲ, ଅତ୍ୟାଧୁନିକ ଡାକ୍ତରଖାନା, ଅତ୍ୟାଧୁନିକ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ | ସହର ସଂଖ୍ୟା ବଢ଼ିଛି | ସହରୀ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି | ବଜାର ଓ ନଗର ସଂଖ୍ୟା ବଢ଼ିଛି | ଅନେକ ଗାଁରେ ଉପଲବ୍ଧ ହୋଇଛି ସହରୀ ସୁବିଧା | ଗାଁ ଗାଁରେ ଲୋକଙ୍କ ରୋଜଗାର ବଢ଼ାଇବାକୁ ଦିଆଯାଇଛି କାମ କରିବାର ଅଧିକାର, ପ୍ରଣୀତ ହୋଇଛି ଏମଜିଏନ୍ଆର୍ଜିଏ | ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ଅଧିକାର ସହିତ ସ୍ବାସ୍ଥ୍ୟସେବା ପାଇଁ ମଧ୍ୟ ଅନେକ ଯୋଜନା ଓ ଆଇନ ପ୍ରଣୀତ ହୋଇଛି | ଶାସନ ଓ ପ୍ରଶାସନରେ ସ୍ବଚ୍ଛତା ଆଣିବାକୁ ସୂଚନା ଅଧିକାର ଓ ଲୋକପାଳ ତଥା ଲୋକାୟୁକ୍ତ ଆଇନ ପ୍ରଣୟନ କରାଯାଇଛି | ଅନ୍ତର୍ଭୁକ୍ତୀ ଅର୍ଥନୀତି, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ପରି ଅନେକ ସ୍ଲୋଗାନ ଦିଆଯାଇଛି | ଯୋଜନା କମିଶନର ନାଁ ବଦଳା ଯାଇଛି | ରାଜ୍ୟସଂଖ୍ୟା ବଢ଼ିଛି | ପୌର ଓ ପଞ୍ଚାୟତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି | ତଥାପି ଦେଶରେ ଆର୍ଥିକ ସମାନତା ଆସି ନାହିଁ | ବରଂ ବିକାଶ ଓ ପ୍ରଗତିର ଚାପରେ ପଡ଼ି ଅଧିକ ଲୋକ ସମ୍ବଳହୀନ ହୋଇଛନ୍ତି | ବିକାଶ ଓ ପ୍ରଗତିର ଆବଶ୍ୟକତା ପୂରଣ କରିବା ପ୍ରକ୍ରିୟାରେ କାଳକାଳ ଧରି ଜମି, ଜଳ ଓ ଜଙ୍ଗଲ ପରି ପ୍ରାକୃତିକ ସମ୍ବଳ ଉପରେ ରହିଆସିଥିବା ଲୋକମାନଙ୍କର ବୈଧ ଓ ପାରମ୍ପାରିକ ଅଧିକାର ସଂକୁଚିତ ହୋଇଛି | ଅନେକ ଅଞ୍ଚଳରେ ସେମାନଙ୍କୁ ଏହି ଅଧିକାରରୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି | ବଦଳରେ ଏସବୁ ସମ୍ବଳ ଉପରେ ଶିଳ୍ପପତି, ପୁଞ୍ଜିପତି, ଠିକାଦାର, ବ୍ୟବସାୟୀ, ନେତା ଓ ବାବୁଙ୍କ ପରି ସୁବିଧାଭୋଗୀ ଓ କ୍ଷମତାଭୋଗୀଙ୍କ ମାଲିକାନା ସୁଦୃଢ଼ ହେବାରେ ଲାଗିଛି | ଧନୀ ଅଧିକ ଧନୀ ହେଲେ ଯଦି ଗରୀବର ବ୍ୟାଙ୍କ ବାଲାନ୍ସ ବଢ଼ୁଥାନ୍ତା ତେବେ ସରକାର କାହିଁକି ସେମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ସ୍ଥାୟୀ ଅନ୍ନଛତ୍ରର ବ୍ୟବସ୍ଥା କରନ୍ତେ ? ଆହାର କାର୍ଯ୍ୟକ୍ରମ ଦରକାର ହୁଅନ୍ତା କାହିଁକି ? ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ସତ୍ତ୍ବେ ଗରୀବଙ୍କ ଗରିବୀ ହଟିନାହିଁ | ଏହା ସୂର୍ଯ୍ୟାଲୋକ ପରି ସତ୍ୟ| ସେହିପରି ଅନେକ ନେତାଙ୍କ ଉତ୍ତରଣ ଓ ଅବତରଣ ସତ୍ତ୍ବେ ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହୋଇଛି | ନିର୍ବାଚନ ଏକ କର୍ପୋରେଟ୍ ବ୍ୟବସାୟରେ ପରିଣତ ହୋଇଛି | କର୍ପୋରେଟ୍ ଦଲାଲମାନେ ନେତା ଓ ବାବୁଙ୍କ ଆସନରେ ବସି ସାମ୍ବିଧାନିକ ଗଣତନ୍ତ୍ରକୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ସାଧନତନ୍ତ୍ରରେ ପରିଣତ କରିଛନ୍ତି | ପୌର, ପଂଚାୟତ, ବିଧାନସଭା, ସଂସଦ, ମନ୍ତ୍ରିମଣ୍ଡଳର ଗୁରୁତ୍ବହାନୀ ଘଟିଛି | ଗଣତନ୍ତ୍ରର ମନ୍ଦିରରେ ଜନ ସାଧାରଣଙ୍କ ସମସ୍ୟା ସଂପର୍କରେ ସୁସ୍ଥ ଓ ସଚ୍ଚୋଟ ଆଲୋଚନା ନହୋଇ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର କ୍ଷମତା ଓ ଫାଇଦା ପାଇଁ ବାକବିତଣ୍ଡା ଚାଲିଛି | ଏହା ଏକ ଆଖଡ଼ାରେ ପରିଣତ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି | ଏହା ସତ ନୁହେଁ କି ? ଏହା କ’ଣ ଭାରତବାସୀଙ୍କ ସ୍ବାଧୀନତା, ସ୍ବତନ୍ତ୍ରତା ଓ ସମାନତାର ସ୍ବପ୍ନକୁ ସାକାର କରିଛି ? ନା କରିପାରିବ ? ଜନ ସାଧାରଣ ଏସବୁ ବିଷୟରେ ଗଭୀର ଭାବେ ଅନୁଧ୍ୟାନ କରିବା ଉଚିତ | ସ୍ଥିର କରିବା ଉଚିତ ଯେ ଏହାର ସମାଧାନ ପାଇଁ କ’ଣ ନିହାତି ଜରୁରୀ- ପୁଣି ଏକ ଶାନ୍ତିପୂର୍ଣ୍ଣ ସମ୍ଭ୍ରାନ୍ତ ସଂଗ୍ରାମ ନା ଏକ ଜନବାଦୀ ରକ୍ତାକ୍ତ ବିପ୍ଳବ ?

Share :