ଅଳ୍ପବିଦ୍ୟା ଭୟଙ୍କରୀ !
 

ଅଳ୍ପବିଦ୍ୟା ଭୟଙ୍କରୀ !  

Share :

ଅନ୍ୟ ଲୋକର ମୂଲିଆ ଭାବେ କେବଳ ଶାରୀରିକ ପରିଶ୍ରମ କରି ଜଣେ ଲୋକ ତା’ର ରୋଜଗାର ବଢ଼ାଇ ପାରିବ ନାହିଁ | ନିଜ ବିଲରେ ପରିଶ୍ରମ କରି ଚାଷ କଲେ ଅବଶ୍ୟ ଅଧିକ ରୋଜଗାରର ସମ୍ଭାବନା ଅଛି | ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ବସବାସ କରୁଥିବା 54 ପ୍ରତିଶତ ପରିବାରଙ୍କ ନିକଟରେ ଆଦୌ ଜମିବାଡ଼ି ନାହିଁ | ମୁଣ୍ଡ ଗୁଞ୍ଜିବାକୁ ସେମାନେ ସରକାରୀ ଜମି ବ୍ୟବହାର କରନ୍ତି, ଆଉ ଚାଷ କରିବେ କେଉଁ ଜମିରେ ? ସରକାର ଏଭଳି ଭୂମିହୀନମାନଙ୍କୁ ଘରଡିହ ଓ ଚାଷ ଜମି ଯୋଗାଇବେ ବୋଲି ବର୍ଷବର୍ଷ ଧରି ଘୋଷଣା କରି ଆସୁଥିଲେ ହେଁ ତାହା କେବଳ ଘୋଷଣାରେ ସୀମୀତ ରହିଛି | ଗ୍ରାମାଞ୍ଚଳରେ ବସବାସ କରୁଥିବା ସମୁଦାୟ ପରିବାରର ମାତ୍ର 23 ପ୍ରତିଶତ ଅର୍ଥାତ 20 ଲକ୍ଷ ପରିବାରଙ୍କ ମାଲିକାନାରେ କିଛିକିଛି ଚାଷ ଜମି ରହିଛି | ସେମାନଙ୍କ ମଧ୍ୟରେ ପୁଣି 60 ପ୍ରତିଶତ ଉପରେ ହେଲେ ନାମକୁ ମାତ୍ର ଚାଷୀ | ଗ୍ରାମାଞ୍ଚଳର 50.63 ଲକ୍ଷ ପରିବାର ଶ୍ରମଜୀବୀ ବା ମୂଲିଆ ଭାବେ ଚଳନ୍ତି | ରୋଜଗାର ସୁବିଧା ଅଭାବରୁ ଗ୍ରାମାଞ୍ଚଳର 54 ହଜାର ପରିବାର ଭିକ୍ଷାବୃତ୍ତି କରି ଜୀବନ ବଞ୍ଚନ୍ତି | ଓଡ଼ିଶା ଗ୍ରାମାଞ୍ଚଳର 66 ଭାଗ ଲୋକଙ୍କ ନିକଟରେ ବଞ୍ଚବାର ସର୍ବନିମ୍ନ ସୁବିଧା ନାହିଁ | ଏହା ହେଉଛି ସ୍ବାଧୀନତାର 67 ବର୍ଷ ପରର ଚିତ୍ର | ନିକଟରେ ପ୍ରକାଶ ପାଇଥିବା ସାମାଜିକ ଆର୍ଥନୀତିକ ଜନଗଣନତା ରିପୋର୍ଟରେ ଏହି ତଥ୍ୟ ରହିଛି | ଏହା ନିଶ୍ଚିତ ଭାବେ ରାଜ୍ୟର ପ୍ରଗତି ଓ ସମୃଦ୍ଧିର ଏକ ଉଜ୍ଜ୍ବଳ ଚିତ୍ର ନୁହେଁ | ଏହାକୁ ମଧ୍ୟ ରାଜ୍ୟ ଓ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ପାଇଁ ଅନୁକୂଳ ପରିସଂଖ୍ୟାନ ବୋଲି କୁହାଯାଇ ନପାରେ | ଗ୍ରାମାଞ୍ଚଳରେ ରାଜ୍ୟର ପ୍ରାୟ 80 ପ୍ରତିଶତ ଲୋକ ବସବାସ କରନ୍ତି | ସେମାନଙ୍କ ରୋଜଗାର ବୃଦ୍ଧି ନହେଲେ ଓଡ଼ିଶାରୁ ଦାରିଦ୍ର୍ୟ ଦୂର ହେବା ଏକ ଅସମ୍ଭବ ପରିକଳ୍ପନା ହୋଇ ରହିବାକୁ ବାଧ୍ୟ | କିନ୍ତୁ ଗ୍ରାମାଞ୍ଚଳ ଲୋକମାନଙ୍କର ରୋଜଗାର ବୃଦ୍ଧି କରିବା ଦିଗରେ ଗଲା ପ୍ରାୟ ଚାରି ଦଶନ୍ଧି ଧରି କୌଣସି ସଫଳ ଯୋଜନା ହୋଇନାହିଁ | ରାଜ୍ୟର ଜାତୀୟ ଓ ଆଞ୍ଚଳିକ ଦଳର ସରକାରଗୁଡ଼ିକ ସହରବାସୀଙ୍କ ରୋଜଗାର ବୃଦ୍ଧି ପାଇଁ ଯେତେ ଉଦ୍ୟମ କରିଛନ୍ତି ଗ୍ରାମାଞ୍ଚଳ ଲୋକଙ୍କୁ ଭିକାରୀ ବନେଇବାରେ ତତୋ଼ଧିକ ଗୁରୁତ୍ବ ଦେଇଥିବାରୁ ଲୋକେ ଏବେ କାଙ୍ଗାଳ ପରି ଛତ୍ରଖିଆ ହେବାରେ ବି ଗୌରବ ଅନୁଭବ କରୁଛନ୍ତି | କାରଣ ସେମାନଙ୍କ ନିକଟରେ ବଂଚିବାର ଅନ୍ୟ କୌଣସି ସାଧନ ନାହିଁ | ଗ୍ରାମାଞ୍ଚଳରେ ଯେତିକି ଚାଷଜମି ଅଛି ସେଗୁଡ଼ିକୁ ଯଦି ଉପଯୁକ୍ତ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥାନ୍ତା ତେବେ ହୁଏତ କିଛି ଲୋକ ସେଥିରେ ଦୁଇ ତିନି ପ୍ରକାର ଫସଲ ଫଳାଇ ଆପଣାର ଅର୍ଥନୀତିକୁ ସୁଦୃଢ଼ କରିପାରନ୍ତେ | କିନ୍ତୁ ଏବେ ବି ରାଜ୍ୟର 63 ଭାଗ ଜମିକୁ ଜଳସେଚନ ସୁବିଧା ନାହିଁ | ବର୍ଷରେ ଦୁଇଟି ଫସଲ ଅମଳ କଲା ପରି ଜଳସେଚନ ସୁବିଧା ଥିବା ଜମିର ପରିମାଣ ହେଉଛି ମୋଟ ଚାଷଜମିର ମାତ୍ର 22 ପ୍ରତିଶତ | ଏଭଳି ସ୍ଥିତିରେ କୃଷି ଉପରେ ନିର୍ଭର କରି ଜମି ମାଲିକମାନେ ସମୃଦ୍ଧ ଭବିଷ୍ୟତର ସ୍ବପ୍ନ ଦେଖିବା ଅବାସ୍ତବ | ଗ୍ରାମାଞ୍ଚଳ ଲୋକମାନେ ଶିକ୍ଷିତ ହୋଇଥିଲେ ହୁଏତ କୌଣସି ନା କୌଣସି ବାଟେ କିଛି ରୋଜଗାର କରିବାର ଉପାୟ ପାଞ୍ଚନ୍ତେ | କିନ୍ତୁ ଏବେ ବି ଶିକ୍ଷା ଓ ସଚେତନତାରେ ଓଡ଼ିଶାର ଗାଁ ଗହଳର ଲୋକମାନେ ଢେର ପଛରେ | ସେମାନେ ନିଜେ ଶିକ୍ଷିତ ହେବାକୁ ଚାହାନ୍ତି ନାହିଁ କି ସେମାନଙ୍କୁ ଅଶିକ୍ଷିତ ଓ ଅଚେତନ କରି ରଖିବାକୁ ବିଭିନ୍ନ ସରକାର ଗୋପନ ଷଡ଼ଯନ୍ତ୍ର କରିଛନ୍ତି ତାହା 2011 ମସିହାର ସାମାଜିକ ଆର୍ଥନୀତିକ ଜନଗଣନା ରିପୋର୍ଟରୁ ସ୍ପଷ୍ଟ | ଏହି ରିପୋର୍ଟ ଅନୁସାରେ ଏବେ ବି ରାଜ୍ୟର 34 ପ୍ରତିଶତ ଉପରେ ଲୋକ ସଂପୂର୍ଣ୍ଣ ନିରକ୍ଷର | ସେହିପରି ଯୁକ୍ତ 2 ବା ତତ୍ତୁଲ୍ୟ ଶିକ୍ଷାଲାଭ କରିଥିବା ଲୋକଙ୍କ ସଂଖ୍ୟା 3.62 ପ୍ରତିଶତ ଓ ସ୍ନାତକ ବା ତତ୍ତୁଲ୍ୟ ଶିକ୍ଷା ହାସଲ କରିଥିବା ଲୋକଙ୍କ ସଂଖ୍ୟା ହେଉଛି ମାତ୍ର 2.79 ପ୍ରତିଶତ | ଏହାର ଅର୍ଥ ଜନସଂଖ୍ୟାର ମାତ୍ର 6 ପ୍ରତିଶତ ହେଲେ ଉଚ୍ଚଶିକ୍ଷିତ | ରାଜ୍ୟର ମାତ୍ର 58 ପ୍ରତିଶତ ଲୋକ ସର୍ବାଧିକ ମେଟ୍ରିକ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିପାରିଛନ୍ତି | ସେମାନଙ୍କ ମଧ୍ୟରେ ପ୍ରାୟ 34 ପ୍ରତିଶତ ଲୋକଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସର୍ବାଧିକ ସପ୍ତମ | ଆଜିର ପରିବତ୍ତିର୍ତ ରୋଜଗାର ପରିବେଶରେ ଏଭଳି ନାମକୁ ମାତ୍ର ଶିକ୍ଷାର କୌଣସି ମୂଲ୍ୟ ନାହିଁ | ଏମାନେ ସମସ୍ତେ ଅଳ୍ପଶିକ୍ଷିତ ଗୋଷ୍ଠୀରେ ଗଣା ହୁଅନ୍ତି | ଶିକ୍ଷା ଓ ନିଯୁକ୍ତି ବଜାରରେ ଏମାନେ ଘାସକୁ ମୋଟ ବେଣାକୁ ଛୋଟ | ଓଡ଼ିଆରେ ଗୋଟେ କଥା ଅଛି: ଅଳ୍ପ ବିଦ୍ୟା ଭୟଙ୍କରୀ | ଇଂରାଜୀରେ ସେହିପରି ଏକ ରୁଢ଼ି ହେଲା ‘ଏ ଲିଟ୍ଲ ଲର୍ଣ୍ଣିଂ ଇଜ୍ ଏ ଡେଞ୍ଜରସ୍ ଥିଙ୍ଗ’ | ଏଇ ଅଳ୍ପ ବିଦ୍ୟା ହାସଲ କରିଥିବା ଲୋକମାନେ ଠିକ୍ କଥା ବୁଝନ୍ତି ନାହିଁ | ସେମାନେ ଟଙ୍କିକିଆ ଚାଉଳ ବା 5 ଟଙ୍କିଆ ଆହାର ପାଇ ଖୁସି,  ଭାବନ୍ତି ଏଇ ହେଉଛି ଜୀବନ ଧାରଣର ସର୍ବୋତ୍କୃଷ୍ଟ ମାନ | ଏଭଳି ଲୋକମାନେ କାଳକ୍ରମେ ଶ୍ରମଭୀରୁ ହୋଇଗଲେଣି | ଜଳସେଚନ ଅଭାବରୁ ଜମି ପଡ଼ିଆ | ତେଣେ ଲେଖାପଢ଼ା ଅଭାବରୁ ଚାକିରିବାକିରି ନାହିଁ | ସରକାର ଉପରେ ନିର୍ଭର କରି ଯଦି ଚଳିଯାଇ ହେଉଛି ତେବେ ତାସ୍ ଓ ପଶା ଆସରର ମଜା ସହିତ ରାଜନୀତିକ ମୂଲିଆ ହେବାରେ ସେମାନେ ପରମାନନ୍ଦ ବୋଧ କରିବା ଆଦୌ ଅସ୍ବାଭାବିକ ନୁହେଁ |

Share :