ମ୍ୟାଡାମ, ଆପଣଙ୍କ ପ୍ରିୟର ଆଡାମ...

ମ୍ୟାଡାମ, ଆପଣଙ୍କ ପ୍ରିୟର ଆଡାମ...

Share :

ମ୍ୟାଡାମ ନମସ୍କାର!   କାଲିଠୁଁ ଭାବିଲିଣି ଲେଖିବି ବୋଲି, କ’ଣ କରିବି, ଅଫିସ କାମ ରହୁଛି ସେଇଥିପାଇଁ ଲେଖି ପାରିଲିନି। ରିମ ରିମ କାଗଜ ପେପରବାଲା ସାରିଛନ୍ତି ଆଉ ଘଣ୍ଟା ଘଣ୍ଟା ଟିଭିବାଲା। ମୁଁ ନଲେଖିଥିଲେ ସେମିତି କିଛି ବେଦ ଅଶୁଦ୍ଧ ହେଇନଥାନ୍ତା। ହେଲେ ମ୍ୟାଡାମ, କିଛିଟା କଥା ତଣ୍ଟିରେ ଗଳିଲାନି। ସେଇଥି ପାଇଁ ଅଧମର ଏ ବାନ୍ତି।   ମ୍ୟାଡାମ ପ୍ରଥମରୁ କହି ରଖୁଛି ଯେ ଆପଣ ମତେ ଜାଣନ୍ତିନି। ମୁଁ ବି ଆପଣଙ୍କୁ ଟିଭି ପରଦାରୁ ହିଁ ଚିହ୍ନିଛି। ଅଳ୍ପ ହେଲେ ବି କିଛି ଲୋକ ମତେ ପଢନ୍ତି। ଯେଉଁମାନେ ପଢନ୍ତି ସେମାନେ ଜାଣନ୍ତି ଯେ ମୁଁ ଯେତେବେଳେ ଆର୍ଟିକିଲ ଲେଖେ ଗପରୁ ଆରମ୍ଭ କରେ। ଆପଣ ତ’ ରାଜନୀତି କରୁଥିବା ଘରେ ବନ୍ଧୁ ବାନ୍ଧିଛନ୍ତି ଆଉ ସବୁ ଭୁଲ ବୁଝାମଣାକୁ ପଛରେ ପକେଇ ସେ ପରିବାରକୁ ଆଉ ଥରେ ଯାଉଛନ୍ତି। ତେଣୁ ଚାଲନ୍ତୁ ରାଜନୀତିର କାହାଣୀଟେ ଶୁଣିବା।   କଥା ୧୯୭୭ର। ନା ଆପଣ ଜନ୍ମ ହେଇଥିଲେ ନା ମୁଁ। ସମ୍ବାଦିକତା ପଢିଲା ବେଳେ ମୁଁ ଏ କାହାଣୀ ଶୁଣିଥିଲି। ଆପଣ ନିଜ ସାବାଟିକାଲରେ ଏମବିଏ କଲେ, ସମ୍ବାଦିକତାରେ ବି ଡିଗ୍ରୀ କରିପାରିଥାନ୍ତେ। ଏନି ୱେ, ମୁଁ କିଏ ଯେ ସଜେସନ ଦବାକୁ। ଶୁଣନ୍ତୁ, ଜରୁରୀ ପରିସ୍ଥିତି ପର ନିର୍ବାଚନରେ ଇନ୍ଦିରା ହାରିଗଲେ। ଜିତିଲା ବିପକ୍ଷ। ହେଲେ ଇନ୍ଦିରା ହାରିବାରେ କଥାଟା ସରିଲାନି। ଆପଣଙ୍କ ଶଶୁର ପରା ସେଇ ମାର୍କା ରାଜନୀତି କରନ୍ତି। ଏ ମାର୍କା ରାଜନୀତିରେ ନେତାଙ୍କ ସଂଖ୍ୟା ଯାହାକୁ ଯେତେ। ସେଇଥିପାଇଁ ପ୍ରଧାନମନ୍ତ୍ରୀ କିଏ ହବ ସେ ଗୋଳ ଆରମ୍ଭ ହେଲା। ସବୁ ଗୋଳ ପରେ ମୋଟାମୋଟି ଥୟ ଥିଲା ଯେ ବାବୁଜୀ ଜଗଜ୍ଜୀବନ ରାମ ହେବେ ଭାରତର ପ୍ରଧାନମନ୍ତ୍ରୀ। ବିଶ୍ଵାସ କରନ୍ତୁ ମ୍ୟାଡାମ ଇତିହାସ ତିଆରି ହେବାକୁ ଯାଉଥିଲା, ୫୦୦୦ ବର୍ଷର ମନୁ ସଂସ୍କୃତିକୁ ମାତ ଦେଇ ପ୍ରଥମ ଥର ପାଇଁ ଜଣେ ଦଳିତ ହେଇଥାନ୍ତା ପୃଥିବୀର ସବୁଠାରୁ ବଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ। ହେଲେ ସେଇ ସନ୍ଧ୍ୟାରେ ଦିଲ୍ଲୀର ସବୁ ଘରେ ହକର ପକେଇଲା ’ସନ’ ବୋଲି ପତ୍ରିକାର ନୂଆ ଇସ୍ୟୁ। ଆଉ ସେଥିରେ ଥିଲା ବାବୁଜୀଙ୍କ ପୁଅ ସହ ଜଣେ ଅଜଣା ଯୁବତୀର ଅସଂଯତ ଅବସ୍ଥାର ଫଟୋ। ତା’ପରେ ଯାହା ହେଲା ସେଇଟା ଇତିହାସ। ମୋରାରଜୀ ଭାରତର ପ୍ରଧାନମନ୍ତ୍ରୀ ହେଲେ, ଆଉ ପରେ ଜଣ ପଡିଲା ସେ ଫଟୋ ମିଛ ଥିଲା, ସେ ପତ୍ରିକା ସହ ଇନ୍ଦିରାଙ୍କ ବୋହୂ ମେନେକା ଗାନ୍ଧୀ ସାମିଲ ଥିଲେ.... ଇତ୍ୟାଦି ଇତ୍ୟାଦି। ହୁ କେୟାର୍ସ? ପରେ ବାବୁଜୀଙ୍କ ଝିଅ ମୀରା କୁମାର ରାଜନୈତିକ ବାଧ୍ୟବାଧକତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ବି ହେଲେ କିନ୍ତୁ ଭାରତ ଏଯାଏ ତା’ ଦଳିତ ପ୍ରଧାନମନ୍ତ୍ରୀ ପାଇଲାନି।   ରୁହନ୍ତୁ ରୁହନ୍ତୁ ମ୍ୟାଡାମ। ଟିକେ ରୁହନ୍ତୁ। ଆପଣ ନିଜ ଶଶୁରଙ୍କୁ ବାବୁଜୀ ଭାବନ୍ତୁନି କି ଶାଶୁଘରକୁ ୩ ବର୍ଷ ପରେ ଝିଅ ସାଜି ଯାଉଛନ୍ତି ବୋଲି ନିଜକୁ ମୀରା କୁମାର ଭାବନ୍ତୁନି। ଏ ଉଦାହରଣରେ ମୁଁ ଏତିକି କହିବାକୁ ଚାହୁଁଥିଲି ଯେ ଅପତ୍ୟ ପାଇଁ ପିତୃ ଜାତକରେ ଅନେକ ଥର ରାଜଯୋଗ ହାନି ଆସିଛି। ସେଇଟା ନୂଆ କଥା ନୁହଁ। ହେଲେ କଥାଟି ହେଲା, ଧଳା କାମିଜରୁ କାଦୁଅ ହଟିଗଲା ପରେ ବି କାମିଜ ପୂର୍ବ ପରି ସେତିକି ଧଳା ରୁହେନି। ଆପଣଙ୍କ ଶଶୁର ରାଜ୍ୟସଭା ମୁଆଁ ଖାଇବେ କି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଚା ପିଇବେ, ସେ ଅଲଗା କଥା। କିନ୍ତୁ, ଥରେ ନିଜକୁ ସାଧାରଣ ଶ୍ରାବଣୀ କରି ଭାବନ୍ତୁ, ଆପଣ ମହମିଳନ ସମୟରେ ଯେଉଁ ଜଗନ୍ନାଥ ସଂସ୍କୃତି ଆଉ ଓଡିଆ ଘର ପରମ୍ପରା କଥା କହୁଥିଲେ ସେଠି କେଉଁ ବୋହୂ ଶାଶୁ ଶଶୁରଙ୍କୁ ଏତେ ହଲାପଟା କରିଛି?   ଆପଣ ଜାଣିଛନ୍ତି କି ନାହିଁ ସେଇଟା ମୋ ଜ୍ଞାନ ବାହାରେ, ଯେହେତୁ ବଡ ଓକିଲମାନେ ଆପଣଙ୍କ ମକଦ୍ଦମା ଲଢୁଥିଲେ ସେଇଥିପାଇଁ ଏକଥାଟି କହୁଛି। ସର୍ବୋତ୍ତମ ନ୍ୟାୟାଳୟ ଏଇ ପାଞ୍ଚ ବର୍ଷ ତଳେ କହିଥିଲେ ଯେ କୁଆଡେ ୪୯୮(ଏ) ମାନେ ଯୌତୁକ ନିରୋଧ ଆଇନ ଏବେ ଦେଶରେ ନ୍ୟାୟିକ ସନ୍ତ୍ରାସବାଦ ସାଜିଛି। ମାନେ, ୪୯୮ (ଏ) ରେ କେସ୍ ଦିଅ, ସ୍ଵାମୀ ଶ୍ବଶୁର ଆଉ ତାଙ୍କ ଚଉଦ ପୁରୁଷ ଗିରଫ ହେବା ଥୟ। ଏକଥା ସତ ଯେ ଏବେ ଆଇନ ଟିକେ ହାଲକା ହେଲାଣି, ହେଲେ ଆପଣ ଯେତେବେଳେ କେସ୍ ଦେଇଥିଲେ ଯଦି ରାହୁଲ ଗାନ୍ଧୀଙ୍କ ସ୍ତ୍ରୀ(?) ବି ସୋନିଆଙ୍କ ନାଁ’ରେ କେସ୍ ଦେଇଥାନ୍ତେ ସେ ବି ଅନ୍ତତଃ ୪ ଦିନ ଜେଲରେ ରହିଥାନ୍ତେ।  ସୋନିଆଙ୍କ ପାଇଁ କେସ୍ କପିଲ ଶିବଲ ଳଢନ୍ତୁ କି ଜେଠାମଳିନୀ, କିଛି ଫରକ ପଡିନଥାନ୍ତା। ଆପଣ କ’ଣ ଏ ମହମିଳନର ମହାର୍ଘ୍ୟ ବେଳାରେ ଅନ୍ତତଃ ନିଜ ରାଣ ଖାଇ କହି ପାରିବେ ଯେ ଆପଣ ୪୯୮(ଏ)ର ଏଥିପାଇଁ ସଦୁପଯୋଗ କରିନଥିଲେ ବୋଲି? ଆପଣ କଣ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ସେହି ସନ୍ଦେହ ବା ପର୍ଯ୍ୟବେକ୍ଷଣକୁ ସିଦ୍ଧ କଲେଣି ଯେ ୧୦୦ ରୁ ୯୦ ଯୌତୁକ ଅଭିଯୋଗ ସନ୍ଦେହଜନକ ବୋଲି???   ଆପଣଙ୍କ ପତିଙ୍କ କଥା ଟିକେ ନିଆରା, ସେ ରାଜନୀତିକୁ ଆସିପାରନ୍ତି, ଯେଉଁଠି ଥରେ ପଶିଲେ କିଛି ଯୋଗ୍ୟତାର ଆବଶ୍ୟକତା ନାହିଁ। ହେଲେ ଥରେ ଭାବିଲେ ଆଜ୍ଞା, ଯଦି ଆପଣଙ୍କ ପତି ମନ୍ତ୍ରୀପୁଅ ନହେଇ ଖାଲି ଜଣେ ଆମ ତମ ଭଳି ଚାକିରିଆ ଖଟିଖିଆ ହେଇଥାନ୍ତା? ଥରେ ଜେଲରୁ ଆସିଲା ପରେ ପ୍ରାଇଭେଟ ପିଅନ ଚାକିରିଟେ ବି ସହଜରେ ମିଳିଥାନ୍ତା କି ତାଙ୍କୁ? ଆପଣ କ’ଣ ସେ ପରିସ୍ଥିତିରେ ବି ମହାମିଳନ ପାଇଁ ତାରକା ହୋଟେଲରେ ଏ ମହାସାମ୍ବାଦିକ ସମ୍ମିଳନୀ କରିଥାନ୍ତେ?   ଛାଡନ୍ତୁ, ଏମିତି ଅନେକ କଥା ସେଇ ନୋକ କହୁଛନ୍ତି ଯୋଊମାନଙ୍କୁ ସେଦିନ, ମାନେ ପ୍ରାୟୋଜିତ ମହାମିଳନ ଦିନ ଟିଭି ଚ୍ୟାନେଲରେ ମୁହଁ ଦେଖାଇବାର ସୁଯୋଗ ମିଳିଲାନି। ହୁ କେୟାର୍ସ?   ଏ ଲେଖା କିନ୍ତୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ଲେଖିଥିଲି ମ୍ୟାଡାମ। ତାର ଦିଇଟା କାରଣ ଅଛି। ଦେଶରେ ନ୍ୟାୟ ବ୍ୟବସ୍ଥା ବିଗଡି ଯାଉଛି ବୋଲି ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରାତର ମୁଖ୍ୟ ବିଚାରପତି କାନ୍ଦି ପକେଇଲେ। ପ୍ରଧାନମନ୍ତ୍ରୀ ବୁଝନ୍ତୁ ନ ବୁଝନ୍ତୁ ଆପଣ ବିଚାରପତିଙ୍କ ‘ମନ କି ବାତ’ ବୁଝିଲେ ଆଉ ସଙ୍ଗେ ସଙ୍ଗେ କାମରେ ଲଗେଇଲେ। ମାମଲା କୋର୍ଟରେ ଥିଲେ ବି କୋର୍ଟକୁ ବେଶୀ କଷ୍ଟ ନଦେଇ ଗଣମାଧ୍ୟମ ମାଧ୍ୟମରେ ସମାଧାନ କରେଇନେଲେ। ସାଧୁ ମ୍ୟାଡାମ ସାଧୁ। ହେଲେ ତା’ଠୁ ଅଧିକ ଧନ୍ୟବାଦ କ’ଣ ପାଇଁ ଦେବି ଜାଣିଛନ୍ତି? ଆପଣ ମହାମିଳନ ଆଳରେ ଅନ୍ତତଃ ୪୯୮(ଏ )ରେ ଗିରଫ ଜଣେ ଲୋକକୁ (ଯିଏ ଦୋଷୀ କି ନିର୍ଦୋଷ ସେ ରାୟ କୋର୍ଟ ଶୁଣେଇ ନାହାନ୍ତି) ଟିଭି ପରଦା ଆଗରେ ରାଜ୍ୟବାସୀଙ୍କୁ ପ୍ରବଚନ ଦେବାର ସୁଯୋଗ ଦେଲେ। ଏତେ ବଡ ସୁଯୋଗ କଉ ଅଣ୍ଡର ଟ୍ରାଏଲ/ ବେଲ୍‌ରେ ଆସିଥିବା ଲୋକକୁ ମିଳେ ଯେ? ସାଧୁ ମ୍ୟାଡାମ ସାଧୁ।   ଶେଷରେ ମ୍ୟାଡାମ, ଆମ ଗାଁ ଗୁରୁବାରି ମତେ ପଚାରୁଥିଲା ବୋଲି ମୁଁ ଆପଣଙ୍କୁ ସମାଧାନର ରେଡିମେଡ ଫର୍ମୁଲା ମାଗୁଛି। ପରିବାର କୋର୍ଟ ତା’ ସ୍ଵାମୀକୁ ମାସିକ ୬୦୦ ଟଙ୍କା ଭରଣପୋଷଣ ଦେବା ପାଇଁ ୨୦୧୧ରୁ କହିଲାଣି, ହେଲେ ତା ସ୍ଵାମୀ ରାୟକୁ ଆଖିଠାର ମାରି ଏବେ ପାଖ ଗାଁରେ ଆଉ ଜଣକ ସହ ରହୁଛି। କିଛି ଖଳ ନୋକ କହୁଛନ୍ତି ଯେ ତା ଗେରସ୍ତର କୁଆଡେ ସେଠି ଗୋଟେ ଝିଅ ବି ଅଛି। ଗୁରୁବାରିକୁ କ’ଣ କହିବି ମ୍ୟାଡାମ? କହି ଦେବିକି ତାକୁ ପଞ୍ଚାୟତ ଇଲେକ୍ସନ ପରେ ମତେ ବୋର୍ କରିବ ବୋଲି? ଗୁରୁବାରିର ଦାମ କେତେ ଯେ.... ଯାଇ ଯାଇ ସେଇ ପଞ୍ଚାୟତ ଯାଏ ନା। ଛୋଟ ଲୋକ, ଛୋଟ ମୁଣ୍ଡ ହେଲେ ଟିଭିରେ ‘ମେଲାକଥା’ ଦେଖିଲା ପରଠୁ ସେ ଆପଣଙ୍କ ଏମିତି ଭକ୍ତ ହେଇଛି ଯେ ମୁଁ ତାକୁ ‘ବଡ ଘରେ ବଡ ଗୁମର’ ଥାଏ ବୋଲି ଯେତେ ବୁଝାଉଛି ସେ କ’ଣ ବୁଝୁଛି? ଇତି ପରଂବ୍ରହ୍ମ ତ୍ରିପାଠୀ

Share :