ସେ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ
 

ସେ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ  

Share :

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ   ଆଜି ବି ଜଳଜଳ ଦେଖାଯାଉଛି ଗହନ ଅତୀତ | ସେ କେତେ ମହାନ୍, କେତେ ବିଶାଳ ତାଙ୍କର ବ୍ୟକ୍ତିତ୍ବ, କେତେ ଉଦାର ତାଙ୍କର ଆଚରଣ- ଏସବୁ କଥା ତାଙ୍କ ସହ ମିଶି ନଥିବା ଲୋକମାନେ ଜାଣିପାରିବେ ନାହିଁ | ସେଥିଲେ ବାସ୍ତବରେ ଓଡ଼ିଶା ଓ ଓଡ଼ିଆର ପ୍ରକୃତ ପରିଚୟ | ଏହାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମାନବିକ ସଂସ୍କରଣ | ଜଗନ୍ନାଥ ଓ କୋଣାର୍କ ପରେ ବିଜୁ ପଟ୍ଟନାୟକ ହିଁ ଥିଲେ ଏ ଜାତିର ଅନ୍ତର୍ଜାତୀୟ ଖ୍ୟାତି ଓ ଆକର୍ଷଣ | 1967 ମସିହାର କଥା | ସେତେବେଳେ ବିଜୁ-ବୀରେନ୍ ଶାସନ ବିରୋଧରେ ସାରା ଓଡ଼ିଶାରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା | ମୁଁ ବି ସେହି ଆନ୍ଦୋଳନରେ ସାମିଲ ଥିଲି | ବିଶିଷ୍ଟ ସମାଜବାଦୀ ନେତା ସ୍ବର୍ଗତ ଭାଗବତ ବେହେରା ଓ ଅନ୍ୟ କେତେ ଜଣଙ୍କ ସହିତ ମିଶି ମୁଁ ଏହି ଆନ୍ଦୋଳନର ନେତୃତ୍ବ ନେଉଥିଲି | ଆନ୍ଦୋଳନ ଚାଲିଥିବା ସମୟରେ ବିଜୁବାବୁ ଯୁଆଡ଼େ ଯାଉଥିଲେ ସେଠାରେ ତାଙ୍କ ଉପରେ ଅଣ୍ଡାମାଡ଼ କରାଯାଉଥିଲା | ଅନେକ ସ୍ଥାନରେ ତାଙ୍କ ଉପରକୁ ଢେଲା ପଥର ବି ଫିଙ୍ଗା ଯାଉଥିଲା | କେତେକ ସ୍ଥାନରେ ଢେଲା ପଥର ବାଜି ସେ ଖଣ୍ଡିଆଖାବରା ହୋଇଥାନ୍ତି | କେତେକ ସ୍ଥାନରେ ଅଣ୍ଡାମାଡ଼ରେ ତାଙ୍କ ପୋଷାକପତ୍ର ଖରାପ ହୋଇଯାଉଥାଏ | ତଥାପି ସେ ଘରେ ବସିବା ଲୋକ ନୁହନ୍ତି | ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥାନ୍ତି ଓ ଲୋକଙ୍କ ସହିତ ମିଶୁଥାନ୍ତି | ତାଙ୍କ ସୁରକ୍ଷା ପାଇଁ ପୁଲିସ ବନ୍ଦୋବସ୍ତ ଜୋର୍ଦାର ହୋଇଥାଏ | ପୁଲିସ କର୍ମଚାରୀମାନେ ଛାତ୍ର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଅନେକ ସ୍ଥାନରେ ଦମନମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତି | ପୁଲିସ ମାଡ଼ରେ ଅନେକ ଛାତ୍ର ଗୁରୁତର ଆହତ ହୋଇଥାନ୍ତି | ସେମାନଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଥାଏ | ଛାତ୍ରଙ୍କଠାରୁ ମାଡ଼ ଖାଇଥିବା ବିଜୁବାବୁଙ୍କ ମନରେ କିନ୍ତୁ ସେମାନଙ୍କ ପ୍ରତି କ୍ରୋଧ ବା ଇତର ଭାବ ନଥାଏ | ଆହତ ବିଜୁବାବୁଙ୍କୁ କୌଣସି ଛାତ୍ର ଦେଖିବାକୁ ଯାଉ ନଥିଲେ ବି ସମୟ ଓ ସୁବିଧା ମିଳିଲେ ବିଜୁବାବୁ ବିଭିନ୍ନ ମେଡିକାଲ ଯାଇ ଆହତ ଛାତ୍ରମାନଙ୍କୁ ଭେଟୁଥିଲେ,| ସେମାନଙ୍କ ଆରୋଗ୍ୟ କାମନା କରିବା ସହିତ କେତେ ଜଣଙ୍କ ପାଇଁ ଆର୍ଥିକ ସହାୟତା ବି ଦେଉଥିଲେ | ଛାତ୍ର ଆନ୍ଦୋଳନ 3-4 ବର୍ଷ ଧରି ଚାଲିଥିଲା | ଏହି ତିନିଚାରି ବର୍ଷ ଭିତରେ ଯୁବଛାତ୍ର ଗୋଷ୍ଠୀ ବିଜୁବାବୁଙ୍କ ରାଜନୀତିକ ପତନର ଭିତ୍ତିଭୂମି ପକାଇଥିଲେ | ଏହା କେବଳ ସେ କାହିଁକି ସମଗ୍ର ଓଡ଼ିଶା ଜାଣିଥିଲା | ସେହି ସମୟର ଗୋଟିଏ କଥା | 1972 ଛାତ୍ର ଆନ୍ଦୋଳନର କେତେକ ନେତା କଟକ ଏସସିବିରେ ଚିକିତ୍ସାଧୀନ ଥାଆନ୍ତି | ବିଜୁବାବୁ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲେ | ସେତେବେଳେ ପୁଲିସ ଯେତେ ଛକିଲେ ବି ଛାତ୍ରମାନଙ୍କ ଢେଲାପଥର ମାଡ଼ରୁ ତାଙ୍କୁ କେହି ରକ୍ଷା କରିପାରି ନଥିଲେ | ବିଜୁବାବୁଙ୍କ ଉପରେ ମେଡିକାଲ୍ ପରିସରରେ ଚାରି ଆଡ଼ୁ ଢେଲା ଓ ପଥର ବର୍ଷା ହୋଇଥିଲା | ସେ କିନ୍ତୁ ଫେରି ନଥିଲେ | ମେଡିକାଲ୍ ଭିତରେ ପ୍ରବେଶ କରି ଚିକିତ୍ସାଧୀନ ଛାତ୍ରମାନଙ୍କୁ ଭେଟିଥିଲେ | ସେମାନଙ୍କର ଉପଯୁକ୍ତ ଚିକିତ୍ସା କରିବା ପାଇଁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ସେ ଥିଲେ ଏହିପରି ବ୍ୟକ୍ତିତ୍ବ | ଯେଉଁମାନେ ତାଙ୍କୁ ମାଡ଼ମାରି ଆହତ କରିଛନ୍ତି, ଯେଉଁମାନେ ତାଙ୍କ ରାଜନୀତିକ ପତନର କାରଣ ହୋଇଛନ୍ତି, ସେମାନଙ୍କ ପ୍ରତି ବି ସେ ଥିଲେ ଏମିତି ଉଦାର | ଏହା ତାଙ୍କ ଜୀବନ ଚରିତ୍ରର ଏକ ବିରାଟ କାହାଣୀ | କେବଳ ଏଇ ଛାତ୍ର ଆନ୍ଦୋଳନ ସମୟରେ ନୁହେଁ, ତାଙ୍କ ଜୀବନର ରାଜନୀତିକ ଘନଘଟା ଭିତରେ ସେ ତାଙ୍କ ସହ ବିଶ୍ବାସଘାତ କରିଥିବା ନିଜ ଲୋକ କିମ୍ବା ଚିର ରାଜନୀତିକ ଶତ୍ରୁମାନଙ୍କ ବିରୋଧରେ ମଧ୍ୟ କେବେ ପ୍ରତିଶୋଧ ପରାୟଣ ହୋଇ ନାହାନ୍ତି | ମୁଁ ନିଜେ ହେଉଛି ତାଙ୍କ ଉଦାରତାର ଏକ ଜ୍ବଳନ୍ତ ଉଦାହରଣ | ସମସ୍ତେ ଜାଣିଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନର ମୁଁ ଥିଲି ଅନ୍ୟତମ ପୁରୋଧା | ମୁଁ ପୁଣି ତାଙ୍କ ବିରୋଧୀ ରାଜନୀତିକ ଦଳରୁ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ତାଙ୍କର କିଛି କମ୍ ନିନ୍ଦା ଓ ସମାଲୋଚନା କରି ନଥିଲି | ପ୍ରାୟ 20 ବର୍ଷ ଧରି ମୁଁ ତାଙ୍କର ରାଜନୀତିକ ବିରୋଧୀ ଥିଲି | କିନ୍ତୁ 1985 ବେଳକୁ ଜନତା ପରିବାର ଭାଙ୍ଗିଯିବା ପରେ ବିଜୁବାବୁ ନିଜସ୍ବ ଉଦ୍ୟମରେ ଓଡ଼ିଶାରେ ଜନତା ପରିବାରକୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ରାଜନୀତିକ ବ୍ୟକ୍ତିତ୍ବଙ୍କ ସହିତ ଆଲୋଚନା କରୁଥାନ୍ତି | ସେହି ସମୟରେ ତାଙ୍କ ସହିତ ଥାଆନ୍ତି ନୀଳମଣି ରାଉତରାୟ, ସୁରେନ୍ଦ୍ରନାଥ ନାୟକଙ୍କ ପରି ବରିଷ୍ଠ ନେତା ଓ ଡାକ୍ତର ଦାମୋଦର ରାଉତ, ଶ୍ରୀକାନ୍ତ ଜେନା, ଅଶୋକ ଦାସ, ନଳିନୀ ମହାନ୍ତି ଓ ବିଜୟ ମହାପାତ୍ରଙ୍କ ଭଳି ସଂଗଠକ | ଥରେ ସେ ସେମାନଙ୍କୁ ପଚାରିଲେ, ଆରେ ସେ ପ୍ରଫୁଲ୍ଲଟା କ’ଣ କରୁଛି ? ମୁଁ ସେତେବେଳେ ଟ୍ରେଡ଼୍ ୟୁନିଅନ୍ କରୁଥାଏ | ସେ ତାଙ୍କର ସ୍ବଭାବ ସୁଲଭ ଢଙ୍ଗରେ କହିଲେ, ସେ ଜଣେ ଭଲ ସଂଗଠକ | ତାକୁ ଡାକ | ତା’ପରେ ମୁଁ ତାଙ୍କ ଦଳରେ ଯୋଗଦେଲି | ଆଜି ଯାଏ ତାଙ୍କ ନୀତି ଓ ଆଦର୍ଶ ସହିତ ଅଛି | ଅତୀତରେ ମୁଁ ତାଙ୍କୁ ଏତେ ବିରୋଧ କରିବା ସତ୍ତ୍ବେ ସେ ମୋତେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ | ଏହା ତାଙ୍କ ବିଶାଳ ହୃଦୟର ଗୋଟିଏ ଛୋଟିଆ ପରିଚୟ | ସେ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ | ଜଗନ୍ନାଥ ଓ କୋଣାର୍କ ପରେ ବିଶ୍ବବାସୀ ଓଡ଼ିଶା କହିଲେ ବିଜୁ ପଟ୍ଟନାୟକଙ୍କୁ ବୁଝୁଥିଲେ | ଭାରତୀୟ ସ୍ବାଧୀନତା ପୂର୍ବରୁ ଘଟିଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀର ନାଜୀ ଶକ୍ତି ବିରୋଧରେ ତତ୍କାଳୀନ ସୋଭିଏଟ୍ ରୁଷିଆର ସେନା ବାହିନୀକୁ ବିଭିନ୍ନ ଯୁଦ୍ଧକ୍ଷେତ୍ରରେ ସହାୟତା କରିଥିଲେ ବିଜୁ | ସେତେବେଳେ ସେ ବ୍ରିଟିଶ ସରକାରଙ୍କ ଅଧୀନରେ ପାଇଲଟ୍ ଥିଲେ | ତାଙ୍କର ବିମାନ ଉଡ଼ାଣ କୌଶଳ ଓ ସାହସ ସଂପର୍କରେ ବ୍ରିଟିଶ ଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଜାଣିଥିଲେ | ସେମାନଙ୍କ ନିର୍ଦ୍ଦେଶରେ ସେ ଅନେକ ସ୍ଥାନରେ ଜର୍ମାନୀ ସେନାର ଘେରାଉରେ ରହି ସଂକଟର ସମ୍ମୁଖୀନ ହୋଇଥିବା ରୁଷ ସେନାକୁ ଖାଦ୍ୟ ଓ ଅନ୍ୟ ଯୁଦ୍ଧ ସାମଗ୍ରୀ ଯୋଗାଣ କରୁଥିଲେ | ସେଥିପାଇଁ ସୋଭିଏଟ୍ ରୁଷିଆର ସେ ଥିଲେ ଆପଣାର ବନ୍ଧୁ | ସ୍ବାଧୀନତା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନିର୍ଦ୍ଦେଶରେ ସେ ଅପୂର୍ବ ସାହସ ପ୍ରଦର୍ଶନ କରି ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସହାୟତା କରିଥିଲେ | ସହାୟତା ପୁଣି ଏମିତି ସେମିତି ନୁହେଁ  ଡଚ୍ ସେନା ଘେରରେ ଏକରକମ ମୃତ୍ୟୁ ପରି ବିପଦର ସମ୍ମୁଖୀନ ହୋଇଥିବା ଇଣ୍ଡୋସେନିଆ ସ୍ବାଧୀନତା ସଂଗ୍ରାମର ମହାନ୍ ଯୋଦ୍ଧା ମହମ୍ମଦ ହଟ୍ଟା ଓ ଶାହରିୟର୍ଙ୍କୁ ଉଦ୍ଧାର କରିଥିଲେ | ଡଚ୍ ସେନାର ରାଡାର ଲକ୍ଷ୍ୟ ଆଡ଼େଇବାକୁ ସେ ବିପଜ୍ଜନକ ଭାବେ ସମୁଦ୍ର ଜଳପତ୍ତନର ଅଳ୍ପ ଉଚ୍ଚରେ ବିମାନ ଉଡ଼ାଇ ସେମାନଙ୍କୁ ଖସାଇ ଆଣିଥିଲେ | ଏହି ସହାୟତାର ପ୍ରତିଦାନ ସ୍ବରୁପ ସ୍ବାଧୀନ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧି ପ୍ରଦାନ କରିବା ସହିତ ଡଚ୍ ଶାସକଙ୍କର ଏକ ବଙ୍ଗଳା ଉପହାର ଦେଇଥିଲେ | ପରେ ସେ ତାହାକୁ ଫେରାଇ ଦେଇଥିଲେ | ସହି ବଙ୍ଗଳା ଓ ତତ୍ ସଂଲଗ୍ନ ଜମିର ମୂଲ୍ୟ ୧୯୫୦ ଦଶକରେ ୧୦୦ କୋଟି ଟଙ୍କା ଉପେର ଥିଲା ବାଲି ଆକଳନ କରାଯାଇଥିଲା| ସେହିପରି ଭାରତ-ଚୀନ୍ ଯୁଦ୍ଧ ଓ ଭାରତ-ପାକ୍ ଯୁଦ୍ଧ ସମୟରେ ମଧ୍ୟ ବିଜୁବାବୁ ଭାରତୀୟ ସେନାକୁ ବିଭିନ୍ନ ଭାବରେ ସହାୟତା କରି ଅପୂର୍ବ ବୀରତ୍ବର ପରିଚୟ ଦେଇ ଯାଇଛନ୍ତି | ତାଙ୍କର ଯୁଦ୍ଧକାଳୀନ ବିମାନ ଉଡ଼ାଣ ଓ ଅପୂର୍ବ ସାହସ ଆଜି ବି ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ଚମତ୍କୃତ କରେ | ତାଙ୍କ ଶିଳ୍ପ ସାମ୍ରାଜ୍ୟ ଯୋଗୁଁ ମଧ୍ୟ ସେତେବେଳେ ସେ ସମଗ୍ର ଏସିଆରେ ଖ୍ୟତି ଅର୍ଜନ କରିଥିଲେ | ସେହି ସମୟରେ ଟାଟା ଗୋଷ୍ଠୀ ମଧ୍ୟ ବ୍ୟାବସାୟିକ ପ୍ରତିଯୋଗିତା ଓ ଶିଳ୍ପ ସଂପ୍ରସାରଣରେ ତାଙ୍କ ପଛରେ ପଡ଼ି ଯାଇଥିଲା | ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ସେ 1951 ମସିହାରେ ମିଳିତ ଜାତିସଙ୍ଘର ୟୁନେସ୍କୋ ସଂସ୍ଥା ଆନୁକୂଲ୍ୟରେ କଳିଙ୍ଗ ପୁରସ୍କାର ପ୍ରଚଳନ କରିଥିଲେ | ସେହିବର୍ଷଠାରୁ ପ୍ରତିବର୍ଷ ଦିଆଯାଉଥିବା ଏହି ପୁରସ୍କାର ବାବଦ ସମସ୍ତ ଅର୍ଥ ବିଜୁବାବୁ ନିଜ ବ୍ୟକ୍ତିଗତ ପାଣ୍ଠିରୁ ବ୍ୟୟ କରିଥିଲେ | ପରେ ଓଡ଼ିଶା ସରକାର ଏଥିପାଇଁ କିଞ୍ଚିତ  ଅନୁଦାନ ଦେଇଛନ୍ତି | ଏସବୁ ଖ୍ୟାତି ଓ ସଫଳତାକୁ କିନ୍ତୁ ସେ ନିଜ ଜନ୍ମମାଟି ଓଡ଼ିଶାର ସ୍ବାଭିମାନ ଓ ସାମଗ୍ରିକ ସମୃଦ୍ଧି ପାଇଁ ଉତ୍ସର୍ଗ କରିଦେଇଥିଲେ | ସେହି ମହାନ୍ ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସରେ ତାଙ୍କ ଆତ୍ମା ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରୁଛି |

Share :