ପାଞ୍ଚ ଦିନ ଗଲାନି ମୁଖ୍ୟମନ୍ତ୍ରୀ ସଡକ

ପାଞ୍ଚ ଦିନ ଗଲାନି ମୁଖ୍ୟମନ୍ତ୍ରୀ ସଡକ

Share :

ସରକାର ଗ୍ରାମାଂଚଳରେ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଦୁର୍ନୀତିମୂଳକ ମନୋଭାବ ଯୋଗୁଁ ରାସ୍ତାକାମ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ଅଧିକ କମିଶନି ଓ ଲାଭ ପାଇଁ ନିମ୍ନମାନର କାମ ହେଉଥିବାରୁ ନୂଆ ରାସ୍ତା ୫ ଦିନରେ ପୁରୁଣା ହୋଇଯାଉଛି। ଏମିତି ଏକ ରାସ୍ତା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଉର୍ଲାଦାନୀ ପଂଚାୟତର ଖଲିଆମୁଣ୍ଡା ଗ୍ରାମରେ।   ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୫୯ ନମ୍ୱର ଜାତୀୟ ରାଜପଥଠାରୁ ଖଲିଆମୁଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ୨ କି.ମି. ରାସ୍ତା କାମ ଚାଲିଥିବା ବେଳେ ତାହା ନିମ୍ନମାନର ହୋଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ରାସ୍ତା କାମ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲାଗିବା କଥା। କିନ୍ତୁ ଏଠାରେ ଏହା ଦେଖିବାକୁ ମିଳୁନାହିଁ। ଫଳରେ ଗାଁ ଲୋକେ କେଉଁ ଯୋଜନାରେ କେତେ ବ୍ୟୟ ଅଟକଳରେ ରାସ୍ତା ହେଉଛି ଜାଣି ପାରୁନାହାନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।   ରାସ୍ତା କାମ ୭ ମାସ ହେବ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ରାସ୍ତାରେ ମେଟାଲ ମୁରୁମ ବିଛାଇ ପାଣି ଦେଇ ରୋଲର ମାଧ୍ୟମରେ ରାସ୍ତା ସମତୁଲ କରିବା କଥା। ସେଥିରେ ଆବଶ୍ୟକ ପରିମାଣର ପାଣିଦିଆ ନଯାଇ ଠିକ ଭାବେ ରୋଲର ବ୍ୟବହାର କରାଯାଇ ନଥିବା ପ୍ରଥମେ ବିଭାଗୀୟ ଯନ୍ତ୍ରୀଙ୍କୁ ଗାଁ ଲୋକେ ଅଭିଯୋଗ କରିଥିଲେ। ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ ନକରି ରାସ୍ତାକାମ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଦଶ ଦିନ ଭିତରେ ରାସ୍ତାରେ ଯେନତେନ ପ୍ରକାରେ ପିଚୁ କାମ ସାରିଦିଆଗଲା। କାମ ସରିବାର ୫ ଦିନପରେ ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ଉଠିଗଲାଣି।   ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ଖୁରାଙ୍କୁ ପଚାରିବାରୁ ନିମ୍ନମାନର କାମ ହେଉଥିବା ସ୍ବୀକାର କରିବା ସହ ଠିକ ଭାବରେ କାମ କରିବାକୁ ଠିକାଦାରଙ୍କୁ ତାଗିଦ କରାଯିବ ବୋଲି ପ୍ରକାଶ କରିଥିଲେ। ରାସ୍ତାକାମ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ହେବାକୁ ଦାବି ହୋଇଛି। ଯଦି ନହୁଏ ତାହାହେଲେ ଗ୍ରାମବାସୀ ୫୯ ନମ୍ୱର ଜାତୀୟ ରାଜପଥ ଅବରୋଧ କରିବେ ବୋଲି କହିଛନ୍ତି। ପ୍ରକାଶ ଥାଉକି, ମ.ରାମପୁର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ତରଫରୁ ହେଉଥିବା ସମସ୍ତ ଯୋଜନାର ଉନ୍ନୟନ ମୂଳକ କାମ ନିମ୍ନମାନର ଓ ବିନାସୂଚନା ଫଳକରେ ହେଉଥିବା ବାରମ୍ୱାର ଅଭିଯୋଗ ହେଉଛି। ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Share :