ଗଣମାଧ୍ୟମର ଚରିତ୍ର ହାନି
 

ଗଣମାଧ୍ୟମର ଚରିତ୍ର ହାନି  

Share :

ଦେବେନ୍ଦ୍ର ପୃଷ୍ଟି   ଡେକାନ୍ କ୍ରୋନିକ୍ଲ ହେଉଛି ଦକ୍ଷିଣ ଭାରତର ଏକ ନାମକରା ଇଂରାଜୀ ଖବରକାଗଜ | ଡେକାନ୍ କ୍ରୋନିକ୍ଲ ବାଦ ଏହି ଗୋଷ୍ଠୀର ମାଲିକାନାରେ ଆହୁରି ଅନେକ ଖବରକାଗଜ ପ୍ରକାଶ ପାଏ | ସେଥି ମଧ୍ୟରେ ରହିଛି ଏକ ତେଲଗୁ ଦୈନିକୀ ଓ କେତେକ ପତ୍ରିକା | ସଂପ୍ରତି ଏହି ଗୋଷ୍ଠୀ ଭିନ୍ନ ଏକ କାରଣରୁ ଚର୍ଚ୍ଚାକୁ ଆସିଛି | ଅନ୍ୟମାନଙ୍କ ଖବର ପ୍ରକାଶ କରୁଥିବା ଏହି ଗୋଷ୍ଠୀ ନିଜେ ଏକ ଖବର ହୋଇଯାଇଛି | ଏହି ଗୋଷ୍ଠୀର ଜଣେ ଉପସଭାପତି ଭୁବନେଶ୍ବରର ଏକ ତାରକା ହୋଟେଲରୁ ଗିରଫ ହୋଇଛନ୍ତି | ୨୦୧୫ ଜୁନ୍ 6 ତାରିଖ ପ୍ରତ୍ୟୁଷରୁ ତାଙ୍କୁ ସହରର ଏକ ବିଳାସପୂର୍ଣ୍ଣ ସମ୍ଭ୍ରାନ୍ତ ହୋଟେଲରୁ ଗିରଫ କରାଯାଇଛି | ଏହି ହୋଟେଲରେ ସେ ଛଦ୍ମ ପରିଚୟ ନେଇ ତିନି ମାସରୁ ଅଧିକ କାଳ ହେବ ରହୁଥିଲେ | ଲୋକମାନଙ୍କୁ ସତ୍ୟ ଓ ବାସ୍ତବତା ସହିତ ପରିଚୟ କରାଇବାର ପଣ କରିଥିବା ଏକ ଗଣମାଧ୍ୟମ ସଂସ୍ଥାର ଜଣେ ମାଲିକ ନିଜେ ଏପରି ଗୋପନବାସ କରିବା, ତାହା ପୁଣି ଛଦ୍ମ ପରିଚୟରେ, ନିଶ୍ଚୟ ଗଣମାଧ୍ୟମର ଚେହେରା ଓ ଚରିତ୍ର ପାଇଁ ଆଦୌ ଭଲ କଥା ନୁହେଁ | ଡେକାନ୍ କ୍ରୋନିକ୍ଲର ଏହି ଉପସଭାପତିଙ୍କ ନାମ ହେଉଛି ପିକେ ଆୟାର୍ | ସେ 357 କୋଟି ଟଙ୍କାର ଏକ ବ୍ୟଙ୍କ ଋଣ ଜାଲିଆତି ଘଟଣାରେ ଜଡ଼ିତ | ସେହି ଜାଲିଆତି ଧରାପଡ଼ିବା ପରେ ସେ ଗିରଫଦାରି ଏଡ଼ାଇବାକୁ ଭୁବନେଶ୍ବରର ତାରକା ହୋଟେଲରେ ନାଁ ବଦଳାଇ ଲୁଚିଥିଲେ | ଏହି ଗୋଷ୍ଠୀର ଅନ୍ୟ କେତେ ଜଣ ମାଲିକ ପୂର୍ବରୁ ଗିରଫ ହୋଇଛନ୍ତି | ସେମାନେ ମଧ୍ୟ ଏହିପରି ଅନେକ ଜାଲିଆତି ଓ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଅଛି | ଏହି ଗୋଷ୍ଠୀ ଦୁର୍ନୀତିର କ୍ରିକେଟ୍ ଭାବେ କୁଖ୍ୟାତି ଅର୍ଜନ କରିଥିବା ଆଇପିଏଲର ଏକ ଦଳ କିଣିଥିଲେ | ତାହାର ନାମ ଥିଲା ଡେକାନ୍ ଚାର୍ଜର୍ସ | ଏହି ଦଳ କିଣା ଓ ଏହାର ପରିଚାଳନାରେ ଅନେକ ଆର୍ଥିକ ହେରାଫେରି ହୋଇଥିବା ଅଭିଯୋଗ ଉଠିଥିଲା | ଇନଷ୍ଟାଣ୍ଟ ନୁଡୁଲ୍ସ ଯେମିତି ଦେହ ପକ୍ଷେ କ୍ଷତିକାରକ ସେହିପରି ଇନଷ୍ଟାଣ୍ଟ କ୍ରିକେଟ୍ ଆଇପିଏଲ୍ କ୍ରୀଡ଼ା ଜଗତ ପାଇଁ କଳଙ୍କର କାହାଣୀ ସୃଷ୍ଟି କରିଥିଲେ ବି ଏଥିରେ ଡେକାନ୍ କ୍ରୋନିକ୍ଲ ପରି ଗଣମାଧ୍ୟମ ଗୋଷ୍ଠୀ ଜଡ଼ିତ ହେବା ଏହାକୁ ବିଶ୍ବସନୀୟତା ପ୍ରଦାନ କରିଥିଲା କେବଳ ଡେକାନ୍ କ୍ରୋନିକ୍ଲ ଗୋଷ୍ଠୀ ନୁହେଁ, ସାଂପ୍ରତିକ ସମୟରେ ଏହିପରି ଅନେକ ଗଣମାଧ୍ୟମ ସଂସ୍ଥା ଓ ଗଣମାଧ୍ୟମ ବ୍ୟକ୍ତିତ୍ବଙ୍କ ଚେହେରା ଓ ଚରିତ୍ର ଉପରୁ ଛଦ୍ମ ଖୋଳପାମାନ ହଟିଯିବାରେ ଲାଗିଛି | ଆଇପିଏଲରେ ଯେଉଁ ଲୋକମାନେ ପୁଞ୍ଜି ଖଟାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଗଣମାଧ୍ୟମ ଜଗତ ସହିତ ଜଡ଼ିତ ଆହୁରି ଅନେକ ବ୍ୟକ୍ତି | ସିନେମା ଏକ ଗଣମାଧ୍ୟମ | ଆଇପିଏଲରେ ସିନେମା ଜଗତର ଅନେକ ବ୍ୟକ୍ତିଙ୍କ ଟଙ୍କା ଲାଗିଛି | ରିଲାଏନ୍ସ କମ୍ପାନୀ ମାଲିକାନାରେ ଚାଲିଛି ଭାରତବର୍ଷର ଅନେକ ଖବରକାଗଜ ଓ ଟେଲିଭିଜନ୍ ଚାନେଲ୍ | ଆଇପିଏଲରେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀଙ୍କର ଗୋଟିଏ ଟିମ୍ ଅଛି | ଆଇପିଏଲ୍ ଦୁର୍ନୀତି ସଂପର୍କରେ ଅବଗତ ଥାଇ ମଧ୍ୟ ଏହି ଖେଳ ପାଇଁ ପୃଷ୍ଠା ପୃଷ୍ଠା ଉତ୍ସର୍ଗ କରୁଛନ୍ତି ଅନେକ ଖବରକାଗଜ ଓ ଘଣ୍ଟା ଘଣ୍ଟା ସମୟ ଦେଉଛନ୍ତି ଅନେକ ଟିଭି ଚାନେଲ୍ | ଏହାର ଅର୍ଥ କ’ଣ ? ଦୁର୍ନୀତିର ସହଭାଗିତା ନା ନାହିଁ ? ଏବେ ଇନଷ୍ଟାଣ୍ଟ ନୁଡୁଲ୍ସ ମ୍ୟାଗି ଭାରତରେ ନିଷିଦ୍ଧ ହୋଇଛି | କାରଣ ଏଥିରେ ମଣିଷ ଦେହ ପ୍ରତି କ୍ଷତିକାରକ ସିସା ଓ ମନୋସୋଡିୟମ୍ ଗ୍ଲୁଟାମେଟ୍ ଅଧିକ ପରିମାଣରେ ଥିବା ପରୀକ୍ଷାରୁ ଜଣାପଡ଼ିଛି | ଏହା ଶିଶୁ ଓ କିଶୋର ବୟସର ପିଲାଙ୍କର ଏକ ପ୍ରିୟ ଖାଦ୍ୟ ହୋଇଥିବାରୁ ଏହା ଜରିଆରେ ସେମାନଙ୍କ ଶରୀର ରୁଗ୍ଣ ହୋଇଥିବା ଆଶଙ୍କା କରାଯାଉଛି | ଭାରତ ସରକାର ଏହାକୁ ବଜାରରୁ ହଟାଇ ନେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବିହାରର ଏକ କୋର୍ଟ ଏହାର ପ୍ରଚାର ବିଜ୍ଞାପନରେ କାମ କରିଥିବା ବଲିଉଡର ତିନି ଜଣ ପ୍ରସିଦ୍ଧ ତାରକାଙ୍କ ବିରୋଧରେ ଏତଲା ଦାଏର କରିବାକୁ ନିର୍ଦ୍ଦେଶ ଦେଇଛି | ଏହି ତିନି ଜଣ ହେଲେ ସୁପର୍ ଷ୍ଟାର ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ ଓ ପ୍ରୀତି ଜିଣ୍ଟା | ଏମାନେ ମ୍ୟାଗି ପାଇଁ ପ୍ରଚାର କରିବା ବାବଦରେ କୋଟିକୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି | ଏମାନେ ମ୍ୟଗି ପାଇଁ ପ୍ରଚାର କରିବା ପୂର୍ବରୁ ଏହାର ଗୁଣମାନ ପରୀକ୍ଷା ସଂକ୍ରାନ୍ତ ରିପୋର୍ଟ ଦେଖିଥିଲେ କି ନାହିଁ ତାହା କେହି ଜାଣନ୍ତି ନାହିଁ | ତେବେ ମ୍ୟାଗି ପ୍ରଚାର ପାଇଁ କାମ କରିଥିବାରୁ ଯଦି ସିନେ ଗଣମାଧ୍ୟମ ସହିତ ଜଡ଼ିତ ଏହି ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ହେବା ଠିକ୍ ତେବେ କୋଟିକୋଟି ଟଙ୍କାର ପାଉଣା ନେଇ ମ୍ୟାଗିର ପ୍ରଚାର କରିଥିବା ଟିଭି ଚାନେଲ୍ ଓ ଖବରକାଗଜଗୁଡ଼ିକ ସେହି ଦୋଷରେ ଦୋଷୀ ସାବ୍ୟସ୍ତ ହେବା ଉଚିତ ନୁହେଁ କି ? ଲୋକମାନେ ଗଣମାଧ୍ୟମକୁ ବିଶ୍ବାସ କରୁଥିବାରୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବ୍ୟବସାୟ ନାମରେ ଅନେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ସହିତ ମ୍ୟାଗି ପରି ଅନେକ ଗୁଣମାନ ହୀନ ଖାଦ୍ୟ ପଦାର୍ଥ ଓ ସେବାଦିର ପ୍ରଚାର ପ୍ରସାର ଚଳାଇଛନ୍ତି | କିଛି ଦିନ ପୂର୍ବରୁ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ଧରା ପଡ଼ିଥିବା ଚିଟ୍ ଫଣ୍ଡ ଦୁର୍ନୀତିରେ ଏହିଭଳି ଭାବେ ଅନେକ ଗଣମାଧ୍ୟମ ସଂସ୍ଥା ଓ ବ୍ୟକ୍ତି ଜଡ଼ିତ ଥିଲେ | ଗଣମାଧ୍ୟମ ଜରିଆରେ ହିଁ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକର ଲୋଭନୀୟ କାରବାର ସଂକ୍ରାନ୍ତରେ ଲୋକମାନେ ଜାଣିବାକୁ ପାଇଲେ | ନିଇତି ଖବରକାଗଜରେ ସେମାନଙ୍କ ଗୁଣଗ୍ରାମ ପଢ଼ିପଢ଼ି ଓ ଟେଲିଭିଜନରେ ଗୁଣ କୀର୍ତ୍ତନ ଶୁଣିଶୁଣି ସାଧାରଣ ଲୋକମାନେ ଚିଟ୍ ଫଣ୍ଡ ଠକମାନଙ୍କୁ ବିଶ୍ବାସ କଲେ ଓ କୋଟିକୋଟି ଟଙ୍କା ଖଟେଇଲେ | ଏବେ ସମସ୍ତେ ସର୍ବସ୍ବାନ୍ତ- ଚିଟ୍ ଫଣ୍ଡ ଜମାକାରୀ ଟଙ୍କା ହରାଇ ସର୍ବସ୍ବାନ୍ତ, ଚିଟ୍ ଫଣ୍ଡ ମାଲିକ ବେପାର ବୁଡ଼ି ସର୍ବସ୍ବାନ୍ତ | ଅନେକ ମାଲିକ ଓ କର୍ମଚାରୀ ଜେଲରେ|  କିନ୍ତୁ ଚିଟ୍ ଫଣ୍ଡବାଲାଙ୍କର ପ୍ରଚାର ପ୍ରସାର କରିଥିବା ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତିତ୍ବମାନେ ? ସେମାନେ ଏବେ ବି ମୁକ୍ତ| ସାଧାରଣ ଜମାକାରୀଙ୍କ ମନରେ ବିଶ୍ବାସ ଭରି ସେମାନଙ୍କୁ ସର୍ବସ୍ବାନ୍ତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହିପରି ଅନେକ ଗଣମାଧ୍ୟମ ସଂସ୍ଥା ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ଏବେ ବି ନିଜକୁ ସାଧାରଣ ଲୋକଙ୍କ ସ୍ବର ବୋଲି ଦାବି କରୁଛନ୍ତି ! ଗଣମାଧ୍ୟମ ସହ ଜଡ଼ିତ ଅନ୍ୟ କେତେକ ବ୍ୟକ୍ତିଙ୍କ ଦୁର୍ନୀତି ନେଇ ମଧ୍ୟ କିଛି ଦିନ ହେଲା ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି | ଟୁଜି ସ୍ପେକ୍ଟ୍ରମ ଦୁର୍ନୀତିରେ ଅଭିଯୁକ୍ତ ଡିଏମକେ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନ୍ ଓ ତାଙ୍କ ଭାଇ କଳାନିଧି ମାରନ୍ ପ୍ରାୟ 30 ଉପରେ ଟିଭି ଚାନେଲ୍ ଓ ସମ ସଂଖ୍ୟକ ଏଫଏମ୍ ରେଡିଓର ମାଲିକ | ସେମାନଙ୍କର ଦୁର୍ନୀତିର ଟଙ୍କା ଏହିସବୁ ଟିଭି ଚାନେଲ୍ ଓ ରେଡିଓ ସଂସ୍ଥା ମାଧ୍ୟମରେ ଆଦାୟ ହୋଇଥିବା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁସନ୍ଧାନରୁ ଜଣାପଡ଼ିଛି | ରାଡିଆ ଟେପ୍ ସଂପର୍କରେ ଅନେକେ ଊଣାଅଧିକେ ଜାଣିଥିବେ | ଏହି ଟେପରୁ ଭାରତୀୟ ଶିଳ୍ପ ଓ ପୁଞ୍ଜି ଜଗତ ଏବଂ ଭାରତର ଶାସନ ବ୍ୟବସ୍ଥା ଓ ଗଣମାଧ୍ୟମ ମଧ୍ୟରେ କିପରି ଦୁର୍ନୀତିମୂଳକ ସଂପର୍କ ରହିଛି ତାହା ସାବିତ୍ ହୋଇଯାଇଛି | ଦୁର୍ନୀତି ଓ ଅନୁଚିତ ଅନୁକମ୍ପା ଇତ୍ୟାଦି ପାଇଁ କିପରି ଦେଶର ବଡ଼ବଡ଼ ସାମ୍ବାଦିକ, ନେତା ଓ ଅଫିସରମାନଙ୍କୁ ସୁପାରିଶ କରନ୍ତି, ଲବି କରନ୍ତି ତାହା ଏହି ଟେପରୁ ଧରାପଡ଼ିଛି | ବିଜ୍ଞାପନ ରାଜସ୍ବ ନାମରେ ସତ୍ୟାସତ୍ୟ ଯାଞ୍ଚ ନକରି କୌଣସି ସାମଗ୍ରୀ ବା ସେବାର ପ୍ରଚାର ପ୍ରସାର କରିବା ଯେପରି ଦୁର୍ନୀତି ଓ ଭ୍ରଷ୍ଟାଚାର ସେହିପରି ସତ୍ୟାନୁସନ୍ଧାନ କାମକୁ ପଛରେ ପକାଇ ଶାସନ ଓ ପ୍ରଶାସନ ଜରିଆରେ କିଛି ଲୋକ ବା ମୁଷ୍ଟିମେୟ ଗୋଷ୍ଠୀଙ୍କ ସ୍ବାର୍ଥ ପାଇଁ ଲବି କରିବା ମଧ୍ୟ ଗଣମାଧ୍ୟମର ଚରିତ୍ର ନୁହେଁ | ଜନଗଣ ଏପରି ଗଣମାଧ୍ୟମ ସଂପର୍କରେ ଆଖି ଖୋଲା ରଖବା ଦରକାର | ସେମାନ ସମ୍ବାଦ ପରିବେଷଣ କରୁଛନ୍ତି ନା କେଉଁ ସଂସ୍ଥା ଓ ନେତାଙ୍କର ପ୍ରଚାର କରୁଛନ୍ତି ତାହା ବୁଝିବା ଦରକାର | ସେମାନେ ପ୍ରକାଶ କରୁଥିବା ବିଜ୍ଞାପନ ପାଇଁ ଜନ ସାଧାରଣ ଓ ନ୍ୟାୟ ବ୍ୟବସ୍ଥା ସେମାନଙ୍କୁ ଦାୟୀ କରିବା ଦରକାର |

Share :