ବିଲୁପ୍ତ ହେଉଛି ରଜ ପରମ୍ପରା

ବିଲୁପ୍ତ ହେଉଛି ରଜ ପରମ୍ପରା

Share :

  ଓଡିଶାରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ରଜପର୍ବ ଅନ୍ୟତମ। ଆମେ ପାଳନ କରୁଥିବା ସମସ୍ତ ପର୍ବ ପର୍ବାଣୀଗୁଡିକରେ ଦେବାଦେବୀମାନଙ୍କୁ ପୂଜା କରୁଥିବାବେଳେ ରଜପର୍ବ ଏହାର ଏକ ବ୍ୟତିକ୍ରମ। ଏହି ପର୍ବକୁ ମାଟି ମା’ର ବିଶ୍ରାମ ପର୍ବ ବୋଲି ଲୋକମାନେ ବିଶ୍ବାସ କରିଥାନ୍ତି।  ଏହି ପର୍ବ ଝିଅ ବୋହୂମାନଙ୍କର ଏକ ମୁଖ୍ୟ ପର୍ବ। ପୂର୍ବେ ରଜ ଉତ୍ସବ ସମୟରେ ଗାଁ ଦାଣ୍ଡରେ ପୁଅ ପିଲାମାନେ କବାଡି, ତାସ, ପଶା ଓ ଲୁଡୁ ଖେଳରେ ମଜି ରହୁଥିବା ବେଳେ ଏହି ସମୟରେ ଝିଅ ବୋହୂମାନେ ନୂତନ ବତ୍ସ ପରିଧାନ କରି ତାସ, ଲୁଡୁ, ପୁଚି ଇତ୍ୟଦି ଖେଳିବା ସହ ଗାଁ ମଧ୍ୟରେ ଥିବା ବଡ ବଡ ଗଛରେ ଦୋଳି ବାନ୍ଧି ଦଳ ଦଳ ହୋଇ ରଜଗୀତ ‘ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ..’ ସହିତ ବିଭିନ୍ନ ରକମର ପଲ୍ଲୀଗୀତ ଗାଇଥାନ୍ତି।   ଓଡିଆମାନଙ୍କର ସଂସ୍କୃତି ଓ ପରମ୍ପରାର ଏକ ନିଛକ ପ୍ରତିଛବି ହେଉଛି ଏହି ରଜ ପର୍ବ। ଆଧୁନିକତାର ଛାପରେ ଧୀରେ ଧୀରେ ରଜ ପର୍ବର ପୂର୍ବ ପରମ୍ପରା ହଜିବାରେ ଲାଗିଛି। ଉଗ୍ର ଆଧୁନିକତାର କୁପ୍ରଭାବରେ ଓଡିଆମାନଙ୍କର ପୁରାତନ ପରମ୍ପରା ଓ ସଂସ୍କୃତି ଜନମାନସରୁ ବିଲୁପ୍ତ ହେବାରେ ଲାଗିଛି। ଆଜିର ମାନବ ଆଧୁନିକ ସଂସ୍କୃତିକୁ ଆପଣେଇ ନେଉଥିବାରୁ ଉତ୍କଳବାସୀଙ୍କ ୧୨ ମାସରେ ହେଉଥିବା ୧୩ ପର୍ବର ପୂର୍ବ ଉତ୍ସାହ ଆଉ ଦେଖିବାକୁ ମିଳୁ ନାହିଁ। ଓଡିଆମାନଙ୍କର ମୁଖ୍ୟ ଆକର୍ଷଣର ପର୍ବ, ପରବରାଣୀ ରଜ ଉତ୍ସବର ପୂର୍ବ ମହକ ଆଉ ନଥିବା ପରି ମନେ ହେଉଛି।  ସହରୀ ସଭ୍ୟତାରେ ଦୋଳି ଲଗାଇବାକୁ ଗଛ ନାହିଁ କି ବାଗୁଡ଼ି ବା କବାଡ଼ି ଖେଳିବାକୁ ନଈବାଲି କି ଆମ୍ବ ତୋଟା ନାହିଁ। ସହରର କଂକ୍ରିଟ ଜଙ୍ଗଲ ଭିତରେ ଗୁଡ଼ି ଉଡ଼ାଇବା ବି କଷ୍ଟସାଧ୍ୟ ହୋଇଯାଇଛି। ସେହିପରି ଗ୍ୟାସ ଚୁଲି ଏବଂ ଇଲେକଟ୍ରି ଓଭେନରେ ଓଡ଼ିଆ ଘରର ପୋଡ଼ପିଠା ତିଆରି କଲେ ତା’ର ସୁଆଦ ମିଳେ ନାହିଁ। ତେବେ ସହରରେ ଅଛି ଖାଲି ରଜପାନ, କେବଳ ଗୋଟିଏ ସଉକ ହିସାବରେ।   ରଜରେ ଝିଅବୋହୂଙ୍କ ପାଇଁ ନୂଆ ଲୁଗା ହୁଏ। ସେମାନଙ୍କ ପାଇଁ ରଜ ତିନି ଦିନ ବିଶ୍ରାମ। ସେମାନେ କାମ କରନ୍ତି ନାହିଁ। ସେଥିପାଇଁ ରଜ ପୂର୍ବଦିନ ସଜବାଜ। ସଜବାଜରେ ଝିଅବୋହୂମାନେ ତିନି ଦିନ ପାଇଁ ପାଣି ବୋହି ଘରେ ରଖନ୍ତି। ପୋଡ଼ପିଠା, କାକରା, ମାଛ ଭଜା, ଶୁଖୁଆ ଭଜା, ଖଟା ଓ ଅତି କମରେ ଦୁଇ ଦିନ ରହିବା ଭଳି ଅନ୍ୟାନ୍ୟ ପିଠା ଓ ବ୍ୟଞ୍ଜନ ତିଆରି କରି ରଖନ୍ତି। ରଜ ତିନି ଦିନ ସେମାନେ ବିଭିନ୍ନ ପ୍ରକାର ଦୋଳି, କଉଡ଼ି, ତାସ ଇତ୍ୟାଦି ଖେଳିବା ସହିତ ଘରଘର ବୁଲି ମଜା କରିଥାନ୍ତି।   ଓଡିଆମାନେ ଏହି ପର୍ବକୁ ଉତ୍ସାହ ଉଦ୍ଦିପନାର ସହ ୪ ଦିନ ଧରି ପାଳନ କରିଥାନ୍ତି। ଆଷାଢ ମାସର ସଂକ୍ରାନ୍ତି ଆଗ ଦିନଠାରୁ ରଜପର୍ବ ପାଳନ କରାଯାଇଥାଏ। ପ୍ରଥମ ଦିବସକୁ ପହିଲି ରଜ, ଦ୍ୱିତୀୟ ଦିବସକୁ ରଜ ସଂକ୍ରାନ୍ତି, ତୃତୀୟ ଦିବସକୁ ଭୂମିଦହନ ଦିବସ ଓ ଚତୁର୍ଥ ଦିବସକୁ ବସୁମତୀ ସ୍ନାନ ବା ଠାକୁରାଣୀ ଗାଧୁଆ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଘରେ ଘରେ ବିଭିନ୍ନ ପ୍ରକାର ପୋଡପିଠା ଓ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବା ସହ ଖେଳକୁଦରେ ପୁରପଲ୍ଲୀରେ ଆନନ୍ଦର ଲହରୀ ଖେଳି ଉଠୁଥିଲା। ଚଳିତ ବର୍ଷ ଜୁନ ମାସ ୧୪ ତାରିଖରୁ ସମଗ୍ର ଓଡିଶାରେ ପାଳିତ ହେବ ରଜ ଉତ୍ସବ। ଏଥିପାଇଁ ଝିଅ ବୋହୂମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Share :