ପାଣି ମାରିଦେଲେ ସରକାର!

ପାଣି ମାରିଦେଲେ ସରକାର!

Share :

ରବି କାନୁନଗୋ   Water, water, everywhere, nor a drop to drink.” – Samuel Taylor Coleridge            ମେ ୨୦ ତାରିଖର ଲଘୁଚାପ ଜନିତ ବର୍ଷ ପୂର୍ବରୁ ରାଜ୍ୟେର ରୌଦ୍ରତାପ ସାଙ୍ଗକୁ ରାଜ୍ୟର ଜଳ-ସଙ୍କଟ ସହିବା ସୀମୀ ଟପିଥିଲା। ଅଧିକାଂଶ ଅଂଚଳରେ ଜଳକଷ୍ଟର ଚିତ୍ର। ଅନେକ ଜାଗାରେ ଜଳ ଯନ୍ତ୍ରଣା ଓ ଜଳ ଆନ୍ଦୋଳନ।   ରାଜ୍ୟ ସରକାରଙ୍କର ପ୍ରାକୃତିକ ଜଳ ବିକ୍ରି ଓ ବିତରଣ ପାଇଁ ନାନା ପ୍ରକାର ଆୟୋଜନ ଅଛି। ସଂରକ୍ଷଣ ପାଇଁ କିଛି ଯୋଜନା ନାହିଁ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ନଈ ଉପରେ ହୋଇଛି ଡବଲ ପୋଲ, ମାତ୍ର ବର୍ଷକୁ ଆଠ ମାସ ଗାଭିଲୀ ପରି ଦେଖାଯାଉଥିବା ନଈ ଏବେ ଗୋଟେ ମାସ ବି ସେମିତି ଦେଖାଯାଉନି।     ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ରାଜ୍ୟର ସର୍ବାଙ୍ଗୀନ ସାମାଜିକ ହିତ ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଆର୍ଥନୈତିକ ଭାବେ ସମୃଦ୍ଧ କରିବା ପାଇଁ ବେଦାନ୍ତ ରିସୋର୍ସେସ ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ବହୁ ବ୍ୟଗ୍ର ଆତୁରତା ପ୍ରକାଶ କଲେ। ସେଗୁଡ଼ିକ ହେଲା - ବେଦାନ୍ତ ୨୪୦୦ ମେଗାୱାଟ ବିଜୁଳିଶକ୍ତି ଉପିାଦନ କରିବ। ସେଥିରୁ ରାଜ୍ୟ ପାଇବ ୬୦୦ ମେଗାୱାଟ। ତା’ର ୧୫ ପ୍ରତିଶତ ବିଜୁଳିଶକ୍ତି ଅଭାବ ଭରଣା ହେବ। କୋଣାର୍କ-ପୁରୀ ବେଳାଭୂମିରେ ୬୦୦୦ ଏକର ଜମି ନେଇ ଚିରଚର୍ଚିତ ବେଦାନ୍ତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସରକାରଙ୍କ ଆଗ୍ରହ ତ ରହିଛି। ସେଥିପାଇଁ ରାଜ୍ୟ ବିଧାନସଭା ୨୦୧୫ ଜୁଲାଇରୁ ବିଲ ମଞ୍ଜୁର କରି ସାରିଛନ୍ତି। ସବା ଆଗେ ବେଦାନ୍ତ ସେଠି ଏକ ହଜାର ବେଡ଼ ସଂପନ୍ନ ସୁପର ସ୍ପେସାଲ ହସପିଟାଲ-ମେଡକାଲ କଲେଜ ଏବଂ ଗବେଷଣା କେନ୍ଦ୍ର ଆରମ୍ଭ କରିବ। ଭୁବନେଶ୍ୱରଠାରେ ଅତ୍ୟାଧୁନିକ ଗୋଟିଏ ୧୦୦ ବେଡ଼ ବର୍ଣ୍ଣ ଏଣ୍ଡ ଟ୍ରମା ସେଣ୍ଟର (ଦଗ୍ଧାଘାତ ଓ ମାନସିକ ଆଘାତ ଚିକିତ୍ସା କେନ୍ଦ୍ର) ମଧ୍ୟ ବେଦାନ୍ତ ତିଆରି କରିବ। ଅନ୍ୟ ରାଜ୍ୟରୁ ବକ୍ସାଇଟ ଆଣି ଝାରସୁଗୁଡ଼ାର ଲାଞ୍ଜିଗଡ଼ ରିଫାଇନାରି ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହେଲାଣି ଏବଂ ଏଥିଯୋଗୁ ଉଭୟ ରାଜ୍ୟ ଓ କମ୍ପାନି ବହୁ ସୁଯୋଗ ହାତଛଡ଼ା କରୁଥିବା କଥା ଅଗ୍ରୱାଲ କହିଥିଲେ।   ଝାରସୁଗୁଡ଼ରେ ‘ମେଟାଲ‌୍‍ ପାର୍କର’ ନିର୍ମାଣ ପାଇଁ ପ୍ରେଜେକ୍ଟ ରିପୋର୍ଟ ତିଆରି ସରିଛି। ତଦ୍ଦ୍ୱାରା ୧୫ ହଜାର ଲୋକ ଅପ୍ରତ୍ୟକ୍ଷ ନିଯୁକ୍ତି ପାଇବା ପରି ଶହେଟି ଆନୁଷଙ୍ଗିକ ମଧ୍ୟମ ଓ ଲଘୁ ଶିଳ୍ପ ଉଦ୍ୟୋଗ ରହିବ। ଭବାନୀପାଟଣାରେ ସରକାରୀ ଇଂଜିନିୟରିଙ୍ଗ କଲେଜ ପାଇଁ ହଷ୍ଟେଲ ଏବଂ ରାଜ୍ୟର ଅନ୍ୟ ସାମାଜିକ ବିକାଶରେ ବେଦାନ୍ତ ପ୍ରଭୁତଭାବେ ସାହଯ୍ୟ କରିବ ଏବଂ ସେଥିପାଇଁ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।   ଏଥିରେ ପାଣି ବାବଦରେ ଧାଡ଼ିଏ ଉଲ୍ଲେଖ ଥିଲା କି? ନା। ସମ୍ଭବ ନଥିଲା। କାରଣ ସରକାର ଭିତ୍ତିଭୂମି ଯୋଗେଇବେ ବୋଲି ପ୍ରତିଜ୍ଞା କରି ଶିଳ୍ପପତିଙ୍କୁ ନିମନ୍ତ୍ରଣ କରନ୍ତି। ଚାଷୀର ପାଣି-ହରଣ ଆୟୋଜନ ତା’ ସାଙ୍ଗରେ ଫ୍ରି’।   ଏସବୁର ଶାସନିକ ପରିଣତିରେ ଖଣି ଖାଦାନ ଖୋଳି ବିକ୍ରି କରିବା ଏବଂ ଦୁର୍ନୀତିର ଦୁର୍ଗନ୍ଧ ମୁଣ୍ଡେଇବା ଛଡ଼ା ଆଉ କିଛି ଆଖିଦୁର୍ଶିଆ କାର୍ଯ୍ୟ ହୋଇନାହିଁ କହିଲେ ଚଳେ। ପର୍ବପର୍ବାଣି ଦିନ ଭିକାରି ଥାଳରେ ରୋଜଗାର ବଢ଼ୁଥିବା ପରି ରାଜ୍ୟର ଗାଣିତିକ ଜିଡିପି ବଢ଼ିବା ମୋଟେ ବିଚିତ୍ର କଥା ନୁହେଁ। ପରିବେଶ ବିଶାରଦମାନେ ହିସାବ କରି କହି ସାରିଲେଣି ଯେ ଆଗାମୀ ୫୦ରୁ ୧୦୦ ବର୍ଷ ଭିତରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲା ମରୁଭୂମିରେ ପରିଣତ ହେବ।   ଲୋକେ ଆଜି ତ୍ରାହିତ୍ରାହି ଡାକିଲେଣି। ସମଗ୍ର ରାଜ୍ୟରେ ଜଳ ହୋଇଛି ସବୁଠାରୁ ବଡ଼ ସମସ୍ୟା। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ ଏବଂ ସୁବର୍ଣ୍ଣରେଖା - ଏହି ନଦୀ ଓ ସେଗୁଡ଼ିକର ଶାଖାନଦୀ ରାଜ୍ୟର ୧୫ଟି ଜିଲ୍ଲାର ଜଳ ଆବଶ୍ୟକତା ମେଣ୍ଟାଇଥାନ୍ତି। ରାଜ୍ୟ ସରକାରଙ୍କ ଯୋଜନା (ଏମଓୟୁ ହିସାବରେ) ଯଦି ଠିକ କାମ କରିଥା’ନ୍ତା ତା’ହେଲେ ସେହି ଜଳରେ ଭାଗଦାରି ହେବେ ୪୦ଟି ଇସ୍ପାତ କାରଖାନା, ୧୩ଟି ଥର୍ମାଲ ପାୱାର ପ୍ଲାଣ୍ଟ, ୩ଟି ଆଲୁମିନା କାରଖାନା ଏବଂ କେତେଗୁଡ଼ିଏ ସିମେଣ୍ଟ କାରଖାନା ତଥା ଅନ୍ୟାନ୍ୟ ଶିଳ୍ପ।   ବ୍ରାହ୍ମଣୀ ନଦୀ ଜଳ ରାଉରକେଲା ଇସ୍ପାତ କାରଖାନା, ତାଳଚେର କୋଲିଆରି ପାଇଁ ଜହରରେ ପରିଣତ ହୋଇ ସାରିଛି ବୋଲି ପ୍ରାୟ ଦଶ ବର୍ଷ ପୂର୍ବରୁ ‘ନେସନାଲ ୱାଟର କ୍ବାଲିଟି ମନିଟରିଂ ପ୍ରୋଗ୍ରାମ’ ସତର୍କ କରି ସାରିଛନ୍ତି। ସରକାରୀ ରିପୋର୍ଟ ଛଡ଼ା, ଏଥିପାଇଁ ଆମ ପାରିପାର୍ଶ୍ୱିକ ଅଭିଜ୍ଞତା ମଧ୍ୟ କମ ନୁହେଁ। ସରକାରର ଶିଳ୍ପ-ପ୍ରେମ ଯୋଗୁ କି ଯେ ପ୍ରଗତି ହୋଇଛି, ତାହା ଭିନ୍ନ କଥା। ମାତ୍ର କୃଷି ଧ୍ୱଂସ ହୋଇଛି।   ବିଗତ ତିନି ଶତାବ୍ଦୀର ହାରାହାରି ବିଶ୍ୱର ରୂପ କେମିତି ବଦଳିଛି? ଓଡ଼ିଶା ସେଥିରୁ ଅଲଗା ନୁହେଁ।   ୧୯ଶ ଶତାବ୍ଦୀ - ଉପନିବେଶବାଦ। ଏହାର ମୁକ୍ତ ରୂପ ଥିଲା - ପ୍ରଭୁତ୍ୱ ଏବଂ ଦାସତ୍ୱ।   ୨୦ଶ ଶତାବ୍ଦୀ - ଅସ୍ତ୍ର ଯୁଦ୍ଧ। ଅନେକ ଦେଶ ସ୍ୱାଧୀନ ହୋଇଛନ୍ତି ଓ ହରେଇଛନ୍ତି ମଧ୍ୟ।   ୨୦୦୦ ମସିହାରେ ବିଶ୍ୱ ବ୍ୟାଙ୍କ (ପରିବେଶ) ଭାଇସ ପ୍ରେସିଡେଣ୍ଟ ଇସମାଇଲ ସେରାଗେଲଡିନ କହିଥିଲେ ୨୧ଶ ଶତାବ୍ଦୀରେ ପ୍ରାଧାନ୍ୟ ଲାଭ କରିବ ଜଗତୀକରଣ ଏବଂ ଏହାର ମୁକ୍ତ ରୂପ ହେବ - ଜଳ ପାଇଁ ଯୁଦ୍ଧ।

Share :