କହ ସଂଜୟ, ବଢ଼ିବ କେମନ୍ତେ ଡାଲିର ଦର!

କହ ସଂଜୟ, ବଢ଼ିବ କେମନ୍ତେ ଡାଲିର ଦର!

Share :

ଦେବେନ୍ଦ୍ର ପୃଷ୍ଟି   ଦୁଇ ଦିନ ତଳେ ମେ ୧୭ ତାରିଖରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଡାଲି ଓ ତେଲର ଷ୍ଟକ୍ ଲିମିଟ୍ ବା ମହଜୁଦ ସୀମା ଧାର୍ଯ୍ୟ କରିଛନ୍ତି। ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ଏହି ମହଜୁଦ ସୀମା ବାସ୍ତବରେ କୃତ୍ରିମ ଭାବେ ବୃଦ୍ଧି ପାଇଥିବା ଦର ହ୍ରାସ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଏହି ମହଜୁଦ ସୀମାର ସୁଯୋଗ ନେଇ ଅସାଧୁ ବେପାରୀମାନେ ଅଧିକ ଡାଲି ଗଚ୍ଛିତ ରଖିବେ। ଏହାର ପ୍ରଭାବରେ ବଜାରରେ ଡାଲି ଦର କମିବା ପରିବର୍ତ୍ତେ ବୃଦ୍ଧି ପାଇବାର ସମ୍ଭାବନା ଅଧିକ। ମୋଦି ସରକାରଙ୍କର ଏହିପରି ନିଷ୍ପତ୍ତି ଯୋଗୁଁ ଉପା ସରକାର ଅମଳରେ ୮୫ ଟଙ୍କା ଥିବା ହରଡ଼ ଏବେ ୧୫୦ ଟଙ୍କାରେ ବିକ୍ରି ହେଉଛି। ନବୀନ ସରକାର ମୋଦି ସରକାରଙ୍କ ଭୁଲ ନିଷ୍ପତ୍ତିକୁ ପର୍ଦ୍ଦା‍ଫାସ କରିବା ପରିବର୍ତ୍ତେ ସେମାନଙ୍କ ଭୁଲ ନିଷ୍ପତ୍ତିକୁ ଦୁର୍ନୀତିର ଉପାୟ ଭାବେ ଗ୍ରହଣ କରିଛନ୍ତି। ଅସାଧୁ ବେପାରୀଙ୍କୁ ସୁହାଇବା ପାଇଁ ମହଜୁଦ ସୀମା ବୃଦ୍ଧି କରାଯାଇଛି। ଏଥିପାଇଁ କେଇ କୋଟି ଟଙ୍କା ଏ ହାତ ସେ ହାତ ଯେ ହୋଇ ନଥିବା ତାହା ହଲପ କରି କହି ହେବ ନାହିଁ।   ଓଡ଼ିଶାରେ ଆଗରୁ ହୋଲସେଲରଙ୍କ ପାଇଁ ଡାଲିର ମହଜୁଦ ସୀମା ଥିଲା ୭୫୦ କୁଇଣ୍ଟାଲ। ଅର୍ଥାତ ଏହାଠାରୁ ଅଧିକ ଓଜନର ଡାଲି ମହଜୁଦ ରଖିବା ସେମାନଙ୍କ ପାଇଁ ବେଆଇନ ଥିଲା। ତଥାପି ଅନେକ ବ୍ୟବସାୟୀ ସରକାରୀ ଅଧିକାରୀଙ୍କୁ ଲାଂଚ ଦେଇ ଏହାଠାରୁ ଅଧିକ ଡାଲି ମହଜୁଦ ରଖୁଥିଲେ ଓ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦର ଭିଡ଼ୁଥିଲେ। କେନ୍ଦ୍ରରେ ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ଡାଲି ଦର ଦୁଇ ଗୁଣ ବୃଦ୍ଧି ପାଇଲା ପରେ ସମଗ୍ର ଦେଶରେ ଚଢ଼ାଉ ହୋଇଥିଲା। ଓଡ଼ିଶାରେ ମଧ୍ୟ ସରକାର କେତେକ ବ୍ୟବସାୟୀଙ୍କ ଗୋଦାମରେ ନାମକୁ ମାତ୍ର ଚଢ଼ାଉ କରିଥିଲେ। ସେତେବେଳେ ସେମାନଙ୍କଠାରୁ ପ୍ରାୟ ୨୫ ହଜାର କୁଇଣ୍ଟାଲ ବେଆଇନ ମହଜୁଦ ଡାଲି ଜବତ ହୋଇଥିବା କଥା ମଧ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଘୋଷଣା କରିଥିଲେ।   ଜବତ ହୋଇଥିବା ଏହି ଡାଲି ବଜାରରେ ବଣ୍ଟନ ହେଲା କି ପୁଣି ତାହାକୁ ଅସାଧୁ ବେପାରୀଙ୍କ ପାଖକୁ ପଠାଇ ଦିଆଗଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଇ ମେ ୧୭ ତାରିଖରେ ନବୀନ ସରକାର ଡାଲିର ମହଜୁଦ ସୀମା ବୃଦ୍ଧି କରିଛନ୍ତି। ଏଣିକି ଜଣେ ବ୍ୟବସାୟୀ ଚାହିଁଲେ ୨୦୦୦ କୁଇଣ୍ଟାଲ ଯାଏଁ ଡାଲି ମହଜୁଦ ରଖିପାରିବ। ସରକାରଙ୍କର ଏହି ଆଦେଶ ବଜାରରେ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଯଥେଷ୍ଟ। ବ୍ୟବସାୟୀମାନେ ଖୋଲା ବଜାରରୁ ପାଇକାରୀ ଦରରେ ବିପୁଳ ପରିମାଣର ଡାଲି ଉଠାଇ ଗୋଦାମରେ ଗଚ୍ଛିତ ରଖିପାରିବେ। ଆଗକୁ ଚତୁରମାସିଆ। ଏହି ସମୟରେ କୌଣସି ପ୍ରକାର ଡାଲି ଅମଳ ହୁଏ ନାହିଁ। ଏହି ସମୟରେ ଖୋଲା ବଜାରରେ ଅନ୍ୟ କୌଣସି ସୂତ୍ରରୁ ଡାଲି ଉପଲବ୍ଧ ହୋଇ ନଥାଏ। ବଡ଼ ବେପାରୀମାନେ ଗୋଦାମରେ ୨ ହଜାର କୁଇଣ୍ଟାଲ ଯାଏଁ ମହଜୁଦ ରଖିବାକୁ ଡାଲି କିଣି ନେଲେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେବା ନିଶ୍ଚିତ। ତାହା ଦରବୃଦ୍ଧିକୁ ସୁହାଇବ।   ନବୀନ ସରକାରଙ୍କ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଓ ଅଧିକାରୀମାନେ ମୋଦି ସରକାରର ଦୁର୍ନୀତି ଉପାୟ ଅନୁସରଣ କରୁଥିବାରୁ ରାଜ୍ୟରେ ଡାଲି ଦର ଏବେ ବି କିଲୋ ପିଛା ୧୫୦ ଟଙ୍କାରୁ କମୁ ନାହିଁ। ଡାଲି ଦର ବୃଦ୍ଧିର ଦୋଷ ରାଜ୍ୟଗୁଡ଼ିକ ଉପରେ ପକେଇବା ଉଦ୍ଦେଶ୍ୟରେ ମୋଦି ସରକାର ପ୍ରାୟ ମସକ ତଳେ ଗୋଟିଏ ସତ କଥା ପ୍ରକାଶ କରିଥିଲେ। ତାହା ହେଉଛି ଡାଲିର ସର୍ବୋଚ୍ଚ ଦର କିଲୋ ପ୍ରତି ୧୨୦ ଟଙ୍କା ରହିବ। କାରଣ ଖୋଲା ବଜାରରେ ଡାଲି ମଂଜି କିଲୋ ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି। ଏହାର ପରିବହନ ଓ ପ୍ରକ୍ରିୟାକରଣ ଖର୍ଚ୍ଚ କିଲୋ ପ୍ରତି ସର୍ବାଧିକ ୩୦ ଟଙ୍କା ଲାଗି। ଏହା ବାଦ ବ୍ୟବସାୟୀମାନ କିଲୋ ପ୍ରତି ୩୦ ଟଙ୍କା ଲାଭ ରଖିଲେ ବି ଡାଲି ଦର କୌଣସି ପରିସ୍ଥିତିର ୧୨୦ ଟଙ୍କା ଟପିବା କଥା ନୁହେଁ। କେନ୍ଦ୍ରର ଏହି ହିସାବକୁ ସେତେବେଳେ ସମର୍ଥନ କରିଥିଲେ ଓଡ଼ିଶା ବ୍ୟବସାୟୀ ମହାସଙ୍ଘର ସମ୍ପାଦକ ସୁଧାକର ପଣ୍ଡା। ଓଡ଼ିଶା ସରକାର ନିଜ କର୍ମଚାରୀଙ୍କୁ ଲଗାଇ ରାଜ୍ୟର ବଜାର ବ୍ୟବସ୍ଥା ନିୟନ୍ତ୍ରଣ କଲେ ଏହି ଦରରେ ଡାଲି ବିକ୍ରି ହୋଇପାରିବ ବୋଲି ସେ କହିଥିଲେ।   ଅଥଚ ସରକାର ତାହା କଲେ ନାହିଁ। ସେତେବେଳେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ମଧୁସୂଦନ ପାଢ଼ୀ କହିଲେ ରାଜ୍ୟ ସରକାର କେନ୍ଦ୍ରରୁ ଡାଲି ଆଣି ତାହାକୁ ମିଲରଙ୍କ ଜରିଆରେ ପେଶେଇବେ। ତା’ ପରେ ତା’କୁ ପଲିଥିନ ପ୍ୟାକରେ ପ୍ୟାକିଂ କରି ବିକ୍ରି କରିବେ। ଏହି ପ୍ରକ୍ରିୟାରେ କାଳେ ଦର ନିୟନ୍ତ୍ରଣ ହୋଇପାରିବ। ସେ ଏହା କହିବା ପରେ ମଧ୍ୟ ମାସେ ବିତି ଗଲାଣି। ଓଡ଼ିଶା ସରକାର କେତେ ଡାଲି କିଣିବାକୁ ଅର୍ଡ଼ର ଦେଇଛନ୍ତି, ସେ ଡାଲି କେବେ ଆସିବ ଓ କେବେ ଖାଉଟିଙ୍କ ପାଖରେ ପହଂଚିବ ତାହା କେହି ଜାଣନ୍ତି ନାହିଁ।   ଅଥଚ ଏବେ ସରକାର ଡାଲିର ମହଜୁଦ ସୀମା ବୃଦ୍ଧି କରି ଅସାଧୁ ବେପାରୀଙ୍କ ଦ୍ବାରା ଖାଉଟିଙ୍କ ଶୋଷଣ ପାଇଁ ବାଟ ସଫା କରି ଦେଇଛନ୍ତି। ସେହିପରି ସରକାର ଡାଲି ମହଜୁଦ ବାବଦ ଲାଇସେନ୍ସ ଫି ମଧ୍ୟ ବଢ଼ାଇଛନ୍ତି। ବେପାରୀମାନ ଏହି ଖର୍ଚ୍ଚଙ୍କୁ ଖାଉଟିଙ୍କ ମୁଣ୍ଡରେ ଅଜାଡ଼ି ଦେବେ। ତାହା ମଧ୍ୟ ଦର ବଢ଼ାଇବ।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ସରକାର ବଜାର ଉପରେ ନିୟନ୍ତ୍ରଣ ହରାଇବାରୁ ଡାଲି ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏଥିନେଇ ସରକାର ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ସରକାର ୨୦୧୨ ମସିହାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁସାରେ ଡାଲି ଓ ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ମହଜୁଦ ସୀମା ଧାର୍ଯ୍ୟ କରିଥିଲେ। ପ୍ରତି ବର୍ଷ ଏହି ଆଦେଶ ନବୀକୃତ ହେଉଥିଲା। କିନ୍ତୁ ମୋଦି ସରକାର ଅମଳରେ ଏହି ଆଦେଶର ପ୍ରଥମ ନବୀକରଣ ସମୟରେ ଡାଲି ମହଜୁଦ ସୀମା ହଟେଇ ଦେଲେ। ଏହି ସୁଯୋଗରେ ଆଦାନୀ ଗୋଷ୍ଠୀର ଏକ କମ୍ପାନୀ ଖୋଲା ବଜାରରୁ ପ୍ରଚୁର ପରିମାଣର ଡାଲି ଉଠାଇ ନେଲା। ୨୦୧୪ ମେ ମାସ ବେଳକୁ ହରଡ଼ ଡାଲି କିଲୋ ୮୫ ଟଙ୍କା ଥିଲା। କିନ୍ତୁ ମୋଦି ସରକାର ଆସିବା ପରେ ବଜାରରୁ ଡାଲି ଉଭାନ ହୋଇଗଲା ଓ ଅମଳ କମିବା ଯୋଗୁଁ ଏପରି ହେଉଛି ବୋଲି ବେପାରୀ ଓ ସରକାର ସଫେଇ ଦେଲେ। ସେଇ ସୁଯୋଗରେ ଡାଲି ଦର କିଲୋ ପିଛା ୧୦୦ ଟଙ୍କା ବଢ଼ିଗଲା। ଚାରି ଆଡ଼ୁ ସମାଲୋଚିତ ହେବା ପରେ ମୋଦି ସରକାର ଗତ ବର୍ଷ ବିଭିନ୍ନ ଗୋଦାମରେ ଚଢ଼ାଉ କରି କିଛି ଡାଲି ଜବତ କଲେ। ତା’ ପ୍ରଭାବରେ ଡାଲି ଦର ୧୮୦ ଟଙ୍କାରୁ ଖସି ୧୪୦ ଟଙ୍କାରେ ପହଂଚିଲା। ଏବେ କିନ୍ତୁ ଏହା ପୁଣି ଚଢ଼ି ଗଲାଣି। ଏବେ ଭୁବନେଶ୍ବର ବଜାରରେ ହରଡ଼ କିଲୋ ୧୫୦ ଟଙ୍କା।   ଡାଲି ପରି କେତେକ ଅତ୍ୟାବଶ୍ୟକ ଖାଦ୍ୟଦ୍ରବ୍ୟ ଉପରୁ ଭାଟ୍ ଛାଡ଼ କରିବାକୁ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ଦାବି କରି ଆସିଛି। ଏହି ଦାବିରେ ମହାସଙ୍ଘ ଏକାଧିକବାର ଆନ୍ଦୋଳନ କଲାଣି। ଦାବି ହାସଲ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଏପ୍ରିଲ ମାସରେ ଆମଦାନୀ ବନ୍ଦ କରାଗଲା। ସରକାର ସେତେବେଳେ ଭାଟ୍ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାଟ୍ ହଟିଲେ ଦର କମିବ। କିନ୍ତୁ ଏବେ ଭାଟ୍ ହଟାଇବା ପ୍ରତିଶ୍ରୁତି ପୂରଣ ନକରି ଓଲଟି ଅସାଧୁ ବେପାରୀଙ୍କୁ ଅଧିକ ମୁନାଫା ଅର୍ଜନ କରିବାକୁ ବାଟ ବତେଇଦେଲେ। ଏଥିପାଇଁ ଯେ ଟଙ୍କା କାରବାର ହୋଇନଥିବ ତାହା କେବଳ କେହି ଅଶିକ୍ଷିତ ବା ଅଚେତନ ଲୋକ ର୍ହି ବିଶ୍ବାସ କରିବେ।

Share :