ରାମଚଣ୍ଡୀ ପୀଠରେ ହାଣ୍ଡିଭଙ୍ଗା ଯାତ

ରାମଚଣ୍ଡୀ ପୀଠରେ ହାଣ୍ଡିଭଙ୍ଗା ଯାତ

Share :

  ଅର୍କ କ୍ଷେତ୍ର କୋଣାର୍କର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ। ମା’ଙ୍କ ପୀଠରେ ବର୍ଷତମାମ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଶ୍ରେଷ୍ଠ ଓ ନିଆରା ପର୍ବ ହେଉଛି ହାଣ୍ଡିଭଙ୍ଗା ଯାତ। ଏହା ଓଡ଼ିଆଣୀ କୂଳବଧୁମାନଙ୍କର ଏକ ନିଆରା ପର୍ବ। କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ଖାଲକଟାପାଟଣା ଓ ଟିକନା ଗ୍ରାମର କୁଳବଧୂମାନେ ନିଜ ପରିବାରେର ଶୁଭ ମନାସି ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗା ଯାତକୁ ମହାଆଡ଼ମ୍ୱରରେ ପାଳନ କରିଥାନ୍ତି। ଘଞ୍ଚ ଜଙ୍ଗଲ ଓ ସମୁଦ୍ର କୂଳରେ ଏହି ଦୁଇଟି ଗ୍ରାମର ଅବସ୍ଥିତି ଥିବାରୁ ଜଙ୍ଗଲି ଜୀବଜନ୍ତୁଙ୍କ ଆକ୍ରମଣ ଓ ସମୁଦ୍ର ମାଡ଼ି ନ ଆସିବା ପ୍ରାର୍ଥନା ଓ କାମନା ନେଇ ଗ୍ରାମର କୂଳବଧୂମାନେ ମା’ ରାମଚଣ୍ଡୀଙ୍କ ନିକଟରେ  ହାଣ୍ଡିଭଙ୍ଗାଯାତକୁ ପୁରୁଷାନୁକ୍ରମେ ପାଳନ କରି ଆସୁଛନ୍ତି।    ଚଳିତ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ଶେଷ ଗୁରୁବାର ମେ ୧୯ ତାରିଖରେ ମା’ଙ୍କ ପୀଠରେ ଏହି ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ ଧୁମଧାମରେ ପାଳିତ ହୋଇଯାଇଛି। ମା’ଙ୍କ ପୀଠ ସଂଲଗ୍ନ ଟିକନା ଓ ଖାଲକଟାପାଟଣା ଗ୍ରାମର କୁଳବଧୂମାନେ ଏହି ପବିତ୍ର ଦିନରେ ଉପବାସ ବ୍ରତ କରି ଏକତ୍ର ହୁଳହୁଳି ପକାଇ ଗ୍ରାମରୁ ବାହାରି ଥିଲେ। ମା’ ରାମଚଣ୍ଡୀଙ୍କ ନିମନ୍ତେ କୂଳବଧୂମାନେ ଗାଧୁଆ ସଜ ଧରି ପବିତ୍ର ପୀଠରେ ପହଞ୍ଚିବା ପରେ ମା’ଙ୍କ ପୂଜକ ଗାଧୁଆ ନୀତି ସମ୍ପନ୍ନ କରିଥିଲେ। ପ୍ରତ୍ୟକ ମହିଳା ପରିଧାନ କରିଥିବା ନୂଆ ଲୁଗା କାନିରେ ବାନ୍ଧି ଆଣିଥିଲେ ହାଣ୍ଡିରନ୍ଧା ସାମଗ୍ରୀ। ମା’ଙ୍କ ମନ୍ଦିର ବେଢ଼ାରେ ପଶ୍ଚିମ ପାର୍ଶ୍ୱରେ ଥିବା ହାଣ୍ଡିରନ୍ଧା ଚୁଲାରେ ସମୂହ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା।   ମନ୍ଦିରର ପୂଜକ ଓ ମାଳି ମା’ଙ୍କ ରୋଷ ଘରଚୂଲାରୁ ଅଗ୍ନି ଆଣି ପ୍ରତ୍ୟକ ମହିଳାଙ୍କ ଚୁଲିରେ ଅଗ୍ନି ସଂଯୋଗ କରିବା ସହ ଖୀରି କୋଳି ଡାଙ୍ଗରେ ପ୍ରସ୍ତୁତ ଚଟୁ ଯୋଗାଇ ଦେବା ପରେ ମହିଳାମାନେ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ କରିଥିଲେ। ମାହିଳାମାନେ ଘରୁ ଆଣିଥିବା ଅରୁଆ ଚାଉଳ, ମୁଗ, ଚିନି, ଘିଅ ଓ ପରିବାକୁ ମିଶାଇ ନୂଆ ମାଟିହାଣ୍ଡିରେ ଖେଚୁଡ଼ି ପ୍ରସ୍ତୁତ କରିଥିଲେ। ଏହି ସମୟରେ ମା’ଙ୍କ ରୋଷଇ ଘରେ ପୂଜକ ମଧ୍ୟ ନୂଆ ମାଟିହାଣ୍ଡିରେ ଏପରି ଖେଚୁଡ଼ି ପ୍ରସ୍ତୁତ କରିବା ପରେ  ମା’ଙ୍କ ନିକଟରେ  ଭୋଗଲଗାଇ ଥିଲେ। ଏହାପରେ ହାଣ୍ଡିରନ୍ଧା ଖେଚୁଡ଼ିକୁ ପୂଜକ ଓ ମହିଳାମାନେ କଦଳୀ ପତ୍ରରେ ବାଢିଥିଲେ। ଖେଚୁଡ଼ିର ସିଂହଭାଗ ଅଂଶକୁ ଦୁଇଟି ବାଟୁଳା କରି ବାଘ ଓ ବାଘୁଣୀଙ୍କ ନିମନ୍ତେ ହାଣ୍ଡିରେ ରଖିବା ପରେ ଅବଶିଷ୍ଟ ଖେଚୁଡ଼ିକୁ ସେବନ କରିଥିଲେ।   ସେବନ କରିବା ପରେ ବଳକା ଖେଚୁଡ଼ି ହାଣ୍ଡିକୁ ଧରି ପୂଜକ ହାଣ୍ଡିଭଙ୍ଗା ବନ୍ତ ଅଭିମୁଖେ ଆଗେ ଆଗେ ଯିବା ବେଳେ ମହିଳାମାନେ ନିଜ ନିଜ ହାଣ୍ଡିକୁ ଧରି ନିରବତା ଅବଲମ୍ୱନ କରି ତାଙ୍କୁ ଅନୁସରଣ କରିଥିଲେ। ମା’ଙ୍କ ମନ୍ଦିରର ପଶ୍ଚିମ-ଉତ୍ତର କୋଣର ୨୦୦ ମିଟର ଦୂରରେ ଥିବା ହାଣ୍ଡିଭଙ୍ଗା ବନ୍ତରେ ପହଞ୍ଚି ଏହି ବନ୍ତକୁ ସାତଥର ପ୍ରଦିକ୍ଷଣ କରିବା ପରେ ବନ୍ତ ଚୂଡ଼ାରେ ଥିବା ଶିଳା ଉପରେ ହାଣ୍ଡିକୁ କଚାଡ଼ି ଭାଙ୍ଗିଥିଲେ। ଏହାପରେ ମହିଳାମାନେ ଏକ ମୁହାଁ ହୋଇ ୩୦୦ ମିଟର ଦୂରରେ ଥିବା ହାତଧୁଆ ଝରଣାରେ ହାତ ଧୋଇ ଗ୍ରାମଦେବତୀ ଖାଲକୋଠୀଙ୍କୁ ମୁଣ୍ଡିଆମାରି ଘରକୁ ଫେରିଥିଲେ। ଯେଉଁ ମହିଳାଙ୍କ ହାଣ୍ଡିର ମୁଣ୍ଡୁଳି ଭାଙ୍ଗି ନଥାଏ ସଂପୃକ୍ତ ମହିଳା ନିଜ ପରିବାରରେ କୌଣସି ଅମଙ୍ଗଳ ନ ହେବା ପାଇଁ ରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ ପରଦିନ ପ୍ରତ୍ୟୁଷରେ ମା’ଙ୍କ ପାଖରେ ଗୁହାରିଆ ପଡ଼ିବାର ବିଧି ରହିଛି।   ଏହି ଅବସରରେ ବିଶ୍ୱ ଶାନ୍ତି ନିମନ୍ତେ ମା’ଙ୍କ ନିକଟରେ ଚଣ୍ଡି ମହାଯଜ୍ଞ ଆୟୋଜିତ ହୋଇଥିବା ବେଳେ ଗୁରୁବାର ପ୍ରତ୍ୟୁଷରେ ମା’ ରାମଚଣ୍ଡୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଇଥିଲା। ମା’ ରାମଚଣ୍ଡୀଙ୍କର ମହାଲକ୍ଷ୍ମୀ ବେଶ ଓ ହାଣ୍ଡିଭଙ୍ଗା ଯାତକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦିନ ତମାମ ଲାଗିରହିଥିଲା। ମା’ ରାମଚଣ୍ଡୀ ଉନ୍ନୟନ କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏତଦ ବ୍ୟତିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାତିରେ ବାଣେଶ୍ୱରୀ ଗଣନାଟ୍ୟ ପକ୍ଷରୁ ଯାତ୍ରା ପ୍ରଦର୍ଶୀତ ହେବାର କାର୍ଯ୍ୟକ୍ରମ ରହିଛି।

Share :