ବେଇମାନ କିଏ? ଓଡ଼ିଆ କେବେ?

ବେଇମାନ କିଏ? ଓଡ଼ିଆ କେବେ?

Share :

ଦେବେନ୍ଦ୍ର ପୃଷ୍ଟି   ଓଡ଼ିଆ ଲୋକମାନେ ହୀନମନ୍ୟ ହୋଇ ନଥିଲେ କଦାଚିତ ଏପରି ହୋଇ ନଥାନ୍ତା। ଯେଉଁ ଭାଷା ଭିତ୍ତିରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଲା ସେହି ଭାଷା ସ୍ବତନ୍ତ୍ର ପ୍ରଦେଶ ଗଠନର ୮୦ ବର୍ଷ ପରେ ମଧ୍ୟ ରାଜ୍ୟର ସରକାରୀ ଭାଷା ନହେବାର ଦୋଷ କେବଳ କୌଣସି ବ୍ୟକ୍ତି ବା ବ୍ୟବସ୍ଥାର ନୁହେଁ, ଏହା ଓଡ଼ିଆଙ୍କର ସାମୂହିକ ବିଫଳତାର ପରିଚୟ। ଓଡ଼ିଆ ଲୋକମାନେ ଅନ୍ୟ ରାଜ୍ୟ ବା ଅନ୍ୟ ଦେଶରେ ଯେମିତି ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରନ୍ତି ଓଡ଼ିଶା ଭିତରେ ସେହିପରି ଓଡ଼ିଆ ଭାଷା ପରିବର୍ତ୍ତେ ଇଂରାଜୀ ବା ହିନ୍ଦୀରେ କଥା ହେବାକୁ ଜ୍ଞାନ ଓ ଗର୍ବର କଥା ଭାବେ ଗ୍ରହଣ କରନ୍ତି।   ଓଡ଼ିଆ ଲୋକମାନେ ସରକାରଙ୍କ ଇଂରାଜୀକୁ ସହ୍ୟ କରୁଛନ୍ତି। ସରକାରଙ୍କୁ ଓଡ଼ିଆ ପଢ଼େଇବା ଛାଡ଼ି ନିଜ ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି। ନିଜ ଗଳିରେ ବି ନିଜ ଭାଷା ବଦଳରେ ଭୁଲ ଇଂରାଜୀ ଓ ହିନ୍ଦୀରେ ଡାଇଲଗ୍ ମାରନ୍ତି। ନିଜ ଘର କାନ୍ଥରେ ବା ଗେଟରେ ନିଜ ଘରର ନାଁ ଇଂରାଜୀରେ ଲେଖନ୍ତି। ନିଜ ପିଲାଙ୍କ ବିବାହବ୍ରତାଦି ପାଇଁ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛାପନ୍ତି। ନିଜ ପିଲାଙ୍କ ଡାକ ନାଁ ଇଂରାଜୀରେ ଦିଅନ୍ତି। କୁକୁରଙ୍କ ନାଁ ବି ସେଇ ଭାଷାରେ ଦିଆଯାଏ। ଯିଏ ଓଡ଼ିଆଙ୍କର ପ୍ରକୃତ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଉଦ୍ୟମ କରନ୍ତି ତାଙ୍କୁ ଏ ଜାତି ଅବହେଳା କରେ, ଯିଏ ବାହ୍ୟ ଚାକଚକ୍ୟ ଦେଖେଇ ହୋଇ ମନ ଭୁଲାଣିଆ କଥା କହେ ତା’କୁ ଜନନାୟକର ଆସନ ଦିଏ।   ଓଡ଼ିଆ ଜାତିର ପ୍ରକୃତ ବିକାଶ ଚାହୁଁଥିଲେ ଋଷି ପ୍ରତିମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ଲକ୍ଷଲକ୍ଷ ଗରୀବ ଓ ଭୂମିହୀନ ଓଡ଼ିଆଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ସେ ପ୍ରଣୟନ କରିଥିଲେ ଓଡ଼ିଶା ଭୂସଂସ୍କାର ଆଇନ ଓ ଓଡ଼ିଶା ଭାଷା ଆଇନ। କିନ୍ତୁ ଏହି ଦୁଇ ଆଇନର କାର୍ଯ୍ୟକାରିତା ଭଣ୍ଡୁର କରିବା ପାଇଁ ତାଙ୍କ ବିରୋଧରେ ତିତ୍କାଳୀନ କଂଗ୍ରେସର ଗୁଣ୍ଡା ବାହିନୀ ଲାଗି ପଡ଼ିଲେ ଓ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ। ସେଥିରେ ସେ ଜିତିଥିଲେ ବି ସ୍ବାଭିମାନୀ ଓ ସାଧୁ ପୁରୁଷ ନବକୃଷ୍ଣ ଏହା ପରେ ନିଜ ଆଡ଼ୁ ପଦତ୍ୟାଗ କରି ସନ୍ନ୍ୟାସ ନେଲେ। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ହେଲେ ହରେକୃଷ୍ଣ ମହତାବ। ତା’ ପୂର୍ବ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଥିଲେ ମହତାବଙ୍କର ପରମ ଶିଷ୍ୟ। ତାଙ୍କର ସାହାଯ୍ୟ ଓ ସହଯୋଗକ୍ରମେ ବିଜୁବାବୁ ନିଜର ଏକ ଶିଳ୍ପ ସାମ୍ରାଜ୍ୟ ସୃଷ୍ଟି କରିଥିଲେ। ହରେକୃଷ୍ଣ ମୁଖ୍ୟମନ୍ତ୍ରୀ ହେବା ପରେ ବିଜୁବାବୁ ବୋଧହୁଏ, ଆଉ ଥରେ ପଢ଼ନ୍ତୁ, ବୋଧହୁଏ ନିଜ ଶିଳ୍ପ ଓ ସ୍ବାର୍ଥର ସାମ୍ରାଜ୍ୟ ତ୍ବରିତ ବେଗରେ ସଂପ୍ରସାରଣ କରିବାକୁ ଚାପ ପକାଇଥିବେ। କିନ୍ତୁ ଡକ୍ଟର ମହତାବ ଗାଁର ଲୋକ ହୋଇଥିବାରୁ କୃଷି ଓ ଜଳସେଚନ ଉପରେ ଗୁରୁତ୍ବ ଦେଇଥିବେ।   ଏହା ପର କଥା ଇତିହାସ। ମହତାବଙ୍କ ନେତୃତ୍ବ ବିରୋଧରେ ବିଜୁବାବୁ ବିଦ୍ରୋହ କଲେ ଓ ନେହରୁଙ୍କୁ ପ୍ରଭାବିତ କରି ନିଜେ ପ୍ରଦେଶ କଂଗ୍ରେସ ସଭାପତି ହେଲେ। ନିର୍ବାଚନରେ କଂଗ୍ରେସ ପାର୍ଟିର ପ୍ରଚାର ପାଇଁ ବିଜୁବାବୁ ନିଜ ଟଙ୍କା ଖଟେଇଲେ ଓ ତା’ପରେ ମୁଖ୍ୟମନ୍ତ୍ରୀ ହେଲେ। ସେ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶାର ଭାଷା ଆଇନ ଓ ଭୂସଂସ୍କାର ଆଇନ ଚୁଲିକୁ ଗଲା। ଓଡ଼ିଶା ବିଧାନସଭାରେ ଓଡ଼ିଆ ଭାଷା ସହିତ ଇଂରାଜୀ ପ୍ରଚଳନ କରିବାକୁ ତାଙ୍କରି ସମୟରେ ଚିଠା ନିୟମ ଚୂଡ଼ାନ୍ତ ହେଲା। ଓଡ଼ିଶାର କୃଷି ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିରେ ନିର୍ମାଣ ହେଲା ପାରାଦୀପ ବନ୍ଦର। କାମରାଜ ଯୋଜନାରେ ବିଜୁବାବୁ ଜାତୀୟ ରାଜନୀତି ଲୋଭରେ ପଡ଼ି ମୁଖ୍ୟମନ୍ତ୍ରୀ ପଦତ୍ୟାଗ କଲେ ଏବଂ  ନିଜର ଖାସ୍ ଅନୁଗତ ବୀରେନ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ। ତାଙ୍କରି ଅମଳରେ ବିଜୁ କରିଥିବା ଭାଷା ନିୟମ କାର୍ଯ୍ୟକାରୀ ହେଲା ଓ ଓଡ଼ିଶା ବିଧାନସଭାରେ ଇଂରାଜୀ ପଶିଲା। ଏହା ଥିଲା ୧୯୬୭ ମସିହାର କଥା।   ୧୯୫୪ ମସିହାରେ ଓଡ଼ିଶା ବିଧାନସଭାରେ ପ୍ରଣୀତ ହୋଇଥିଲା ଭାଷା ଆଇନ। ଏହା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ କିଛି କିଛି ଆଦେଶନାମା ଜାରି ହୋଇଛି। ୧୯୮୫ ଓ ୧୯୯୫ ମସିହାର ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଏ ଦିଗରେ ଆନ୍ତରିକ ଉଦ୍ୟମ କରିଥିଲେ। କିନ୍ତୁ ଅନ୍ୟ ଉଦ୍ୟମଗୁଡ଼ିକ ଥିଲା ମନ ଭୁଲାଣିଆ।   ଆଜି ଭାରତବର୍ଷର ଏମିତି କୌଣସି ରାଜ୍ୟ ନାହିଁ ଯାହାର ନିଜର ସ୍ଥାନୀୟ ଭାଷା ସରକାରୀ ଭାଷା ନହୋଇ ରହିଛି। ଓଡ଼ିଆ ଭାଷା ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ବିତୀୟ ରାଜଭାଷାର ସ୍ବୀକୃତି ପାଇଲା ପରେ ମଧ୍ୟ ମୂଳ ଭୂଖଣ୍ଡରେ ଏହା ରାଜଭାଷା ନହେବା କାହାର ଦୋଷ? ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କର ନା ସେମାନଙ୍କୁ ଭୋଟ ଦେଉଥିବା ଲୋକଙ୍କର?   ଓଡ଼ିଆ ଲୋକେ ପିଠା, ଚୁଡ଼ା ଓ ମୁଢ଼ି ବଦରେ ଇଡଲି, ଉଥପମ ଓ ଦୋଷାକୁ ଯଦି ଲୋକପ୍ରିୟ ଜଳଖିଆ ଭାବେ ଗ୍ରହଣ କରିବେ, ଭାତ ଓ ଡାଲମା ବଦଳରେ ରୁଟି ଓ ତଡ଼କା ଖାଇବେ, କାନ୍ଥରେ ଝୋଟିଚିତା ପରିବର୍ତ୍ତେ ଡିସଟେମ୍ପର ରଙ୍ଗ ବୋଳିବେ, ପଞ୍ଚତନ୍ତ୍ର, ଲକ୍ଷ୍ମୀପୂରାଣ ଓ ଭାଗବତ ଛାଡ଼ି ଘରେ ଘରେ ଜେକେ ରୋଲିଙ୍ଗ ବା ସେହିପରି ଅନ୍ୟ କିଛି ପଢ଼ିବେ, ରଘୁନାଥ ପାଣିଗ୍ରାହୀ, ବାଳକୃଷ୍ଣ ଦାଶ ଓ ଅକ୍ଷୟ ମହାନ୍ତିଙ୍କୁ ଭୁଲି ସୋନୁ ନିଗମ ଓ ହନି ସିଂହଙ୍କୁ ଶୁଣିବେ...ତା’ହେଲେ କାହାକୁ କୁହାଯିବ ଏ ଜାତିର ସ୍ବାଭିମାନ ଓ ସଂସ୍କୃତି? ପ୍ରାଚୀନ ପରିଚୟ ନା ନୂତନ ଫେସନକୁ?   ଏଠାରେ ଓଡ଼ିଆ ଭାଷା ଆଇନ ସଂକ୍ରାନ୍ତରେ କେତେକ ସରକାରୀ ନଥି ସଂଯୁକ୍ତ ହେଲା। ଏଗୁଡ଼ିକୁ ଅନୁଧ୍ୟାନ କରନ୍ତୁ ଓ ଓଡ଼ିଶାର ନେତା ଓ ଅମଲାମାନଙ୍କର ନିଷ୍ଠା ଓ ଦକ୍ଷତାର ସମୀକ୍ଷା କରନ୍ତୁ। ସ୍ବତନ୍ତ୍ର ରାଜ୍ୟ ହେବାର ୮୦ ବର୍ଷ, ସ୍ବାଧୀନତାର ୬୯ ବର୍ଷ ଓ ଭାଷା ଆଇନର ୬୦ ବର୍ଷ ପରେ ମଧ୍ୟ ଯଦି ଏ ଆଇନ କାର୍ଯ୍ୟକାରୀ ନହୁଏ ଓ ତାହାର ଅନୁଧ୍ୟାନ ଓ ସଂଶୋଧନ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠିତ ହୁଏ ଏବଂ ଯେଉଁ କମିଟିର ବୈଠକ ଛଅ ଥର ବସିଲା ପରେ ବି ଆହୁରି ବୈଠକ ଦରକାର ହୁଏ ତେବେ ଏହାକୁ ସରକାରଙ୍କର କି ପ୍ରକାର ଦକ୍ଷତା କୁହାଯିବ? ପ୍ରତାରିତ କରିବାକୁ ଏହାଠାରୁ ଅଧିକ ଦକ୍ଷତା ଲୋଡ଼ା ନାହିଁ ନିଶ୍ଚୟ। ଆଉ ବେଇମାନଙ୍କୁ ଚିହ୍ନିବାର ଦକ୍ଷତା ଯେ ଓଡ଼ିଆଙ୍କର ଆଦୌ ନାହିଁ ତାହା ମଧ୍ୟ ସ୍ପଷ୍ଟ।                                    

Share :