ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କେବେ?

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କେବେ?

Share :

  ମରୁଡ଼ି ମୁକାବିଲା ସଂକ୍ରାନ୍ତ ଏକ ମୋକଦ୍ଦମାର ବିଚାର କରିବା ସମୟରେ ସୁପ୍ରିମ କୋର୍ଟ ଯେଉଁ ତଥ୍ୟ ଉଦଘାଟନ କରିଛନ୍ତି ତାହା ଅନେକ ବିଜ୍ଞ ଓ ବିଚକ୍ଷଣ ସାମ୍ବାଦିକଙ୍କ ପାଇଁ ମଧ୍ୟ ଏକ ଖବର ହେବାର ସାମର୍ଥ୍ୟ ରଖିଛି। ସରକାରମାନେ ଲୋକଙ୍କର ବାସ୍ତବ ସମସ୍ୟା ପ୍ରତି କେତେ ଉଦାସୀନ ତାହା ଏଇ ଗୋଟିଏ ତଥ୍ୟରୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଛି। ଲୋକମାନଙ୍କୁ ଭୁତେଇବା ଉଦ୍ଦେଶ୍ୟରେ ଅନେକ ସରକାର ଯେ ଅନେକ କିଛି ଘୋଷଣା କରିଥାନ୍ତି ତାହା ବୁଝିବା ଆଉ ଅସହଜ ହୋଇ ରହିନାହିଁ ବି। ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରି କହିଛନ୍ତି ୩ ମାସ ଭିତରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କର। ଏହାର ଅର୍ଥ ଏହି ପାଣ୍ଠି ଏଯାଏଁ ଗଠିତ ହୋଇନାହିଁ।   କିନ୍ତୁ ସୁପ୍ରିମ କୋର୍ଟ କାହିଁକି ଏପରି କହିଲେ। ସୁପ୍ରିମ କୋର୍ଟ କ’ଣ ସରକାର? ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ କ୍ଷମତାର ବଣ୍ଟୁଆରା ଅନେକ ଆଗରୁ ଭାରତର ସମ୍ବିଧାନ କରିସାରିଛି। ତେବେ କାର୍ଯ୍ୟନିର୍ବାହୀ ଲୋକଙ୍କ ପାଇଁ କ’ଣ କରିବ ସେନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାକୁ କିଏ? ସୁପ୍ରିମ କୋର୍ଟଙ୍କର ଏହିପରି କେତେକ ନିର୍ଦ୍ଦେଶ ନେଇ ବୋଧହୁଏ ବର୍ତ୍ତମାନର ମୋଦି ସରକାର ଉଦବିଗ୍ନ। ସେଥିପାଇଁ ସେଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ନ୍ୟାୟପାଳିକାର ଏପରି ସକ୍ରିୟତାକୁ ଅନୁପ୍ରବେଶ ବୋଲି କହି ସମାଲୋଚନା କଲେ।   କିନ୍ତୁ କୋର୍ଟ କାହିଁକି ଏମିତି କହିଲେ? କଥା ହେଉଛି କୋର୍ଟ ଏପରି କହିବା ପାଇଁ ସରକାର ହିଁ ସୁଯୋଗ ସୃଷ୍ଟି କରିଛନ୍ତି।   ଜାତୀୟ ବିପର୍ଯ୍ୟୟ ପାଣ୍ଠି ଗଠନ କଥା କୋର୍ଟଙ୍କ ମଗଜକୁ କାହିଁକି ଜୁଟିଲା? କାରଣ ସରକାର ଯାହା ୧୦ ବର୍ଷ ତଳେ କରିବେ ବୋଲି ଘୋଷଣା କରିଥିଲେ ତାହା ଏଯାଏଁ କରି ନାହାନ୍ତି। ସେଇ କଥା କୋର୍ଟଙ୍କ ଦୃଷ୍ଟିକୁ ଅଣାଯିବାରୁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୧୯୯୯ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ଯେଉଁ ମହାବାତ୍ୟା ବହି ଯାଇଥିଲା ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଆଖି ଖୋଲିବା ଭଳି ବିପର୍ଯ୍ୟୟ ଥିଲା। ସେହି ବାତ୍ୟାର ବିଭୀଷିକା ଏତେ ଭୟାନକ ଥିଲା ଯେ ଭବିଷ୍ୟତରେ ଏପରି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବହୁ ଅଲୋଚନା ଓ ପର୍ଯ୍ୟାଲୋଚନା ପରେ ୨୦୦୫ ମସିହାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କଲେ। ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଜାତୀୟ ସ୍ତରରେ ଏକ ମୁକାବିଲା ବାହିନୀ ଗଠତ ହେଲା। ରାଜ୍ୟଗୁଡ଼ିକ ମଧ୍ୟ ସେପରି ବାହିନୀ ଗଠନ କଲେ। ସେହିପରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିବାକୁ ମଧ୍ୟ ଆଇନରେ ବ୍ୟବସ୍ଥା ଥିଲା। ଅଥଚ ଆଜିଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ କେତେ ବିପର୍ଯ୍ୟୟ କ୍ଷତି ଘଟାଇ ଫେରିଗଲେଣି।   ସଂପ୍ରତି ସୃଷ୍ଟି ହୋଇଥିବା ମରୁଡ଼ି ପରିସ୍ଥିତି ନେଇ ମଧ୍ୟ ସୁପ୍ରିମ କୋର୍ଟ ସରକାରଙ୍କର ଏପରି ଉଦାସୀନ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି। ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସ୍ତରରେ ମରୁଡ଼ି ପରିସ୍ଥିତି ନେଇ ରାଜନୀତିକ ବିଚାରବିମର୍ଶ କି ଆଲୋଚନା ହେଉ ନାହିଁ। ଏଇ ନିକଟରେ ଶେଷ ହେଲା ଲୋକସଭାର ବଜେଟ ଅଧିବେଶନ। ସେଥିରେ ମରୁଡ଼ି ଉପରେ କେତେ ସମୟ ଆଲୋଚନା ହେଲା? କେବଳ ପାସିଂ ରିମାର୍କ ବା ଚଳମାନ ମନ୍ତବ୍ୟ ଭାବରେ କିଛି ସାଂସଦ ଏ ବିଷୟ ଉଠାଇଥିଲେ। ପୂର୍ଣ୍ଣ ଆଲୋଚନା ହେଲା ନାହିଁ। ଅଥଚ ସରକାର କହୁଛନ୍ତି ଦେଶର ଏକ ଚତୁର୍ଥାଂଶ ଲୋକ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗଣମାଧ୍ୟମରେ ମଧ୍ୟ ଆଇପିଏଲ ନେଇ ଯେତେ ରିପୋର୍ଟ ମରୁଡ଼ି ନେଇ ସେତେ ନାହିଁ।   ଏଭଳି ସ୍ଥିତିର ସୁପ୍ରିମ କୋର୍ଟ ଏକ ମାମଲାର ବିଚାର କରି ମେ ୧୩ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ମରୁଡ଼ି ମୁକାବିଲା ଦିଗରେ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା ବା ଏମଜିଏନଆରଜିଏସ ଅଧୀନରେ ସମସ୍ତ ବକେୟା ଅନୁଦାନ ଯୋଗାଇ ଦେବା ସହିତ ମରୁଡ଼ି ଗ୍ରସ୍ତ ରାଜ୍ୟଗୁଡ଼ିକରେ ଚାଷୀମାନଙ୍କର ବାକି ଥିବା ସମସ୍ତ ମଜୁରୀ ମଧ୍ୟ ତୁରନ୍ତ ପ୍ରଦାନ କରିବାକୁ କୋର୍ଟ କେନ୍ଦ୍ରକୁ ତାଗିଦ କରିଛନ୍ତି। ସେହିପରି ୩ ମାସ ଭିତରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଗଠନ କରିବାକୁ ମଧ୍ୟ କୋର୍ଟ କେନ୍ଦ୍ର ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି।   ବିଚାରପତି ଏମବି ଲୋକୁର ଏବଂ ଏନଭି ରମଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ସରକାର ଅର୍ଥ ନାହିଁ ବୋଲି ଧୂଆଁ ଉଡ଼ାଇ ତା’ ପଛରେ ଲୁଚି ପାରିବେ ନାହିଁ। ସେହିପରି ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯେପରି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୁଏ ସେ ଦିଗରେ ତୁରନ୍ତ ଖାଦ୍ୟ କମିଶନର ନିଯୁକ୍ତ କରିବା ପାଇଁ ମଧ୍ୟ କୋର୍ଟ ରାଜ୍ୟ ସରକାରଗୁଡ଼ିକୁ ନିଦ୍ଦେର୍ଶ ଦେଇଛନ୍ତି। ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ତୁରନ୍ତ ଜାତୀୟ ନିଶ୍ଚିତ ନିଯୁକ୍ତି ପରିଷଦ ଗଠନ କରିବାକୁ ମଧ୍ୟ ଖଣ୍ଡପୀଠ କେନ୍ଦ୍ରକୁ ନିଦ୍ଦେର୍ଶ ଦେଇଛନ୍ତି। ମରୁଡ଼ି ଗ୍ରସ୍ତ ଅଂଚଳରେ ଫସଲହାନୀ ପାଇଁ ତୁରନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   ସଂସଦରେ ଗୃହୀତ ହୋଇଥିବା ଆଇନ ପାଳନ କରିପାରିବେ ନାହିଁ ବୋଲି ରାଜ୍ୟଗୁଡ଼ିକ ବାହାନା ବନେଇ ପାରିବେ ନାହିଁ। ଆଇନର ଶାସନରେ ସମସ୍ତେ ବନ୍ଧା। ରାଜ୍ୟଗୁଡ଼ିକ ସେଥିରୁ ବାଦ ଯାଇପାରିବେ ନାହିଁ ବୋଲି କୋର୍ଟ କଡ଼ା ଭାଷାରେ କହିଛନ୍ତି। ମରୁଡ଼ିଗ୍ରସ୍ତ ଅଂଚଳରେ ଗ୍ରୀଷ୍ମ ଋତୁ ସାରା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅବ୍ୟାହତ ରଖିବାକୁ ମଧ୍ୟ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମରୁଡ଼ି ପରିସ୍ଥିତିର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ତଦାରଖ କରିବା ଦିଗରେ କୋର୍ଟ କୌଣସି କମିଶନ ଗଠନ କରିବେ ନାହିଁ ଖଣ୍ଡପୀଠ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି।   ମରୁଡ଼ି ମୁକାବିଲା ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକ ଓଟପକ୍ଷୀ ଭଳି ବ୍ୟବହାର କରୁଛନ୍ତି ଓ କେନ୍ଦ୍ର ମଧ୍ୟ ଦାୟିତ୍ୱ ଖସାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୌଣସି ପ୍ରକାର ପ୍ରାକୃତିକ ସଂକଟ ସମୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଯଦି ଉପଯୁକ୍ତ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ତେବେ କୋର୍ଟ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ବିଚାର କରିବେ। କିନ୍ତୁ କୋର୍ଟ ପାଇଁ ମଧ୍ୟ ଏକ ଲକ୍ଷ୍ମଣରେଖା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ମରୁଡ଼ି ମୁକାବିଲା ପାଇଁ ଏଯାଏଁ କୌଣସି ଜାତୀୟ ଯୋଜନା ପ୍ରସ୍ତୁତ ହୋଇନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ମସିହାରେ ପ୍ରଣୀତ ହୋଇଥିଲେ ମଧ୍ୟ ଏଯାଏଁ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଗଠିତ ନହେବା ଘଟଣାରେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସଂପ୍ରତି ଦେଶର ଏକ ଚତୁର୍ଥାଂଶ ଲୋକ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିବାର ଆସନ୍ତା ୩ ମାସ ଭିତରେ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଗଠନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି।   ସ୍ୱରାଜ ଅଭିଯାନ ନାମକ ଏକ େସ୍ୱଚ୍ଛାସେବୀ ସଂସ୍ଥାର ଆବେଦନ ଉପରେ ବିଚାର କରି କୋର୍ଟ ଏହିସବୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଓଡ଼ିଶା ଓ ଛତିଶଗଡ଼ ଭଳି ଦେଶର ୧୨ଟି ରାଜ୍ୟ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଦର୍ଶାଇ ଏହି ବେସରକାରୀ ସଂସ୍ଥା ଏ ଦିଗରେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟଗୁଡ଼ିକ କୌଣସି ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ କରିଥିଲା।

Share :