ଗୋଟିଏ ଗାଁରେ ଗୋଟିଏ ନାଁରେ ଦୁଇଟି ସ୍କୁଲ

ଗୋଟିଏ ଗାଁରେ ଗୋଟିଏ ନାଁରେ ଦୁଇଟି ସ୍କୁଲ

Share :

  କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ଗୋଟିଏ ଗାଁରେ ଗୋଟିଏ ନାଁରେ ଦୁଇଟି ବିଦ୍ୟାଳୟ ରହିଛି। ଗାଟିଏ ବିଦ୍ୟାଳୟ ଚାଲୁଥିବାବେଳେ ମରାମତି ଅଭାବରୁ ଜରାଜୀର୍ଣ୍ଣ। ଅଥଚ ଆର ବିଦ୍ୟାଳୟଟି ଦୀର୍ଘ ପାଂଚବର୍ଷ ହେଲା ବନ୍ଦ। କିନ୍ତୁ ଏହି ବନ୍ଦ ସ୍କୁଲର ଘର ଅଛି ଓ ସବୁ ସରକାରୀ ସୁବିଧା ଉପଲବ୍ଧ। କାହା ସ୍ବାର୍ଥରେ ଏମିତି ହେଉଛି ତାହା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।   ଧର୍ମଗଡ ବ୍ଲକର ମୁଖିଗୁଡା  ଗ୍ରାମରେ ୧୮.୧୦.୧୯୫୫ ମସିହାରେ ପ୍ରତିଷ୍ଟିତ ଏକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପୁଣି ଉକ୍ତ ବିଦ୍ୟାଳୟ ନାମରେ (୧୮.୧୦.୧୯୫୫ ମସିହାରେ ପ୍ରତିଷ୍ଠିତ) ଆଉ ଏକ  ବିଦ୍ୟାଲୟ ୧ କି.ମି ଦୂର କାଟିକୁରଲିଆ ପଡା (ମୁଖିଗୁଡା)ଠାରେ  ଦୀର୍ଘ ପାଂଚ ବର୍ଷ ହେଲା ଖୋଲା ଯାଇଛି। ଦୁଇ ବର୍ଷ  ହେବ  ପୁଣି ସେଠାରେ ଆଉ ଏକ ଅତିରିକ୍ତ ଶ୍ରେଣୀ କୋଠରୀ ମଧ୍ୟ  ନିର୍ମାଣ କରାଯାଇଛି। ବିଦ୍ୟାଳୟ ପରିସରରେ ନଳକୂପ, ପରିଶ୍ରାଗାର ଓ ରୋଷେଇଘର  ମଧ୍ୟ ତିଆରି କରାଯାଇଛି।   ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ଦେଖା ନ ଥିବାରୁ ଦୀର୍ଘ ପାଂଚ ବର୍ଷ ହେଲା ତାଲା ଝୁଲୁଥିବା ଲୋକେ ଅଭିଯୋଗ କରିଛନ୍ତି।   ସୂଚନାଯୋଗ୍ୟ ଯେ ଜିଲ୍ଲାର ଅନେକ ବିଦ୍ୟାଳୟରେ ଶ୍ରେଣୀ କୋଠରୀର ଅଭାବ ଓ ବିଦ୍ୟାଳୟ ନଥିବା ଯୋଗଁୁ  କେତେବେଳେ ସ୍କ‌୍‍ୁଲ ବରଣ୍ଡାରେ, ଗଛତଳେ ତ କେତେବେଳେ ଖୋଲା ଆକାଶ ତଳେ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ଯାଉଥିବା ଦୃଶ୍ୟ ପ୍ରତି ଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ହେଲେ ଉକ୍ତ ଗ୍ରାମରେ  ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସର୍ବଶିକ୍ଷା ଅଭିଯାନ ତରଫରୁ ଲକ୍ଷ ଲକ୍ଷ ଟଙ୍କାରେ ସ୍କ‌୍‍ୁଲ ବିଲିଡିଙ୍ଗ ତିଆରି କରାଯାଇ ତାଲା ବନ୍ଦ କରି ରଖାଯିବା ପଛରେ କାହାର ସ୍ବାର୍ଥ ଅଛି ତାହା ଅନୁସନ୍ଧାନ ସାପେକ୍ଷ। ବର୍ତ୍ତମାନ ସେହି ବିଦ୍ୟାଳୟରେ କିପରି ଭାବରେ ସମସ୍ତ ସରକାରୀ ସୁବିଧା ବର୍ଷକୁ ବର୍ଷ ଯୋଗାଇ ଦିଆଯାଉଛି ତାହା ମଧ୍ୟ ସନ୍ଦେହଜନକ।  ତଥାପି ଏନେଇ କୌଣସି ବିଭାଗୀୟ ଅଧିକାରୀଙ୍କ ନଜରରେ ନାହିଁ।    ଏଥିରୁ ସ୍ପଷ୍ଟ ଅନୁମେୟ ଯେ କୌଣସି ବିଭାଗୀୟ ଅଧିକାରୀ ଏହି ବିଦ୍ୟାଳୟ ପରିଦର୍ଶନରେ ଯାଉନାହାନ୍ତି। ବିଦ୍ୟାଳୟ ଆଖ ପାଖରେ ପୁଝାରୀ ପଡା, ଚଂଚରା ପଡା, ଭରଙ୍ଗାପଡା ଓ କାଟିକୁରଲିଆପଡା ରହିଛି। ଏହି ବିଦ୍ୟାଳୟରେ ଦୀର୍ଘ ପାଂଚବର୍ଷ ହେଲା ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀ ଙ୍କ ପାଠପଢା ସ୍ଥାନରେ ଲୋକେ ଗାଈଗୋରୁ, ଛେଳିମେଣ୍ଢାା ବାନ୍ଧୁଥିବା ପଡାର ଧନିରାମ ରାମଚଣ୍ଡି, ଘନଚରଣ ଚଣ୍ଡି, ଟୁକୁ ଚଣ୍ଡି, ମଙ୍ଗନିଆ ଚଣ୍ଡି, ଶ୍ୟାମଘନଚଣ୍ଡି ଓ  ସୁରେସ ଚଣ୍ଡି ପ୍ରମୁଖ ପ୍ରକାଶ କରିଛନ୍ତି।   ଏହି ପଡାର ଛାତ୍ରଛାତ୍ରୀମାନେ ଭଲ ଭାବରେ ପାଠପଢି ପାରୁ ନଥବା ବେଳେ କେବେ କେମିତି ବସ୍ତି ମୁଖିଗୁଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଲୟକୁ ପାଠ ପଢିବାକୁ ଗଲେ ଦେଢରୁ ଦୁଇ କି.ମି. ବୁଲିବାକୁ ପଡୁଥିବା ଅଭିଯୋଗ ହୋଇଛି।

Share :