ଲୋକଙ୍କ ଭରସା ତୁଲେଇବେ କି ରଙ୍ଗଲାଲ?

ଲୋକଙ୍କ ଭରସା ତୁଲେଇବେ କି ରଙ୍ଗଲାଲ?

Share :

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ବରିଷ୍ଠ ପ୍ରଶାସକ ରଙ୍ଗଲାଲ ଜାମୁଡ଼ାଙ୍କୁ ଖାଦ୍ୟ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି କମିଶନଙ୍କ ଅନ୍ୟ ଦୁଇ ସଦସ୍ୟ ଭାବେ ପୂର୍ବତନ କେନ୍ଦ୍ରାପଡ଼ା ବିଧାୟିକା ସିପ୍ରା ମଲ୍ଲିକ ଓ ପୂର୍ବତନ ସିବିଆଇ ସ୍ପେଶିଆଲ ଜଜ ମନୋଜ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ଘୋଷଣା ପରେ କମିଶନ କିପରି ସୁରୁଖୁରୁରେ ଓ ଆଇନଗତ ଭାବେ କାର୍ଯ୍ୟ କରିବେ ସେନଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି।   ଆଇନ ଅନୁସାରେ ଖାଦ୍ୟ କମିଶନ ୫ ଜଣିଆ ହେବା କଥା। କିନ୍ତୁ ରାଜ୍ୟ ସରକାର ଏହାକୁ ତିନି ଜଣିଆ କରିଛନ୍ତି। ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ରଙ୍ଗଲାଲ ଜାମୁଡ଼ା ଜଣେ ନିଷ୍ଠାପର, ସଚ୍ଚୋଟ ଓ ନିର୍ବିବାଦୀୟ ଅମଲା ଭାବେ ଖ୍ୟାତି ଅର୍ଜନ କରିଥିବାରୁ ତାଙ୍କଠାରୁ ହିତାଧିକାରୀମାନେ ଅଧିକ କିଛି ଆଶା କରିବା ସ୍ବାଭାବିକ। ବିଶେଷକରି ରାଜ୍ୟରେ ରାଜନୀତିକ ଦୃଷ୍ଟିକୋଣରୁ ଜାତୀୟ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମର ହିତାଧିକାରୀ ଚୟନ କରାଯାଇଥିବା ନେଇ ହଜାର ହଜାର ଅଭିଯୋଗ ରହିଛି। ଆଗକୁ ଆହୁରି ଏଭଳି ଅଭିଯୋଗ ଉଠିବା ଅସମ୍ଭବ ନୁହେଁ। ଅନେକ ସ୍ଥାନରେ ଧନୀ ଲୋକମାନେ ହିତାଧିକାରୀ କାର୍ଡ଼ ପାଇଥିବାବେଳେ ଅନେକ ସ୍ଥାନରେ ବାସ୍ତବ ଦରିଦ୍ର ବ୍ୟକ୍ତି ତାଲିକାରୁ ବାଦ ପଡ଼ିଛି। ରାଜ୍ୟରେ ଏହା ଏକ ରାଜନୀତିକ ବିବାଦରେ ପରିଣତ ହୋଇଛି। ଏପରି ସ୍ଥଳେ କମିଶନ କେତେ ନିରପେକ୍ଷ ଭାବେ କାର୍ଯ୍ୟ କରିବେ ତାହା ଆଗକୁ ଜଣାପଡ଼ିବ।   ୧୯୮୧ ବ୍ୟାଚ‍୍‌ ଆଇଏଏସ‌ ଶ୍ରୀ ଜାମୁଡ଼ା ନିକଟରେ ଅବସର ଗ୍ରହଣ କରିଛନ୍ତି। ଖାଦ୍ୟ ନିରାପତ୍ତା, ନୀତି ନିର୍ଦ୍ଧାରଣ ଓ କୃଷି ପ୍ରଶାସନ କ୍ଷେତ୍ରରେ ତାଙ୍କର ଢ଼େର ଅଭିଜ୍ଞତା ରହିଛି। ଏହାଛଡ଼ା ସେ ପୂର୍ବରୁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ବି ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି କେନ୍ଦ୍ର କୃଷି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ସଚିବ ଭାବେ ସେ ନିଜ ଦକ୍ଷତାର ପରିକାଷ୍ଠା ପ୍ରତିପାଦନ କରିଛନ୍ତି। ପୂର୍ବରୁ ସେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି। କୃଷି ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତାକୁ ଆଖିଆଗରେ ରଖି ରାଜ୍ୟ ସରକାର ଶ୍ରୀ ଜାମୁଡ଼ାଙ୍କୁ ଖାଦ୍ୟ କମିଶନର ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ମୁଖ୍ୟସଚିବ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ।   ସେହିପରି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ କମିଶନଙ୍କ ସଭ୍ୟ ଭାବେ ନିଯୁକ୍ତ କରାଯାଇଛି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଧାୟିକା ଥିଲେ। ଅପରପକ୍ଷରେ ଅନ୍ୟତମ ସଭ୍ୟ ଭାବେ ପୂର୍ବତନ ସିବିଆଇ ଜଜ ମନୋଜ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ସେ ଅବସର ନେଇଥିବାବେଳେ ଆଇନ‌, ମାନବିକ ଅଧିକାର ଓ ସାଧାରଣ ପ୍ରଶାସନ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଖାଦ୍ୟ କମିଶନଙ୍କ ଏହି ସଭ୍ୟ ଦ୍ୱୟଙ୍କୁ ଉନ୍ନୟନ କମିଶନର ପାଉଥିବା ସୁବିଧା ସୁଯୋଗ ମିଳିବ।   କମିଶନ ଅଧ୍ୟକ୍ଷ ଓ କମିଶନ ସଭ୍ୟ ନିଯୁକ୍ତି ପରେ ଖାଦ୍ୟ କମିଶନ ଗଠନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟରେ କିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ‌ ଠିକ ଭାବେ କାର୍ଯ୍ୟକାରୀ କରିବ ସେନେଇ କମିଶନ ତଦନ୍ତ କରିବେ। ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ସୂଚନା କମିଶନଙ୍କୁ ଖାଦ୍ୟ କମିଶନ ଦାୟିତ୍ୱ ଦେଇଥିବାବେଳେ ଡିଆରଡ଼ିଏ ପିଡ଼ିଙ୍କୁ ଅଭିଯୋଗ ଶୁଣାଣୀ ଅଧିକାରୀ ଭାବେ ନିଯୁକ୍ତ କରିଥିଲେ।

Share :