ସଭିଏଁ ପଢ଼ନ୍ତି ନାହିଁ, ସ୍କୁଲ ଯା’ନ୍ତି ନାହିଁ!

ସଭିଏଁ ପଢ଼ନ୍ତି ନାହିଁ, ସ୍କୁଲ ଯା’ନ୍ତି ନାହିଁ!

Share :

ସରକାରୀ ସ୍କୁଲରେ ମିଳୁଛି ମାଗଣା ବହି। ମାଗଣା ପୋଷାକ। ମାଗଣା ମଧ୍ୟାହ୍ନ ଭୋଜନ।   ତଥାପି, ଅନେକ ସ୍କୁଲରେ ପିଲା ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମ। ପିଲା କମୁଥିବା ସ୍କୁଲସଂଖ୍ୟା ଅବଶ୍ୟ ଆଦିବାସୀ ଅଂଚଳରେ ଅଧିକ। ସରକାରୀ କାରଣ ହେଲା ଜନ୍ମହାର କମୁଥିବାରୁ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି।   କିନ୍ତୁ ସରକାରଙ୍କର ଏହି ଦାବିର ଦମ୍ କେତେ? ସରକାର କ’ଣ ଆଗୁଆ ଅଧିକ ପିଲାଙ୍କ ପାଇଁ ସ୍କୁଲ କରିପକାଇଥିଲେ କି? ଯଦି ନୁହେଁ ତେବେ ଜନ୍ମହାର କମିବା ସହିତ ସ୍କୁଲ ଛାତ୍ରଛାତ୍ରୀ ସଂଖ୍ୟାର କି ସଂପର୍କ? ସହରଠାରୁ ଆଦିବାସୀ ବା ଅନୁନ୍ନତ ଅଂଚଳରେ କ’ଣ ଜନ୍ମହାର କମ? ସହରାଞ୍ଚଳ ସ୍କୁଲରେ ପିଲା ସଂଖ୍ୟା କମୁ ନଥିବାବେଳେ ଗ୍ରାମାଞ୍ଚଳରେ କାହିଁକି କମୁଛି? ଏହା ଉପରେ ସରକାର ଗମ୍ଭୀରତାର ସହିତ ଗବେଷଣା କରିବା କଥା। ତା’ହେଲେ ଯାଇଁ ସମସ୍ୟାର ସମାଧାନ ହୋଇପାରେ। ନହେଲେ କେବଳ ମଧ୍ୟାହ୍ନ ଭୋଜନ ଓ ପୋଷାକାଦି ପାଣ୍ଠି ହଡ଼ପ କରିବାକୁ ସ୍କୁଲଗୁଡ଼ିକରେ ପିଲାଙ୍କ ସଂଖ୍ୟା ବଢ଼ିଯାଇ ପାରେ।   ଓଡ଼ିଶାରେ ଏପରି ଉଦାହରଣ କମ ନୁହେଁ। ମଧ୍ୟାହ୍ନ ଭୋଜନ ବାବଦରେ ଅଧିକ ପାଣ୍ଠି ବା ସାମଗ୍ରୀ ପାଇବାକୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ପିଲା ଦର୍ଶାଇଥାନ୍ତି। ସ୍କୁଲରେ ୫୦ ପିଲା ପଢ଼ୁଥିଲେ ୧୦୦ ଦର୍ଶାଇ ଅଧିକ ଜିନିଷ ଓ ପାଣ୍ଠି ଉଠାଯାଏ। ଏହି ଅଧିକ ଅର୍ଥ ବା ସାମଗ୍ରୀକୁ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ବାଟରେ ଚଳୁ କରିଥାନ୍ତି। ଏମିତିରେ ଅନେକ ସ୍କୁଲରେ ପିଲା ସଂଖ୍ୟା ଅଧିକ ହୋଇଯାଏ। ତେବେ ଆଦିବାସୀ ଓ ଅନୁନ୍ନତ ଅଂଚଳର ସ୍କୁଲଗୁଡ଼ିକରେ କାହିଁକି ପିଲା ସଂଖ୍ୟା କମୁଛି ତାହା ନିଶ୍ଚୟ ଏକ ଗମ୍ଭୀର ବିଷୟ। ସେଠାରେ ବୋଧହୁଏ ମାଗଣା ଖାଇବାକୁ କିମ୍ବା ପିଲାଙ୍କ ନାଁରେ ପାଣ୍ଠି ହଡ଼ପ କରିବାକୁ ଲୋକଙ୍କ ଆଗ୍ରହ କମ।   ସହର ଓ ବିକଶିକ ଅଂଚଳରେ ସରକାରୀ ସ୍କୁଲରେ ଉନ୍ନତ ମାନର ଉପଯୁକ୍ତ ଶିକ୍ଷା ସେବା ମିଳୁ ନଥିବାରୁ ଅଧିକାଂଶ ପିଲା ଘରୋଇ ସ୍କୁଲରେ ଭର୍ତ୍ତି ହେଉଛନ୍ତି। ଘରୋଇ ସ୍କୁଲରେ ମାଗଣା ଭୋଜନ ନାହିଁ କି ମାଗଣା ପୋଷାକ ନାହିଁ। ବହି ମଧ୍ୟ ମାଗଣା ନୁହେଁ। ଓଲଟି ମାସକୁ ମାସ ଟ୍ୟୁସନ ଫି ଅଛି। ଏହା ସତ୍ତ୍ବେ ଅଭିଭାବକମାନେ ଘରୋଇ ସ୍କୁଲ ଉପରେ କାହିଁକି ଆସ୍ଥା ସ୍ଥାପନ କରୁଛନ୍ତି? ଏହା ସରକାରୀ ଶିକ୍ଷା ବିଭାଗର ନେତା ଓ ବାବୁଙ୍କ ଆତ୍ମସମ୍ମାନକୁ ବାଧୁନି କାହିଁକି? ସର୍ବଶିକ୍ଷା ଅଭିଯାନରେ ଗତ ୧୫ ବର୍ଷ ଭିତରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଏପରି ଅବସ୍ଥା କାହିଁକି?   ବିଧାନସଭାର ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟର ୪୯୦୦ ବିଦ୍ୟାଳୟରେ ୨୦ରୁ କମ‌ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ୨୨୧୨୮ ପ୍ରାଥମିକ ବିଦ୍ୟାଳୟରେ ୫୦ରୁ କମ‌ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ଏଭଳି ସ୍ଥିତି ପରିଲକ୍ଷିତ ହେଉଥିବାବେଳେ ଜନ୍ମହାର କମ‌ ଯୋଗୁଁ ସ୍କୁଲ‌ଗୁଡ଼ିକରେ ପିଲାଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି ବୋଲି ସରକାର ଦର୍ଶାଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ୫୮୮ ସ୍କୁଲ‌ରେ ୫୦ରୁ କମ‌ ପିଲା ପଢ଼ୁଥିବାବେଳେ ସେଥିମଧ୍ୟରୁ ୯୦ ସ୍କୁଲ‌ରେ ୨୦ରୁ କମ‌ ପିଲା ପଢ଼ୁଛନ୍ତି। ସେହିପରି ବାଲେଶ୍ୱରରେ ୪୦୬ ସ୍କୁଲ‌ରେ ୫୦ରୁ କମ‌ ଓ ୧୮ ସ୍କୁଲ‌ରେ ୨୦ରୁ କମ‌, ବରଗଡ଼ରେ ୬୪୯ ସ୍କୁଲ‌ରେ ୫୦ରୁ କମ‌ ଓ ୧୭୭ ସ୍କୁଲ‌ରେ ୨୦ରୁ କମ‌ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜାଣିବାକୁ ମିଳିଛି।   ଅପରପକ୍ଷରେ ଭଦ୍ରକର ୫୧୨ ସ୍କୁଲ‌ରେ ୫୦ରୁ କମ‌ ପିଲା ପଢ଼ୁଥିବାବେଳେ ୬୪ ସ୍କୁଲ‌ରେ ୨୦ରୁ କମ‌, ବଲାଙ୍ଗୀରରେ ୭୬୧ ସ୍କୁଲ‌ରେ ୫୦ରୁ କମ‌ ଓ ୧୪୮ରୁ କମ‌, ବୌଦ୍ଧରେ ୩୮୩ ସ୍କୁଲ‌ରେ ୫୦ରୁ କମ‌ ଓ ୧୦୪ ସ୍କୁଲ‌ରେ ୨୦ରୁ କମ‌ ପିଲା ପଢ଼ୁଛନ୍ତି। କଟକର ୯୪୩ ସ୍କୁଲ‌ରେ ୫୦ରୁ କମ‌ ପିଲା ପଢ଼ୁଥିବାବେଳେ ସେଥିମଧ୍ୟରୁ ୨୨୧ରେ ୨୦ରୁ କମ‌, ଦେବଗଡ଼ର ୨୭୯ରେ ୫୦ରୁ କମ‌ ଓ ୮୫ରେ ୨୦ରୁ କମ‌, ଢେଙ୍କାନାଳର ୫୪୮ ସ୍କୁଲ‌ରେ ୫୦ରୁ କମ‌ ଓ ୧୨୦ ସ୍କୁଲ‌ରେ ୨୦ରୁ କମ‌, ଗଜପତିରେ ୭୬୦ ସ୍କୁଲ‌ରେ ୫୦ରୁ କମ‌ ଓ ୩୨୦ରେ ୨୦ରୁ କମ‌, ଗଞ୍ଜାମରେ ୧୩୦୬ ସ୍କୁଲ‌ରେ ୫୦ରୁ କମ‌ ଓ ୨୮୮ ସ୍କୁଲ‌ରେ ୨୦ରୁ କମ‌ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡ଼ିଛି।   ସେହିପରି ଜଗତସିଂହପୁର ଜିଲ୍ଲାର ୭୪୯ ସ୍କୁଲ‌ରେ ୫୦ରୁ କମ‌ ଓ ସେଥିମଧ୍ୟରୁ ୨୩୬ ସ୍କୁଲ‌ରେ ୨୦ରୁ କମ‌ ପିଲା ପାଠ ପଢ଼ୁଛନ୍ତି। ଅପରପକ୍ଷରେ ଯାଜପୁରରେ ୬୧୬ ସ୍କୁଲ‌ରେ ୫୦ରୁ କମ‌ ଓ ୬୦ ସ୍କୁଲ‌ରେ ୨୦ରୁ କମ‌, ଝାରସୁଗୁଡ଼ାରେ ୨୯୪ ସ୍କୁଲ‌ରେ ୫୦ରୁ କମ‌ ଓ ୮୮ ସ୍କୁଲ‌ରେ ୨୦ରୁ କମ‌, କଳାହାଣ୍ଡିର ୯୨୮ରେ ୫୦ରୁ କମ‌ ଓ ୧୪୭ ସ୍କୁଲ‌ରେ ୨୦ରୁ କମ‌ ପିଲା ଅଧ୍ୟୟନ କରୁଛନ୍ତି। ସେହିପରି କନ୍ଧମାଳର ୧୦୪୨ ସ୍କୁଲ‌ରେ ୫୦ରୁ କମ‌, ୩୮୪ ସ୍କୁଲ‌ରେ ୨୦ରୁ କମ‌, କେନ୍ଦ୍ରାପଡ଼ାର ୬୭୯ ସ୍କୁଲ‌ରେ ୫୦ରୁ କମ‌ ଓ ୮୭ କମ‌, କେନ୍ଦୁଝରର ୮୫୯ ସ୍କୁଲ‌ରେ ୫୦ରୁ କମ‌ ଓ ୭୧ ସ୍କୁଲ‌ରେ ୨୦ରୁ କମ‌, ଖୋର୍ଦ୍ଧାର ୫୧୯ ସ୍କୁଲ‌ରେ ୫୦ରୁ କମ‌ ଓ ୧୦୦ ସ୍କୁଲ‌ରେ ୨୦ରୁ କମ‌, କୋରାପୁଟର ୧୧୯୦ ସ୍କୁଲ‌ରେ ୫୦ରୁ କମ‌ ଓ ୨୩୮ ସ୍କୁଲ‌ରେ ୨୦ରୁ କମ‌ ପିଲା ଅଧ୍ୟୟନ କରୁଛନ୍ତି।   ମାଲକାନାଗିରିର ୫୯୮ ସ୍କୁଲରେ ୫୦ରୁ କମ‌ ପିଲା ପଢ଼ୁଥିବାବେଳେ ୬୮ ସ୍କୁଲ‌ରେ ୨୦ରୁ କମ‌ ପିଲା ପଢ଼ୁଛନ୍ତି। ମୟୂରଭଞ୍ଜର ୧୬୯୮ ସ୍କୁଲ‌ରେ ୫୦ରୁ କମ‌ ଓ ୨୨୩ ସ୍କୁଲରେ ୨୦ରୁ କମ‌, ନବରଙ୍ଗପୁରର ୫୭୩ ସ୍କୁଲ‌ରେ ୫୦ରୁ କମ‌ ଓ ୩୯ ସ୍କୁଲ‌ରେ ୨୦ରୁ କମ‌ ପିଲା ପାଠ ପଢ଼ୁଛନ୍ତି। ନୟାଗଡ଼ରେ ୪୯୪ ସ୍କୁଲ‌ରେ ୫୦ରୁ କମ‌ ଓ ୧୩୧ ସ୍କୁଲ‌ରେ ୨୦ରୁ କମ‌, ନୂଆପଡ଼ାରେ ୪୦୨ ସ୍କୁଲ‌ରେ ୫୦ରୁ କମ‌ ଓ ୧୧୭ ସ୍କୁଲ‌ରେ ୨୦ରୁ କମ‌, ପୁରୀରେ ୮୬୩ ସ୍କୁଲ‌ରେ ୫୦ରୁ କମ‌ ଓ ୨୦୪ ସ୍କୁଲ‌ରେ ୨୦ରୁ କମ‌, ରାୟଗଡ଼ାର ୧୨୦୫ ସ୍କୁଲ‌ରେ ୫୦ରୁ କମ‌ ଓ ୪୧୬ ସ୍କୁଲ‌ରେ ୨୦ରୁ କମ‌, ସମ୍ୱଲପୁରରେ ୬୮୨ ସ୍କୁଲ‌ରେ ୫୦ରୁ କମ‌ ଓ ୨୦୬ ସ୍କୁଲ‌ରେ ୨୦ରୁ କମ‌, ସୋନପୁରରେ ୪୫୭ ସ୍କୁଲ‌ରେ ୫୦ରୁ କମ‌ ଓ ୧୩୬ ସ୍କୁଲ‌ରେ ୨୦ରୁ କମ‌ ଏବଂ ସୁନ୍ଦରଗଡ଼ର ୧୧୩୫ ସ୍କୁଲ‌ରେ ୫୦ରୁ କମ‌ ଓ ୩୧୮ ସ୍କୁଲ‌ରେ ୨୦ରୁ କମ‌ ପିଲା ପାଠପଢ଼ୁଥିବା ଜଣାପଡ଼ିଛି।

Share :