କଳାହାଣ୍ଡିରେ ପିଆଜ କିଲୋ ୫ ଟଙ୍କା!

କଳାହାଣ୍ଡିରେ ପିଆଜ କିଲୋ ୫ ଟଙ୍କା!

Share :

ସ୍ନେହଲତା ମିଶ୍ର   କଳାହାଣ୍ଡିର ପିଆଜ ଚାଷୀଙ୍କ ମୁଣ୍ଡରେ ଚଡକ। ଗୋଟିଏ ପଟେ ପ୍ରକୃତିର କୋପ ଏମାନଙ୍କ ଉପରେ ଦାଉ ସାଜିଥିବାବେଳେ ଅନ୍ୟ ପଟେ ଉଚିତ ବଜାର ମୂଳ୍ୟ ଓ ସଂରକ୍ଷଣ ବ୍ୟବସ୍ଥା ନଥିବା ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ। ରାଜଧାନୀ ଭୁବନେଶ୍ବରେର ପିଆଜି କିଲୋ ଏବେ ୨୦ ଟଙ୍କା ଥିବାବେଳେ ଭବାନୀପାଟଣା ବଜାରରେ ଉନ୍ନତ ମାନର ବଡ଼ ପିଆଜର ଦର କିଲୋ ପ୍ରତି ୫ ଟଙ୍କା ରହିଛି। ସାନ ସାନ ପିଆଜ ଦର କିଲୋ ପ୍ରତି ୪ ଟଙ୍କାରେ ବିକ୍ରି ହେଉଛି।   କଳାହାଣ୍ଡିର ଅଧିକରୁ ଅଧିକ ଚାଷୀ ପିଆଜ ଚାଷ ପ୍ରତି ମନ ବଳାଉଥିବା ବେଳେ ସରକାରୀ ଉଦାସିନତା ବାଧକ ସାଜିଛି। କଳାହାଣ୍ଡିର ପିଆଜ ଓଡିଶା ପିଆଜ ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠିକାର ପିଆଜର ମାନ ଅତ୍ୟନ୍ତ ଉତ୍କୃଷ୍ଟ। ତେବେ ଚଳିତ ବର୍ଷ ପ୍ରଥମେ ଅଦିନିଆ ବର୍ଷା ଓ ପରେ ରୋଗ ପୋକ ଏବଂ କୋହଲା ପାଗ ପିଆଜ ଚାଷକୁ ପ୍ରଭାବିତ କରିଛି। ଆଶାଠାରୁ କମ ଫସଲ ଉତ୍ପାଦନ ଚାଷୀକୁ ଚିନ୍ତାରେ ପକାଇଛି।   ଏଭଳି ଜଳବାୟୁ ପରିବର୍ତ୍ତନ ଜନିତ ବିପଦରୁ ମୁକୁଳିବା ପରେ ଚାଷୀ ଯାହା ବି କିଛି ଉତ୍ପାଦନ କରିଛି ସେ ସବୁର ବିକ୍ର ପାଇଁ ଉଚିତ ବଜାର ଦର ପାଉ ନାହିଁ। ଜିଲ୍ଲା ସଦର ମହକୁମା ଭବାନୀପାଟଣା କିମ୍ବା ଅନ୍ୟ ସ୍ଥାନରେ ପିଆଜ ସଂରଧଣ ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ଚାଷୀ ତା’ର ଅମଳକୁ ଅଧିକ ଦିନ ଧରି ଘରେ ସାଇତି ପାରିବ ନାହିଁ। ଏହା ଜାଣିଥିବା ଅସାଧୁ ବେପାରୀମାନେ ଚାଷୀଙ୍କ ଅସହାୟତାର ଫାଇଦା ଉଠାଇ ଅତି ଶସ୍ତାରେ ପିଆଜ କିଣୁଛନ୍ତି।   ସାଧାରଣତଃ ଛତିଶଗଡ଼ର ବଡ଼ ବେପାରୀମାନେ ଆସି କଳାହାଣ୍ଡି ବଜାରରୁ ଶସ୍ତାରେ ପିଆଜ ଉଠାଇ ନେଉଛନ୍ତି। ପରେ ସେହି ପିଆଜକୁ ଚଢ଼ା ଦରରେ ଓଡ଼ିଶାର ବିଭିନ୍ନ ବଜାରକୁ ଚାଲାଣ କରୁଛନ୍ତି। ବାରମ୍ବାର ଦାବି ଓ ଅନୁରୋଧ ସତ୍ତ୍ବେ ଆବଶ୍ୟକତା ଅନୁଯାଇ ସଂରକ୍ଷଣ ବ୍ୟବସ୍ଥା କରା ନଯିବା ହେତୁ ବାଧ୍ୟ ହୋଇ ଚାଷୀ କମ ମୂଲ୍ୟରେ ନିଜର ଅମଳ ପିଆଜକୁ ଦଲାଲ ହାତରେ ଟେକିବାକୁ ବାଧ୍ୟ ହେଉଛି। ବାହାର ବେପାରୀଙ୍କ ସହିତ ରାଜ୍ୟର ଅସାଧୁ ନେତା ଓ ବାବୁଙ୍କ ଅନୈତିକ ସଂପର୍କ ରହିଥିବାରୁ ରାଜ୍ୟ ଚାଷୀ ଏହିପରି ପ୍ରତି ବର୍ଷ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି।   କଳାହାଣ୍ଡି ଜିଲ୍ଲାରେ ଏବର୍ଷ ହଜାରେ ହେକ୍ଟର ଚାଷ ଜମିରେ ପିଆଜ ଚାଷ କରାଯାଇଥିବା ବେଳେ ଏଥିରୁ ୧୫ ହଜାର ମେଟ୍ରିକ ଟନ ପିଆଜର ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ୫୧ କ୍ବିଣ୍ଟାଲ ମଞ୍ଜି ଯୋଗାଇ ଦିଆଯାଇଛି। ଏହା ସହ ୩୦୪ ଜଣ ପିଆଜ ଚାଷୀଙ୍କୁ ନାସିକ ଢାଞ୍ଚାରେ ସଂରକ୍ଷଣ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଇଛି, ଯାହାର ଆନୁମାନିକ ମୂଳ୍ୟ  ୧ ଲକ୍ଷ ୭୫ ହଜାର ହୋଇଥିବା ବେଳେ ୫୦ ଭାଗ ସବସିଡି ଆକାରରେ ପ୍ରଦାନ କରାଯିବ ବୋଲି ମତ ବ୍ୟକ୍ତ କରିଛନ୍ତି ଭବାନୀପାଟଣା ଉଦ୍ୟାନ ବିଭାଗ ଉପନିଦ୍ଦେର୍ଶକ ସୁଧାକର ସାହୁ।

Share :