ଏଠି ଲାଗୁ ହୋଇନି ଖାଦ୍ୟ ସୁରକ୍ଷା ଆଇନ!

ଏଠି ଲାଗୁ ହୋଇନି ଖାଦ୍ୟ ସୁରକ୍ଷା ଆଇନ!

Share :

କୌଣସି ଗରିବ ଆଉ ରହିବେନି ଭୋକିଲା। ସମସ୍ତଙ୍କୁ ମିଳିବ ଟଙ୍କାକିଆ ଚାଉଳ। ଏଭଳି ସ୍ଲୋଗାନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଖାଦ୍ୟ ସୁରକ୍ଷା ଯୋଜନା। କିନ୍ତୁ ଯାହା ପାଇଁ ଯୋଜନା ସେମାନେ ହେଉଛନ୍ତି ହଟ୍ଟହଟ୍ଟା। ଦୁର୍ଗମ ଅଞ୍ଚଳର ଲୋକେ ରାସନ କାର୍ଡ ଏବଂ ଚାଉଳରୁ ବଞ୍ଚିତ ହୋଇ ମାସମାସ ଧରି ଖାଦ୍ୟାଭାବର ତାଡନା ସହି ଆନ୍ଦୋଳନ କଲେ ମଧ୍ୟ ଚେତୁନି ପ୍ରଶାସନ। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି କଳାହାଣ୍ଡି ରାୟଗଡା ସୀମାନ୍ତ ଥୁଆମୁଳ ରାମପୁର ବ୍ଲକର କେରପାଇ ଗ୍ରାମ ପଞ୍ଚାୟତର ଲୋକମାନେ।   କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ କେରପାଇ ପଞ୍ଚାୟତର ୨୨ ଖଣ୍ଡ ଗାଁରେ ବସବାସ କରନ୍ତି ପ୍ରାୟ ୩୦୦୦ ଲୋକ। ପଞ୍ଚାୟତଟି କଳାହାଣ୍ଡି ସୀମାନ୍ତରେ ଅଛି ସତ, କିନ୍ତୁ ପଞ୍ଚାୟତର ଅଧିକାଂଶ ଲୋକ ନିର୍ଭର କରନ୍ତି ରାୟଗଡା ଜିଲ୍ଲା ଉପରେ। ଜିଲ୍ଲ‌୍‍ା ପ୍ରଶାସନର ଦୃଷ୍ଟି ଆଡୁଆଳରେ ଥିବା ଏହି ଦୁର୍ଗମ ଅଞ୍ଚଳକୁ ସବୁ ଦିନି ସଡ଼କ, ବିଜୁଳି ଓ ପାଣି ସାତ ସପନ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏହି ନିରୀହ ଗରିବ ଲୋକମାନେ। ଫଳରେ ମାସେ ହେଲା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ହିତାଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ତଥାପି ପ୍ରଶାସନର ଜଣେ ଅଧିକାରୀଙ୍କ ମଧ୍ୟ ପାଦ ପଡିନି ଏହି ଗ୍ରାମରେ।   ସ୍ୱାଧୀନତାର ୬୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ କେରପାଇ ପଞ୍ଚାୟତରେ ମାଓବାଦୀ ଭୟରେ କୌଣସି ଅଧିକାରୀ ଅଞ୍ଚଳକୁ ପାଦ ପକାଉ ନଥିବା ବେଳେ ଏଠି ସରକାରଙ୍କ ସବୁ ଯୋଜନା ଫେଲ ମାରିଛି। ପାହାଡି ଅଞ୍ଚଳ ଯୋଗୁଁ ଚାଷବାସ ହେଉ ନଥିବା ବେଳେ ଏ ଅଞ୍ଚଳରେ କୌଣସି କାମଧନ୍ଦା ମଧ୍ୟ ମିଳୁନି। ଫଳରେ ଟଙ୍କିକିଆ ଚାଉଳକୁ ଭରସା କରିଥିବା ଏଠିକାର ଲୋକ ରାସନକାର୍ଡ ଏବଂ ଚାଉଳ ନ ପାଇ ଭୋକ ଉପାସରେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଇଥିଲେ ମଧ୍ୟ ହିତାଧିକାରୀମାନେ ପଞ୍ଚାୟତକୁ ତାଲାମାରି ଜଗି ରହିବା ସହ ସପ୍ତାହକ ମଧ୍ୟରେ ଦାବୀ ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Share :