ମା’ ଦେହରେ ମଳତ୍ୟାଗ!

ମା’ ଦେହରେ ମଳତ୍ୟାଗ!

Share :

ଦେବେନ୍ଦ୍ର ପୃଷ୍ଟି   କୋଉଟା ପ୍ରଗତି, କୋଉଟା ପାପ?   ଆଜି ନୁହେଁ, ପ୍ରଗତିର ପ୍ରାରମ୍ଭରୁ ନଈ କୂଳରେ ଗଢ଼ି ଉଠିଥିଲା ଜନବସତି। ବଢ଼ିଥିଲା ବି।   ସେତେବେଳେ ନଈକୁ କୁହାଯାଉଥିଲା ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଜୀବନର ଅନ୍ତୁଡ଼ିଶାଳ। ମା’।   ଭାରତକୁ ସେଇଥିପାଇଁ କୁହାଯାଉଥିଲା ନଦୀମାତୃକାର ଦେଶ। ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର, ଗୋଦାବରୀ, କାବେରୀ ଓ ମହାନଦୀ ଆଦି ଭାରତୀୟ ସଭ୍ୟତାର ନାଭିକେନ୍ଦ୍ର ଭାବେ ବିଭିନ୍ନ ଯୁଗରେ ଗୃହୀତ ଓ ପୂଜିତ। ଭାରତର ମୁନିଋଷିମାନେ ଆଳତୀ ଜରିଆରେ ଅନେକ ନଦୀର ଗୁଣଗାନ କରିଥାନ୍ତି, ସେମାନଙ୍କର ପବିତ୍ରତାକୁ ସମ୍ମାନ ପ୍ରଦର୍ଶନ କରବା ସଙ୍ଗେସଙ୍ଗେ ସୁରକ୍ଷା ପାଇଁ ନୈତିକ ଓ ଧାର୍ମିକ ଚାପ ପ୍ରୟୋଗ କରିଥାନ୍ତି।   କିନ୍ତୁ ଆଜି?   ଆଜି ପ୍ରାୟ ଭାରତବର୍ଷର ସବୁ ନଦୀ ବିଷାକ୍ତ, ପ୍ରଦୂଷିତ। ମଣିଷ ମଳରେ କଦ୍ଦର୍ମାକ୍ତ ଜୀବନର ଜନ୍ମସ୍ଥାନ, ସଭ୍ୟତାର ସଂସ୍କାରସ୍ଥଳ।   ରାମ୍ ତେରୀ ଗଙ୍ଗା ମୈଲୀ ହୋ ଗେୟି! ରାଜ କପୁର ଏହି ନାଁରେ ଫିଲ୍ମଟିଏ କରି ନଥିଲେ ବି ଗଙ୍ଗା ମଇଳା ହୋଇଥାନ୍ତା। ବାସ୍ତବପକ୍ଷେ ଗଙ୍ଗା ତା’ପୂର୍ବରୁ ମଇଳା ହୋଇସାରିଥିବାରୁ ରାଜ କପୁର ଏମିତି ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। କାହାଣୀ ଓ ପଟ୍ଟଭୂମିରେ ଥିଲା ଅନେକ ସାମଞ୍ଜସ୍ୟ।   ଗଙ୍ଗା ନଦୀକୁ ମଇଳାକ୍ତ କରିବା ପାଇଁ ଗତ ପ୍ରାୟ ଅଢ଼େଇ ଦଶନ୍ଧି ଭିତରେ ଖର୍ଚ୍ଚ ହେଲାଣି ୨୦ ହଜାର କୋଟିରୁ ଅଧିକ ଟଙ୍କା। ପବିତ୍ର ଓ ପାପନାଶିନୀ ଗଙ୍ଗାର ଜଳ ଆଜି ବିଷାକ୍ତ-ପାଦୁକ ଭଳି ପିଇଲେ ରୋଗ ନହୋଇପାରେ, ମାତ୍ର ପାନୀୟ ଭାବେ ପିଇଲେ ମୃତ୍ୟୁ ଆସିଯାଇପାରେ!   ସେମିତି ଅବସ୍ଥା ଯମୁନାର। ଗୋଦାବରୀ, କୃଷ୍ଣା, କାବେରୀ, ନର୍ମଦା, ବ୍ରହ୍ମପୁତ୍ର-ଭାରତର ପ୍ରାୟ ସବୁ ପ୍ରମୁଖ ନଈ ଏବେ ଏହିପରି। କିଏ ଟିକେ ଅଧିକ, କିଏ ଟିକେ କମ ପ୍ରଦୂଷିତ। କିନ୍ତୁ ସମସ୍ତେ ପ୍ରଦୂଷିତ। କାହାର ଜଳ ସିଧାସଳଖ ପିଇବା ଉପଯୋଗୀ ହୋଇ ରହିନାହିଁ।   ମା’ ହୋଇଯାଇଛି ମଣିଷ ମଳର ବାହକ। ଶିଳ୍ପ ଓ ସହରର ଯାବତୀୟ ମଳକୁ ତଥାକଥିତ ସଭ୍ୟ ମଣିଷମାନେ ନଦୀଗର୍ଭରେ ନିଷ୍କାସିତ କରି ଜ୍ଞାନ ଓ ବୁଦ୍ଧିର ପରିଚୟ ଦିଅନ୍ତି! ମା’ ଦେହରେ ମଳତ୍ୟାଗ କରି କୁହନ୍ତି ଆମେ ବିକାଶ ଓ ପ୍ରଗତି ପଥରେ ଅଗ୍ରସର! ଖାଇବା ପାଇଁ ଗାଈ ମାଇଲେ ଦୋଷ, କିନ୍ତୁ ପିଇବା ପାଣିକୁ ମଳରେ ପରିଣତ କରୁଥିବା ଲୋକମାନେ ସମାଜ ଓ ସରକାରର ଆଦରଣୀୟ, ନମସ୍ୟ। କାରଣ ସେମାନେ ଧନୀ। ନଦୀମାତୃକାକୁ ଧର୍ଷଣ କଲେ ବି ସେମାନେ ହିନ୍ଦୁ!   ଭାରତ ଭିତରେ ଓଡ଼ିଶା ଗୋଟିଏ ରାଜ୍ୟ। ଏହି ରାଜ୍ୟର ଅଧିବାସୀଙ୍କ ପାଇଁ ପ୍ରବହମାନ ନଦୀଗୁଡ଼ିକ ସଭ୍ୟତା, ସଂସ୍କୃତି ଓ ସମ୍ବଳର ଭଣ୍ଡାର ଓ ବାହକ ହୋଇ ଆସିଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଋଷିକୂଲ୍ୟା, ବଂଶଧାରା, ଇନ୍ଦ୍ରାବତୀ, କୋଲାବ ଆଦି ରାଜ୍ୟରର ପ୍ରାୟ ସବୁ ପ୍ରଧାନ ନଦୀ ଏବେ ପ୍ରଦୂଷିତ। ଏସବୁର ଶାଖା ଓ ଉପନଦୀଗୁଡ଼ିକ ମଧ୍ୟ ବିକାଶ ଓ ପ୍ରଗତିର ବିଷାକ୍ତ ପ୍ରକ୍ରିୟାରୁ ମୁକ୍ତ ନୁହେଁ। ଏକଥା ବାରମ୍ବାର ଖୋଜି ବାହାର କଲାଣି ଏଇ ଓଡ଼ିଶାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। କିନ୍ତୁ ତାହା ରୋକିବା ଦିଗରେ କିମ୍ବା ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଏଯାଏଁ ସରକାର କୌଣସି ନୀତି ନିର୍ଦ୍ଧାରଣ କରି ନାହାନ୍ତି। ଏଇମିତି ବିତି ଗଲାଣି ଅତି କମରେ ତିନି ଦଶନ୍ଧି। ନନ୍ଦିରା ନଦୀର ଅଧ୍ୟୟନରୁ ଯେଉଁ ଆତଙ୍କର ସୂଚନା ମିଳିଥିଲା ତାହା ଇତିମଧ୍ୟରେ କେଇଗୁଣ ଅଧିକ ଭୟଙ୍କର ହୋଇଗଲାଣି।   ଏଇ ନିକଟରେ ରାଜ୍ୟ ବିଧାନସଭାରେ ନବୀନ ପଟ୍ଟନାୟକ ସରକାର ଉପସ୍ଥାନ କରିଥିବା ତଥ୍ୟ ଅନୁସାରେ ରାଜ୍ୟର ପ୍ରାୟ ସମସ୍ତ ନଦୀର ଜଳ ଆଉ ପାନୀୟ ଉପଯୋଗୀ ହୋଇ ରହିନାହିଁ। ସବୁ ନଦୀ ଦଳ ‘ଗ’ ବା ‘ସି’ ଗ୍ରେଡ଼କୁ ଖସି ଯାଇଛି। ରାଜ୍ୟର ୯ଟି ପ୍ରମୁଖ ନଦୀର ୭୯ ସ୍ଥାନରୁ ସଂଗୃହୀତ ନମୂନାର ଯାଞ୍ଚ ଓ ପରୀକ୍ଷାରୁ ଜଣାପଡ଼ିଛି ଯେ ଏହିସବୁ ନଦୀର ଜଳରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ବା ବିଓଡି ଏବଂ ଟୋଟାଲ କୋଲିଫର୍ମ ବା ଟିସି ମାତ୍ରା ଅନୁମୋଦିତ ଅନୁପାତରୁ ଯଥେଷ୍ଟ ଅଧିକ ହୋଇଯାଇଛି। ଏସବୁ ନଦୀର ଜଳକୁ ବିନା ବିଶୋଧନରେ ଅଧିକ ଦିନ ପିଇଲେ ନାନାଦି ରୋଗବ୍ୟାଧିର ଆଶଙ୍କା ରହିଛି। ଅନେକ କ୍ଷେତ୍ରରେ ଏସବୁ ନଦୀର ଜଳପାନ ମୃତ୍ୟୁର ବାହକ ହେବା ଅସମ୍ଭବ ନୁହେଁ।   ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର, ପୁରୀ, ଚାନ୍ଦବାଲି, ଭଦ୍ରକ, ଯାଜପୁର, ବାରିପଦା, ଚାନ୍ଦବାଲି, ଭଦ୍ରକ, ତାଳଚେର, ଢେଙ୍କାନାଳ, ଅନୁଗୁଳ, ଜୟପୁର ଆଦି ପ୍ରାୟ ସମସ୍ତ ସହରର ମଣିଷ ମଳ ଓ ଶିଳ୍ପ ଆବର୍ଜନା ଏଇସବୁ ନଦୀଗର୍ଭରେ ଛଡ଼ାଯାଇ ମାତୃହରଣ ପାପ ଅର୍ଜନ କରାଯାଉଛି। ତଥାପି ସମସ୍ତେ ଖୁସି। କାରଣ ଆମେ ବିକାଶ କରୁଛେ, ପ୍ରଗତି ପଥରେ ଆଗେଇ ଚାଲିଛେ!   ଏବେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା। ବର୍ଷା ଆସିଲେ ନଦୀଗୁଡ଼ିକର ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଅନେକେ ଭୋଗିବେ ଝାଡ଼ାବାନ୍ତି ଓ ହଇଜା। କାରଣ ହେଉଛି ଉପରମୁଣ୍ଡ ଲୋକଙ୍କ ମଳ। ସହରବାସୀଙ୍କ ମଳ ପାନକରି କ’ଣ କେବେ କୌଣସି ଗ୍ରାମବାସୀ ସୁସ୍ଥ ଓ ସଭ୍ୟ ରହିପାରେ? ଧନୀ ଲୋକଙ୍କ ମଳରେ କ’ଣ ପୁଷ୍ଟିସାର ଓ ରୋଗ ପ୍ରତିରୋଧକ ଶକ୍ତି ଅଛି?   ସଙ୍ଘର ଶଙ୍କରାଚାର୍ଯ୍ୟ, କଂଗ୍ରେସ ଓ କମ୍ୟୁନିଷ୍ଟଙ୍କ ତଥାକଥିତ ଉଦାରବାଦୀ ଓ ବିଜେଡି ପରି ସ୍ବପ୍ନର ସୌଦାଗରମାନେ କହିବେକି, କୋଉଟା ପ୍ରଗତି ଆଉ କୋଉଟା ପାପ? ଚଳଭାଷ-୯୪୩୭୦୩୬୨୭୬

Share :