‘ମଇ ଦିବସ’ ଦୀର୍ଘଜୀବୀ ହେଉ

‘ମଇ ଦିବସ’ ଦୀର୍ଘଜୀବୀ ହେଉ

Share :

ରଣେନ୍ଦ୍ର ପ୍ରତାପ ସ୍ୱାଇଁ   ପ୍ରତି ବର୍ଷ ମେ ପହିଲା ‘ମଇ ଦିବସ’ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳିତ ହୋଇଆସୁଛି। ଏହି ଦିବସ କାହିଁକି ପାଳନ କରାଯାଏ? ଏହାର ତାତ୍ପର୍ଯ୍ୟ କ’ଣ?   ଶୋଷିତ, ନିଷ୍ପେସିତ, ଖଟିଖିଆ, ମେହନତୀ, ଶ୍ରମିକ, ମଜଦୁରମାନଙ୍କ ପାଇଁ ଏହା ହେଉଛି ଶପଥର ଦିବସ। ଯେ ପର୍ଯ୍ୟନ୍ତ ଶୋଷଣ, ଉତ୍ପୀଡ଼ନ, ନିର୍ଯାତନା, ଅସମତା, ବିଷମତା ଲୋପ ନ ହୋଇଛି ସେ ପର୍ଯ୍ୟନ୍ତ ଏଇ ଦିବସର ତାତ୍ପର୍ଯ୍ୟ ରହିଛି ଓ ରହିବ। ‘ଦିନକୁ ଆଠଘଣ୍ଟା’ କାମ କରିବାର ଦାବୀ ଓ ଅଧିକାର ନେଇ ୧୮୮୬ ମସିହା ମେ ପହିଲାରେ ଆମେରିକାର ଅଗଣିତ ଶ୍ରମିକ ଏକ ବିଶାଳ ଗଣ ବିକ୍ଷୋଭ ଓ ଆନ୍ଦୋଳନରେ ହେ-ମାର୍କେଟ ସ୍କୋୟାରରେ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଇ ଆନ୍ଦୋଳନକୁ ଭଣ୍ଡୁର ଓ ଚ୍ଛିନ୍ନଛତ୍ର କରିବାକୁ ପୋଲିସ ଓ ମାଲିକଙ୍କର ଭଡ଼ାଟିଆ ଗୁଣ୍ଡାବାହିନୀ ଆଖିବୁଜା ନିର୍ମମ ଗୁଳିଚାଳନା କରିଥିଲେ। ପୋଲିସର ଲାଠି, ବୁଟ୍ ଓ ଗୁଳିମାଡ଼ରେ ଅନେକ ନିରୀହ ଶ୍ରମିକ କ୍ଷତାକ୍ତ ହେଲେ। କେତେଜଣ ନିରୀହ ଶ୍ରମିକ, ସେଇଠି ଟଳି ପଡ଼ିଲେ। ତିନିଜଣ ଶ୍ରମିକ ନେତାଙ୍କୁ ନିରନ୍ଧ୍ର କାରାବକ୍ଷରେ ଅକଥନୀୟ ନିର୍ଯାତନା ଦିଆଯାଇ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।   ସେଇଦିନଠାରୁ ଆଜି ଭିତରେ ୧୩୦ ବର୍ଷ ବିତିଯାଇଛି। ଶ୍ରମିକମାନଙ୍କର ନ୍ୟାୟୋଚିତ ଦାବୀ ଓ ଅଧିକାର ପାଇଁ ବିଶ୍ବର କୋଣ ଅନୁକୋଣରେ ନିତିପ୍ରତି ଲୋମ ହର୍ଷଣକାରୀ ଘଟଣାମାନ ଘଟିଯାଇଛି। ନିର୍ମମ ଅତ୍ୟାଚାର ଓ ନିର୍ଯାତନାରେ ଅନେକ ନିରୀହ ଶ୍ରମିକ ସହିଦ ହୋଇଛନ୍ତି। ସେ ଦିନର ରକ୍ତ ରଂଜିତ ଅଧ୍ୟାୟ ଓ ପରବର୍ତ୍ତୀ କାଳରେ ନିର୍ମମ ଅତ୍ୟାଚାର ଓ ଉତ୍ପୀଡ଼ନରେ ସହିଦ ହୋଇଥିବା ଶ୍ରମିକ ସାଥୀମାନଙ୍କୁ ରକ୍ତିମ ଶ୍ରଦ୍ଧାଂଜଳି ଅର୍ପଣ କରିବା ପାଇଁ ମେ-ଦିବସକୁ ଆତ୍ମସମୀକ୍ଷା ଓ ଶପଥ ଦିବସ ଭାବେ ପାଳନ କରାଯାଇଥାଏ।   ସେହି ଅନ୍ଧାରି ଯୁଗରୁ ଆଜିଯାଏ ଘଟିଯାଇଛି ବୈପ୍ଳବିକ ପରିବର୍ତ୍ତନ। ଆମ ଦେଶ ଭାରତ ସମେତ ବିଶ୍ବର ବହୁ ଉପନିବେଶ ଶାସିତ ଦେଶ ସ୍ବାଧୀନ ହୋଇଛନ୍ତି। ଆମ ଦେଶ ସ୍ବାଧୀନ ହେବାର ୬୯ ବର୍ଷ ବିତିଯାଇଛି। ଦେଶର ବିକାଶ ନିମନ୍ତେ ପଂଚ ବାର୍ଷିକ ଯୋଜନାମାନ ପ୍ରଣୟନ କରାଯାଇଛି। ଶିକ୍ଷା ଓ ଶ୍ରମିକର ସଜ୍ଞା ଓ ସ୍ବରୂପ ମଧ୍ୟ ବଦଳିଯାଇଛି। ଏ ସବୁ ସତ୍ତ୍ବେ ଶ୍ରମିକ ସମାଜ ଉପରେ ହେଉଥିବା ଜୁଲୁମ, ଅତ୍ୟାଚାର, ଅବିଚାର, ଶୋଷଣ, କଷଣର ଅନ୍ତ ହୋଇନାହିଁ। ‘ହିନ୍ଦ ମଜଦୁରର ସଭା’ର ଲକ୍ଷ୍ୟ ହେଉଛି ମୁକ୍ତି, ସମତା ଓ ଭ୍ରାତୃତ୍ୱ। ଯେ ପର୍ଯ୍ୟନ୍ତ ଏହା ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ‘ମଇ ଦିବସ’ର ପ୍ରସଙ୍ଗିକତା ରହିଛି ଓ ରହିବ। ଆମର ଦାବୀ, ସ୍ବଚ୍ଛନ୍ଦ ନିଯୁକ୍ତି, ସ୍ବଚ୍ଛନ୍ଦ ରୋଜଗାର ଏବଂ ସ୍ବଚ୍ଛନ୍ଦ ବିନିଯୋଗ।   ଦେଶ ସ୍ବାଧୀନ ହେବାପରେ ଆଜି ପର୍ଯ୍ୟନ୍ତ କୃଷି, ଶିଳ୍ପ, ଗମନାଗମନ, ଶିକ୍ଷା, ଜ୍ଞାନ, ବିଜ୍ଞାନ ଓ ଟେକ୍ନୋଲୋଜିର ଯେ ବିକାଶ ନ ଘଟିଛି ତା ନୁହେଁ, ମାତ୍ର ଏକଥା ସ୍ବୀକାର କରିବାକୁ ହେବ ଯେଉଁ ପରିମାଣରେ ଦେଶର ବିକାଶ ହେବାର କଥା ତା ହୋଇନାହିଁ। ଆଜିର ବିକାଶକୁ ନିଯୁକ୍ତି ବିହୀନ ବିକାଶ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶର ଅଗଣିତ ଚାଷୀ, ମୂଲିଆ, ଖଟିଖିଆ ଶ୍ରମଜୀବୀ ମେହନତୀ ମଣିଷ ଆଜି ମଧ୍ୟ ଅଶିକ୍ଷା, ଅଜ୍ଞତା, ଅନ୍ଧବିଶ୍ବାସ, କୁ-ସଂସ୍କାର, ଅସମତା, ବିଷମତା ମଧ୍ୟରେ ବିଷ ଚକ୍ର ଭିତରେ ପେଷି ହେଉଛନ୍ତି। ସରକାର ପରେ ସରକାର ବଦଳିଛି, ନିର୍ବଚନର ପ୍ରତିଶ୍ରୁତି ପରେ ପ୍ରତାରଣାରେ ପରିଣତ ହୋଇଛି। ଦେଶର ୪୫ କୋଟି ଶ୍ରମଜୀବୀଙ୍କ ମଧ୍ୟରୁ ଶତକଡ଼ା ୯୪ ପ୍ରତିଶତ ଅସଂଗଠିତ, ସେମାନଙ୍କ ମଧ୍ୟରୁ ମାତ୍ର ୬୨ ପ୍ରତିଶତ ସଂଗଠିତ ଓ ତନ୍ମଧ୍ୟରୁ ମାତ୍ର ୪ ପ୍ରତିଶତ ଶ୍ରମିକ ସଂଗଠନ ସଭ୍ୟ ଅନ୍ତର୍ଭୁକ୍ତ। ଦେଶର ଶ୍ରମଜୀବୀମାନଙ୍କୁ ସଂଗଠିତ, ଅସଂଗଠିତ, କାଜୁଆଲ, ସାମୟିକ ପର୍ଯ୍ୟାୟଭୁକ୍ତ କରାଯାଇ ଭାଗଭାଗ କରାଯାଇଛି। ଅସଂଗଠିତ ଶ୍ରମିକମାନେ ମୁଖ୍ୟତ କୃଷି ଜଙ୍ଗଲ, ନିର୍ମାଣ, ଘରୋଇ, ଦିନ ମଜୁରିଆ, ଠିକା, ଆତ୍ମନିଯୁକ୍ତି ସାମୟିକ କାର୍ଯ୍ୟରତ ଶ୍ରମଜୀବୀ ଅଟନ୍ତି। ସେମାନେ କମ ମଜୁରି ପାଆନ୍ତି ଓ ସାମାଜିକ ସୁରକ୍ଷା ଗୁଡ଼ିକ ବଳୟଠାରୁ ବହୁ ଦୂରରେ।   ସେମାନଙ୍କ ମଜୁରୀରେ ମଧ୍ୟ ତାରତମ୍ୟ ସୃଷ୍ଟି ହୋଇଛି। ଯାହା ଫଳରେ ଦେଶରେ ଶ୍ରମଜୀବୀଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ଆଜି ସୁଦୂର ପରାହତ। ବିଭିନ୍ନ କ୍ଷେତ୍ରରେ ଆଠଘଣ୍ଟା ଯାଗାରେ ଜୋରଜବରଦସ୍ତ ବାରଘଣ୍ଟା, ଏପରିକି ଷୋଳ ଘଣ୍ଟା ଶ୍ରମିକ କାମ କରୁଛନ୍ତି। ଆଠଘଣ୍ଟା କାମ କରିବାର ଅଧିକାର ଆଜି ବିଡ଼ମ୍ବନାରେ ପରିଣତ। ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ, ‘ଟ୍ରେଡ଼ ୟୁନିୟନ ସମୂହ’ ଡାକରେ ଦେଶବ୍ୟାପୀ ଏକ ଅଭୂତପୂର୍ବ ଜନଜାଗରଣ ଓ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ସଂପ୍ରତି ଦେଶର ଶ୍ରମିକ ଆନ୍ଦୋଳନ ସମ୍ମୁଖରେ ଯେଉଁ ବିରାଟ ଆହ୍ବାନ ସୃଷ୍ଟି ହୋଇଛି। ତା ହେଉଛି - ବେକାରୀ ସମସ୍ୟା, ସ୍ବାସ୍ଥ୍ୟ, ସୁରକ୍ଷା ଓ ପରିବେଶ ଏବଂ ବିଶ୍ବତାପନ ବା ଜଳବାୟୁ ପରିବର୍ତନ, ସାମାଜିକ ସୁରକ୍ଷା, ଶିଳ୍ପ ପାଇଁ ବାସଚ୍ୟୁତ ହୋଇଥିବା ଲୋକଙ୍କ ଥଇଥାନ, ଉପଯୁକ୍ତ କ୍ଷତିପୂରଣ ଓ ବିକଳ୍ପ ରୋଜଗାର ପନ୍ଥା, ଅତ୍ୟାବଶ୍ୟକ ଜିନିଷ ପତ୍ରର ହୁ ହୁ ଦରଦାମ ବୃଦ୍ଧି, ଶ୍ରମ ଆଇନ-କାନୁନର ଉଲଂଘନ, ମନୋମୁଖୀ ଛଟେଇ ଓ ତାଲାବନ୍ଦୀ ଘୋଷଣା, ଲେ ଅଫ୍ ଏବଂ ଆଖିବୁଜା ଆଉଟ୍ ସୋର୍ସିଙ୍ଗ, ଘରୋଇକରଣ, ଠିକାଦାରୀକରଣ ଓ ସାମୟିକୀକରଣ, ଗୋତିଶ୍ରମିକ ପ୍ରଥା, ବାଳ ଶ୍ରମିକ ପ୍ରଥା ଓ ମହିଳା ଶ୍ରମିକଙ୍କୁ ମର୍ଯ୍ୟାଦା ପ୍ରଦାନ ଇତ୍ୟାଦି ଦେବାର ୧୧ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡ଼ରେସନ ସହିତ ହିନ୍ଦ ମଜଦୁର ସଭା ଏ୍ୟିକ୍ୟବଦ୍ଧ ଲଢେଇ ଓ ଆନ୍ଦୋଳନର ସାମିଲ ହୋଇଛି। ଶୋଷଣ ମୁକ୍ତ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ। ପରିତାପର କଥା ଦେଶବାସୀଙ୍କ ମଧ୍ୟରେ ସ୍ବପ୍ନ ବୁଣି ଲୋକଙ୍କର ଭୋଟ ହାତେଇ, କେନ୍ଦ୍ରରେ ସରକାର ଗଢିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ.ଡି.ଏ ସରକାର ‘ଅଚ୍ଛେ ଦିନ’ ମାତ୍ର ଅଳ୍ପଦିନ ମଧ୍ୟରେ ବୁରେ ଦିନରେ ସାବ୍ୟସ୍ତ ହୋଇଛି। ଶ୍ରମଜୀବୀ ମେହେନତୀ ଜନଗଣଙ୍କୁ ବଞ୍ଚିବାପାଇଁ ଆହୁରି ଶୋଷଣ, କଷଣ ଓ ସଂଘର୍ଷ ମଧ୍ୟରେ ଗତିକରିବାକୁ ବାଧ୍ୟ କରିଛି। ଦେଶରେ ପ୍ରଚଳିତ କେତେକ ପୁରୁଣା ଶ୍ରମକାନୁନର ପରିବର୍ତ୍ତନର ଆବଶ୍ୟକତା ଅଛି। ମାତ୍ର ଶ୍ରମିକ ସଂଗଠନମାନଙ୍କୁ ବିଶ୍ବସକୁ ନ ନେଇ ଶ୍ରମ କାନୁନରେ ଥିବା ଶ୍ରମିକ ସପକ୍ଷ ଧାରା ବଦଳାଇ ଦେଶୀ, ବିଦେଶୀ, ପୁଞ୍ଜିପତି ଓ କର୍ପୋରେଟ ହାଉସର ତୁଷ୍ଟିକରଣ ନିମନ୍ତେ ଏନଡିଏ ସରକାର ‘ଶ୍ରମ ସଂସ୍କାର’ ନାଁରେ ମାଲିକ ସପକ୍ଷଧାରା ସଂଯୋଗ କରିବାକୁ ପ୍ରୟାସ କରି ପାର୍ଲାମେଣ୍ଟରେ ବିଲ୍ ଆଗତ କରିଛନ୍ତି।   ଏହା ଯଦି ପାର୍ଲାମେଣ୍ଟରେ ଗୃହିତ ହୋଇଯିବ ତେବେ ଦେଶର ୬୭ ପ୍ରତିଶତ ଶିଳ୍ପ କାରଖାନା ଶ୍ରମ କାନୁନର ପ୍ରଚଳିତ ସୁରକ୍ଷା ବଳୟ ମଧ୍ୟରୁ ହଟିଯିବ। ଯଦ୍ବାରା ଏକ ବିରାଟ ବିପର୍ଯୟ ସୃଷ୍ଟିହେବ। ଏଥିରେ କୌଣସି ସନ୍ଦେହ ନାହିଁ। ଶ୍ରମିକ ଆନ୍ଦୋଳନର ମିଳିତ ପ୍ରତିବାଦର ସ୍ବର ଏଥିପାଇଁ ଶାଣିତ ହେବା ଉଚିତ। ନିକଟରେ କେନ୍ଦ୍ର ସରକାରଙ୍କର ଶ୍ରମଜୀବୀ ମେହେନତୀ ଜନଗଣଙ୍କ ସ୍ବାର୍ଥ ଉପରେ କରିଥିବା ନଗ୍ନ ଅକ୍ରମଣର ପ୍ରକୃତ ସ୍ୱରୁପ ପଦାକୁ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ‘ପ୍ରୋଭିଡେଣ୍ଟ ଫଣ୍ଡ’ରୁ ଟଙ୍କା ଉଠାଇବାବେଳେ ଟିକସ ଆଦାୟ ହେବ ଘୋଷଣା କରିବା ଏବଂ ପରବର୍ତ୍ତୀ କାଳରେ ୫୮ ବର୍ଷ ନହେଲେ ପିଏଫ ଉଠାଇପାରିବେ ନାହିଁ ବୋଲି ପ୍ରକାଶିତ ସରକାରୀ ବିଜ୍ଞପ୍ତି ଥିଲା ସଂପୂର୍ଣ୍ଣ ଅନ୍ୟାୟ ଓ ଅଯୌକ୍ତିକ। ଶ୍ରମିକ ସଂଗଠନମାନେ ଦେଶବ୍ୟାପି ଏହାର ତୀବ୍ର ବିରୋଧ କଲେ ଏବଂ ପରିଶେଷରେ ବେଙ୍ଗାଲୁର ଶ୍ରମିଙ୍କଙ୍କ ମିଳିତ ଦାବୀ, ବିକ୍ଷୋଭ ଓ ଆନ୍ଦୋଳନ ଏଭଳି ଜୋରଦାର ହେଲା ଯଦ୍ବାରା କେନ୍ଦ୍ର ସରକାର ବାଧ୍ୟ ହୋଇ ତାଙ୍କର ବିଜ୍ଞପ୍ତି ଆଦେଶନାମା ପ୍ରତ୍ୟାହାର କଲେ। ଆଉ ଏକ ନଗ୍ନ ଆକ୍ରମଣର ଉଦାହରଣ ହେଉଛି ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର ହ୍ରାସ। ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ବୋର୍ଡ ଧାର୍ଯ୍ୟ କରିଥିବା ପିଏଫ ସୁଧ ରାଶି ୮ ଦଶମିକ ୮କୁ ଅର୍ଥ ମନ୍ତ୍ରଳାୟ ପରିବର୍ତ୍ତନ କରି ୮ ଦଶମିକ ୭ କରିଛନ୍ତି। ସରକାରଙ୍କର ଏତାଦୃଶ ମନମୁଖି କାରବାରର ତୀବ୍ର ବିରୋଧ କରାଯିବା ଉଚିତ ଓ ଏହାକୁ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ଅନିବାର୍ଯ୍ୟ।   ଆମ ରାଜ୍ୟ ଓଡିଶାରେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାର କେନ୍ଦୁପତ୍ର, ବିଡି, ନିର୍ମାଣ ଓ ଅନ୍ୟାନ୍ୟ ଅସଙ୍ଗଠିତ ଶ୍ରମଜୀବୀଙ୍କ ପାଇଁ ନେଇଥିବା ସାମାଜିକ ସୂରକ୍ଷା ବିଧି ବ୍ୟବସ୍ଥା ସ୍ବାଗତଯୋଗ୍ୟ; ମାତ୍ର ରାଜ୍ୟର ସର୍ବନିମ୍ନ ମଜୁରୀ ୨୦୦ ଟଙ୍କା ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ। ଶ୍ରମିକମାନଙ୍କ ମଜୁରୀ ସହିତ ଖାଉଟି ମୂଲ୍ୟସୂଚୀ ସଂଯୋଗ ଏକାନ୍ତ ଆବଶ୍ୟକ।   ରାଜ୍ୟରେ ବିଭିନ୍ନ ପଦପଦବୀରେ ଖାଲିପଡିଥିବା ୧ ଲକ୍ଷ ୭୫ ହଜାରରୁ ଅଧିକ ପଦପଦବୀ ପୂରଣ କରି ଉତ୍କଟ ବେକାରୀ ସମସ୍ୟାରେ ଜର୍ଜରିତ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ବିହିତ ବ୍ୟବସ୍ଥା କରାଯିବା ଉଚିତ। ମିଳିତ ଶ୍ରମିକ ସଂଗଠନଙ୍କ ଦାବୀ-ସର୍ବନିମ୍ନ ମଜୁରି ୧୫ ହଜାର ଟଙ୍କା, ଠିକା ଶ୍ରମିକ ବ୍ୟବସ୍ଥାର ସଂପୂର୍ଣ୍ଣ ଉଛେଦ, ଅସଂଗଠିତ ଶ୍ରମିକଙ୍କ ସାମାଜିକ ନିରାପତ୍ତା, ସ୍କିମ ୱାର୍କରଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ଓ ସର୍ବନିମ୍ନ ପେନସନ ମାସିକ ୩ ହଜାର ଟଙ୍କା ଏବଂ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, କେନ୍ଦ୍ର ସରକାରଙ୍କ ରେଳ, ପ୍ରତିରକ୍ଷା, ଆର୍ଥିକ ତଥା ଖୁଚୁରା ବେପାର କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନିଷ୍ପତ୍ତି ପ୍ରତ୍ୟାହାରକୁ ସରକାର ତୁରନ୍ତ ମାନିବା ଦରକାର।   ଆମ ରାଜ୍ୟ ଏବଂ ସମଗ୍ର ଦେଶର କି ସଂଗଠିତ କି ଅସଂଗଠିତ ସମସ୍ତ ଶ୍ରମଜୀବୀ, ମେହେନତୀ, ଜନଗଣ ଶ୍ରମିକର ସ୍ବାର୍ଥରକ୍ଷା କରିବା ପାଇଁ ଦୁର୍ବାର ଆନ୍ଦୋଳନ ଗଢି ତୋଳିବା ଆଜିର ମେ’ ଦିବସର ଆହ୍ୱାନ। ‘ମଇ ଦିବସ’ ମହିୟାନ ହେଉ, ଶ୍ରମିକ ଏକତା ଜିନ୍ଦାବାଦ।   ବିଧାୟକ, ଆଠଗଡ଼

Share :