ଗାଁ ପାଇଁ ଇଣ୍ଟରନେଟ

ଗାଁ ପାଇଁ ଇଣ୍ଟରନେଟ

Share :

ରୁଦ୍ର ପ୍ରସନ୍ନ ରଥ   ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଯେ ପ୍ରକୃତ ଭାରତବର୍ଷ ଗାଁରେ ହିଁ ରହେ। ଅର୍ଥାତ ଗାଁ ହେଉଛି ଭାରତର ଆତ୍ମା।। ଏଣୁ ଗାଁର ବିକାଶ ନହୋଇ ପାରିଲେ ଭାରତର ବିକାଶ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଯିବ। ବର୍ତ୍ତମାନ ବିଶ୍ବ ସ୍ତରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ହିଁ ସମ୍ପୂର୍ଣ୍ଣ ବିକାଶର ପ୍ରତିରୂପ ପାଲଟିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିନା ବିକାଶର ଚିତ୍ର ଆଙ୍କିବା ସହଜ ହେଉନି। ଆଉ ଯେତେବେଳେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରଶ୍ନ ଉଠୁଛି ସେତେବେଳେ ଇଣ୍ଟରନେଟ ଷୟରେ ଆଲୋଚନା କରିବା ଜରୁରୀ ହୋଇପଡିଛି। ଭାରତବର୍ଷରେ ଗାଁ ଓ ସହର ମଧ୍ୟରେ ଅନେକ ବିକାଶଗତ ବୈଷମ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ। ଇଣ୍ଟରନେଟର ବ୍ୟବହାର, ଇଣ୍ଟରନେଟ ବ୍ୟବହାର ନିମନ୍ତେ ଥିବା ସୁଯୋଗ ଏବଂ ସର୍ବୋପରି ଗାଁରେ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମି ଆଦିକୁ ମାନକ ହିସାବରେ ନେଲେ ଗାଁ ସହରଠାରୁ ବହୁ ପଛରେ ରହିଯିବ। ମୋଟ ଉପରେ କହିବାକୁ ଗଲେ ଏ ଦେଶର ଦୁଇତୃତୀୟାଂଶ ଜନସାଧାରଣ ଯେଉଁମାନେ କି ଗାଁରେ ରହିଛନ୍ତି ସେମାନେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଅନ୍ୟମାନଙ୍କଠାରୁ କମ ସୁବିଧା ସୁଯୋଗ ପାଆନ୍ତି। ୨୦୧୧ ଜନଗଣନା ହିସାବ ଅନୁଯାୟୀ ଭାରତବର୍ଷରେ ପ୍ରାୟ ୬.୪୧ ଲକ୍ଷ ଗାଁ ଅଛି। ଅଣ ସଂଗଠିତ ଭିତ୍ତିଭୂମି, ଦୁର୍ବଳ ମାନବ ସମ୍ୱଳ ପରିଚାଳନା, ପ୍ରାକୃତିକ ସମ୍ପଦର ଠିକ ଭାବେ ପରିଚାଳନା ଅଦି କରାଯାଇ ପାରୁ ନ ଥିବାରୁ ଗାଁଗୁଡିକର ଜନସଂଖ୍ୟା ଧୀରେ ଧୀରେ ସହରାଭିମୁଖୀ ହୋଇଉଠୁଛି। ମାତ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର କୌଶଳ ଏବଂ ଉପକରଣ ସବୁ ଧୀରେ ଧୀରେ ଗାଁରେ ପହଁଚିବା ଆରମ୍ଭ କଲାଣି। ଏବେ ଆଣ୍ଡ୍ରଏଡ଼ ସୁବିଧା ବିଶିଷ୍ଟଫୋନ, ଟାବଲେଟ ମଧ୍ୟ ଗାଁରେ ଦେଖାଗଲାଣି। ୨୦୧୯ ମସିହା ସୁଦ୍ଧା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୨.୫ ଲକ୍ଷ ଗାଁକୁ ବ୍ରଡବ୍ୟାଣ୍ଡ ବିଶିଷ୍ଟ ସଂଯୋଗ ଦେବା ପାଇଁ ବ୍ୟବସ୍ଥା କରାଯିବାକୁ ଅଛି। ଏହା ମୋଟ ଗାଁ ସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ହେବ। ଅର୍ଥାତ ଯଦି ଇଣ୍ଟରନେଟ ଏହି ହାରରେ ଗାଁରେ ପହଁଚିବା ବଜାୟ ରହେ ତେବେ ପୁରା ଭାରତବର୍ଷର ସବୁଯାକ ଗାଁକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ ହେବାକୁ ଆହୁରି ପାଖାପାଖି ୧୦ ବର୍ଷ ଲାଗିଯିବ । କେବଳ ଏହି ୨.୫ ଲକ୍ଷ ଗାଁରେ ଇଣ୍ଟରନେଟ ସଂଯୋଗ ପାଇଁ ଦରକାର ୧.୧୩ ଲକ୍ଷ କୋଟି ଟଙ୍କା। ଆଉ ସବୁ ଗାଁକୁ ଇଣ୍ଟରନେଟ ସେବା ଯୋଗାଇବାକୁ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଯିବାର ସଂଭାବନା ଅଛି। ଏ ଅର୍ଥରାଶି ବିପୁଳ ନିଶ୍ଚୟ। ବର୍ତ୍ତମାନ ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୮.୬% ଗାଁରେ ରହୁଛନ୍ତି। ଭାରତର ମୋଟ ୨୫.୨ କୋଟି ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗାଁରେ ରହୁଥିବାବେଳେ ଏକ ଚତୁର୍ଥାଂଶ ମୋବାଇଲ ମାଧ୍ୟମରେ ଇଣ୍ଟରନେଟ ସୁବିଧା ନେଉଥିବା ଲୋକ ଗାଁରେ ରହନ୍ତି। ଆହୁରି ପ୍ରାୟ ୨.୫ କୋଟି ସୋସିଆଲ ନେଟୱର୍କ ବ୍ୟବହାର କରୁଥିବା ଲୋକ ଗାଁରେରହନ୍ତି। ଏସବୁ ଲୋକମାନଙ୍କୁ ଶସ୍ତା, ସୁଲଭ ଏବଂ ସମୟୋପୋଯୋଗୀ ଇଣ୍ଟରନେଟ ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି। ମାତ୍ର ବ୍ରଡବ୍ୟାଣ୍ଡ ସେବା ନାଁରେ ଏହି ଗ୍ରାମାଞ୍ଚଳମାନଙ୍କରେ ଯେଉଁ ମୋବାଇଲ ସେବା ଯୋଗାଇ ଦିଆଯାଉଛି ତାହା ଥାଇ ବି ନଥିଲା ଭଳି। କେଉଁଠି ଇଣ୍ଟରନେଟର ଗତି କଛପ ପରି ଥିବାବେଳେ କେଉଁଠି ଦିନ ଦିନ ଧରି ଏହି ସଂଯୋଗ ବ୍ୟାହତ ହେଉଛି। ଏପରି କ୍ଷେତ୍ରରେ ଇଣ୍ଟରନେଟ ବ୍ୟବହାରକାରୀ ଜଣକ ମୋବାଇଲ ସେବା ପାଇବା ପାଇଁ ସମୟ ଏବଂ ଅର୍ଥ ନଷ୍ଟ କରି ସହରର ସାଇବର କାଫେ ଆଡେ ମୁହାଁଉଛି। ଇଣ୍ଡିଆନ ମାର୍କେଟ ରିସର୍ଚ୍ଚ ବ୍ୟୁରୋ ଅନୁଯାୟୀ ଯଦି ବ୍ରଡବ୍ୟାଣ୍ଡ ସେବାର ସଂଯୋଗରେ ୧୦% ବୃଦ୍ଧି ହୁଏ ଏହା ଦେଶର ମୋଟ ଘରୋଇ ଉତ୍ପାଦକୁ ୧.୩୮ ପ୍ରତିଶତ ଯାଏ ବଢ଼ାଇ ଦେବାର ସମ୍ଭାବନା ରହିଛି। ମାତ୍ର ଗାଁରେ କେମିତି ଇଣ୍ଟରନେଟ ସଂଯୋଗ ବଢ଼ିବ ସେଥିପାଇଁ ଆମେ ବ୍ୟସ୍ତ ନହୋଇ ସହରରେ ୪ଜି ସେବା କିପରି ବଢ଼ିବ ତା’ ଉପରେ ଦୃଷ୍ଟି ଦେବାରେ ଲାଗିଛେ। ଏହାର ମୁଖ୍ୟ କାରଣ ହେଉଛି ଯୋଜନା ପ୍ରଣୟନକାରୀଙ୍କର ମାନସିକତା ଯାହା ସହରର ବିକାଶର ମାନକଗୁଡିକୁ ଆବଶ୍ୟକତା ରୂପେ ଚିତ୍ରଣ କରୁଥିବାବେଳେ ଗାଁ ଆବଶ୍ୟକତାକୁ ଅଦରକାରୀ କିମ୍ବା ଲାଭକ୍ଷତିର ତରାଜୁରେ ଓଜନ କରିଥାଏ। ଗାଁରେ ଇଣ୍ଟରନେଟର ପ୍ରଚାର ଏବଂ ପ୍ରସାର ଯେ କେବଳ ଗ୍ରାମ୍ୟ ଅର୍ଥନୀତିର ଭିତ୍ତିଭୂମିକୁ ସୁଦୃଢ଼କରିବା ତାହା ନୁହେଁ ବରଂ ଏହା ସହର ଏବଂ ଗାଁ ମଧ୍ୟରେ ପାର୍ଥକ୍ୟକୁ ଦୂର କରିବାରେ ସାହାଯ୍ୟ କରିବ। ଉଦାହରଣସ୍ବରୂପ ଗାଁର ଚାଷୀ ତା ଉତ୍ପାଦିତ ଜିନିଷର ଯେ ପ୍ରକୃତ ମୂଲ୍ୟ ଜାଣିପାରିବ ତାହା ନୁହେଁ ବରଂ ଗାଁର ଭଣ୍ଡାରୀ ମଧ୍ୟ ବର୍ତ୍ତମାନର ଫ୍ୟାଶନ ଅନୁଯାୟୀ ସଦ୍ୟତମ ହେୟାର କଟର ଷ୍ଟାଇଲ ଜାଣିପାରିବ।ଏହାଗାଁବଣିଆକୁ ମଧ୍ୟ ନୂଆ ନୂଆ ଡିଜାଇନର ସୁୂନା ଗହଣା ତିଆରି କରିବାର ସୁଯୋଗ ଦେବ। ବିଗତ ଅର୍ଦ୍ଧ ଶତାବ୍ଦୀ ଧରି ସହର କୈନ୍ଦ୍ରିକ ଯୋଜନା ପ୍ରଣୟନ କରି ଆମେ ଗାଁକୁ ବହୁତ ପଛରେ ଛାଡି ଆସିଛେ। ଏହି କାରଣରୁ ହିଁ ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ କେବଳ ଇଣ୍ଟରନେଟ ସଂଯୋଗ ନଥିବାରୁ ବହୁତ ସହରବାସୀ ଗାଁ ଆଡକୁ ଯିବାକୁ ନାରାଜ। ହୁଏତ ଏ ଭୁଲର ପ୍ରାୟଶ୍ଚିତ କରିବା ପାଇଁ ଇଣ୍ଟରନେଟ ଆମକୁ ଏକ ସୁଯୋଗ ଦେଇଛି। ଏବେଠୁ ଯଦି ଥରେ ଗାଁରେ ଇଣ୍ଟରନେଟ ପହଁଚି ଗଲା ତେବେ ଏହି ତଥାକଥିତ ସହରୀମାନେ ଗାଁରେ ପହଁଚିବେ। ସେମାନଙ୍କର ସମୟ, ଦକ୍ଷତା ଏବଂ ସେମାନେ ଆବଶ୍ୟକ କରୁଥିବା ସେବା ମଧ୍ୟ ଗାଁରେ ପହଁଚିବ। ଏହା ଧୀରେ ଧୀରେ ଗାଁ ଓ ସହର ମଧ୍ୟରେ ପାର୍ଥକ୍ୟକୁ ଦୂର କରିବ। ଏ ସୁଯୋଗର ସଦୁପଯୋଗ କରିପାରିଲେ ସହରରେ ବଢ଼ୁଥିବା ଏବେକାର ପୀଢ଼ିର ପିଲାମାନେ ଗାଁକୁ ଯିବାକୁ ନାକ ଟେକିବେ ନାହିଁ। ଏଣୁ ଗାଁଗୁଡିକୁ ତୁରନ୍ତ କ୍ଷୀପ୍ର ଏବଂ ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଇଣ୍ଟରନେଟ ସେବା ଯୋଗାଇ ଦେବା ଆବଶ୍ୟକ।   ଧବଳଗିରି, ଯାଜପୁର ରୋଡ, ମୋ-୯୮୫୩୨୦୬୧୬୮

Share :