ଭାଇ, ହାଉଲେ ଚାଲ

ଭାଇ, ହାଉଲେ ଚାଲ

Share :

ରବି କାନୁନଗୋ   ରାତିଠାରୁ ଦଗାଦିଆ ଅନ୍ଧକାର, ଦେହଠାରୁ ଦଗାଦିଆ ଛାଇ। ବଳଠାରୁ ଦଗାଦିଆ ଛଳ, ମନଠାରୁ ଦଗାଦିଆ ଆଉ କେହି ନାହିଁ॥   ବାରି ହେବା ପରି ଉଦ୍ଧତ ଖେୟାଲ ଗୋଟିଏ ପରେ ଗୋଟିଏ ଉଚ୍ଚ ଶିକ୍ଷାୟତନକୁ ଗ୍ରାସ କରିବାରେ ଲାଗିଛି। ଆଗେ ଦିଲ୍ଲୀର ଜେ.ଏନ.ୟୁ.ରେ ଆରମ୍ଭ ହେଲା ଓ ପରେପରେ ହାଇଦ୍ରାବାଦ ସେଣ୍ଟ୍ରାଲ‌୍‍ ୟୁନିଭରଟି ଏବଂ ପରେ ନିଆଁ ଲାଗିଲା ଶ୍ରୀନଗର ଏନ.ଆଇ.ଟି.ରେ। ଯାହା ଆପାତତଃ ଜଣାଯାଏ, ତାହା ହେଲା - ୨୦୧୪ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ସେମାନଙ୍କର ଏ ଆବେଗ କୁହୁଳିବାକୁ ଆରମ୍ଭ କଲା ଓ ସେଥିରେ ନିଆଁ ଲାଗିବାକୁ ଦୁଇ ବର୍ଷ ପ୍ରାୟ ଲାଗିଲା। ଦେଶ ୬୯ ବର୍ଷ ତଳୁ ସ୍ବାଧୀନ ହେଲା ଓ ୬୬ ବର୍ଷ ତଳୁ ‘ଗଣତନ୍ତ୍ର’ରେ ପରିଣତ ହୋଇଛି। ଭଲ ବା ଭୁଲ ଯାହାହେଉ, ସେବେଠାରୁ ଶାସନ ପରିଚାଳନାର ବିଧି ବ୍ୟବସ୍ଥା ନିର୍ଦ୍ଧାରଣ ଓ ସଂଶୋଧନ ଚାଲିଛି। ଏବେ ଯେଉଁମାନେ ଏପରି ସଂଶୋଧନ ପ୍ରୟାସରେ ମାତିଛନ୍ତି ସେମାନଙ୍କ ଏକକ ଆଭିମୁଖ୍ୟ ହୋଇଛି - ‘ଭାରତ’କୁ ନୂଆ ବ୍ୟାଖ୍ୟାରେ ଚିହ୍ନଟ କରି ‘ଦେଶଭକ୍ତି’ ପାଇଁ ନୂଆ ନୂଆ ଉପଶବ୍ଦ ସୃଷ୍ଟି କରିବା। ଦେଶର ଯାହା ବରବାଦୀ ହେଉ ପଛେ, ତାହା ସେମାନଙ୍କର ‘ଆଜାଦି’! ଏପରି ଇଚ୍ଛାକୁ ବିଦ୍ରୋହ ଭାବେ ବିଚାର କରି ଆଇନର ଧରା ଅନୁସରଣ କରି ସରକାର ଦମନ କଲେ। ତା’ପରେ ‘ଆଜାଦି’ର ନୂଆ ବ୍ୟାଖ୍ୟା ଶୁଣାଗଲା। କ୍ଷୁଧାରୁ ଅଜାଦି, ଦୁର୍ନୀତିରୁ ଆଜାଦି, ନିରକ୍ଷରତାରୁ ଆଜାଦି ଇତ୍ୟାଦି, ଏବଂ ରାଷ୍ଟ୍ରଠାରୁ ନୁହେଁ - ଅପାରଗ ସରକାରଠାରୁ ଆଜାଦି! ଏଡେ଼ ଦୁନ୍ଦର ପବିତ୍ର ଇଚ୍ଛା, ଆଗରୁ କହିଲନି କାହିଁକି?  ଏସବୁର ଆଭିମୁଖ୍ୟ ଏକା ପରି ଲାଗୁଥିଲେ ସୁଦ୍ଧା, ବାରୁଆଳି-ରୂପ ଏକା ନୁହେଁ। ‘ଭାରତ-ମାତା’ର ଅର୍ଥ ଜେ.ଏନ.ୟୁ.ରେ ଗୋଟେ ପ୍ରକାରେ ତ କାଶ୍ମୀରରେ ଆଉ ପ୍ରକାରେ। ହାସ୍ୟାସ୍ପଦଭାବେ ଶବ୍ଦଗୁଡ଼ିକର ବ୍ୟୁତ୍ପତ୍ତି ଓ ବ୍ୟାଖ୍ୟା କରାଯାଉଛି। କିଏ କହୁଚି, ଆମେ ‘ଭାରତ-ମାତା କୀ ଜୟ’ କହିବୁନି ତ ଏହାକୁ ବିରୋଧ କରି ପ୍ରତିବାଦୀ କହୁଛନ୍ତି - ଖେଳଘର ପଡ଼ିଚି କି? ତୁମକୁ ଆମେ ଛାଡ଼ିବୁନି। ଏଯାଏଁ ଭାରତରୁ ସବୁ ସୁଖସୁବିଧା ଉପଭୋଗ କରି ପର ଦେଶକୁ ପୂଜୁଥିଲ। ଆଉ ହେବନି। ଏବେ ସୁଯୋଗ ଆସିଛି - ତୁମ ନାକ ଧରି ‘ଭାରତ’ ଦେଖେଇ ଦିଆଯିବ। ‘ସେକୁଲାର’ ଢାଲ ଧରି ‘ଭାରତମାତା’ର ବରବାଦୀ ପାଇଁ ଆହ୍ୱାନ ଦେଉଥିବା ସମସ୍ତଙ୍କୁ ‘ଧର୍ମନିରପେକ୍ଷତା’ ଓ ଦେଶଭକ୍ତି ଶିଖେଇଦେବୁ। ଏ ସ୍ଲୋଗାନଡ଼ିକୁ କେହି ରାବିଲେ ବା ନରାବିଲେ ଦେଶର କିଛି କ୍ଷତି ହେବାର ନାହିଁ।  ପ୍ରଶ୍ନ ହେଲା - ଦୀର୍ଘ କାଳ ପରେ ହଠାତ ଏ ‘ସୁଯୋଗ’ କେମିତି ଆସିଲା?  ଏଥିପାଇଁ ମାତ୍ର ଦୃଶ୍ୟମାନ ଚିତ୍ରଗୁଡ଼ିକ ହେଲା - ଇତିମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ.ଡ଼ି.ଏ. ସରକାର କରିଛି ଏବଂ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ସହ ଗୁପ୍ତ ସଂପର୍କ ରଖୁଥିବା ପି.ଡି.ପି. ସହିତ ମିଶି ଭାଜପା ଜମ୍ମୁ-କାଶ୍ମୀରରେ ସରକାର ଗଠନ କରିଛି। ପ୍ରାୟ ଗତ ବର୍ଷେରୁ ଅଧିକ ସମୟ ଧରି ରାଜ୍ୟରେ ରାଜନୀତିକ ଅସ୍ଥିରତା ରହିଛି। କିନ୍ତୁ, ପାକିସ୍ତାନୀ ସୀମାପାରି ଆତଙ୍କବାଦ କାଶ୍ମୀରରେ ନହୋଇ ପଞ୍ଜାବ ସୀମା (ପଠାଣକୋଟ) ଛୁଇଁଲା। ଶ୍ରୀନଗର ଏନ.ଆଇ.ଟି. ତାମସାର ରୂପ ଥିଲା ନିଆରା। ୱେଷ୍ଟ-ଇଣ୍ଡିଜଠାରୁ ଭାରତ କ୍ରିକେଟ ମ୍ୟାଚରେ ହାରିଗଲା। କେତେକ କାଶ୍ମୀରୀ ଛାତ୍ରଛାତ୍ରୀ ଉଲ୍ଲାସରେ କୁଦିଲେ। ଏପରି ଭାରତ ବିରୋଧୀ ଆଚରଣ ପ୍ରଦର୍ଶନ ଘଟଣା ଉପତ୍ୟକାରେ ନୂଆ ନୁହେଁ। ମାତ୍ର ଏଥର ବିବାଦ ବିଚିତ୍ର ଲାଗିଲା ଭିନ୍ନ କାରଣରୁ। ‘ହିନ୍ଦୁତ୍ବ’ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଛାତ୍ରଛାତ୍ରୀ ‘ଭାରତ ମାତା କୀ ଜୟ’ କହି ପ୍ରତିବାଦ କରିବାକୁ ଡେଇଁ ପଡ଼ିଲେ। ସେମାନଙ୍କୁ ଦମନ କରିବାକୁ ପୁଲିସ ଲାଠିଚାର୍ଜ କଲା। ତେଣୁ ଟିଭି ଦୃଶ୍ୟରେ ଦେଖାଗଲା - ତ୍ରିରଙ୍ଗା ଲହରାଉଥିବା ଲୋକେ ଭାରତୀୟ ପୁଲିସଠାରୁ ଠେଙ୍ଗାରେ ପିଟା ଖାଉଥିଲେ! ଏହାର ପ୍ରତିବାଦରେ ‘ହିନ୍ଦୁତ୍ବ’ ପ୍ରେମୀ ହିନ୍ଦୁ ବହୁଳ ଜମ୍ମୁ ଅଞ୍ଚଳରେ ବନ୍ଦ ପାଳନ କଲେ। ଗୋଟିଏ ଜାଗାରେ ଝାଞ୍ଜ ବାଜିଚି ତ କାଶ୍ମୀର ଉପତ୍ୟକାର ଚାରିଆଡେ଼ ଝିଞ୍ଜଟ ବ୍ୟାପି ଗଲା। ବିଶ୍ୱବିଦ୍ୟାଳୟ ଯୁବ ଛାତ୍ରଛାତ୍ରୀଙ୍କ ଦ୍ୱାରା ବଛା ଯାଇଥିବା ଏହି ଯୁଦ୍ଧ-ପଥ ଦେଶ ପାଇଁ ଯନ୍ତ୍ରଣାଦାୟକ। ଆମେ ପଚାରିବୁ – ୟୁନିଭରସିଟି ଆସିଚ, ସେଠି ପାଠ ନପଢ଼ି ‘ବିପ୍ଳବ’ କାହିଁକି କରୁଚ?   ୨. ଆହାର   ମା’ ବୀଣାପାଣି ଆମ ଗୁଣ ଜାଣି ଜାତିକୁ କରିଲେ ଗଣ୍ଡ। ଟୁବୁକାରେ ବେଙ୍ଗ ସମ୍ଭାଳିବାକୁ ପ୍ରେରଣ କଲେ ସେ ଧଣ୍ଡ॥   ଭିକ ମାଗିବାରେ କଉଶଳ ଶିଖା ଛତରଖିଆଙ୍କ ଖଞ୍ଜ। ଫୁଲର ପାଖୁଡ଼ା ସଳଖ ହୁଏନି; ହୁଏନି କୁକୁର ଲାଞ୍ଜ॥   ଚଳଭାଷ-୯୪୩୭୧୯୪୬୦୦

Share :