ବଡ଼ମାନେ ବେକାର, ଶିଶୁମାନେ ଶ୍ରମିକ!

ବଡ଼ମାନେ ବେକାର, ଶିଶୁମାନେ ଶ୍ରମିକ!

Share :

ବିଘ୍ନେଶ୍ୱର ସାହୁ   ଭାରତୀୟ ସମ୍ୱିଧାନରେ ଉଲ୍ଲିଖିତ ଗଣତନ୍ତ୍ର ଏବଂ ଏଥିରେ ବର୍ଣ୍ଣିତ ସ୍ବତନ୍ତ୍ରତା, ସମାନତା, ଭ୍ରାତୃତ୍ବଭାବର ଅର୍ଥ ଦୃଷ୍ଟିରୁ ବିଚାର କଲେ ପ୍ରଚଳିତ ଗଣତନ୍ତ୍ର ମୂଲ୍ୟହୀନ ବୋଧହୁଏ। କାରଣ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ୧୫୦ ନିୟୁତରୁ ଅଧିକ ଶିଶୁ ପାଠପଢ଼ା ଓ ଖେଳକୁଦ ଛାଡ଼ି ପେଟ ପୋଷିବା ପାଇଁ ବିଭିନ୍ନ କଷ୍ଟକର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତନ୍ମଧ୍ୟରୁ ପାଖାପାଖି ୭୫ ନିୟୁତ ଶିଶୁ ଅବହେଳିତ ଅବସ୍ଥାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ସାଧାରଣତଃ ଅତି ବିପଦପୂର୍ଣ୍ଣ ଶିଳ୍ପ କ୍ଷେତ୍ରରେ ନିୟୋଜିତ ରହିଥିବା ଦେଖାଯାଉଛି। ଚମଡ଼ା ଶିଳ୍ପ, ବିଡ଼ି ତିଆରି କୁଟୀର ଶିଳ୍ପ, ଶିବକାଶୀ ପରି ଦେଶର ବିଭିନ୍ନ ସ୍ଥାନରେ ଥିବା ବାଣ ଓ ବାରୁଦ ତିଆରି କାରଖାନା, କାଶ୍ମୀର ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସବୁରେ ଥିବା କାର୍ପେଟ କୁଟୀର ଶିଳ୍ପ, ଗୁଜରାଟର ସୁରତ ଏବଂ ମୁମ୍ୱାଇ ଭଳି ସହରରେ ଥିବା ହୀରା ପଲିସିଂ ଭଳି ଅତି ବିପଦପୂର୍ଣ୍ଣ ଲଘୁ ଶିଳ୍ପ କ୍ଷେତ୍ରରେ ଏମାନେ ନିୟୋଜିତ ରହିଛନ୍ତି। ସାମାଜିକ, ସାଂସ୍କୃତିକ ତଥା ଜାତି, ବର୍ଣ୍ଣ, ବୈଷମ୍ୟତା ଇତ୍ୟାଦି କାରକଗୁଡ଼ିକ ମୁଖ୍ୟତଃ ଭାବେ ଶିଶୁ ଶ୍ରମିକମାନଙ୍କୁ ଗଢ଼ି ତୋଳିବାରେ ଦାୟୀ ଅଟେ। ଏହି କାରକଗୁଡ଼ିକ ଶିଶ୍ରୁ ଶ୍ରମିକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଅର୍ଥନୈତିକ-ସାମାଜିକ କାରକଗୁଡ଼ିକ ମଧ୍ୟ ଦାରିଦ୍ର୍ୟ, ବେକାରୀ ତଥା ନିରକ୍ଷରତା ସୃଷ୍ଟି ପାଇଁ ଖୋରାକ ଯୋଗାଇଥାଏ। ହାରାହାରି ୯୦ ପ୍ରତିଶତ ଶିଶୁଶ୍ରମିକ ଅସ୍ପୃଶ୍ୟ ଜାତି ତଥା ଆଦିବାସୀ ଗୋଷ୍ଠୀ ମଧ୍ୟରୁ ଆସିଥାନ୍ତି। ଏହି ବର୍ଗ ଏବେ ବି ଅବହେଳିତ ଓ ଅବାଞ୍ଛିତ ହୋଇରହିବା ଭାରତୀୟ ଗଣତନ୍ତ୍ରର ଚରମ ବିଫଳତାର ସୂଚନା ଦିଏ। ଭାରତବର୍ଷରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ନିମନ୍ତେ ୧୯୮୪ ମସିହାରେ ଏକ ନିୟମ ପ୍ରଚଳିତ ହୋଇଥିଲା ଓ ଉଚ୍ଚ ନ୍ୟାୟାଳୟରେ ବି.ଏଲ‌୍‍,ଏଲ.ଏଫ. ପିଟିସନ ଅନୁଯାୟୀ ୩୨ ଜଣ ଶିଶୁ ଶ୍ରମିକଙ୍କୁ ଏହି ନିର୍ଯାତନାରୁ ରକ୍ଷା କରାଯାଇ ପାରିଥିଲା। ୬ରୁ ୧୪ ବର୍ଷ ମଧ୍ୟରେ ଥିବା ଦୁସ୍ଥ ଭାଗ୍ୟଧାରୀ ଶିଶୁ ବିହାରର ପାଲାମା ଜିଲ୍ଲାର ଚିଚୋରି ଗ୍ରାମରୁ ଅପହୃତ ହୋଇଥିଲେ ଏବଂ ସେମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ବେଲୱାରୀ ଗ୍ରାମର ତନ୍ତମାଲିଙ୍କ ପାଖରେ ଅତି ଦୟନୀୟ ଭାବରେ ଖଟୁଥିଲେ। ଏହି ଦୁସ୍ଥ ଭାଗ୍ୟଧାରୀ ପିଲାମାନଙ୍କୁ ବାଉଁଶ ବେତରେ ମାଡ଼ ମରାଯିବା ସହ ପଣସ ଗଛର ଅଗ୍ରଭାଗରେ ଝୁଲାଇବା ଓ ତତଲା ଲୁହା ଦ୍ବାରା ଚେଙ୍କ ଦେବା ଭଳି ଅତି ଅମାନୁଷିକ ନିର୍ଯାତନା ଦିଆଯାଉଥିଲା। ସମୁଦାୟ କାର୍ପେଟ ଶିଳ୍ପାଞ୍ଚଳ ତଥା ମିର୍ଜାପୁର ଓ ଭାଦୋହି ଅଞ୍ଚଳ ଶିଶୁ ଶ୍ରମିକମାନଙ୍କ ଲାଗି ସମୃଦ୍ଧଶାଳୀ। ବିଏଲଏଲଏଫ ଏହି ଅତ୍ୟାଚାରିତ ଶିଶୁଶ୍ରମିକଙ୍କୁ ସେମାନଙ୍କର ଜନ୍ମସ୍ଥାନରେ ସୁରକ୍ଷିତ ଭାବେ ପହୁଞ୍ଚାଇ ଦେଇଥିଲା। ଭାରତୀୟ ସମ୍ୱିଧାନର ସୂଚୀ୧୫(୩), ୨୩, ୨୪, ୩୯(ଙ), ୩୯(ଚ) ଏବଂ ୪୫ ଧାରାର ବ୍ୟବସ୍ଥା ଅନୁଯାୟୀ ଏହାକୁ ପ୍ରତିରୋଧ କରାଯାଇଥିଲା। ଫଳେର ୧୯୭୬ ମସିହାରେ ଶିଶୁଶ୍ରମିକ ରେଗୁଲେଟଂି ନିୟମ କାର୍ଯ୍ୟକାରୀ ହେବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଥିଲେ। ବର୍ତ୍ତମାନ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁଶ୍ରମିକ କାର୍ପେଟ ଶିଳ୍ପର କାମ କରୁଛନ୍ତି। ବିଚାର ବିଭାଗର ହସ୍ତକ୍ଷେପ ଦ୍ବାରା ମାତ୍ର କିଛି ହାତ ଗଣତି ଶିଶୁ ଶ୍ରମିକ ଏଭଳି ଏକ ଦାସତ୍ବପ୍ରଥାରୁ ରକ୍ଷାପାଇ ନିଜ ଘରକୁ ଫେରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କେତେକ ଅଣସରକାରୀ ସଂସ୍ଥା ବା ଏନ‌ଜିଓର ହସ୍ତକ୍ଷେପ ଫଳରେ ଦାସତ୍ବ ପ୍ରଥାର ଉଚ୍ଛେଦ କିଛି ମାତ୍ରାରେ ସମ୍ଭବ ହୋଇଛି। ସାଧାରଣତଃ ଶିଶୁଶ୍ରମିକ ପ୍ରଥା ଆମ ସମାଜ ପ୍ରତି ଲଜ୍ଜାବୋଧକ, ଯାହାକି ସାମାଜିକ, ଅର୍ଥନୈତିକ ଏବଂ ଐତିହାସିକ ପ୍ରଗତିକ୍ଷେତ୍ରରେ ଏକ ବିରାଟ ପ୍ରତିବନ୍ଧକ ସାଜି ଛିଡାହୋଇଛି। ମୁଖ୍ୟତଃଭାବେ ଦାରିଦ୍ର୍ୟ, ନିରକ୍ଷରତା, ବେକାରୀସମସ୍ୟା  ଆଦି କାରଣ ଯୋଗୁଁ ନିୟୁତ ସଂଖ୍ୟାରେ ଶିଶୁଶ୍ରମିକଭାବରେ ସୃଷ୍ଟି ହେବାକୁ  ଏକରକମ ବାଧ୍ୟ ହୋଇଛନ୍ତି ଜାତିର ଆଗାମୀ ଭବିଷ୍ୟତମାନେ। ଶିଶୁଶ୍ରମିକ ପ୍ରଥାକୁ ଆମେ ଅନ୍ୟ ଏକ ଦୃଷ୍ଟିକୋଣରୁ ବିଚାର କରିପାରିବା। ଗବେଷକମାନଙ୍କ ମତରେ ଶିଶୁଶ୍ରମିକ ପ୍ରଥା ପାଇଁ ବେକାରୀ, ଦାରିଦ୍ର୍ୟ, ନିରକ୍ଷରତା ତଥା ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏକ ଓ ଅଭିନ୍ନ କାରଣ। ଆଜିର ଭାରତବର୍ଷରେ ୭୦ ନିୟୁତରୁ ଅଧିକ ଶିଶୁ ଶ୍ରମିକ ଦାସତ୍ବରେ ଆବଦ୍ଧ। ଏକ ଆକଳନରୁ ଜଣାଯାଏ ଯେ ବର୍ତ୍ତମାନର ଶ୍ରମିକମାନଙ୍କର ସଂଖ୍ୟା ୧୯୪୭ ମସିହାରେ ଥିବା ଶ୍ରମିକସଂଖ୍ୟା ସହିତ ପ୍ରାୟତଃ ସମାନ୍ତର ଭାବେ ଗତି କରୁଅଛି। ଆଜିର ଦୁନିଆରେ ଶିଶୁଶ୍ରମିକଙ୍କ ସଂଖ୍ୟା ଆନୁମାନିକ ଭାବେ ୨୫ ନିୟୁତ ଥିବା ବେଳେ ବୟସ୍କ ବେକାରଙ୍କ ସଂଖ୍ୟା ମଧ୍ୟ ପ୍ରାୟତଃ ସମାନ ଅଟେ। କୌଣସି ସରକାର ଶିଶୁଶ୍ରମିକ ପ୍ରଥାର ବିନା ଉଚ୍ଛେଦୀକରଣ ଦ୍ୱାରା ସୃଷ୍ଟି ହୋଇଥିବା ବେକାରୀ ସମସ୍ୟାକୁ ଦୂରୀଭୂତ କରିପାରିବେ ନାହିଁ। କାରଣ ପ୍ରତିବର୍ଷ କର୍ମସଂସ୍ଥାମାନେ ବିଭିନ୍ନ କର୍ମସୁଯୋଗ ସୃଷ୍ଟି କରୁଥିଲେ ହେଁ ଶିଶୁଶ୍ରମିକମାନଙ୍କୁ ଶାରୀରିକ ଓ ମାନସିକଭାବେ ନିର୍ଯାତନା ଦେଇ ଶୋଷଣ କରାଯାଉଛି। ସର୍ଭେ ରିପୋର୍ଟ ଅନୁଯାୟୀ ଯଦି ଶିଶୁଶ୍ରମିକ ପ୍ରଥାକୁ ଉଚ୍ଛେଦ କରା ନଯାଏ, ତେବେ ଏହା ଦେଶର ପ୍ରଗତି କ୍ଷେତ୍ରରେ ଅନ୍ତରାୟ ହୋଇ ଛିଡ଼ାହେବ, ଏଥିରେ ଦ୍ୱିମତ ନାହିଁ। ସମ୍ଭବତଃ ନିରକ୍ଷରତା ଓ ଶିଶୁଶ୍ରମିକ ପ୍ରଥା ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ଯେଉଁ ଅଞ୍ଚଳରେ ଶିଶୁମାନଙ୍କ ପାଇଁ କର୍ମସଂସ୍ଥାନର ସୁଯୋଗ ଥାଏ, ସେଠାରେ ଶିଶୁମାନେ ଅଧାରୁ ସ୍କୁଲ ଯିବା ବନ୍ଦ କରିଥାନ୍ତି। ତେଣୁ ଏହା କୁହାଯାଇ ପାରେ ଯେ ଶିଶୁଦାସତ୍ୱ ପ୍ରଥାର ବିନା ଉଚ୍ଛେଦୀକରଣରେ ନିରକ୍ଷରତା ଭଳି କଳଙ୍କକୁ ମଧ୍ୟ ଦୂର କରାଯାଇପାରିବ ନାହିଁ। ଶିଶୁଶ୍ରମିକ ବା ଦାସତ୍ୱ ଯାହା ଆଖ୍ୟା ଦିଆଯାଉନା କାହିଁକି, ଏହି ପ୍ରଥା କେବଳ ଭାରତବର୍ଷରେ ନୁହେଁ ବରଂ ସମଗ୍ର ଦକ୍ଷିଣ ଏସିଆରେ ପରିବ୍ୟାପ୍ତ । ଭାରତ, ପାକିସ୍ଥାନ, ନେପାଳ, ବଙ୍ଗଳାଦେଶ ଓ ଶ୍ରୀଲଙ୍କା ଭଳି ସାର୍କ ରାଷ୍ଟ୍ରଭୁକ୍ତ ଦେଶ ଓ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରରେ ଥିବା କେତେକ ଅଣସରକାରୀ ସଂସ୍ଥା ଶିଶୁଶ୍ରମିକ ପ୍ରଥାର  ବିରୋଧ କରିଛନ୍ତି । ୧୯୮୯ ମସିହାରେ କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରଥମେ ୬୦ଟି ବେସରକାରୀ ସଂସ୍ଥାଙ୍କର ଯୋଗଦାନ ପରେ ସେଥିରେ ସାମିଲ ହୋଇଥିଲେ ଶତାଧିକ  ନାମୀ ଦାମୀ ସଂସ୍ଥା। ଆଜି କେବଳ କାର୍ପେଟ ଶିଳ୍ପ କାହିଁକି, ଶିଶୁମାନେ କାମ କରୁଥିବା ଅନେକ ବିପଦପୂର୍ଣ୍ଣ କ୍ଷେତ୍ର ବିରୋଧରେ ଏକ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ ହୋଇଅଛି। କିଛି କ୍ଷେତ୍ରରେ ଶିଶୁମାନେ ଦାସତ୍ବରୁ ମୁକ୍ତିର ଆନନ୍ଦ ପାଇ ପାରୁଥିବାବେଳେ ଅନେକେ ମୁକ୍ତିସୂର୍ଯ୍ୟର ପହିଲି କିରଣ ପାଇବା ଅପେକ୍ଷାରେ ଅଛନ୍ତି। ଏଭଳି ଅବସ୍ଥା ପୂର୍ବବତ୍ ଲାଗିରହିଲେ ଏହି ଅତି ଜଘନ୍ୟ ଦାସତ୍ୱ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଅସମ୍ଭବ। ସବୁଠୁ ପରିତାପର ବିଷୟ ଶିଶୁମାନଙ୍କ କୋହକୁ ରାଜନୈତିକ ଦଳମାନେ ନିର୍ବାଚନରେ ପୁଞ୍ଜି ବା ପ୍ରସଙ୍ଗ କରି ରଖିବାରେ ସଫଳ ହୋଇଛନ୍ତି। ପ୍ରଥମ କରି ୧୯୯୩ ମସିହାରେ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ କେତେକ ପ୍ରାର୍ଥୀ ସିଧାସଳଖ ଶିଶୁଶ୍ରମିକ ପ୍ରଥାର ବିଲୋପ ପାଇଁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ। ସଂସଦୀୟ ଇତିହାସରେ ମଧ୍ୟ ଶିଶୁ ଶ୍ରମିକ ପ୍ରଥାର ବିଲୋପ ପାଇଁ ଉଲ୍ଲେଖୀନୟ ଘଟଣାମାନ ଘଟିଛି।  ଏହାର ପରିଣାମ ସ୍ବରୂପ ନେତାମାନେ ମଧ୍ୟ ଶିଶୁଦାସତ୍ୱ ପ୍ରଥାର ଉଚ୍ଛେଦପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ଏବଂ ବାଧ୍ୟତାମୂଳକ ଭାବେ ୧୪ ବର୍ଷ ଯାଏଁ ସମସ୍ତ ଶିଶୁ ପାଠପଢ଼ିବାର ସୁଯୋଗ ନେବାର ସମସ୍ତ କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ। ଯେଉଁ ନେତାମାନେ ଏହାର ବିରୋଧ କରୁଥିଲେ ସେମାନଙ୍କୁ ନିର୍ବାଚନରେ ଭୋଟ ନ ଦେବା ପାଇଁ ବିଭିନ୍ନ ଖବରକାଗଜରେ ଆହ୍ବାନ ଦିଆଯାଇଥିଲା। ୧୯୯୪ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୪୩୭ ଜଣ ବିଧାୟକଙ୍କୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ବିରୋଧୀଦଳର ନେତା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିଦେଶୀ ଅଣସରକାରୀ ସଂସ୍ଥା ତଥା ଜର୍ମାନ, ବ୍ରିଟେନ, ଯୁକ୍ତରାଜ୍ୟ, ସ୍ୱିଡେନ ଓ ନେଦରଲ୍ୟାଣ୍ଡ ଭଳି ଦେଶମାନେ  ଶିଶୁ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ ହଉଥିବା ବିଭିନ୍ନ ସାମଗ୍ରୀକୁ ବର୍ଜନ ଏବଂ ପୋଡ଼ିବା ସହ ସରକାରଙ୍କ ଉପରେ ଏହାର ଉଚ୍ଛେଦ ପାଇଁ ପ୍ରବଳ ଚାପ ପକାଇଥିଲେ। ଆନ୍ଦୋଳନର ଫଳସ୍ୱରୂପ ଶିଶୁଦାସତ୍ବ ପ୍ରଥା ଦ୍ବାରା ସୃଷ୍ଟିହେଉଥିବା ବିଭିନ୍ନ ସାମଗ୍ରୀ ଉପରେ କଟକଣା ଲାଗୁକରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତାର ସିନେଟ ସଭାରେ ଟମ ହାରକିନ ନାମକ ଏକ ପ୍ରସ୍ତାବ ଆଗତ କରିଥିଲା। ୟୁରୋପୀୟ ସଂସଦ ମଧ୍ୟ ଦାସତ୍ବପ୍ରଥାର ବିଲୋପ ସାଧନ ନିମନ୍ତେ ଏକ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିଥିଲେ। ଯାହକି ଭାରତର କେତେକ ଶିଳ୍ପପତି ତଥା ବ୍ୟବସାୟୀଙ୍କର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଜାତୀୟ ମାନବାଧିକାର କମିଶନରଙ୍କ ମାଧ୍ୟମରେ ବିଗତ କିଛି ବର୍ଷ ହେଲା ଶିଶୁଶ୍ରମିକ ପ୍ରଥାର ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଆସୁଛି। ଯେତେବେଳେ ଲୋକମାନେ ଦାସତ୍ବପ୍ରଥା ବିରୋଧରେ ଆନ୍ଦୋଳନ କରିବେ ସେତେବେଳେ ଶିଶୁଶ୍ରମିକଙ୍କ ବଦଳରେ ବୟସ୍କମାନେ କାର୍ଯ୍ୟ କରିବେ। ସମସ୍ତ ସୁବିଧା ସୁଯୋଗକୁ ହାତମୁଠାରେ କାବୁକରି ଶିଶୁମାନଙ୍କର ସୁନେଲୀ ଭବିଷ୍ୟତକୁ ଆହୁରି ଅଧିକ ଆକର୍ଷଣୀୟ କରିବାପାଇଁ ସମସସ୍ତେ ଏକରକମ ବାଧ୍ୟ ହେବେ। କାର୍ଯ୍ୟନିର୍ବାହୀ ସମ୍ପାଦକ, ସମଦୃଷ୍ଟି, ମୋବାଇଲ- ୯୪୩୭୯ ୨୦୪୪୭

Share :