ସାମ୍ପେନ ଓ କ୍ୟାମ୍ପେନ୍

ସାମ୍ପେନ ଓ କ୍ୟାମ୍ପେନ୍

Share :

ରୁଦ୍ର ପ୍ରସନ୍ନ ରଥ   ଆପଣ ସୁରାର ଭକ୍ତ ହୋଇଥାଆନ୍ତୁ ବା ନ ହୋଇଥାନ୍ତୁ ସାମ୍ପେନ ଶବ୍ଦଟି ଆପଣଙ୍କ କାନରେ ପଡିଥିବ ନିଶ୍ଚୟ ଓ ସେହିପରି ଆପଣଙ୍କର ସମସ୍ୟା ଛୋଟ ହେଉ ବା ବଡ, ତାକୁ ନେଇ ସରକାରୀ ଆଉ ବେସରକାରୀ ସ୍ତରରେ ଅନେକ ପ୍ରକାର ଅଭିଯାନ ବା କ୍ୟାମ୍ପେନ ଚାଲୁଥିବା ବିଷୟ ବି ଶୁଣିଥିବେ। ଆଗକୁ ମଧ୍ୟ ହେବ। ଜଳ ସଂରକ୍ଷଣ ହେଉ ବା ତୈଳ ସଂରକ୍ଷଣ ଅଥବା ଯୌତୁକ ସମସ୍ୟାର ନିରାକରଣ, ପୁଣି ମହିଳା ହିଂସା ବା ଛାତ୍ରଛାତ୍ରୀଙ୍କର ବ୍ୟାଗର ବୋଝ ହାଲକା କରିବା ଏସବୁ ସମସ୍ୟାକୁ ନେଇ ଅନେକ ଅଭିଯାନ ବା କ୍ୟାମ୍ପେନ ହୋଇଛି। ସାମ୍ପେନ ଆଉ କ୍ୟାମ୍ପେନ ମଧ୍ୟରେ ଥିବା କିଛି ସାଦୃଶ୍ୟ ଖୁବ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥାଏ। ବିୟର ପାନରୁ ମଦ ଅଭ୍ୟାସ ଆରମ୍ଭ କରିଥିବା ଲୋକଟା ଦିନେ ନା ଦିନେ ନିଜ ଜୀବନର ସାମ୍ପେନର ସ୍ୱାଦ ଚାଖିବାକୁ ଅନାଇ ବସିଥାଏ। ସେହିପରି ସମସ୍ୟାଟା ଛୋଟ ଥିଲାବେଳେ ଏହାର ସମାଧାନ ନକରି ଆଖିବୁଜି ଦେଇଥିବା ଶାସନତନ୍ତ୍ର କ୍ୟାମ୍ପେନ ବା ଅଭିଯାନ ମାଧ୍ୟମରେ ଏହାର ନିରାକରଣ ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ନିଜର ନିପାରିଲା ପଣକୁ ଘୋଡାଇବାକୁ ଚେଷ୍ଟାକରି ଯେଉଁ କ୍ୟାମ୍ପେନର ଆୟୋଜନ କରାଯାଏ, ସଚେତନତା ସୃଷ୍ଟି ପାଇଁ ଅଭିଯାନର ବିଶାଳ ଆୟୋଜନ କରି କ୍ୟାମେରା ଆଗରେ ବାହାସ୍ପୋଟ ମାରିବାରେ ଲକ୍ଷ୍ୟ ରଖୁଥିବା ଅଧିକାରୀମାନଙ୍କର ସମସ୍ୟାର ପ୍ରାରମ୍ଭିକ ଅବସ୍ଥାରେ ନିଜର ଅମନୋଯୋଗୀତାକୁ ଗ୍ରହଣ ନକରିବା ସାମ୍ପେନ ପିଉଥିବା ଲୋକର ଯୁକ୍ତି ‘ମୁଁ ମଦ ନୁହେଁ ସାମ୍ପେନ୍ ପିଉଛି’ ପରି ହାସ୍ୟାସ୍ପଦ ମନେ ହୁଏ। ସାମ୍ପେନ୍ ପିଇବା ପାଇଁ ଦଳ ଦରକାର ହୁଏ। ଗିଲାସ ବି। ଅନ୍ୟ ମଦବୋତଲ ପରି ସାମ୍ପେନ୍ ଖୋଲା ଯାଏନି। ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଏ, ଠିକ ସେମିତି ଏକ ଅଭିଯାନ ବା କ୍ୟାମ୍ପେନକୁ ସଫଳ କରିବା ପାଇଁ ବି ସରକାରକୁ ଦଳ ଦରକାର ହୁଏ। ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦଳ, ମହିଳା ସ୍ୱୟଂସହାୟକ ଦଳ, ଗାଁର ବୟସ୍କ ଲୋକଙ୍କ ଦଳ- ଏସବୁର ସହାୟତାରେ ଅଭିଯାନ ଆଗକୁ ଗଡେ। ସାମ୍ପେନରେ କ’ଣ ଥାଏ ସାମ୍ପେନ ପିଉଥିବା ଲୋକଟି ଜାଣିବାକୁ ଚେଷ୍ଟା କରେନି। ଅଭିଯାନ ବା କ୍ୟାମ୍ପେନର ମୂଳଲକ୍ଷ୍ୟ ବିଷୟରେ ନବୁଝି ମଧ୍ୟ ଅନେକ ଦଳ ଏଥିରେ ମାତି ଥିବାର ଉଦାହରଣ ମଧ୍ୟ ବିରଳ ନୁହେଁ। ସାମ୍ପେନ ବୋତଲ ଖୋଲିବା ପରେ ଉପସ୍ଥିତ ସୁରାପାନକାରୀ ଖୁବ ଖସି ହୁଅନ୍ତି। ସେହିପରି କ୍ୟାମ୍ପେନ ଉଦଘାଟନ ପାଇଁ ମଧ୍ୟ ସଭା କରି ଆୟୋଜକ ଖୁସି ହୁଅନ୍ତି । ନୂଆ ନୂଆ କରି ସାମ୍ପେନ ପିଉଥିବା ଲୋକଟା ବା ଅକାଳେ ସକାଳେ ସାମ୍ପେନର ସ୍ୱାଦ ଚାଖିଥିବା ଲୋକଟି ନିଜକୁ ସୌଭାଗ୍ୟଶାଳୀ ପ୍ରତିପତ୍ତି ବିଶିଷ୍ଟ, ଶକ୍ତିଶାଳୀ ଏବଂ ଧନୀ ବୋଲି ବିଚାରିଥାଏ। ସେହିପରି କ୍ୟାମ୍ପେନ ଆୟୋଜନର ନେତୃତ୍ୱ ନେଇଥିବା ଲୋକ ବା ଗୋଷ୍ଠୀକୁ ନିଜକୁ ଶ୍ରେଷ୍ଠ ମୁଣ୍ଡିମାଳ ବୋଲି ବିଚାର କରିଥାଏ। ଅବଶ୍ୟ ଏକଥା ସତ ସାମ୍ପେନ ଶେଷ ପରେ ବୋତଲକୁ ସମସ୍ତେ ଭୁଲିଯାଆନ୍ତି। ଆଉ କ୍ୟାମ୍ପେନ କିମ୍ୱା ଅଭିଯାନକୁ ସଫଳତାର ସହ ଶେଷ କରିଥିବା ଲୋକ ବା ଅନୁଷ୍ଠାନକୁ କିଏ ବା ମନେ ରଖେ? ସାମ୍ପେନ ବୋତଲ ଖୋଲାହେଲା ପରେ ମୁହଁରୁ ବାହାରକୁ ନିଗିଡି ଆସେ। ଗ୍ଲାସରେ ଭର୍ତ୍ତିହେବା ଆଗରୁ କିଛି ଇଡ଼ି ହୋଇଯାଏ। ଅଭିଯାନ ବା କ୍ୟାମ୍ପେନର ଭାଗ୍ୟ ବି ସେଇଆ। ଥରେ ଅଭିଯାନ ଆରମ୍ଭ ହେଲା ବୋଲି ଘୋଷଣା ହେଲା ମାତ୍ରେ ଅନେକ କାର୍ଯ୍ୟକ୍ରମର ଷ୍ଟେଜ ତଳକୁ ଓହ୍ଲାଇ ଆସନ୍ତି। ପଥପ୍ରାନ୍ତ ନାଟକ, ମ୍ୟାଜିକ୍ ଶୋ, ଭାଷଣବାଜି, ରାଲି ପୁଣି ଜନସଭା। ଏସବୁ କ୍ୟାମ୍ପେନର ଲକ୍ଷ୍ୟ ଓ ପ୍ରସାର ଉଦ୍ଦେଶ୍ୟରେ ଲାଗି ଯାଆନ୍ତି। ଆଉ ଏସବୁ ମଧ୍ୟରୁ ଅଧାରୁ ଅଧିକ ଆବଶ୍ୟକତା ନଥିବାରୁ ଏଥିରେ ଅନେକ ଅର୍ଥ ଅପଚୟ ହୋଇଥାଏ। ସାମ୍ପେନ୍ ପିଆ ସରିବାର କିଛି ସମୟ ପରେ ମୁଣ୍ଡରୁ ନିଶା ଉତୁରିଯାଏ। ସାମ୍ପେନ୍ ପିଇଥିବା ଲୋକଟି ଅର୍ଥ ଏବଂ ସ୍ୱାସ୍ଥ୍ୟର ଅପଚୟ କରିସାରିଛି ବୋଲି ଜାଣିଥିଲେ ମଧ୍ୟ ସାମ୍ପେନ୍ ପରି ଦାମିକା ପାନୀୟ ପିଇବାକୁ ସେ ଯେ ସମର୍ଥ ଏନେଇ ସେ ବୃଥା ଅହମିକା ମଧ୍ୟରେ ବଞ୍ଚିଥାଏ। ସେହିପରି କ୍ୟାମ୍ପେନ୍ ବା ଅଭିଯାନ ସରିଲା ପରେ କେତେ ଲାଭବାକ୍ଷତି ହେଲା ତାକୁ ନେଇ ବିଚାର କରାଯିବା ପୂର୍ବରୁ ନିଜର ବସମାନଙ୍କୁ ଖୁସି କରିପାରିଥିବାରୁ କିମ୍ୱା କ୍ୟାମ୍ପେନ୍ ବି ସଫଳ ହୋଇଛି ବୋଲି କହି ମୁଣ୍ଡିଆଳମାନେ ମାୟାଜାଲରେ ମରିଚିକା ସୃଷ୍ଟି କରିଥାନ୍ତି। ପୁଣି ସଫଳତା ହିଁ ଉଭୟ ସାମ୍ପେନ ଏବଂ କ୍ୟାମ୍ପେନର ମୂଳପୁଂଜି। ବିଫଳତା ଯୋଗୁଁ ବା ବିଫଳ ହୋଇଥିବା ଯୋଗୁଁ କେହି କେବେ ସାମ୍ପେନ ପିଉଥିବାର ନଜୀର ନାହିଁ। ପୁଣି ଅଭିଯାନ ନ ଚାଲିଲେବି ବା ବିଫଳ ହେଲେ ବି ଅଭିଯାନ ଆରମ୍ଭ କରିଥିବା ଲୋକ ବା ସଂସ୍ଥା ଏ ବିଫଳତାକୁ ମାନିବାକୁ ପ୍ରସ୍ତୁତ ନଥାଏ। ଅବଶ୍ୟ ଉଭୟ ସାମ୍ପେନ ପିଇବା ଏବଂ କ୍ୟାମ୍ପେନ ଦୁଇଟି ସମୟ ସୀମା ଅର୍ଥ ଉପରେ ନିର୍ଭର କରେ। ସାମ୍ପେନ ପିଇଥିବା ଲୋକଟି ନିଜ ପକେଟରେ ଅର୍ଥ ଥିବା ଯାଏ ସାମ୍ପେନ ପିଉଥିିବାବେଳେ ସରକାରଙ୍କ ତହବିଲରେ ନିର୍ଦ୍ଦିଷ୍ଟ ଅର୍ଥଥିବା ଯାଏ ଏ ଅଭିଯାନ ଚାଲୁଥାଏ। ଭିନ୍ନ ଭିନ୍ନ କମ୍ପାନୀ ପସନ୍ଦ ମୁତାବକ ସାମ୍ପେନ ତିଆରି କରିଥାନ୍ତି। ସେହିପରି ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ କ୍ୟାମ୍ପେନ ବା ଅଭିଯାନ ଆରମ୍ଭ ହୁଏ। ଅବଶ୍ୟ ଉଭୟ ସାମ୍ପେନ ଓ କ୍ୟାମ୍ପେନର ଲକ୍ଷ୍ୟ ସମାନ। ସାମ୍ପେନ ପିଉଥିବା ଲୋକଟି ନିଜର ମାନସିକ ସମସ୍ୟାକୁ ଦୂର କରୁଛି ବୋଲି ଅନୁଭବ କରୁଥିବାବେଳେ କ୍ୟାମ୍ପେନ କରୁଥିବା ଲୋକଟି/ସଂସ୍ଥାଟି ଘୋର ଅର୍ଥନୈତିକ ଏବଂ ସାମାଜିକ ସମସ୍ୟାର ନିକରଣରେର ନିଜର ଯୋଗଦାନ ହୋଇଛି ବୋଲି ଅନୁଭବ କରି ଖୁସି ହୋଇଥାଏ। ଅବଶ୍ୟ ନୀତି ଏବଂ ଆଦର୍ଶ ଦୃଷ୍ଟିରୁ ସାମ୍ପେନ ଏବଂ କ୍ୟାମ୍ପେନକୁ ବିରୋଧ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିମାନଙ୍କ ସଂଖ୍ୟା ମଧ୍ୟ ଏ ଦେଶରେ କମ ନୁହେଁ। କ୍ୟାମ୍ପେନକୁ ବିରୋଧ କରି ଏବଂ ପଞ୍ଚତାରକା ହୋଟେଲର ସାମ୍ପେନ ସଂସ୍କୃତିକୁ ବିରୋଧରେ ବୟାନବାଜି କରି ଗଣମାଧ୍ୟମରେ ଶିରୋନାମା ଯୋଗାଡ କରୁଥିବା ଲୋକ ଏବଂ ସଂସ୍ଥା ସହଜରେ ପ୍ରସିଦ୍ଧି ପାଇପାରନ୍ତି। ସମସ୍ୟାକୁ ମୂଳରୁ ନିରାକରଣ କଲେ କ୍ୟାମ୍ପେନ ଏବଂ ମଦ୍ୟପାନକୁ ବିରୋଧ କଲେ ସାମ୍ପେନର ଆବଶ୍ୟକତା ପଡିବ ନାହିଁ। ଦିନରେ କ୍ୟାମ୍ପେନର ସଫଳତାରେ ଉତ୍ସାହିତ ହୋଇ ରାତ୍ରିରେ ସାମ୍ପେନ ବୋତଲ ଖୋଲୁଥିବା ବାବୁମାନଙ୍କର ଦୌରାତ୍ମ୍ୟରୁ ଏ ଦେଶକୁ କିଛିଟା ମୁକ୍ତି ମିଳିବ।  ଧବଳଗିରି, ଯାଜପୁରରୋଡ, ମୋ-୯୮୫୩୨୦୬୧୬୮

Share :