କନ୍ଦର୍ପ ପୁଷ୍ପବାଣେ ଟାଣ

କନ୍ଦର୍ପ ପୁଷ୍ପବାଣେ ଟାଣ

Share :

ରବି କାନୁନଗୋ   କାନ୍ତିବନ୍ତ ମାତୁଳଙ୍ଗ ପ୍ରାୟେ ଯେବେ ହେଲା। କନ୍ଦର୍ପ ଜ୍ୱରରେ ମନ ଏଥିରେ ରହିଲା। (‘ରସ କଲ୍ଲୋଳ’ : ଦୀନକୃଷ୍ଣ ଦାସ) ସିଏ କନ୍ଦର୍ପଟି, ତୃପ୍ତ ନହେଲେ କିଛି କାମ କରେଇ ଦବନି। କବି କହିଛନ୍ତି, ଏହାର ପୁଣି କାଳ ବେଳ ଅଛି। କନ୍ଦର୍ପ ଦର୍ପ ହୋଇଲା ଅତିଶୟ ଦକ୍ଷିଣୁ ପବନ ବହିଲା। ମାନେ, ଦକ୍ଷିଣରୁ ପବନ (ମଳୟ) ନବହିଲେ କନ୍ଦର୍ପ ବାଣ କାଟୁ କରିବନି। ମଲା ମଣିଷ! ସବୁ ଦିନେ କ’ଣ ଦକ୍ଷିଣା ବହିବ? ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ରେ ଲେଖିଛନ୍ତି - ଫଗୁଣ ଚୈତ୍ର ବସନ୍ତରେ / ମୃଦୁ ମଳୟ ମନ ହରେ। ଯଦି ମଳୟ ନବହେ, କନ୍ଦର୍ପ-ରତିଦେବୀଙ୍କର କିଛି କାମ ନାହିଁ। ସେମାନେ କ’ଣ ବର୍ଷକୁ ମୋଟେ ଦି’ ମାସ ଡିଉଟି କରି ବାକି ସମୟ ନିଜ ଭିତରେ ଶର ମରାମରି ହେବେ କି? ସବୁ ଦେବାଦେବୀ ଥ୍ରି-ସିକ୍ସିଟି-ବାଇ-ଟ୍ବେଣ୍ଟିଫୋର୍-ବାଇ-ସେଭେନ୍ ଭକ୍ତ ସେବାରେ ବ୍ୟସ୍ତ ରହୁଥିବା ବେଳେ, ଏ ଦି’ ଜଣଙ୍କୁ ଏମିତି କାହିଁକି ଛାଡ଼ ଦିଆଗଲା? ଦେବତାମାନେ ଆପତ୍ତି କଲେ। ବ୍ରହ୍ମା କହିଲେ - ଡୋଣ୍ଟ ୱରି। ତୁମମାନଙ୍କର ବହୁତ ରେଷ୍ଟ‌୍‍; ଏମାନେ କିନ୍ତୁ ଚବିଶ ଘଣ୍ଟିଆ।  ରତି-କାମଦେବ ମଧ୍ୟ ଦୁଃଖିତ। ଦେବତା ଷ୍ଟାଟସ୍ ଦେଇ ଆମକୁ ନଜରଆନ୍ଦାଜ କରାଯାଉଛି କାହିଁକି? ସମସ୍ତେ ଅହୋରାତ୍ରି ପୂଜା ପାଇବେ, ଆମେ ଖାଲି ଦକ୍ଷିଣା ପବନକୁ ଅନେଇ ବସିବୁ।  ଉତ୍ତରରେ ବ୍ରହ୍ମା କହିଲେ - ମୋଟେ ବ୍ୟସ୍ତ ହୁଅନ୍ତି, ତୁମେ ଦୁହେଁ ହେବ ସୃଷ୍ଟିର ଆଦି କର୍ତ୍ତା। ଜୀବ ଜଗତରେ ସମସ୍ତଙ୍କ ଅଧୀଶ୍ୱର। ତୁମ ପୂଜା ପାଇଁ ମଣିଷ କୌଣସି ଦିଗ, ଋତୁ ବା ପବନକୁ ଅପେକ୍ଷା କରିବ ନାହିଁ। କୁଆଡ଼ୁ କେଉଁଠିକି ଡେଇଁ ସବୁ ଠାକୁରଙ୍କୁ ହାତତାଳି ମାରି କୋଉ ଛଟକରେ ତୁମ ପାଖରେ ପହଞ୍ଚି ଯିବ। ତୁମେ ସମସ୍ତଙ୍କଠୁଁ ପାୱାରଫୁଲ୍। ହେଲେ, ଗୋଟିଏ କଥା ମନେ ରଖିଥିବ। ଅଜଣା ପୃଥିବୀକି ଯାଉଚ, ସେଠି ମଣିଷ ନାମକ ପ୍ରାଣୀ ସକାଶେ ଟିକେ ଅଧିକ ସତର୍କ ରହିବ। ସେମାନଙ୍କୁ ତୁମ ରୂପ ଦୃଶ୍ୟ ହେଲେ, କଛାରେ ଚାରେଣି ଛନ୍ଦି ତୁମକୁ ବିଦା କରିଦେବେ। ମାତ୍ର ଡରନି। ଯେଉଁ ଅସ୍ତ୍ର ପାଇବ, ତାହା ମଧ୍ୟ ହେବ ତୁମ ପରି ଅନନ୍ୟ ଓ ଅଦୃଶ୍ୟ। (ମାନେ ଆଜି ବ୍ୟାଖ୍ୟାରେ - ଆଇ.ପି.ସି.ରେ ଏ ଶର ପାଇଁ ଧାରା ନାହିଁ।) ତୁମର ଗୋଟିଏ ଗୁଳି ମଣିଷ ଅକ୍ତିଆର କରିଥିବା ଚତୁର୍ବର୍ଗ ସମ୍ଭାର (ଧର୍ମ, ଅର୍ଥ, କାମ ଓ ମୋକ୍ଷ)କୁ କ୍ଷଣକରେ ଧ୍ୱଂସ କରି ପାରିବ।  ଏ ଶକ୍ତି ହାସଲ କରିଥିବାରୁ ମୋଟେ ଉନ୍ମତ୍ତ ହେବନାହିଁ। ହୁସିଆର ଥିବ, ଭକ୍ତ ଯେମିତି ରୂପ ଦେଖି ନପାରେ। ଜାଣିଥା’ ଯେ ତୁମ ନାଁରେ ଯେଉଁ ଦିନ ମନ୍ଦିର ତିଆରି ହେବ - ସେଦିନ ତମେ ମରିଯିବ। ପାଣି ବୁନ୍ଦାଏ ପାଇବନି କି କେହି ସେଠିକି ଆସିବେନି। ତା’ ପରେ ‘ବ୍ୟାକ୍-ଟୁ-ପାଭେଲିଅନ୍’ - ଫେରି ଆସିବ ସ୍ୱର୍ଗକୁ। ସେଠି ମାଳୀ କି ଚପରାସି କାମ କରିବ। ମନେ ରଖିବ - ସର୍ଜନାର ଦାୟିତ୍ୱ ତୁମର। ମଣିଷ ନିଜର ଧ୍ୱଂସ ନିଜେ ଭଲ କରି ପାରିବ! ‘ଅଲ୍-ଦି’-ବେଷ୍ଟ’ କହି ବ୍ରହ୍ମା ଏମାନଙ୍କୁ ବିଦା କଲେ।   ୨. ବିବାହ ବିବାଦ : ତଣ୍ଡିବା ଦଣ୍ଡିବା ଏକାକାର   ବିବାଦଟି ଏହିପରି। ଦି’ ଜଣ ପଟାପଟି ହୋଇ ମନ୍ଦିରରେ ଓ ବିବାହ-କୋର୍ଟରେ ରେଜେଷ୍ଟ୍ରି କରି ବାହାହେଲେ। ଗୋଟାଏ ବର୍ଷ ବି ଯାଇନି, ଆଉ ଦୁହିଁଙ୍କ ମନ ମିଶିଲାନି। କୋର୍ଟ କାଗଜାତ୍ ଅନୁସାରେ ରମଣୀ ଅବସାଦଗ୍ରସ୍ତ ହେଲେ, କାରଣ ସେ ଅନୁଭବ କରୁଥିଲେ ଯେ ସ୍ବାମୀ ତାଙ୍କଠାରୁ ଶିକ୍ଷାରେ କମ୍ ଓ ସେଥିପାଇଁ ତାଙ୍କୁ ଲାଜ ମାଡ଼ୁଛି। ପ୍ରେମ କଲାବେଳେ ସେ କଥା ଜଣା ନଥିଲା କି? ପତ୍ନୀ କହିଲେ, ପଛ କଥା ଭୁଲି ଯା’। ଭୁଲ ଦୁହେଁ କରିଛେ। ସ୍ୱାମୀ ପ୍ରସ୍ତାବ ଦେଲେ, ଚାଲ ସେ ରେଜେଷ୍ଟ୍ରି କାଗଜପତ୍ର ଚିରି ଫୋପାଡ଼ି ଦେବା। ଠାକୁର କି କୋର୍ଟ କେହି ଆମକୁ ତଦାରଖ କରିବାକୁ ଆସିବେନି। ତା’ପରେ ଅବିବାହିତ ପରି ତୁମେ ତୁମ ବାଟରେ ଓ ମୁଁ ମୋ ବାଟରେ ରହିବି। ଏପର୍ଯ୍ୟନ୍ତ ତୁମେ ଯେତେ ସବୁ ଅପବିତ୍ର ଦୁଷ୍କର୍ମ କରିଚ, ମୁଁ ଭୁଲିଯିବି। ସ୍ତ୍ରୀ ଏ ପ୍ରସ୍ତାବରେ ରାଜି ହେଲେନି। କହିଲେ - ମୋ ପାୱାର ଜାଣିନା। ହିନ୍ଦୁ ବିବାହ ବିଚ୍ଛେଦ ଆଇନର ରୂପ ଦେଖିଚ ଟି? ମୋ ଭରଣ ପୋଷଣ ପାଇଁ ଖର୍ଚ୍ଚ ଯୋଗେଇବା ଦାୟିତ୍ବ ତୁମର। ଅଧିକନ୍ତୁ, ପେନାଲ୍-କୋଡ‌୍‍ରେ ୪୯୮-ଏ ଦଫା ଅଛି। ଥରେ ଜେଲରେ ପଶିଲେ ଆଉ ସହଜରେ ବାହାରି ପାରିବନି। ମୁଁ କୋର୍ଟକୁ ଯିବି। ଗଲେ ବି। ସେଠି ସ୍ବାମୀ ନିଜର ସବୁ ଦୁଃଖ ବୟାନ କଲେ। ଆଇନ ଟାଣ। ହାକିମ ମୋଟେ ଶୁଣିଲେନି। ଦୁଃଖିତା ପତ୍ନୀଙ୍କ ଭରଣ ପୋଷଣ ପାଇଁ ମାସକୁ ବାର ହଜାର ଟଙ୍କା ଅର୍ଡର କଲେ। ମହିଳା ଜଣକ ଏ ନିଷ୍ପତ୍ତିରେ ଅରାଜି ହୋଇ ଉପର କୋର୍ଟରେ ଅପିଲ୍ କଲେ। ପଚାଶ ହଜାର ରୋଜଗାର କରୁଥିବାରୁ ମୋ ଭାଗ ପଚିଶ। ଅପିଲ୍ କୋର୍ଟରେ ବିଚାରପତି ଜଣେ ମହିଳା। ସେ ପୂର୍ବ କୋର୍ଟ ଆଦେଶକୁ ରଦ୍ଦ କରି ନୂଆ ନିଷ୍ପତ୍ତି ନେଲେ। ତୁମେ ଉଚ୍ଚ ଶିକ୍ଷିତା। ‘କୁପିଡ଼ସ ନୁଇସେନ୍ସ’ (କନ୍ଦର୍ପ ଟାଣ) ଜାଣିଲନି କାହିଁକି? ତେଣୁ ନିଜେ କାମ କର ଓ ପେଟ ପୋଷ। ବିବାହ ବିଚ୍ଛେଦ ଗ୍ରାଣ୍ଟ କରିଦେଲେ! (ସୂଚନା: ‘ହିନ୍ଦୁସ୍ତାନ ଟାଇମ୍ସ’, ନିଉଦିଲ୍ଲୀ, ମାର୍ଚ୍ଚ ୨୩, ୨୦୧୬)

Share :