ସରକାର ଭୁଲ୍, ଲୋକେ କୁଲ୍!

ସରକାର ଭୁଲ୍, ଲୋକେ କୁଲ୍!

Share :

ଦେବନ୍ଦ୍ର ପୃଷ୍ଟି   ମାର୍ଚ୍ଚରେ ରେକର୍ଡ଼। ଏପ୍ରିଲରେ ବି ରେକର୍ଡ଼। ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗି ଚାଲିଛି ଭୁବନେଶ୍ବର। ଆଉ ତା’ ସହିତ ଓଡ଼ିଶା। ବସନ୍ତରେ ଆସିଯାଇଛି ଗ୍ରୀଷ୍ମର ଉତ୍ତାପ। ମଳୟ ବଦଳରେ ବହୁଛି ଝାଞ୍ଜି। ଫଗୁଣରେ ବୈଶାଖର ତାତି। ଲୋକେ ତତଲା ପବନରେ ଡହଳ ବିକଳ। ସରକାରଙ୍କ ପାଗ ପରିବର୍ତ୍ତନ ମୁକାବିଲା ଯୋଜନା ଶୀତଳ ଭଣ୍ଡାରରେ। ସେ ବାବଦ ଟଙ୍କା କିଏ କେଉଁ ବାଟେ ଖାଇଲେ ତାହାର କିଛି ହିସାବ ନାହିଁ। ୨୦୧୬ ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୨.୨ ଡିଗ୍ରୀ ଛୁଇଁଲା। ଭାରତୀୟ ପାଣିପାଗ ବିଭାଗ କହିଲା ସେହି ଦିନ ୬୪ ବର୍ଷର ରେକର୍ଡ଼ ଭାଙ୍ଗିଲା ଭୁବନେଶ୍ବର। ଗଲା ୬୪ ବର୍ଷ ଭିତେର କେବଳ ୨୦୧୪ ମାର୍ଚ୍ଚକୁ ଛାଡ଼ିଦେଲେ ଅନ୍ୟ କେଉଁ ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ବରର ତାପମାତ୍ରା ୪୨ ଡିଗ୍ରୀ ଟପି ନଥିଲା। ଏପ୍ରିଲରେ ବି ଆଉ ଥରେ ରେକର୍ଡ଼। ଏପ୍ରିଲ ୧୦ ତାରିଖରେ ଭୁବନେଶ୍ବରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ଼ ହେଲା। ଏହା ହେଲା ୩୦ ବର୍ଷର ରେକର୍ଡ଼। ଶେଷ ଥର ପାଇଁ ୧୯୮୫ ମସିହାର ଏପ୍ରିଲ ମାସରେ ଭୁବନେଶ୍ବର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଟପିଥିଲା। ଏଇ ଲେଖା ସରିଛି କି ନାହିଁ ପାଣିପାଗ ବିଭାଗ ଘୋଷଣା କଲା ଏ ରେକର୍ଡ଼ ବି ଭାଙ୍ଗିଗଲା। ଏପ୍ରିଲ ୧୧ ତାରିଖ ଦିନ ୧.୩୦ ଘଣ୍ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରେକର୍ଡ଼ ହେଲା। ଏହା ହେଲା ସର୍ବକାଳୀନ ରେକର୍ଡ଼। ୧୯୮୫ ଏପ୍ରିଲ ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଥିଲା। ଗତ ଦୁଇ ଦଶନ୍ଧିରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ରେକର୍ଡ଼ ହେଉଛି ୪୭.୬ ଡିଗ୍ରୀ ସେଲସିୟସ। ଗତ ଦୁଇ ଦଶନ୍ଧି ମଧ୍ୟରେ ମାର୍ଚ୍ଚରୁ ଆରମ୍ଭ କରି ଜୁନ- ଖରା ଚାରି ମାସ ଭୁବନେଶ୍ବରର ହାରାହାରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି। ଏହି ପରିସ୍ଥିତି କେବଳ ରାଜଧାନୀ ଭୁବନେଶ୍ବରରେ ସୀମୀତ ନୁହେଁ। ଖରା ଚାରି ମାସ ରାଜ୍ୟର ଅଧିକାଂଶ ସହରର ଅବସ୍ଥା ଠିକ ଏଇଆ। ଏଇ ଖରା ଓ ଉତ୍ତାପ ଯୋଗୁଁ ଟିଟିଲାଗଡ଼କୁ ତତଲାଗଡ଼ ନାଁ ଦେଲେଣି ସାଧାରଣ ଲୋକ। ସୁନ୍ଦରଗଡ଼, ବଲାଙ୍ଗୀର, ଭବାନୀପାଟଣା, ସମ୍ବଲପୁର, ହୀରାକୁଦ, ରାଉରକେଲା, ଅନୁଗୁଳ, ଢେଙ୍କାନାଳ, ତାଳଚେର, ବ୍ରଜରାଜନଗର ଓ ଝାରସୁଗୁଡ଼ା ଆଦି ସହରର ତାପମାତ୍ରା ମଧ୍ୟ ଖରା ଚାରି ମାସ ଅଧିକାଂଶ ଦିନ ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି। ଏହା ନିଶ୍ଚିତ ଭାବରେ ସାଧାରଣ କଥା ନୁହେଁ। ଏହା ଓଡ଼ିଶାର ପାଣିପାଗରେ ଏକ ଅସ୍ବାଭାବିକ ପରିବର୍ତ୍ତନର ସୂଚନା ଏବଂ ଆଗାମୀ ବିପର୍ଯ୍ୟୟର ସଂକେତ। ଏହା କାହାକୁ ଅଛପା ନୁହେଁ। ସରକାର ବି ଜାଣିଛନ୍ତି, ଲୋକେ ମଧ୍ୟ ବୁଝିଛନ୍ତି। ଏହା ହେଉଛି ଆଧୁନିକ ବସ୍ତୁବାଦୀ ବିକାଶ ଓ ବାଛବିଚାରହୀନ ଉପଭୋଗବାଦର ପାର୍ଶ୍ବ ପ୍ରତିକ୍ରିୟା। କେତେକ କ୍ଷେତ୍ରରେ ପରିଣତି। ସମସ୍ୟା ପରି ସମାଧାନ ବି କାହାକୁ ଅଜଣା ନୁହେଁ। ସରକାର ବି ଜାଣିଛନ୍ତି, ଲୋକେ ବି। କିନ୍ତୁ କେହି କିଛି କରିବା ମତଲବରେ ନାହାନ୍ତି। ସରକାର ପାଗ ପରିବର୍ତ୍ତନ ମୁକାବିଳା ପାଇଁ ୩୦୦୦ କୋଟି ଟଙ୍କାର ଯୋଜନା କରି ନିଦଗଲେ ଓ ଲୋକମାନେ ଚା ଖଟିରେ ରାଜନୀତିକ ଚର୍ଚ୍ଚା କରିବା ପରି ଖରାବେଳେ ଦେହ ଜଳିଲା ବେଳେ ଗଛ ଲଗାଇବା କଥା ଚିନ୍ତା କରି ସନ୍ଧ୍ୟାର ସୁଲୁସୁଲିଆ ପବନରେ ଭୁଲିଗଲେ। ସମସ୍ୟା କିନ୍ତୁ ଭୁଲିଲା ନାହିଁ। ତାହା ଦିନକୁ ଦିନ, ବର୍ଷକୁ ବର୍ଷ ଆହୁରି ତୀବ୍ର ଓ ଉତ୍କଟ ହେଲା। ଏଇ ହେଉଛି ଆଜିର ପରିସ୍ଥିତି। ଆଗାମୀ କାଲିର ରୂପ ହୋଇପାରେ ଆହୁରି ଭୟଙ୍କର। କଂକ୍ରିଟ ଘର, ପକ୍କା ସଡ଼କ, ଜଳଭଣ୍ଡାର-ଶୂନ୍ୟ ଜନବସତି, ବୃକ୍ଷହୀନ ବାସସ୍ଥଳୀ, ଗାଡ଼ିମୋଟର ଓ କଳକାରଖାନାର ବାଷ୍ଫ ଓ ଉତ୍ତାପ, କ୍ଲୋରୋଫ୍ଲୁରୋ କାର୍ବନ ଭଳି ଗ୍ରୀନ ହାଉସ ଗ୍ୟାସ ନିର୍ଗତ କରୁଥିବା ଏୟାର କଣ୍ଡିସନର, ଫ୍ରିଜ ଓ ରେଫ୍ରିଜେରେଟର ଭଳି ସଭ୍ୟତାର ବିକାଶ ପଛରେ ଧାଇଁଧାଇଁ ମଣିଷ ଆଜି କେଉଁଠି ପହଂଚିଛି ତାହା ଦିନେ ଏକାମ୍ର କାନନ ନାମରେ ପରିଚିତ ଥିବା ଭୁବେନଶ୍ବରର ଅଧୁନା ଟାଙ୍ଗରା ମାଟି ସ୍ପଷ୍ଟ ଭାବରେ ପ୍ରକାଶ କରେ। ତଥାପି ଏହାର ଜଳସୂତ୍ରଗୁଡ଼ିକୁ ପୋତି ତା’ପରେ ଘର କରିବା ବନ୍ଦ ହୋଇନି। ବନ୍ଦ ହୋଇନି ଏ ସହରର ସଡ଼କ ନିର୍ମାଣ ନାମରେ ସହସ୍ର ସହସ୍ର ବୃକ୍ଷଚ୍ଛେଦନ ଓ ଅଦରକାରି ଭାବେ ଶକ୍ତି ବ୍ୟବହାର। ସରକାର ଯେମିତି ଭୁଲ, ଲୋକେ ସେମିତି କୁଲ୍! ସମସ୍ତେ ଜାଣିଛନ୍ତି ୪୫ ଡିଗ୍ରୀ ତାପମାତ୍ରାରେ ବି ଗଛର ପତ୍ରକୁ ଛୁଇଁଲେ ହାତ ତାତେନି, କିନ୍ତୁ ୪୦ ଡିଗୀ ତାପମାତ୍ରାରେ ଗୋଡ଼ି ପଥର କି ଲୁହା ଇସ୍ପାତ ଛୁଇଁଦେଲେ ହାତରେ ଫୋଟକା ହେବାର ସମ୍ଭାବନା ଥାଏ। ତଥାପି ଲୋକେ ଗଛ କାଟନ୍ତି ଓ କଂକ୍ରିଟର ସହର ବନାନ୍ତି! ସମସ୍ତେ ଜାଣନ୍ତି ଘାସ ଉପରେ ଚାଲିଲେ ଗୋଡ଼ ତାତେନି, କିନ୍ତୁ ମାଟି ବା ମୋରମ ଉପରେ ଚାଲିଲେ ଗୋଡ଼ରେ ଫୁଟୁକା ବାହାରି ପଡ଼େ। ତଥାପି ଲୋକେ ମାଟି ଉପରୁ ଘାସ ସଫା କରିଦିଅନ୍ତି ଓ ଯେତେ ପାଦଚଲା ରାସ୍ତା ଅଛି ସବୁ ପକ୍କାରେ ପରିଣତ କରନ୍ତି। ଭୋଗିବ କିଏ? ଦୋଷ କରିବ ମଣିଷ, ଭୋଗିବେ କ’ଣ ଗ୍ରହନକ୍ଷତ୍ର?

Share :