ଜଳ-ଯନ୍ତ୍ରଣାର ଅନ୍ତ କେବେ?

ଜଳ-ଯନ୍ତ୍ରଣାର ଅନ୍ତ କେବେ?

Share :

ବିଦ୍ୟାଧର ପଣ୍ଡା   ମୃତ୍ୟୁଶଯ୍ୟାରେ ପଡ଼ି କଷ୍ଟ ପାଇବାକୁ ଯମ ଯନ୍ତ୍ରଣା କୁହାଯାଏ। ଏବେ ତା’ଠୁ ବଳିଗଲାଣି ଜଳ-ଯନ୍ତ୍ରଣା। ପାଣି ପାଇଁ ରୀତିମତ ଲଢେଇ। ଓଡ଼ିଶାରେ ପ୍ରତିବର୍ଷ ଖରାଦିନେ ଅଧିକାଂଶ ଗାଁ ଗଣ୍ଡାର ଇଏ ହେଉଛି ସାଧାରଣ ଦୃଶ୍ୟ। କେଉଁଠି ମହିଳାମାନେ ରୋଷେଇ ଓ ପିଇବା ପାଇଁ ପାଣି ପାଇଁ ମାଇଲ ମାଇଲ ବ୍ୟାପୀ ପଦଯାତ୍ରା କରୁଛନ୍ତି ତ ଆଉ କେଉଁଠି କୂଅ ବା ନଳକୂଅ ନିକଟରେ ବାଲଟି, ଗରା ରଖି କଳିତକରାଳ ଯାଏଁ କଥା ଯାଉଛି। ଏହି ବ୍ୟାଧି ଗ୍ରାମାଂଚଳରୁ ସହରାଂଚଳ ଯାଏଁ ସବୁଠି ବ୍ୟାପିଲାଣି। ଜଳକଷ୍ଟର ଚିତ୍ର ଖରାଦିନେ ସବୁ ଗଣମାଧ୍ୟମରେ ଛାଇ ଯାଏ। ରାଜରାସ୍ତାରେ ଗରା, ବାଲଟି, ଡେକଚି ରଖି ମହିଳାଙ୍କ ଆନ୍ଦୋଳନରର ଫଟୋ ଖରବକାଗଜରେ ପୃଷ୍ଠା ଭରିଯାଏ। ଦୟନୀୟ ସ୍ଥିତିକୁ ନେଇ ଟେଲିଭିଜନ ପରଦାରେ ମହିଳାମାନଙ୍କ କରୁଣ ମନ୍ତବ୍ୟ ବିବ୍ରତ କରେ। ନିକଟରେ ଢେଙ୍କାନାଳ ପୌରପାଳିକାର ଘଟିଥିଲା ଏମିତି ଏକ ଆଖି ଖୋଲି ଦେଲା ଭଳି ଘଟଣା।  ସହରର ୨/୩ଟି ୱାର୍ଡର କିଛି ମହିଳା ଜଳାଭାବକୁ ନେଇ ଏମିତି ତାତିଲେ ଯେ, ୨ ଜଣ ବିଭାଗୀୟ ଯନ୍ତ୍ରୀ ନାକେଦମ୍ ହୋଇଗଲେ। ମହିଳାମାନେ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ହଲାପଟା କଲେ, ଚଲାଇ ଚଲାଇ ୱାର୍ଡର ବୁଲାଇଲେ, ଅଚଳ ନଳକୂଅର ହାଣ୍ଡଲ ମାରି କେମିତି ପାଣି ବାହାରୁଛି ଦେଖାଅ ବୋଲି ବାଧ୍ୟ କଲେ। ବିଚରା ଯନ୍ତ୍ରୀମାନେ ମହିଳାଙ୍କ ଶକ୍ତି ଆଗରେ ଅସହାୟ ହୋଇ ସୁନାପିଲା ପରି ଏଭଳି କଲେ। ସବୁବର୍ଷ ଖରାଦିନେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଣିପାଇଁ ଏମିତି ହାହାକର ପରିସ୍ଥିତି ସୃଷ୍ଟି ହୁଏ। କିନ୍ତୁ ସବୁଠି ନାରୀମାନେ ଏଭଳି ଅଗ୍ନିବର୍ଷୀ ହୋଇପାରନ୍ତି ନାହିଁ ଏବଂ ପ୍ରଶାସନ କେବଳ ପ୍ରତିଶ୍ରୁତିରେ ବର୍ଷକର କାମ ସାରି ଦେଇ ଘୁଙ୍ଗୁଡ଼ି ମାରିବାର ଦେଖାଯାଏ। ସବୁ ବର୍ଷ ଜଳକଷ୍ଟ ସମୟରେ ବିରୋଧୀ ପ୍ରସଙ୍ଗ ଉଠାନ୍ତି। ବିଧାନସଭା ଚାଲିଥିଲେ ଗୃହରେ ପ୍ରବଳ ତାତି ସୃଷ୍ଟି ହୁଏ। ସରକାର କୁହନ୍ତି ଯୁଦ୍ଧକାଳୀନ ପଦକ୍ଷେପ ନିଆଯାଉଛି। ସଚିବାଳୟରେ ଘନ ଘନ ସମୀକ୍ଷା କରାଯାଏ। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ବାରମ୍ବାର ତାଗିଦ କରନ୍ତି। ତୁରନ୍ତ ପଦକ୍ଷେପ ନିଅ, ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ସବୁକିଛି ପାଣିର ଗାର ହୋଇ ରହିଯାଏ। ଯଦି ବାସ୍ତବରେ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଦିଆ ଯାଉଥାନ୍ତା ତେବେ ପ୍ରତିବର୍ଷ ସେଇ ପୁରୁଣା ଦୃଶ୍ୟ ଅଭିନୀତ ହେଉନଥାନ୍ତା, ଲୋକମାନେ ପାଣି ଟୋପାଏ ପାଇଁ ଏଭଳି ବିକଳ ହେଉ ନଥାନ୍ତେ କିମ୍ୱା ପାନୀୟ ଜଳଯୋଗାଣ ଦାୟିତ୍ବରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଅପଦସ୍ତ ହେଉ ନଥାନ୍ତେ। ପ୍ରଶ୍ନ ହେଉଛି ଆମ ରାଜ୍ୟରେ ଏତେ ବୃଷ୍ଟିପାତ ହେଉଥିବାେବେଳ ପାଣି କୁଆଡେ ଯାଉଛି? ପାହାଡ଼ରୁ ବର୍ଷାଜଳ ସିଧା ସମୁଦ୍ରକୁ ଚାଲି ଯାଉଛି। ଏହାକୁ ଅଟକାଇ ଜଳସେଚନ କରିବା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ।  ଭୂତଳ ଜଳସ୍ତର ବଢାଇବା, ଅଚଳ କୂଅ, ପୋଖରୀକୁ ପୁନର୍ଜୀବନ ଦେବା ବା ରିଚାର୍ଜ କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ରହିଛି। କାଗଜକଲମରେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ବାସ୍ତବରେ ଠିକ ଭାବେ କାମ ହେଉ ନଥିବାରୁ ଫଳ ଶୂନ। ପାରମ୍ପାରିଜ ଜଳ ଉତ୍ସର ସୁରକ୍ଷା ପ୍ରତି ଆଖି ବୁଜି ସରକାର ସରକାରୀ ଅଫିସ ଗୁଡ଼ିକରେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ ପାଇଁ ଯୋଜନା କରିଛନ୍ତିି। ଏଥିରେ ବହୁ କୋଟି ଶ୍ରଦ୍ଧ ହେଲାଣି ଯାହାର ସୁଫଳ କ’ଣ ତାହା କାହା ନଜରରେ ପଡ଼ି ପାରୁନାହିଁ। ଆବହମାନ କାଳରୁ ପ୍ରକୃତି ଆମକୁ ପର୍ଯ୍ୟାପ୍ତ ଜଳ ଦେଇ ଆସିଛି। ବର୍ଷା ଜଳକୁ ପ୍ରାକୃତିକ ଜଙ୍ଗଲ ଧରି ରଖୁଥିଲା, ନଦୀରେ ଚାଲୁଥିଲା ବାରମାସୀ ଜଳପ୍ରବାହ। ଏବେ ଜଙ୍ଗଲ କ୍ଷୟ ଯୋଗୁ ଅଚାନକ ବନ୍ୟା ଆସୁଛି, ଉପରୁ ପାଣି ତଳକୁ ଖସି ଯାଉଛି। ସଂରକ୍ଷଣ ହୋଇ ପାରୁନାହିଁ। ନଦୀ ସବୁ ବର୍ଷା ଚାରିମାସେ ସଜେ ରହି ପରେ ନିର୍ଜୀବ ପାଲଟି ଯାଉଛନ୍ତି। ଫଳରେ ନଦୀପୂଳ ଅଂଚଳରେ ବି ଜଳାଭାବ ଉତ୍କଟ ରୂପ ନେଉଛି। ଆଉ ଗୋଟିଏ ବଡ଼ କାରଣ ହେଲା ଚାଷବାସ କମୁଛି। ଖଣିଖାଦାନ ଉପରେ ସରକାରୀ ଫୋକସ ବଢୁଛି। ଖଣି ଅଧିକରୁ ଅଧିକ ପାଣି ଖାଉଛି। ମାଟିତଳୁ ପାଣି ଆଣି ଚାଷବାସରେ ଲଗାଯିବାବେଳେ ସେହି ପାଣି ପୁଣି ମାଟି ତଳକୁ ଯାଉଥିଲା ଏବଂ ଭୂତଳ ଜଳସ୍ତର ସ୍ଥିତର ରଖିବାରେ ସହାୟକ ହେଉଥିଲା। ଫଳତଃ ପାଣିର ଏକ ପରିବହନ ଚକ୍ର ସୃଷ୍ଟି ହେଉଥିଲା। ଶିଳ୍ପରେ ସେଭଳି ହେଉନାହିଁ। ସହରାଂଚଳରେ ବି ଲୋକମାନେ ଦାୟିତ୍ବହୀନ ଭାବେ ଜଳ ଅପଚୟ କରୁଛନ୍ତି। ଟ୍ୟାପ ଖୋଲା ଥିବା ସ୍ଥାନରେ ପାଣି ସେମିତି ବୋହି ଚାଲିଛି। ଲୁଗା ସଫା, ପରିବା ଧୁଆ ଇତ୍ୟାଦି କାମରୁ ବାହାରୁଥିବା ପାଣିକୁ ଗଛମୂଳେ ନ ଢାଳି ସିଧାସଳଖ ପାନୀୟଜଳକୁ ବାଡ଼ିବଗିଚା କାମରେ ଲଗାଇ ଦେଉଛନ୍ତି। ଏମିତି ବିଭିନ୍ନ କାରଣରୁ ଭୂତଳ ଜଳସ୍ତର କମୁଛି। ଆଉ ନଦୀ ଗର୍ଭ ବାଲି ପୋତି ହୋଇ ଯିବାରୁ ନଦୀର ଜଳଧାରଣ କ୍ଷମତା ବି କମି ଯାଉଛି। ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି। ଯେପରିକି ମିଲେନିୟମ ଗୋଲ। ହେଲେ ଏଯାଏଁ ସେ ଦିଗରେ ଆଖି ଦୃଶିଆ ସଫଳତା ମିଳିନାହିଁ। ତାରିଖ ଘୁଂଚିବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ବୃହତ ଯୋଜନା ହେଲା ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ(ଏନଆରଡବ୍ଲୁପି)। ୨୦୧୬-୧୭ କେନ୍ଦ୍ର ବଜେଟ ଅର୍ଥମନ୍ତ୍ରୀ ଅରୁଣ ଜେଟ ପାନୀୟ ଜଳ ଯୋଗାଣ ଅଭିଯାନ ପାଇଁ ୫୦୦୦ କୋଟି ଟଂକା ବ୍ୟୟବରାଦ କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ବଢିଥିଲେ ବି ଆଖିଦୃଶିଆ ନୁହେଁ।  ୨୦୧୨-୧୩ରେ ଏନଆରଡବ୍ଲୁପିରେ ପ୍ରକୃତ ବ୍ୟୟ ହୋଇଥିଲା ପ୍ରାୟ ୧୦, ୪୯୦ କୋଟି। ୧୩-୧୪ରେ ଏହା ୯,୧୯୦ କୋଟିକୁ ଖସିଲା। ୨୦୧୪-୧୫ରେ ଏଥିପାଇଁ ମାତ୍ର  ୨, ୫୦୩ କୋଟି ବରାଦ ହୋଇଥିଲା କେନ୍ଦ୍ର ବଜେଟ। ୨୦୧୪-୧୫ରେ ଏହା ୪, ୩୭୩ କୋଟିକୁ ବଢିଥିଲା। ଏଥରର ବ୍ୟୟ ବରାଦ ଗତ ଆର୍ଥିକ ବର୍ଷରୁ ସାମାନ୍ୟ ଅଧିକ ହୋଇଥିଲେ ବି ପର୍ଯ୍ୟାପ୍ତ ନୁହେଁ। ଏହା ସାରା ଦେଶରେ ପାନୀୟ ଜଳ ସଂକଟର କେତେ ବାସ୍ତବବାଦୀ ସମାଧାନରେ ସହାୟକ ହେବ ତାହା ସମୟ କହିବ।  ସେହିପରି ପାନୀୟ ଜଳ ଯୋଗାଇବା ରାଜ୍ୟ ସରକାରଙ୍କର ଅନ୍ୟତମ ପ୍ରମୁଖ ଦାୟିତ୍ୱ। ହେଲେ ଦୁଃଖର କଥା ଖରାଦିନ ଗଲେ ସରକାରୀ କଳ ବି ବର୍ଷକ ପାଇଁ ଶୋଇଯାଏ। ପୁଣି ଜଳକଷ୍ଟର କରୁଣ ଛବି ଦେଖାଦେଲେ ଯାଇ ନିଦ ଭାଙ୍ଗେ। ପୁଣି ସେମିତି ପ୍ରତିଶ୍ରୁତି ଆଉ ପଦକ୍ଷେପର ଆଶ୍ବାସନାରେ ବିତିଯାଏ ସମୟ। ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ଆମ୍ ଆଦମୀ ପାର୍ଟି (ଆପ୍) ପାନୀୟ ଜଳଯୋଗାଣକୁ ମୁଖ୍ୟ ପ୍ରସଙ୍ଗ କରି କ୍ଷମତାକୁ ଆସିବାର ବାଟ ପାଇଥିଲା। ଏଇ ପାଣିକୁ ପ୍ରସଙ୍ଗ କରି ବିଭିନ୍ନ ସମୟରେ ସରକାର ଭାଙ୍ଗିଛି, ନୂଆ ସରକାର ଆସିଛି। ତଥାପି ସାଧାରଣ ଜନତାର  ଯନ୍ତ୍ରଣା ସରୁ ନାହିଁ। ଅଢେଇଗୁଣ୍ଡି, କାନପୁର, କଟକ-୭୫୪୦୩୭, ମୋ-୮୭୬୩୪୯୫୯୨୯

Share :