ସୂର୍ଯ୍ୟମନ୍ଦିରର ଆୟୁସ ଆଉ କେତେ ବାକି?

ସୂର୍ଯ୍ୟମନ୍ଦିରର ଆୟୁସ ଆଉ କେତେ ବାକି?

Share :

ଅଜିତ କୁମାର ମଲ୍ଲିକ   ଉତ୍କଳର ପୁରୁଷୋତ୍ତମ ଧାମ ଭାରତର ଚତୁର୍ଦ୍ଧାମ ମଧ୍ୟରେ ହିନ୍ଦୁମାନଙ୍କର ଶ୍ରେଷ୍ଠ ଧାମ ରୂପେ ଆଦୃତ। ଏହି ଧାମର ଆୟତନ ପୁରୀର ମହୋଦଧିଠାରୁ ପୁଣ୍ୟତୋୟା ବୈତରଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ। ଏହି ପୁଣ୍ୟ କ୍ଷେତ୍ର ମଧ୍ୟରେ ହିନ୍ଦୁମାନଙ୍କର ପଞ୍ଚଦେବତାଙ୍କର ଭିନ୍ନ ଭିନ୍ନ ପାଞ୍ଚଟି ପୀଠ ଯଥାକ୍ରମେ ମହାବିନାୟକ-ଗଣେଶପୀଠ, ଯାଜପୁର-ଶକ୍ତିପୀଠ, ଭୁବନେଶ୍ୱର-ଶୈବପୀଠ, ପୁରୀ- ବିଷ୍ଣୁପୀଠ ଓ କୋଣାର୍କ- ସୂର୍ଯ୍ୟପୀଠ ରହିଛି। ଭାରତର ପୂର୍ବ ଉପକୂଳରେ ଅବସ୍ଥିତ କୋଣାର୍କକୁ ବ୍ରହ୍ମପୁରାଣରେ କୋଣାଦିତ୍ୟ, ଶିବ ଓ ସ୍କନ୍ଧ ପୁରାଣରେ ସୂର୍ଯ୍ୟକ୍ଷେତ୍ର, ପଦ୍ମ ପୂରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କକ୍ଷେତ୍ର ବା ରବିକ୍ଷେତ୍ର, ଭବିଷ୍ୟ ପୁରାଣରେ ମିତ୍ରବନ, ଶାମ୍ବ ପୁରାଣରେ ମୈତ୍ରବନ ଭାବରେ ବର୍ଣ୍ଣନା କରାଯାଇଛି। କୋଣାର୍କ, କୋଣାଦିତ୍ୟ ସୂର୍ଯ୍ୟଙ୍କ ନାମ ସହ ସଂଶ୍ଳୀଷ୍ଟ। କୋଣାର୍କର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହି ସ୍ଥାନରେ ଅର୍କ ଅର୍ଥାତ ସୂର୍ଯ୍ୟ ଏକ କୋଣରୁ ଉଦୟ ହେଉଥିବାର ପ୍ରତୀୟମାନ ହୁଏ। ଏଣୁ କୋଣାର୍କ ନାମଟି କୋଣ ଓ ଅର୍କର ସମ୍ମିଶ୍ରଣରେ ଗଠିତ ହୋଇଥିବାର ଜଣାଯାଏ। ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ। କାଳକ୍ରମେ ଏହା ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକଗୁଡ଼ିଏ ସୁନାବ୍ୟ ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ବର୍ଣ୍ଣନା କରିଛନ୍ତି। ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥୀବୀ ଭୂଗୋଳ ପୁସ୍ତକରେ କୋଣାର୍କ ନିକଟବର୍ତ୍ତି କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ  କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭକରିଥିଲା। ଶତାଦ୍ଦୀ ଶତାଦ୍ଦୀ  ବ୍ୟାପୀ ଓଡ଼ିଶାର କେଶରୀ ଓ ଗଂଗ ବଂଶୀୟ ରାଜାମାନେ କୋଣାର୍କରେ ସୂର୍ଯ୍ୟ ଉପାସନ ଓ ସୂର୍ଯ୍ୟ ପୂଜାର ପ୍ରଚାର ପ୍ରସାର କରି ଆସୁଥିବା ମାଦଳା ପାଞ୍ଜିରୁ ଜଣାଯାଏ। ସୂର୍ଯ୍ୟମନ୍ଦିର ପଞ୍ଚତୀର୍ଥ ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀଙ୍କର ଅବସ୍ଥିତି କୋଣାର୍କକୁ ଏକ ଶ୍ରେଷ୍ଠ ତୀର୍ଥକ୍ଷେତ୍ର ରୂପେ ପ୍ରତିପାଦିତ କରିଆସିଛି। ପୌରାଣିକ ମତ ଅନୁଯାୟୀ ପ୍ରାୟ ୪୦୦୦ ବର୍ଷପୂର୍ବେ ଖ୍ରୀଷ୍ଟପୂର୍ବ ଉନ୍ନବିଂଶ ଶତାବ୍ଦୀରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କରେ ପ୍ରଥମେ ସୂର୍ଯମନ୍ଦିର ନିର୍ମାଣ କରିଥିଲେ। ଶାମ୍ବ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ। ମାଦଳା ପାଞ୍ଜି ଓ ଐତିହାସିକ ବିବରଣିରୁ ଯଣାଯାଏ ଯେ ୮୭୦ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ତ୍ରିଂଶତମ ରାଜା ପୁରନ୍ଦର କେଶରୀ ଚନ୍ଦ୍ରଭାଗା ନଦୀ କୂଳରେ ଗୋଟିଏ ସୂର୍ଯମନ୍ଦିର ନିମାର୍ଣ କରିଥିଲେ। ବର୍ତ୍ତମାନ କୋଣାର୍କ ମନ୍ଦିର ବେଢ଼ାରେ ମୁଖ୍ୟ ମନ୍ଦରର ପଶ୍ଚାତ ଭାଗରେ ଯେଉଁ ଭଗ୍ନ ମନ୍ଦିରଟି ରହିଛି ତାହା ପୁରନ୍ଦର କେଶରୀଙ୍କ ନିର୍ମିତ ସୂର୍ଯ୍ୟମନ୍ଦିର ଥିବାର ଅନେକ ମତ ଦିଅନ୍ତି। କେଶରୀ ବଂଶପରେ ଗଂଗ ବଂଶର ରାଜାମାନେ ମଧ୍ୟ ସୂର୍ଯ୍ୟ ଉପାସକ ଥିଲେ। ଗଂଗ ବଂଶର ରାଜା ଅନଙ୍ଗଭୀମ ଦେବ ପୁରୀ ଜଗନ୍ନାଥ ମନ୍ଦିର ନିମାର୍ଣକରିବା ସହିତ କୋଣାର୍କ ସୂର୍ଯ୍ୟମନ୍ଦିରର ପୂଜାନୀତି ନିମନ୍ତେ ବାର୍ଷିକ ବ୍ୟୟ ୪୬,୫୦୦ କଉଡ଼ିରୁ ୫୨ ୫୦୦ କଉଡ଼ିକୁ ବୃଦ୍ଧି କରିଥିଲେ। ଏଥିରେ ସୂର୍ଯ୍ୟ ନାରାୟଣଙ୍କର ପୂଜାନୀତି ସହିତ କୋଣାର୍କରେ ପ୍ରତିଷ୍ଠିତ ମାୟାଦେବୀ, ଅଷ୍ଟଶମ୍ଭୁ, ଅଷ୍ଟଚଣ୍ଡୀ, ଅରୁଣ, ଦ୍ୱାରାପାଳ ଅଦି ବିଭିନ୍ନ ଦେବାଦେବୀଙ୍କର ଭୋଗନୀତି ଏବଂ ସୂର୍ଯ୍ୟଦେବଙ୍କର ଚନ୍ଦ୍ରଭାଗା ଯାତ୍ରା (ମାଘମେଳା) ଓ ରଥଯାତ୍ରା ଆଦି ବାରମାସରେ ଦ୍ୱାଦଶ ଯାତ୍ର ପାଳନ କରାଯାଉଥିଲା। ସଂପ୍ରତିକ ପରିସ୍ଥିତିରେ କୋଣାର୍କରେ ଯେଉଁ ସୂର୍ଯ୍ୟମନ୍ଦିରର ଭଗ୍ନାବଶେଷ ରହିଛି ତାହା ଗଂଗବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିମାର୍ଣ କରାଯାଇଥିଲା। ପୁରନ୍ଦର କେଶରୀଙ୍କ ନିର୍ମିତ କ୍ଷୁଦ୍ର ମନ୍ଦିରଟି ଜରାଜୀର୍ଣ୍ଣ ହୋଇ ପଡ଼ିରହଥିବାରୁ  ରାଜା ନରସିଂହ ଦେବ ଏକ ବିଶାଳ ସୂର୍ଯ୍ୟମନ୍ଦିର ନିମାର୍ଣ କରିବା ପାଇଁ ଆଦେଶ ଦେଇଥିଲେ। ଏହି ମନ୍ଦିର ନିମାର୍ଣ ପରିକଳ୍ପନା ୧୨୪୪ ଖ୍ରୀଷ୍ଟାଦ୍ଦରେ ଆରମ୍ଭ ହୋଇଥିଲା। ମନ୍ଦିରର ନିର୍ମାଣ କାର୍ଯ୍ୟ ୧୨୬୪ ଖ୍ରଷ୍ଟାଦ୍ଦରେ ଆରମ୍ଭ ହୋଇ ୧୨ ବର୍ଷ ପରେ ୧୨୫୮ ଖ୍ରୀଷ୍ଟାଦ୍ଦରେ  ଜାନୁଆରୀ ୧୩ ତାରିଖ ମାଘ ଶୁକ୍ଳ ସପ୍ତମୀ ରବିବାର ଦିନ ପ୍ରତିଷ୍ଠା ହୋଇ ପୂଜାନୀତି ଆରମ୍ଭ ହୋଇଥିଲା। ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ୧୨୦୦ ବଢ଼େଇ ୧୨ ବର୍ଷ କାଳ ନିୟୋଜିତ ହୋଇଥିଲେ। ୧୨୫୮ ଖ୍ରୀଷ୍ଟାଦ୍ଦରୁ ୧୫୬୮ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ମନ୍ଦିରରେ ନିରବଛିନ୍ନ ଭାବେ ପୂଜାନୀତି ଓ ଯାତ୍ରାପର୍ବ ପ୍ରଚଳିତ ହୋଇଥିଲା। ଷୋଡ଼ଶ ଶତାଦ୍ଦୀରେ ରଚିତ କପିଳ ସଂହିତାରେ ଓଡ଼ିଶାର ଚାରୋଟି ପ୍ରଧାନ ଧର୍ମପୀଠ ମଧ୍ୟରେ କୋଣାର୍କର ମାହାତ୍ମ୍ୟ, ପୂଜାନୀତି ଓ ଯାତ୍ରା ପର୍ବର ବର୍ଣ୍ଣନା ରହିଛି। ଏଣୁ ଷୋଡ଼ଶ ଶତାଦ୍ଦୀ ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ଅକ୍ଷୁର୍ଣ୍ଣ ଥିବାର ସୂଚନା ମିଳେ। ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦ ଦେବଙ୍କର ୧୫୬୮ ଖ୍ରୀଷ୍ଟାଦ୍ଦରେ ମୃତ୍ୟୁ ହେବା ପରେ ଓଡ଼ିଶା ମୁସଲମାନ ଶାସନାଧୀନ ହେଲା। ଏହା ପରଠାରୁ ଓଡ଼ିଶାର ହିନ୍ଦୁ ମନ୍ଦିରଗୁଡ଼ିକ ଅବହେଳିତ ହୋଇପଡ଼ିଥିଲା। ଯତ୍ନ ଅଭାବରେ ଅନେକ ମନ୍ଦିର ଭାଙ୍ଗିପଡ଼ିଥିବା ଘଟଣା ବିଭିନ୍ନ ଐତିହାସିକ ବିବରଣିରୁ ଜଣାଯାଏ। ରକ୍ଷଣାବେକ୍ଷଣା ଅଭାବରୁ ୧୬୦୯ ଖ୍ରୀଷ୍ଟାଦ୍ଦରେ ସୂର୍ଯ୍ୟମନ୍ଦିରର ଧ୍ବଜପଦ୍ମ ଖସିପଡ଼ିଥିବାର ଜଣାଯାଏ। ଏହି ଧ୍ବଜପଦ୍ମ ଖସିବା ସମୟରୁ ସୂର୍ଯ୍ୟମନ୍ଦିର କ୍ରମଶଃ ଭାଙ୍ଗିବାକୁ ଆରମ୍ଭ କରିଥିଲା। ୧୬୨୧ରୁ ୧୬୨୬ ଖ୍ରୀଷ୍ଟାଦ୍ଦ ମଧ୍ୟରେ ମନ୍ଦିରଟି ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ୧୬୨୬ ଖ୍ରୀଷ୍ଟାଦ୍ଦରେ ଖୋର୍ଦ୍ଧାର ତତ୍କାଳୀନ ରାଜା ନରସିଂହ ଦେବ (୨ୟ) କୋଣାର୍କ ମନ୍ଦିର ମପାଇ ଥିଲେ। ସେତେବେଳକୁ ସୂର୍ଯ୍ୟମନ୍ଦିରର ଉପର କଳସ ଓ ଉଡ଼ନ୍ତା ଗଜସିଂହ ମୂର୍ତ୍ତି ଖସିପଡ଼ିଥିଲା। ମନ୍ଦିର ଉପରୁ ଖସୁଥିବା ପଥରର ଆଘାତରେ ମୂଖ୍ୟ ମନ୍ଦିରର ଗର୍ଭଗୃହସ୍ଥ ସିଂହାସନ ଉପରେ ବିରାଜିତ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତିଟି ମଧ୍ୟ ଭାଙ୍ଗି ପଡ଼ିଥିଲା। ଫଳରେ ମନ୍ଦିରରେ ମୂର୍ତ୍ତି ପୂଜା ବନ୍ଦ ହୋଇଯାଇଥିଲା। ୧୬୨୮ ଖ୍ରୀଷ୍ଟାଦ୍ଦରେ ମାର୍ଚ୍ଚ ୧୭ ତାରିଖରେ କୋଣାର୍କ ମନ୍ଦିରରୁ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତିକୁ ପୁରୀ ନିଆଯାଇ ଶ୍ରୀମନ୍ଦି ବେଢ଼ାର ଉତ୍ତର ପାର୍ଶ୍ବରେ  ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନ କରାଯାଇଥିଲା। କୋଣାର୍କରୁ ସୂର୍ଯ୍ୟଙ୍କ ମୂର୍ତ୍ତି ଅପସାରଣ ପରେ ମନ୍ଦିରର ସମସ୍ତ ପୂଜାନୀତି ବନ୍ଦ ହୋଇଯାଇଥିଲା। ଏହା ପୂର୍ବରୁ କୋଣାର୍କରେ ବାଣିଜ୍ୟ ବନ୍ଦର ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ସୂର୍ଯ୍ୟ ଉପାସନା କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ରୂପେ ମୁଣ୍ଡ ଟେକୁଥିବା କୋଣାର୍କ ନଗରୀ କ୍ରମଶଃ ଜନମାନବ ଶୂନ୍ୟ ହୋଇ ଶେଷରେ ଘୋର ଜଙ୍ଗଲରେ ପରିଣତ ହେଲା। ଏବଂ କୋଣାର୍କ ମନ୍ଦିର କ୍ରମଶଃ ଭାଙ୍ଗିବା ସଙ୍ଗେ ସଙ୍ଗେ ବାଲି ଓ ପଥର ଦ୍ୱାରା ପୋତି ହୋଇ ପଡ଼ିଥିଲା। ମରହଟ୍ଟା ରାଜତ୍ବ ସମୟରେ ଜନୈକ ମରହଟ୍ଟା ସାଧୁ ବ୍ରହ୍ମଚାରୀ ଗୁରୁ ୧୭୭୯ରେ କୋଣାର୍କରୁ ୩୩.୮ ଫୁଟ ଉଚ୍ଚତା ବିଶିଷ୍ଟ  ଅରୁଣ ସ୍ତମ୍ଭଟିକୁ ନେଇଯାଇ ପୁରୀ ଶ୍ରୀମନ୍ଦିର ସିଂହ ଦ୍ବାରରେ ପ୍ରତିଷ୍ଠା କରିଥିଲେ। ୧୭୮୩ରେ  ଖୋର୍ଦ୍ଧାରାଜା ଦିବ୍ୟସିଂହ ଦେବ କୋଣାର୍କ ମନ୍ଦିରର ଉଦ୍ଧାର ନିମନ୍ତେ ପ୍ରଥମ ପଦକ୍ଷେପ ନେଇଥିଲେ। ଅର୍ଦ୍ଧଭଗ୍ନ ମନ୍ଦିର ଦେହରେ ଉଠିଥିବା ବୃକ୍ଷଲତା ଗୁଡ଼ିକୁ ସେ ସଫା କରିବା ଦିଗରେ ଉଦ୍ୟମ କରିଥିଲେ। ତିନିମାସ ଧରି  ଏହି କାର୍ଯ୍ୟ ଚାଲିବା ପରେ କେତେକ ଇଂରେଜ ବିରୋଧୀ କାର୍ଯ୍ୟ ଯୋଗୁଁ  ଇଂରେଜ ସରକାର ରାଜା ଦିବ୍ୟସିଂହ ଦେବଙ୍କୁ ଜେଲ ପଠାଇ ଦେଇଥିଲେ। ତେଣୁ କୋଣାର୍କରେ ଚାଲୁଥିବା ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ୧୮୦୬ରେ କୋଣାର୍କ ମନ୍ଦିର ସୁରକ୍ଷା ନିମନ୍ତେ ସାମୁଦ୍ରିକ ବୋର୍ଡ଼ ଇଂରେଜ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କାରଣ ଓଡ଼ିଶାର ଉପକୂଳରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସାମୁଦ୍ରିକ ଜାହାଜଗୁଡ଼ିକ ନିମନ୍ତେ ଦୁଇଟି ପ୍ରମୁଖ ସଂକେତ ରୂପେ କାମ କରୁଥିଲା। ତେଣୁ ନାବିକମାନେ ଚୂନ ଧଉଳା ହୋଇଥିବା ପୁରୀ ମନ୍ଦିରକୁ ଶୁକ୍ଳ ମନ୍ଦିର (ହ୍ବାଇଟ ପାଗୋଡ଼ା) ଓ ଗୁଳ୍ମଲତାରେ ଆବୃତ୍ତ କୋଣାର୍କ ମନ୍ଦିରକୁ କୃଷ୍ଣ ମନ୍ଦିର (ବ୍ଲାକ ପାଗୋଡ଼ା) ଆଖ୍ୟା ଦେଇଥିଲେ। କିନ୍ତୁ ତତ୍କାଳୀନ ବଡ଼ଲାଟ ଏପରି ଏକ ବ୍ୟୟବହୁଳ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ସମ୍ମତି ଦେଲେ ନାହିଁ। କେବଳ କୋଣାର୍କରୁ ଯେପରି କୌଣସି ପଥର ବା ମୂର୍ତ୍ତି ସ୍ଥାନାନ୍ତରିତ ନ ହୁଏ ସେଥିପାଇଁ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିପୂର୍ବରୁ ମରହଟ୍ଟାମାନେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ପଥର ନେଇ ପୁରୀ ମନ୍ଦିରର ମେଘନାଦ ପାଚେରୀ ଓ ଭୋଗମଣ୍ଡପ ନିମାର୍ଣ କରିଥିବା ବେଳେ ଖୋର୍ଦ୍ଧା ରାଜା ଅନେକ ପଥର ବୋହିନେଇ ପୁରୀମନ୍ଦିରର କେତେକ ନିର୍ମାଣ କାର୍ଯ୍ୟ କରିଥିଲେ। ଏହା ପରେ ୧୮୮୧ରେ ବଙ୍ଗଳାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର‌୍‍ ଆସଲେ ଏଡେ଼ନଙ୍କ  ଅକ୍ଲାନ୍ତ ଉଦ୍ୟମରେ କେବଳ ବିକ୍ଷିପ୍ତ ହୋଇ ପଡ଼ିଥିବା ମୁଖଶାଳାର ଉତ୍ତରପୂର୍ବ ଓ ଦକ୍ଷିଣ ଦିଗର ପାବଛ ଶ୍ରେଣୀ ସମ୍ମୁଖରେ ପୂର୍ବରୁ ଅବସ୍ଥାପିତ ଯୁଗଳ ଅଶ୍ବ, ହସ୍ତୀ ଓ ଗଜସିଂହ ମୂର୍ତ୍ତିମାନଙ୍କର ସଂରକ୍ଷଣ କାର୍ଯ୍ୟ ସମ୍ଭବ ହୋଇଥିଲା। ୧୮୮୨ରେ ଗଭର୍ଣ୍ଣର ସାର ଚାର୍ଲସ ଏଲିଅଟ୍ କୋଣାର୍କର ନବଗ୍ରହ ମୂର୍ତ୍ତିକୁ କଲିକତା ନେଇଯିବାକୁ ଉଦ୍ୟମ କରିଥିଲେ। ନବଗ୍ରହ ପାଟଟିକୁ ଲଣ୍ଡନ ପଠାଇଦେବାକୁ ସେ ଚାହୁଁଥିଲେ। କିନ୍ତୁ ଏପରି ଏକ ବିଶାଳ ଶିଳାକୁ କୋଣାର୍କରୁ ସ୍ଥାନାନ୍ତର କରିବା ଦିଗରେ ଇଂରେଜ ଇଂଜିନିୟରମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା। ୧୮୯୪ରେ ଇଂରେଜମାନେ କୋଣାର୍କରୁ ୧୩ଟି ମୂର୍ତ୍ତି କଲିକତା ଜାତୀୟ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରିଥିଲେ। ୧୯୦୦ ଖ୍ରୀଷ୍ଟାଦ୍ଦରେ ଗଭର୍ଣ୍ଣର ସାର୍ ଜନ୍ ଉଡବର୍ଣ୍ଣ କୋଣାର୍କ ପରିଦର୍ଶନରେ ଆସିଥିଲେ। ତାଙ୍କର ଆନ୍ତରିକ ଉଦ୍ୟମ ଫଳରେ କୋଣାର୍କର ବାସ୍ତବ ଉଦ୍ଧାର କାର୍ଯ୍ୟ ୧୯୦୧ରେ ଆରମ୍ଭ ହୋଇଥିଲା। ମନ୍ଦିର ବେଢ଼ା ପରିସରରୁ ବାଲି ଓ ପଥର କାଢ଼ିଦେବା ଦ୍ୱାରା ମନ୍ଦିରର ପୀଠ ଓ ଚକଗୁଡ଼ିକ ଦୃଷ୍ଟିଗୋଚର ହେଲା। ଅର୍ଦ୍ଧଭଗ୍ନ ମୁଖଶାଳାକୁ ପତନରୁ ରକ୍ଷା କରିବା ପାଇଁ ଗଭର୍ଣ୍ଣର ବର୍ଡ଼ଲନ୍ ମୁଖଶାଳା ଗର୍ଭରେ ବାଲି ଭର୍ତ୍ତି କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ମୁଖଶାଳାର ଛାତକୁ ସୁଦୃଢ଼ କରିବା ପାଇଁ ଏହାର ଗର୍ଭଗୃହରେ ଆଉ ଏକ ୧୫ ଫୁଟ ମୋଟେଇ କାନ୍ଥ ନିର୍ମାଣ କରାଗଲା। ଦୀର୍ଘ ୫ ବର୍ଷ ଧରି ମୁଖଶାଳା ଭିତରେ ବାଲି ଭର୍ତ୍ତି କରାଯାଇ ଏହାର ସମସ୍ତ ଦ୍ବାରକୁ ପଥର ଦ୍ୱାରା ସଂପୂର୍ଣ୍ଣ ବନ୍ଦ କରିବା କାର୍ଯ୍ୟ ସମ୍ପନ୍ନ କରାଗଲା। ଏହା ପରେ ନାଟ ମନ୍ଦିର, ବଡ଼ ଦେଉଳ, ମାୟାଦେବୀ ମନ୍ଦିର, ବିଷ୍ଣୁ ମନ୍ଦିର  ଓ ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପୀଠଗୁଡ଼ିକୁ ଉଦ୍ଧାର କରାଗଲା। ୧୯୧୦ରେ ମନ୍ଦିର ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଥିଲା। ୧୯୧୫ ମସିହାରେ ମୁଖଶାଳାକୁ ବଜ୍ରପାତ ଜନିତ ବିପର୍ଯୟରୁ ସୁରକ୍ଷିତ ରଖିବା ପାଇଁ ତମ୍ବା ପାତିଆ ଆର୍ଥିଙ୍ଗ ବ୍ୟବସ୍ଥା କରାଗଲା। ୧୯୩୮ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ପରାମର୍ଶକ୍ରମେ ପୂର୍ତ୍ତବିଭାଗ ମନ୍ଦିରର ସଂରକ୍ଷଣ ଦାୟିତ୍ବ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ଏଏସଆଇକୁ ହସ୍ତାନ୍ତର କରାଗଲା। ୧୯୫୦ ମସିହାରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କଲେ। ଏହି ବିଶେଷଜ୍ଞ କମିଟିରେ ଭାରତର ବିଶିଷ୍ଟ ଭୂତତ୍ତ୍ବବିତ, ପ୍ରତ୍ନତାତ୍ତ୍ବିକ ଇଂଜିନିୟର, ରସାୟନବିତ, ବୈଜ୍ଞାନିକ, ସ୍ଥପତି, ପୂର୍ତ୍ତ ଇଂଜିନିୟର ଓ କଳାକାରଙ୍କୁ ସଦସ୍ୟ ରୂପେ ସାମିଲ କରାଗଲା। ଏହି କମିଟିର ସୁପାରିଶ କ୍ରମେ ୧୯୫୩ ମସିହାରୁ ସଂରକ୍ଷଣ କାର୍ଯ୍ୟ କରାଗଲା। ଏହି ଏକ୍ସପର୍ଟ କମିଟିର ସୁପାରିଶ ଥିଲା ଯେ ମୁଖଶାଳାର ପ୍ରଥମ ପିଢ଼ିରେ ଚାରିଦିଗରୁ ଗର୍ଭଗୃହ ଭିତରକୁ ୩ ଫୁଟ ଗୋଲେଇର ଗର୍ତ୍ତ ସୃଷ୍ଟି କରାଯାଇ ବାୟୁଚଳାଚଳ ବ୍ୟବସ୍ଥା କରାଯାଉ। ତଦନୁଯାୟୀ ପୂର୍ବଦିଗରେ ୨୦ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି (ସୁଡ଼ଙ୍ଗ) କରାଯିବା ପରେ ଏହି କାର୍ଯ୍ୟକୁ ବନ୍ଦ କରିଦିଆଗଲା। ୧୯୮୪ ମସିହାରେ ସୂର୍ଯ୍ୟମନ୍ଦିର ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ଏହା ପରେ ୧୯୮୭ ମସିହାରେ ୟୁନେସ୍କୋ ମିଶନର ଅନ୍ତର୍ଜାତୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ସାର୍ ବି.ଏମ. ଫିଲଡେ଼ନ୍ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି ମୁଖଶାଳାର ସ୍ଥାୟିତ୍ବ, ଏହାର ଗର୍ଭଗୃହର ଅବସ୍ଥା, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଗାତ୍ରରେ ରାସାୟନିକ ପ୍ରୟୋଗ ପ୍ରଣାଳୀ ସଂପର୍କରେ ଅନୁଧ୍ୟାନ କରି ବିଭିନ୍ନ ପରାମର୍ଶ ଦେଇଥିଲେ। ସାର ଫିଲଡେନ୍ ମୁଖଶାଳାର ଭିତ୍ତଭୂମିର ଅବସ୍ଥା ଦୁର୍ବଳ ଥିବା ପ୍ରକାଶ କରିବା ସହ ଗର୍ଭଗୃଭିତରେ ଚାପ ସୃଷ୍ଟି କରୁଥିବା ବାଲିକୁ ବାହାର କରିବା ନିମନ୍ତେ ଉପାୟମାନ ସୁପାରିଶ କରିଥିଲେ। ଅତିତରେ ବ୍ରିଟିଶ ମ୍ୟୁଜିୟମ ଓ ଜାତୀୟ ମ୍ୟୁଜିୟମକୁ ସ୍ଥାନାନ୍ତରିତ କରାଯାଇଥିବା ମୂଲ୍ୟବାନ ମୁର୍ତ୍ତିଗୁଡ଼ିକୁ ଆଣି ମନ୍ଦିର ଗାତ୍ରରେ ପୁନଃ ଅବସ୍ଥାପିତ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ତେବେ ୟୁନେସ୍କୋ ମିଶନର ଏହି ସୁପାରିଶକୁ କାର୍ଯ୍ୟକାରୀ କରିବାରେ ଏଏସଆଇ ପ୍ରଚେଷ୍ଟା ମଧ୍ୟ କଲାନାହିଁ। ଏହାପରେ ମୁଖଶାଳା ଗାତ୍ରରୁ କ୍ରମାଗତ ଭାବେ ପଥର ଖସିବାରୁ କାରୁକାର୍ଯ୍ୟପୂର୍ଣ୍ଣ ଭାସ୍କର୍ଯ୍ୟଗୁଡ଼ିକ ଧୀରେ ଧୀରେ ସାଦା ପଥରେରେ ପରିଣତ ହେବା ଭଳି ଅଭାବନୀୟ ଘଟଣାମାନ ଘଟିଲା। ପଥର ଖସୁଥିବା ସ୍ଥାନରେ ସାଧା ଖାଣ୍ଡେଲାଇଟ୍ ପଥର ଯୋଡ଼ିଦେଇ ଏଏସଆଇ ଚୁପ ରହିଲା। ୧୯୮୮ମସିହାରେ ଜଗମୋହନର ଦକ୍ଷିଣ ପାର୍ଶ୍ବସ୍ଥ ପ୍ରଥମ ପିଢ଼ି ଅଂଚଳରୁ ଏକ ବଡ଼ ପଥର ଖସିବା ପରେ ଏହି ସ୍ଥାନରେ ଲୁହାପାଇପ ଭାରା ଦିଆଗଲା। ମୁଖଶାଳାର ଦଖିଣ ଦକ୍ଷିଣ, ପଶ୍ଚମ ଓ ଉତ୍ତର ପାର୍ଶ୍ବକୁ ଇତି ମଧ୍ୟରେ ସଂପୂର୍ଣ୍ଣ ଲୁହାପାଇପ ଦ୍ବାରା ଆଚ୍ଛାଦିତ କରି ରଖାଯାଇଛି। ଏହି ପାଇପ ଭାରା ଖୋଲିଲେ ମୁଖଶାଳାର ଉପରିଭାଗ ଧରାଶୟୀ ହେବା ନିଶ୍ଚିତ ଥିବାରୁ ଏଏସଆଇ ଏହାକୁ ଖୋଲିବାକୁ ସାହସ କରୁନାହିଁ। ୧୯୯୪ ମସିହାରେ ଓଡ଼ିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୂର୍ଯ୍ୟମନ୍ଦିରର ଦୟନୀୟ ଅବସ୍ଥା ସଂପର୍କରେ ଜାଣିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟିରେ ରାଜ୍ୟ ପୂର୍ତ୍ତ ବିଭାଗ ଇଂଜିନିୟର ଓ ଆଇଆଇଟି ଖଡ଼ଗପୁରର ଇଂଜିନିୟରମାନଙ୍କୁ ସାମିଲ କରାଯାଇଥିଲା। ସିଭିଲ ଇଂଜିନୟରିଙ୍ଗ ଡ଼ିପାର୍ଟମେଣ୍ଟ ମୁଖ୍ୟ ଡ଼ଃ ଏ.ପି. ଗୁପ୍ତା ଏହି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଥିଲେ। ଏହି କମିଟିରେ ରାଜ୍ୟ ପୂର୍ତ୍ତ ସଚିବ ଡ଼ଃ ଜି.ସି. ମିତ୍ର, ନିର୍ବାହୀ ଯନ୍ତ୍ରୀ ଡ଼ଃ ଏନ‌୍‍.ସି. ପାଲଙ୍କ ସମେତ ଆଇଆଇଟି ଖଡ଼ଗପୁରର ମ୍ୟାଟେରିଆଲ ସାଇନ୍ସ ବିଭାଗର ଦକ୍ଷ  ଇଂଜିନିୟରମାନେ ସାମିଲ ହୋଇ ମନ୍ଦିରର ପରିସ୍ଥିତି ଅନୁଧ୍ୟନ ପୂର୍ବକ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟରେ ସାର ଫିଲଡେ଼ନଙ୍କ ସୁପାରିଶକୁ ଅନ୍ତର୍ଭୁକ୍ତ କରାଯିବା ସହିତ ସଂରକ୍ଷଣ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ସ୍ଥାନ ପାଇଥିଲା। ଏଥି ନିମନ୍ତେ ଏକ ବ୍ୟୟ ଅଟକଳ ମଧ୍ୟ ଏହି କମିଟି ପ୍ରସ୍ତୁତ କରିଥିଲା। ଏ ସଂପର୍କରେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁବାବୁ ବିଶେଷଜ୍ଞମାନଙ୍କୁ ନେଇ ବାରମ୍ବାର ସେମିନାର ମଧ୍ୟ କରିଥିଲେ। ସୂର୍ଯ୍ୟମନ୍ଦିରର ସଂରକ୍ଷଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନୀତ କରିବାକୁ ବିଜୁବାବୁ କେନ୍ଦ୍ର ସରାରଙ୍କୁ ପତ୍ର ଲେଖିବା ସହ ଏହି ବିଶେଷଜ୍ଞ କମିଟିର ସୁପାରିଶକୁ ଉପସ୍ଥାପିତ କରିଥିଲେ। ୧୯୯୪ ମସିହାରେ ୟୁନେସ୍କୋର ଏକ୍ସପର୍ଟ ପ୍ରଫେସର ଜର୍ଜିଓ ଶ୍ରେସି ପୁନଃ ମୁଖଶାଳ

Share :