ଓଡ଼ିଆ କ’ଣ ଏକ ଅବୈଧ ଜାତି?

ଓଡ଼ିଆ କ’ଣ ଏକ ଅବୈଧ ଜାତି?

Share :

କାହିଁକି ଓଡ଼ିଶାରେ ମାଡ଼ିଚାଲିଛି ଅଣଓଡ଼ିଆ ସଂସ୍କାର ଓ ସଂସ୍କୃତି?   ଦେବେନ୍ଦ୍ର ପୃଷ୍ଟି   ସମଗ୍ର ପୃଥିବୀରେ ସେତେବେଳେ ଭାଷା ଭିତ୍ତିରେ ଦେଶ ବା ପ୍ରଦେଶ ଗଠନ କଥା କେହି ଚିନ୍ତା କରି ନଥିଲେ। କିନ୍ତୁ ସେହି ସମୟରେ ୧୯୩୬ ଏପ୍ରିଲ ପହିଲାରେ କେବଳ ଭାଷା ଭିତ୍ତିରେ ହିଁ ଗଠିତ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକ ରାଜନୀତିକ ପରିଚୟ ଦେବା ପାଇଁ ବାରିଷ୍ଟର ମଧୁସୂଦନ ଦାସ ଓ ଅନ୍ୟ ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ବଗଣ କରିଥିବା ଉଦ୍ୟମର ଫଳ ଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ଅଥଚ ଓଡ଼ିଶା ପ୍ରଦେଶର ୮୦ ବର୍ଷ ପରେ ଓଡ଼ିଶାରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଚିନ୍ତା କରାଯାଉଛି, ଓଡ଼ିଶା ସରକାରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଦାବି କରାଯାଉଛି ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଓଡ଼ିଆ ମାଧ୍ୟମ ଶିକ୍ଷା ପାଇଁ ଦାବି କରାଯାଉଛି। କି ଲଜ୍ଜାକର କଥା ନୁହେଁ ସତେ! ଭାଷାକୁ ନେଇ ରାଜ୍ୟ ହେଲା। ରାଜ୍ୟ ହେଲା ପରେ ରାଜନେତାମାନେ ବାହାରିଲେ, ନାନା ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢ଼ିଲେ, ଜିତିଲେ, କ୍ଷମତା ଦଖଲ କଲେ। ଅଥଚ ଭାଷାକୁ ଭୁଲିଗଲେ, ଇଂରାଜୀକୁ ଆଦର କଲେ, ସେଇ ଭାଷା ପାଣ୍ଡିତ୍ୟର ପରିଚୟ ବୋଲି ପ୍ରଚାର କଲେ। ଏଭଳି ମନୋଭାବ ସ୍ବାଭିମାନର ଲକ୍ଷଣ ନା ହୀନମନ୍ୟତାର? ଏଇଭଳି ହୀନମନ୍ୟ ଓଡ଼ିଆ ନେତା ଓ ବାବୁମାନଙ୍କ ଯୋଗୁଁ ଓଡ଼ିଶା ଓ ଓଡ଼ିଆର ସ୍ବତନ୍ତ୍ର ପରିଚୟ ଦିନକୁ ଦିନ ହଜି ଚାଲିଥିବାବେଳେ ୨୦୧୬ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ ବେଳକୁ ଆଉ ଥରେ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନ। ଓଡ଼ିଆକୁ ରାଜଭାଷା କରିବାକୁ ୧୯୫୪ ମସିହାରୁ ଆଇନ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି ଉଠାଇଛି ଭାଷା ସୁରକ୍ଷା ସମ୍ମିଳନୀ। ସେହିପରି ୧୬ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ଓଡ଼ିଆ କହୁ ନଥିବା ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବା ପାଇଁ ଅଭିଯାନ ଆରମ୍ଭ କରିଛି ଛାତ୍ର କଂଗ୍ରେସ। ସେମାନଙ୍କର ଏପରି ଅଭିନବ ଉଦ୍ୟମକୁ ସମର୍ଥନ କରିବା ପ୍ରତିବଦଳରେ ପୁଲିସ ସେମାନଙ୍କୁ ଗିରଫ କରିଛି। ଉତ୍କଳ ସମ୍ମିଳନୀ ଓଡ଼ିଆରେ ନାମଫଳକ ଲେଖିବାକୁ ରାଜଧାନୀରେ ଖାଲି ଆହ୍ବାନ ଦେଇଚାଲିଛି। ଅଥଚ ଭୁବନେଶ୍ବରର ଯେକୌଣସି ନଗର ଓ ବଜାର ଭିତରେ ପଶିଗଲେ ଏହା ଯେ ଓଡ଼ିଶାର ଏକ ସହର ତାହା କୌଣସି ଫଳକ ଓ ପ୍ରଚାରପଟାରୁ ଜାଣିହେବ ନାହିଁ। ରାଜଧାନୀର କୌଣସି ଦୋକାନର ଫଳକ ଓ ପ୍ରଚାରପଟା ଓଡ଼ିଆରେ ଲେଖାଥିବା ଦେଖାଯାଏ ନାହିଁ। ସତେକି ଭୁବନେଶ୍ବର ହେଉଛି ଭାରତର ଲଣ୍ଡନ! ଓଡ଼ିଶା ସଚିବାଳୟ ଓ ବିଧାନସଭାରେ ଓଡ଼ିଆ ଭାଷାର ପ୍ରଚଳନ ନାହିଁ କହିଲେ ଚଳେ। କେବଳ କହିଲାବେଳକୁ କେହିକେହି ଏହି ଭାଷା ବ୍ୟବହାର କରୁଥିଲେ ମଧ୍ୟ ଲେଖିଲାବେଳକୁ ସମସ୍ତଙ୍କର ଭାଷା ହେଉଛି ଇଂରାଜୀ। ସତେ କି ଓଡ଼ିଆ ହେଉଛି କେଉଁ ଏକ ଆଦିବାସୀ ସଂପ୍ରଦାୟର ଲିପିହୀନ କଥିତ ଭାଷା! ଏଇ ଭାଷାକୁ ପୁଣି ଦୁଇବର୍ଷ ତଳେ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା! ଶାସ୍ତ୍ରୀୟ ଭାଷା ଓଡ଼ିଆରେ ପ୍ରକାଶିତ ରାଜ୍ୟର ପ୍ରାୟ ସବୁ ଖବରକାଗଜରେ ପ୍ରକାଶ ପାଏ ଇଂରାଜୀ ଭାଷାର ବିଜ୍ଞାପନ। ଶାସ୍ତ୍ରୀୟ ଭାଷା ଓଡ଼ିଆରେ ପାଠ ପଢ଼ିବାକୁ ଓ ପଢ଼େବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଘୋର ଅଭାବ। ଓଡ଼ିଆ ଟେଲିଭିଜନରେ ପ୍ରଦର୍ଶୀତ ଅଧିକାଂଶ କାର୍ଯ୍ୟକ୍ରମର ନାମ ଇଂରାଜୀ ନହେଲେ ହିନ୍ଦୀ ଶବ୍ଦ। ଓଡ଼ିଆ ସିନେମା ଓ ଟେଲିଭିଜନର ବିଷୟବସ୍ତୁ ସଂପୂର୍ଣ୍ଣ ଅଣଓଡ଼ିଆ ଲୋକଙ୍କ ଜୀବନଶୈଳୀ ଓ ସଂସ୍କୃତି ଉପରେ ଆଧାରିତ। ଓଡ଼ିଶାର ପ୍ରତି ବଜାରରେ ଦକ୍ଷିଣ ଭାରତୀୟ ଓ ଉତ୍ତର ଭାରତୀୟ ଖାଦ୍ୟର ଦୋକାନ। ଓଡ଼ିଆ ଖାଦ୍ୟର ଦୋକାନ ଖୋଜିଲେ ମିଳିବା କଷ୍ଟ। ଓଡ଼ିଆ ପୋଷାକ ଆଉ ଦେଖିବାକୁ ମିଳୁନି। ଓଡ଼ିଆ ପର୍ବପର୍ବାଣୀ ଓଡ଼ିଆ ଘରୁ ନିରୁଦ୍ଦିଷ୍ଟ। ଗହ୍ମା ପୁନେଇଁ ପରିବର୍ତ୍ତେ ରକ୍ଷା ବନ୍ଧନ, ଦୋଳ ବଦଳରେ ହୋଲି, ସତ୍ୟନାରାୟଣ ପାଲା ପରିବର୍ତ୍ତେ ବାର୍ଥ ଡେ କେକ୍ ପାର୍ଟି ସେଲିବ୍ରେସନ- ଏମିତି ଅନେକ ବାଟରେ ଓଡ଼ିଶାରେ ହଜି ଚାଲିଛି ଓଡ଼ିଆଙ୍କ ପରିଚୟ। ଏହା ସ୍ବାଭିମାନର ଲକ୍ଷଣ ନା ହୀନମନ୍ୟତାର ପ୍ରଦର୍ଶନ? ଓଡ଼ିଆ ଖେଳ, ଓଡ଼ିଆ ପିଠା, ଓଡ଼ିଆ ବ୍ୟଞ୍ଜନ, ଓଡ଼ିଆ ପର୍ବ, ଓଡ଼ିଆ ପୋଷାକ, ଓଡ଼ିଆ ଜୀବନ-ସବୁ ଆଦି ଅପାଙକ୍ତେୟ। କାହା ପାଇଁ? ଓଡ଼ିଶାର ନେତା ଓ ବାବୁଙ୍କ ପାଇଁ ନା ଓଡ଼ିଶାର ଚାଷୀ ଓ କାରିଗରଙ୍କ ପାଇଁ? ଓଡ଼ିଶା ବାହାରେ ଭାରତର ଯେକୌଣସି ପ୍ରଦେଶରେ ଓଡ଼ିଶା କହିଲେ ତାହା କ’ଣ ଓ କେଉଁଠି ମିଳେ ବୋଲି ଏବେ ବି ଶୁଣିବାକୁ ମିଳେ! ଏଇଆ ହେଉଛି ସ୍ବତନ୍ତ୍ର ଓଡ଼ିଶାର ୮୦ ବର୍ଷର ଉପଲବ୍ଧି! ଓଡ଼ିଶାକୁ ଚିହ୍ନେଇବା ପାଇଁ ଏବେ ବି ଦରକାର ହୁଏ ଭଗ୍ନସ୍ତୁପରେ ପରିଣତ କୋଣାର୍କ ସୂର୍ଯ୍ୟମନ୍ଦିର ନହେଲେ ସେବାୟତଙ୍କ ଦେହ ଓ ମନର ମଳିରେ କଳୁଷିତ ହୋଇସାରିଥିବା ଜଗନ୍ନାଥ! ଓଡ଼ିଶା କ୍ଷେତ ଓ ବାଡ଼ିରେ ମଧ୍ୟ ଆଉ ମିଳୁନାହିଁ ଓଡ଼ିଶାର ପାରମ୍ପାରିକ ବିହନ ଓ ଫସଲ। ଏବେ ସବୁ ବିଦେଶୀ। ଗାଈଗୋରୁ, ଛେଳିମେଣ୍ଢା ଓ କୁକୁରବିଲେଇ ବି ଅଣଓଡ଼ିଆ। ନନ୍ଦନକାନନ ଚିଡ଼ିଆଖାନାରୁ ଆରମ୍ଭ କରି ଭିତରକନିକା ଅଭୟରଣ୍ୟରେ ଅଣଓଡ଼ିଆ ଜନ୍ତୁ ଓ ମଣିଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ଓଡ଼ିଶାର ପ୍ରାୟ ପ୍ରତି ସହରରେ ନିର୍ମିତ ହେଉଥିବା ବ୍ୟକ୍ତିଗତ ଘରରୁ ଆରମ୍ଭ କରି ସରକାରୀ କୋଠାବାଡ଼ିର ନାମଫଳକରେ ବି କେଉଁଠି ରହୁନି ଓଡ଼ିଆର ଚିହ୍ନବର୍ଣ୍ଣ। କାହିଁକି ଓଡ଼ିଆମାନେ ନିଜର ଭାଷା, ସଂସ୍କୃତି ଓ ସମୃଦ୍ଧି ଭୁଲିଯିବାକୁ ଏତେ ଆଗ୍ରହୀ? ଏତେ ତତ୍ପର? ଓଡ଼ିଆ କ’ଣ ଏକ ଅବୈଧ ପରିଚୟ? ନା ଏକ ଅବୈଧ ପିଢ଼ିର ଅପରିଣାମଦର୍ଶୀତାର ପରିଣାମ ହେଉଛି ଏଇ ହୀନମନ୍ୟତା?

Share :