କି ଦଣ୍ଡ ପାଇଲେ ମିଥ୍ୟାବାଦୀ ସାମ୍ବାଦିକ?

କି ଦଣ୍ଡ ପାଇଲେ ମିଥ୍ୟାବାଦୀ ସାମ୍ବାଦିକ?

Share :

    ବାରମ୍ବାର ମିଛ ଖବର ପରିବେଷଣ କରିବା ଓଡ଼ିଆ ଗଣମାଧ୍ୟମ ବିଶେଷକରି ଓଡ଼ିଶାର ପ୍ରମୁଖ ଦୈନିକ ଖବରକାଗଜଗୁଡ଼ିକର ଅଭ୍ୟାସରେ ପରିଣତ ହୋଇଗଲାଣି। ଆଉ ମିଛ ପଢ଼ିବା ଓ ମିଛ କଥାକୁ ସତ ବୋଲି ବିଶ୍ବାସ କରିବା ମଧ୍ୟ ଓଡ଼ିଆ ଲୋକଙ୍କର ବଦଭ୍ୟାସ ହୋଇଗଲାଣି। ଖବରକାଗଜଗୁଡ଼ିକ ଯେମିତି ଶୁଣା କଥାର ସତ୍ୟାସତ୍ୟ ଯାଞ୍ଚ ନକରି ଚାଞ୍ଚଲ୍ୟକର ଅଥବା ବିଭ୍ରାନ୍ତିକର ଖବର ପରିବେଷଣ କରୁଛନ୍ତି ଓଡ଼ିଆ ଲୋକମାନେ ଏପରିକି ନେତା ଓ ବାବୁମାନେ ମଧ୍ୟ ତାହାକୁ ବିଶ୍ବାସ କରି ଧନ୍ଦି ହେଉଛନ୍ତି। କାହିଁକି ଏମିତି ହେଉଛି ତାହା ଯେପରି ତଦନ୍ତ ସାପେକ୍ଷ କାହାର ଏଥିରେ ଲାଭ ହେଉଛି ତାହା ମଧ୍ୟ ତର୍ଜମା ସାପେକ୍ଷ। ଏବେ ଏମିତି ତିନିଟି ମିଛ ଖବରକୁ ନେଇ ଓଡ଼ିଶା ବିଧାନସଭାର ଅନେକ ସମୟ ବରବାଦ ହୋଇଯାଇଛି। ମାନ୍ୟବର ବିଧାୟକମାନେ ଏମିତି ଭୁଲ ଖବରକୁ ବିଶ୍ବାସ କରି ବୋକା ବନିଛନ୍ତି। ଏଭଳି ଖବର ଜରିଆରେ ରାଜ୍ୟ ସରକାର ଓ ଜନ ସାଧାରଣ କିପରି ବିଭ୍ରାନ୍ତ ଓ ବିପଥଗାମୀ ହେଉ ନଥିବେ ତାହା ବିଚାରଯୋଗ୍ୟ। ପ୍ରଥମ ମିଛ ଖବର- ନାନାଦି ଅପରାଧରେ ଗିରଫ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକଙ୍କ ସଂପର୍କ ହେତୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୁଲିସର ନୋଟିସ। ଏବେ ବିଧାନସଭା ଚାଲିଛି। ଏଭଳି ଏକ ଖବର ପଢ଼ିବା ପରେ କଂଗ୍ରେସ ଦଳ କ’ଣ ସମ୍ଭଳା ପଡ଼ିବା କଥା! କଂଗ୍ରେସ ବିଧାୟକମାନେ ଦଳୀୟ ଏକତା ପ୍ରଦର୍ଶନ ତଥା ଏହି ମଉକାରେ ସରକାରଙ୍କୁ ଘେରିବା ପାଇଁ ଏକ ସୁଯୋଗ ପାଇଲେ ଭାବି ହାସ୍ୟାସ୍ପଦ ହେଲେ ଓ ସେଥିପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭୁଲ ମାଗିବାକୁ ପଡ଼ିଲା। ମାର୍ଚ୍ଚ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏହି ଖବରକୁ କେନ୍ଦ୍ର କରି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହେଲା ଓ ରାଜ୍ୟ ଓ ରାଜ୍ୟବାସୀଙ୍କର ଅନେକ ମୂଲ୍ୟବାନ ସମୟ ବରବାଦ ହେଲା। ତା’ ସହିତ ଅର୍ଥ ବି। ଶେଷରେ ଜଣାପଡ଼ିଲା ଯେ ଖବରଟି ଡାହା ମିଛ। ପୁଲିସ ଅଧିକାରୀ କହିଲେ ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସେମିତି କୌଣସି ନୋଟିସ ଜାରି ହୋଇନାହିଁ। ମାନ୍ୟବର ବିଧାୟକ ଅବଶ୍ୟ ସେଯାଏଁ ନୋଟିସ ପାଇ ନଥିବା କଥା ଜାଣିଥିଲେ। ତେବେ କାଳେ ନୋଟିସ ବାଟରେ ଥିବ ଭାବି ବିଧାନସଭାରେ ଚୁପ ବସିଥିଲେ। ଦ୍ବିତୀୟ ମିଛ ଖବର- ରାଜଧାନୀରେ ଚଳନ୍ତା କାରରେ ଛାତ୍ରୀଙ୍କୁ ଗଣଧର୍ଷଣ। ଦିଲ୍ଲୀ ଓ କୋଲକାତା ପରି ଭୁବନେଶ୍ବରରେ ମଧ୍ୟ ଚଳନ୍ତା କାର୍ ଭିତରେ ଜଣେ ଯୁବତୀକୁ ଦୁଇ ଜଣ ଯୁବକ ଧର୍ଷଣ କରିଛନ୍ତି। ଡ୍ରାଇଭର ଧର୍ଷଣ କରିବାକୁ ପଛ ଡୋର୍ ଖୋଲିବା ସମୟରେ ଯୁବତୀ ଖସି ଆସି ଥାନାରେ କହିଛି। କିନ୍ତୁ ବିଧାନସଭାରେ ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କାଳେ ବଦନାମ ହେବେ ସେଥିପାଇଁ ପୁଲିସ ମାମଲା ଦଫାରଫା କରିବାକୁ ଚେଷ୍ଟା କରିଛି ଓ ଘଟଣାକୁ ଚପେଇ ଦେଇଛି। ବିଧାନସଭା ଚାଲିଥିବାବେଳେ ବିରୋଧୀ ଦଳ ପାଇଁ ଏଭଳି ଖବର କେତେ ମଜ୍ଜାଦାର ବୋଧ ହୋଇନଥିବ! ତାହା ହିଁ ହେଲା, ଏହି ଖବରକୁ କେନ୍ଦ୍ର କରି ମାର୍ଚ୍ଚ ୨୮ ତାରିଖରେ କଂଗ୍ରେସ ବିଧାୟକମାନ ତୁମ୍ଭିତୋଫାନ କଲେ। ଏ ଘଟଣା ଉପରେ ସେମାନେ ଗୃହ ବିଭାଗର ମନ୍ତ୍ରୀ ଅର୍ଥାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉତ୍ତର ଦାବି କଲେ। ଏହାକୁ ଶାସକ ବିଜୁ ଜନତା ଦଳର ବିଧାୟକମାନେ ସ୍ବାଭାବିକ ଭାବେ ବିରୋଧ କଲେ। ଏ ବିଷୟରେ ପ୍ରବଳ ଯୁକ୍ତିତର୍କ ଓ ତକାତକି ଭିତରେ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହେଲା ଓ ଗୃହକୁ ମୁଲତବୀ କରିବାକୁ ପଡ଼ିଲା। ପରେ ପୁଲିସ କମିଶନର ୱାଇବି ଖୁରାନିଆ ଗଣମାଧ୍ୟମରେ କହିଲେ ଯେ ଏହା ହେଉଛି ଏକ ମିଛ ଖବର। ଏଭଳି ଖବର ପ୍ରକାଶିତ ହେବା ପରେ ପୁଲିସ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରି ଖୋଳତାଡ଼ କରିଥିଲା। କିନ୍ତୁ ତଦନ୍ତ ଶେଷରେ ଜଣାପଡ଼ିଲା ଯେ ଖବରଟି ମନଗଢ଼ା, ସେମିତି କିଛି ଘଟି ନାହିଁ। ତୃତୀୟ ମିଛ ଖବର- ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ଏମ୍ସର ଏକ ଉପକେନ୍ଦ୍ର ବା ସାଟେଲାଇଟ ସେଣ୍ଟର ବାଲେଶ୍ବରରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ତାହା ବାତିଲ ହୋଇଛି ସେହି କେନ୍ଦ୍ରକୁ ଭୁବନେଶ୍ବର ନିକଟକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଖବର ଉଭୟ କଂଗ୍ରେସ ଓ ବିଜୁ ଜନତା ଦଳ ପାଇଁ ରାଜନୀତିକ ଖୋରାକ ଯୋଗାଇଲା। ସହଜେ ତ ବିଜୁ ଜନତା ଦଳ ଗଲା ୧୬ ବର୍ଷ ଧରି କେନ୍ଦ୍ର ଅବହେଳା ମନ୍ତ୍ର ଜପ କରୁଛି। ଏବେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର କ୍ଷମତାରେ ଥିବାରୁ ବିଜେପିକୁ ସମାଲୋଚନା କରିବା ପାଇଁ ଏଭଳି ଏକ ଖବର ଏକ ଭଲ ରାଜନୀତିକ ଅସ୍ତ୍ର ବୋଲି ସେମାନେ ବିଶ୍ବାସ କଲେ। ତେଣୁ ସ୍ବାଭାବିକ ଢଙ୍ଗରେ ମାର୍ଚ୍ଚ ୨୯ ତାରିଖରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଲା। ସରଗରମ ଆଲୋଚନା ହେଲା ଓ ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ ହେଲା। ଶେଷରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ ଏମ୍ସ ଉପକେନ୍ଦ୍ର ବାଲେଶ୍ବରରୁ ଭୁବନେଶ୍ବର ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ବା ରାଜ୍ୟ କେହି ଏମିତି ପ୍ରସ୍ତାବ ଦେଇ ନାହାନ୍ତି। ଓଡ଼ିଆ ଗଣମାଧ୍ୟମର ଏହି ତିନିଟି ମିଛ ଖବର ଯୋଗୁଁ ବିଧାୟକ, ବିଧାନସଭା ଓ ସରକାର କେବଳ ଭାଣ୍ଡିଆ ହେଲେ ନାହିଁ, ଅଧିକନ୍ତୁ ରାଜ୍ୟବାସୀଙ୍କର ଟିକସ ଅର୍ଥ ମଧ୍ୟ ବରବାଦ ହେଲା। ତେବେ ଏହି ବରବାଦୀ ପାଇଁ ଯେଉଁମାନେ ଦାୟୀ ତାଙ୍କର କ’ଣ ହେଲା? ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲା କି? ଏଭଳି ମିଥ୍ୟା ପରିବେଷଣ ପାଇଁ ସେମାନଙ୍କ ବିରୋଧରେ ବିଧାନସଭାରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆସିଲା ନାହିଁ କି ଜନ ସାଧାରଣ ମଧ୍ୟ ଟଙ୍କା ଦେଇ ମିଛ କଥା ପଢ଼ିଥିବାରୁ କ୍ଷତିପୂରଣ ଦାବି କଲେ ନାହିଁ। ଓଡ଼ିଆ ଗଣମାଧ୍ୟମର ଏଭଳି ମିଥ୍ୟାଚାର ବିରୋଧରେ କେବେ କୌଣସି ପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଘଟଣା ବଢ଼ିବଢ଼ି ଚାଲିଛି। ଏଭଳି ମିଥ୍ୟା ଖବରର ଏକ ବଡ଼ ଉଦାହରଣ ହେଉଛି ୨୦୧୫ ନବକଳେବର ପ୍ରକ୍ରିୟାର ଘଟ ପରିବର୍ତ୍ତନ। ଘଟ ପରିବର୍ତ୍ତନ ହୋଇ ନଥିଲା, ଅଥଚ ରାଜ୍ୟର ପ୍ରାୟ ସମସ୍ତ ଖବରକାଗଜର ମୁଖ୍ୟ ଖବର ଥିଲା ଘଟ ପରିବର୍ତ୍ତନ ସଂପନ୍ନ! ଅଳ୍ପଶିକ୍ଷିତ ଓ ତାଲିମହୀନ ସାମ୍ବାଦିକ ଓ ସଂପାଦକ, ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ସାମ୍ବାଦିକତା ବା ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ମୁଖପତ୍ର ହେବାର ଲାଳସା ହିଁ ଓଡ଼ିଶାର ଅନେକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ଏଇଭଳି ମିଥ୍ୟାବାଦୀର ପରିଚୟ ଦେଇସାରିଲାଣି।

Share :