ଦରିଦ୍ର ଯୁବକର ସ୍ବଚ୍ଛ ଭାରତ ସ୍ବପ୍ନ

ଦରିଦ୍ର ଯୁବକର ସ୍ବଚ୍ଛ ଭାରତ ସ୍ବପ୍ନ

Share :

୪୬00 କିଲୋମିଟର ସାଇକେଲ ଯାତ୍ରାରୁ ଫେରିଲେ ନିମାପଡାର ମନୋଜ   ଅଜିତ କୁମାର ମଲ୍ଳିକ/କୋଣାର୍କ ଅଦମ୍ୟ ଇଚ୍ଛାଶକ୍ତି, ପରିବାର ଓ ବନ୍ଧୁମାନଙ୍କର ପ୍ରେରଣା ବଳରେ ନିମାପଡାର ୨୮ ବର୍ଷିୟ ଯୁବକ ମନୋଜ ବାରିକ ନିଜ ଗ୍ରାମ ସାଦିରିଆରୁ ଜାମୁ ପର୍ଯ୍ୟନ୍ତ ୪୬୦୦ କିଲୋମିଟର ସାଇଲରେ ଯାତ୍ରାକରି ସଫଳତାର ସହ ଫେରିଛନ୍ତି। ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତର ସାଦେରିଆ ଗ୍ରାମର ଯୁବକ ମନୋଜ ସ୍ୱଚ୍ଛ ଭାରତର ନାରା ନେଇ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ରାଜନେତା, ବିଶିଷ୍ଟ ବ୍ୟକ୍ତି ଓ ଖେଳାଳୀଙ୍କୁ ଭେଟି ସ୍ୱଚ୍ଛତାର ବାର୍ତ୍ତା ବଣ୍ଟିଛନ୍ତି। ଏଥିପାଇଁ ସେ ଏବେ ଦେଶର ଜଣେ ପରିଚିତ ବ୍ୟକ୍ତି ପାଲୋଟି ଯାଇଛନ୍ତି। ଦାରିଦ୍ର୍ୟ ସତ୍ତ୍ବେ ପରିବାର ଓ ଗ୍ରାମବାସୀଙ୍କ ଅଗୋଚରରେ ଗତ ଜାନୁୟାରୀ ୨୦ ତାରିଖ ପୂର୍ବାହ୍ନରେ ନିଜ ଗ୍ରାମ ସାଦିରିଆରୁ ସାଇକଲରେ ଯାତ୍ରା ଆରମ୍ଭ କରିଥିଲେ ମନୋଜ। ଏହି ଯାତ୍ରା ପାଇଁ ମନୋଜ ପୁରୀ ଜିଲ୍ଲା ପାଲଙ୍କୁ ଅନୁମତି ମାଗିଥିଲେ ମଧ୍ୟ ଜିଲ୍ଲା ପାଲଙ୍କ ପକ୍ଷରୁ ତାଙ୍କୁ  କୌଣସି ପ୍ରକାର ସହଯୋଗ କରା ଯାଇ ନ ଥିଲା। ଜିଲ୍ଲାପାଳକଙ୍କ ଅନୁମତି ପତ୍ରଟି ନିମନ୍ତେ ଜିଲ୍ଲାପାଳଙ୍କ ପାର୍ଯ୍ୟାଳୟକୁ ବାରମ୍ବାର ଦୌଡି ନିରାଶ ହେବା ପରେ ମନୋଜ ଏଥିରେ ଭାଙ୍ଗି ନ ପଡି ଯାତ୍ରା ଆରମ୍ଭ କରି ଦେଇଥିଲେ। ମନୋଜ ବାଲେଶ୍ୱରରେ ପହଞ୍ଚିଥିବା ବେଳେ ସେଠାକାର ୪ ଜଣ େସ୍ୱଚ୍ଛାସେବୀ ତାଙ୍କୁ  ଅଟକାଇ ତାଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପଚାରି ବୁଝିଥିଲେ। ଏହି ସାଇକଲ ଯାତ୍ରା ପାଇଁ ତାଙ୍କ ପାଖରେ କୌଣସି ଅନୁମତି ପତ୍ର ନ ଥିବାରୁ ଏହି ୪ଜଣ େସ୍ୱଚ୍ଛାସେବୀ ବାଲେଶ୍ୱରର ଜିଲ୍ଳାପାଳଙ୍କ ସହ ପରିଚିତ କରାଇ  ଅନୁମତି ପତ୍ରଟିଏ ଯୋଗାଡ କରାଇ ଦେଇଥିଲେ। ମନୋଜଙ୍କର ଏତାଦୃଶ କାର୍ଯ୍ୟ ଦେଖି ବାଲେଶ୍ୱର ଜିଲ୍ଲାପାଳ ଉତ୍ସାହିତ ହୋଇ ସହଯୋଗର ହାତ ବଢାଇଥିଲେ। ମନୋଜ ଓଡିଶା ଅତିକ୍ରମ କରିବା ପରେ ଝାରଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଞ୍ଚଳ ପ୍ରଦେଶ, ପଞ୍ଜାବ, ହରିୟାନା, ଜାମୁ ଓ ଦିଲ୍ଳୀ ଆଦି ୧୦ଟି ରାଜ୍ୟର ସ୍କୁଲ, କଲେଜ, ଗାଁ ଓ ସହରରେ ପହଞ୍ଚି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂ ଯାଦବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାବତ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସାଂସଦ ଅନୁରାଗ ଠାକୁର, ଜଗତସିଂହପୁର ସାଂସଦ କୁଳମଣି ସାମଲ, ଭୁବନେଶ୍ୱରର ସାଂସଦ ପ୍ରସନ୍ନ ପାଟଶହାଣୀ, ବାଲେଶ୍ୱରର ସାଂସଦ ରବୀନ୍ଦ୍ର କୁମାର ଜେନା, ପୁରୀ ସାଂସଦ ପିନାକୀ ମିଶ୍ର, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଓ ଯୋଗ ଗୁରୁ ରାମଦେବ ପ୍ରମୁଖ ନିପଟ ମଫସଲର ଓଡିଆ ଯୁବକଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। ସାଇକଲ ଯାତ୍ରା ସମୟରେ ନେତା ମନ୍ତ୍ରୀ ପ୍ରଶାସକ, େସ୍ୱଚ୍ଛାସେବୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପଥଚାରୀଙ୍କ ପ୍ରେରଣା ମନୋଜଙ୍କୁ ଅଧିକ ଉତ୍ସାହିତ କରିଥିଲା ବୋଲି ମନୋଜ କହିଛନ୍ତି। ଗରୀବ ଯୁବକ ମନୋଜଙ୍କର ଏଭଳି ପ୍ରଶଂସନୀୟ ଉଦ୍ୟମକୁ ଦେଖି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୫ ହଜାର ଟଙ୍କା, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୨ ହଜାର ଟଙ୍କା ଅର୍ଥିକ ସହଯୋଗ କରିଥିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂ ଯାଦବ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦିଲ୍ଲୀ ରହଣି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଉଚ୍ଛା ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସାକ୍ଷାକାରର ସୁଯୋଗ ମିଳି ପାରି ନ ଥିଲା ମନୋଜଙ୍କୁ। ପିତା ବୀରବର ବାରିକ, ମାତା ହର୍ଷମଣୀ ବାରିକ ଦୁଇ ସାନଭାଇ ଓ ଏକ ମାତ୍ର ଭଉଣୀଙ୍କୁ ନେଇ ମନୋଜଙ୍କ ପରିବାର। ମୁଖ୍ୟ ଜୀବିକା କୃଷି। ପରିବାରର ଆର୍ଥକ ଅନଟନ ଯୋଗୁଁ ଯୁକ୍ତ ୩ରୁ ପାଠ ପଢା ଛାଡି ମନୋଜ ଏକ ଔଷଧ ଦୋକାନରେ ସ୍ୱଳ୍ପ ବେତନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟକରି ପରିବାରର ଭରଣ ପୋଷଣ ଦାଇତ୍ୱ ନେଇଥିଲେ। ୨୦୧୦ ମସିହାରେ ପୁରୀ ବୁଲିବାକୁ ଯାଇଥିବା ସମୟରେ ବିଦେଶୀମାନେ ସମୁଦ୍ର କୂଳରେ ପହିରହିଥିବା ଅଳିଆ ଅବର୍ଜନା ସଫା କରୁଥିବା ଦେଖି ମନରେ ପରିବର୍ତ୍ତନ ଆସିଥିଲା। ସେମାନେ ବିଦେଶୀ ହୋଇ ଏତେ ଦୁରରୁ ଆସି ଏଠାରେ ସ୍ୱଚ୍ଛାତା ପ୍ରତି ଆମକୁ ସଚେତନତା କରାଇ ପାରୁଛନ୍ତି। ଆମେ କଣ ପାଇଁ ସଚେତନ ନ ହେବା? ଏହି ପ୍ରଶ୍ନ ମନୋଜଙ୍କୁ ଆନ୍ଦୋଳିତ କରିଥିଲା। ସେ ମନେ ମନେ ସ୍ଥିର କଲେ ସାଇକଲରେ ଭାରତ ଭ୍ରମଣ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିବେ। ଏଥି ପାଇଁ ସେ ପ୍ରୟାସ ଆରମ୍ଭ କରି ଦେଇଥିଲେ। କାହା ସାହାଯ୍ୟ ସହଯୋଗକୁ ଅପେକ୍ଷା ନ କରି ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ସେ ୫୪ ଦିନରେ ଅତିକ୍ରମ କରିଛନ୍ତି ୪୬୦୦ କିଲୋମିଟରର ଲମ୍ୱା ପଥ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଅଭିଯାନରେ ନିଜକୁ ସାମିଲ ରଖିବା ସହ ସୁଯୋଗ ମିଳିଲେ ସମଗ୍ର ଭାରତକୁ ସାଇକଲରେ ଭ୍ରମଣ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବି ବୋଲି ମନୋଜ କହିଛନ୍ତି। କାହାକୁ ନ ଜଣାଇ ନିଜ ଲକ୍ଷ୍ୟ ହାସଲରେ ବାହାରି ସଫଳ ହୋଇଥିବା ମନୋଜଙ୍କ ସଂପର୍କରେ ଜାଣିବା ପରେ ପରିବାର, ସାଙ୍ଗସାଥୀ, ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହାରୀ ଖେଳି ଯାଇଛି। ମନୋଜଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ପରିବାର ଓ ଗ୍ରାମବାସୀମାନେ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି। ମନୋଜଙ୍କ ଦୁଃସାହାସିକ ଉଦ୍ୟମ ସମଗ୍ର ରାଜ୍ୟର ଉଦାହରଣ ସୃଷ୍ଟି କରିଥିବା ବେଳେ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇ ଦେଇଛି ବୋଲି ନିମାପଡା ବିଧାୟକ ସମିର ରଞ୍ଜନ ଦାଶ କହିଛନ୍ତି। ମନୋଜଙ୍କର ଏହି ସଫଳତା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ମଙ୍ଗଳବାର ମନୋଜ ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସମୟରେ ନିମାପଡା ବିଧାୟକ ଦାସ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋଜଙ୍କର ଏହି ସଫଳତା ଓ ସମଗ୍ର ଦେଶରେ ସ୍ୱଚ୍ଛତାର ବାର୍ତ୍ତାକୁ ବାଣ୍ଟି ଥିବାରୁ ତାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ସ୍ୱାଗତ ସମ୍ୱର୍ଦ୍ଧନା ଦେଇ ଉତ୍ସାହିତ କରିଥିଲେ।  ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩

Share :