ଏମିତି ଶାସନ, ଲୋକଙ୍କୁ ଲୁଣ୍ଠନ ଘନଘନ!

ଏମିତି ଶାସନ, ଲୋକଙ୍କୁ ଲୁଣ୍ଠନ ଘନଘନ!

Share :

ଭାରତର ୨୯ଟି ରାଜ୍ୟ। ଏଥିରୁ ୨୫ଟି ରାଜ୍ୟର ସରକାର ନିଜ ଲୋକଙ୍କ ପାଇଁ ଡାଲି, ଚାଉଳ, ଅଟା ଭଳି କେତେକ ଅତ୍ୟାବଶ୍ୟକ ଖାଦ୍ୟଦ୍ରବ୍ୟ ଉପରେ ଭାଟ୍ ଛାଡ଼ କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଏତେ ଜନ ଦରଦୀ ଯେ ଏସବୁ ଜିନିଷ ଉପରୁ ୫ ପ୍ରତିଶତ ଟିକସ ଆଦାୟ ନକଲେ ଲୋକମାନେ ଯେମିତି ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି! ଏସବୁ ଜିନିଷ ଉପରୁ ଭାଟ୍ ଛାଡ଼ କରିବାକୁ ବ୍ୟବସାୟୀମାନେ ବରଂ ବାରମ୍ବାର ଦାବି କରୁଛନ୍ତି। କିନ୍ତୁ ସରକାର ନିଦାବିଷ୍ଣୁ! ସେଥିପାଇଁ ଏବେ ଏହି ଟିକସ ଛାଡ଼ ଦାବିରେ ପୁଣି ଥରେ ଅକଡ଼ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଙ୍ଘ। ଏପ୍ରିଲ ପହିଲାରୁ ଏସବୁ ଜିନିଷର ଆମଦାନୀ ବନ୍ଦ କରିବାକୁ ଧମକ ଦେଇଛି ସଂଘ। ଆମଦାନୀ ବନ୍ଦ ହେଲେ ବଜାରରେ ଦର ବଢ଼ିବା ନିଶ୍ଚିତ ଏବଂ ତାହା ହେବ ଖାଉଟିଙ୍କ ଉପରେ ଆଉ ଏକ ଚଡ଼କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ଡାଲି ଇତ୍ୟାଦି କିଣୁଥିଲେ ଦର କଥା ଭାବନ୍ତେ! ତାଙ୍କ ପେଟ ପୂରେଇବାକୁ ତ କେତେ ଅସାଧୁ ଅଫିସର ଓ ବ୍ୟବସାୟୀ ଅଛନ୍ତି, ସିଏ କାହିଁକି ଲୋକଙ୍କ ସମସ୍ୟା କଥା ବୁଝିବେ! ରାଜ୍ୟ ବ୍ୟବସାୟୀ ସଂଘର ସଂପାଦକ ସୁଧାକର ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସଂଘ ଏପ୍ରିଲ ପହିଲାରୁ ରାଜ୍ୟ ବାହାରୁ ଚିନି, ଡାଲି, ଅଟା, ସୁଜି ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବ ନାହିଁ। ଏସବୁ ଜିନିଷ ଉପରୁ ଭାଟ୍ ଛାଡ଼ ଦାବିରେ ସଂଘ ଏହି ନିଷ୍ପତ୍ତି ଗ୍ରହଣ କରିଛି। ସଂଘର ଅଭିଯୋଗ ଅନୁସାରେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଏନେଇ ଏକକ ଟିକସ ବ୍ୟବସ୍ଥା କରିବାକୁ ରାଜ୍ୟ ବ୍ୟବସାୟ ସଂଘ ଦାବି କରିଆସୁଛି। ଏହାକୁ ନେଇ ପୂର୍ବରୁ ମଧ୍ୟ ସଂଘ ଆନ୍ଦୋଳନର ଧମକ ଦେଇଥିଲା। ସମସ୍ୟାର ସମାଧାନ ପାଇଁ ସରକାର ୨୦୧୫ ଜୁନ୍‌ ମାସରେ ଏକ କମିଟି ଗଠନ କରିଥିଲେ। ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହା ଭିତରେ ୯ ମାସ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ସଂଘ ଏଭଳି ନିଷ୍ପତ୍ତି ନେଇଛି। ରାଜ୍ୟ ବ୍ୟବସାୟୀ ସଂଘ ସଂପାଦକ ସୁଧାକର ପଣ୍ଡା କହିଛନ୍ତି, “ସରକାର ଆମକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବ ଅନୁଯାୟୀ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟିରେ ବିଭିନ୍ନ ବିଭାଗର ଅଫିସରମାନେ ସଭ୍ୟ ଥିବା ବେଳେ ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଚାରି ଜଣ ସଭ୍ୟ ଥିଲେ। ଏହି କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ସରକାର ଆମକୁ କହିଥିଲେ। ଦ୍ୱିତୀୟ ପ୍ରତିଶ୍ରୁତିରେ ସରକାର ଆମକୁ କହିଥିଲେ ଯେ କେନ୍ଦ୍ର ସରକାର ଜିଏସ୍‌ଟି ଲଗାଇବାକୁ ଯାଉଛନ୍ତି। ଏହା ହେଲେ ଏକକ ଟିକସ୍ ନେଇ ଆମର ଦାବି ପୂରଣ ହୋଇଯିବ। କିନ୍ତୁ ଦୁଇଟି ଯାକରୁ କେଉଁଟି କାର୍ଯ୍ୟକାରୀ ନ ହେଲେ କ’ଣ କରାଯିବ ବୋଲି ଆମେ ପଚାରିଥିଲୁ। ସରକାର କହିଥିଲେ ଯେ ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏ ଦୁଇଟି ମଧ୍ୟରୁ ଯଦି କୌଣସିଟି କାର୍ଯ୍ୟକାରୀ ନ ହୁଏ, ତା’ହାଲେ ୨୦୧୬ ଏପ୍ରିଲ ପହିଲାରୁ ଏ ସବୁ ସାମଗ୍ରୀଗୁଡ଼ିକ ଉପରୁ ଟିକସ ଉଠାଇ ଦିଆଯିବ। ଯଦି ସରକାର ଏହି ପ୍ରତିଶ୍ରୁତି ପୂରଣ ନ କରନ୍ତି, ତାହାହେଲେ ଆସନ୍ତା ୧ ତାରିଖରୁ ଆମେ ବାହାର ରାଜ୍ୟରୁ ଆମଦାନି ବନ୍ଦ କରି ଦେବୁ। ଯାହା ଆମ ପାଖରେ ମହଜୁଦ ରହିଛି ସେଗୁଡ଼ିକୁ ସଠିକ୍ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇ  ଦେବୁ।” ସେ କହିଛନ୍ତି, “ଦେଶର ମାଟ ୨୯ ରାଜ୍ୟରୁ ୨୫ଟି ରାଜ୍ୟରେ ଡାଲି, ଗହମ, ଚିନି ଆଦି ସାମଗ୍ରୀ ଉପରେ କୌଣସି ଟିକସ ନାହିଁ। ଓଡ଼ିଶା ଏକ ଖାଉଟି ରାଜ୍ୟ। ଏ ରାଜ୍ୟର ଲୋକେ ଯାହା ଖାଆନ୍ତି ତା’ର ବୁହାବୁହି ବାବଦରେ ୫ ରୁ ୭ ପ୍ରତିଶତ ପରିବହନ ଖର୍ଚ୍ଚ କରି ଥାଆନ୍ତି। ଭାଟ୍ ୫ ପ୍ରତିଶତ ଓ ପରିବହନ ଖର୍ଚ୍ଚ ୭ ପ୍ରତିଶତ ମିଶାଇଲେ ୧୨ ପ୍ରତିଶତ ବୋଝ ଖାଉଟିଙ୍କ ଉପରେ ପଡ଼ୁଛି। ଏହା ସେମାନଙ୍କ ଉପରେ ଅଯଥା ବୋଝ। ବରଂ ଏଭଳି ଟିକସ ଜରିଆରେ ସେମାନଙ୍କୁ ଶୋଷଣ କରାଯାଉଛି କହିଲେ ଅତ୍ୟିକ୍ତି ହେବ ନାହିଁ। ଏହା ସତ୍ତ୍ୱେ ସରକାର ୫ ପ୍ରତିଶତ ଭାଟ୍ ଆକାରରେ ଯେଉଁ ରାଜସ୍ୱ ପାଇବା କଥା ତାହା ପାଉ ନାହାନ୍ତି। ସରକାର ମାତ୍ର ୧୦ ଭାଗରୁ ୧ ଭାଗ ରାଜସ୍ୱ ପାଉଛନ୍ତି, ୯୦ ଭାଗ ଟିକସ ଅସାଧୁ ବ୍ୟବସାୟୀ ହଡ଼ପ କରି ନେଉଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକସ ନୀତି ଯୋଗୁଁ ଏମିତି ହେଉଛି। ଖାଉଟି ଟିକସ ବୋଝ ସହୁଛି କିନ୍ତୁ ସରକାର ରାଜସ୍ୱ ଯେତିକି ପାଇବା କଥା ପାଉ ନାହାନ୍ତି।” ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ଅର୍ଥମନ୍ତ୍ରୀ ଏକ ବୈଠକ ଡାକିଛନ୍ତି। ଶନିବାର ଅପରାହ୍ନ ସାଢ଼େ ୫ଟାରେ ଏହି ବୈଠକ ବସିବ। ସମସ୍ତ ବିଭାଗର ଅଧିକାରୀମାନେ ସେଠାରେ ଉପସ୍ଥିତ ରହିବେ। ରାଜ୍ୟ ବ୍ୟବସାୟୀ ସଂଘ ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରାଯିବ। ଏ ନେଇ କିଛି ନିଷ୍ପତ୍ତି ହୋଇଯିବ ବୋଲି ଆଶା ଅଛି। ରାଜ୍ୟ ବ୍ୟବସାୟୀ ସଂଘ ପୂର୍ବରୁ ବି ସରକାରଙ୍କୁ ସହଯୋଗ କରିଛି ଓ ଆଗକୁ ବି କରିବ ବୋଲି ଆମେ ଆଶା ରଖିଛୁ।” ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର ବା ଜିଏସଟି ଲାଗୁ କଲେ ଭାରତବର୍ଷରୁ ଆପେଆପେ ଭାଟ୍ ବା ଭାଲୁ୍ୟ ଆଡେଡ ଟ୍ୟାକ୍ସ ଉଠିଯିବ। କିନ୍ତୁ ସେଥିପାଇଁ ଜିଏସଟି ବିଲ୍ ସଂସଦରେ ଗୃହୀତ ହେବା ଦରକାର। ଏହା ଯଦି ବଜେଟ ଅଧିବେଶନ ପୂର୍ବରୁ ଗୃହୀତ ହୋଇଥାନ୍ତା ତେବେ ଏପ୍ରିଲ ୧ ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଥାନ୍ତା। କିନ୍ତୁ କଂଗ୍ରେସ ଓ ବିଜେଡି ପରି ଦଳଙ୍କ ବିରୋଧ ଯୋଗୁଁ ଏହା ଏହା ଏଯାଏଁ ଆଇନରେ ପରିଣତ ହୋଇନାହିଁ। ତେଣୁ ଏପ୍ରିଲ ପହିଲା ପୂର୍ବରୁ ଜିଏସଟି ଲାଗୁ ହେବାର କୌଣସି ସମ୍ଭାବନା ନାହିଁ। ସେହିପରି ଗଲା ବର୍ଷଗୁଡ଼ିକ ପରି ରାଜ୍ୟର ସାଧାରଣ ଜନତାଙ୍କ ସ୍ବାର୍ଥ କଥା ଓଡ଼ିଶାର ତଥାକଥିତ ଲୋକପ୍ରିୟ ନବୀନ ସରକାର ମୁଣ୍ଡକୁ ଢୁକୁ ନାହିଁ। ଓଲଟି ସରକାରୀ ନେତା ଓ ବାବୁମାନେ ଏଭଳି ଟିକସ ଅର୍ଥ ହଡ଼ପ କରିବା ପାଇଁ ବିଭିନ୍ନ ବାଟ ବାହାର କରୁଛନ୍ତି। ଯଦି ଡାଲି, ଚାଉଳ, ଗହମ ଓ ଚିନି ଆଦି ଜିନିଷ ଉପରୁ ସଠିକ ପରିମାଣର ଭାଟ୍ ଆଦାୟ ହୋଇପାରୁନି ତେବେ ବୁଝିବାକୁ ହେବ ଯେ ସେ ବାବଦରେ କୋଟିକୋଟି ଟଙ୍କା ଅନୈତିକ ଭାବରେ ହସ୍ତାନ୍ତର ହେଉଛି। କାରଣ ସରକାର ଏତେ କୋହଳ ନୁହନ୍ତି କି ବ୍ୟବସାୟୀମାନେ ଏତେ ସାଧୁ ନୁହନ୍ତି।

Share :