ଓଳକଣା ମେଲଣରେ ହରିହରଙ୍କ ଭେଟ

ଓଳକଣା ମେଲଣରେ ହରିହରଙ୍କ ଭେଟ

Share :

    ଶୁଭେନ୍ଦୁ କୁମାର ଭୂୟାଁ   ଶ୍ରୀମନ୍ଦିରର ଦୋଳମିଳନ, ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମେଳଣ, ନେମାଳପୀଠ ଦୋଳଯାତ୍ରା, ବୟାଳିଶ ମୌଜାର ଗୋପୀନାଥ ଦୋଳ, ଚଅଁରପୁର ମାଧୁରୀମଠର ବୈଷ୍ଣବ ମେଳା, ବ୍ରହ୍ମଗିରିର ହରିହର ଭେଟ, ବରୁଆଁ ମେଲଣ, ଏରଞ୍ଚ ନୃସିଂହନାଥଙ୍କ ଦୋଳ ଉତ୍ସବ ଭଳି ଏହି ଓଳକଣା ମେଲଣ ଏକ ଅନନ୍ୟ ସାଧାରଣ ଘଟଣା ପ୍ରବାହର ମୂକସାକ୍ଷୀ । ସଚରାଚରରେ ଅଧିକାଂଶ ଦୋଳମେଲଣରେ ଠାକୁରବାଡ଼ିର ମଠଗୁଡ଼ିକୁ ମେଲଣ ପାଇଁ ସ୍ବତନ୍ତ୍ର ଆମନ୍ତ୍ରଣ କରାଯାଉଥିଲା ବେଳେ ଓଳକଣା ମେଲଣର ଏହାର ଏକ ବ୍ୟତିକ୍ରମ । ବିନା ନିମନ୍ତ୍ରଣ, ବିନା ବିଦାକିରେ ବହୁ ପୁରାତନ କାଳରୁ ଦେଢ଼ଶହରୁ ଅଧିକ ବିମାନ ଏହି କ୍ଷେତ୍ରକୁ ବିଜେ ହୋଇଥାନ୍ତି । ପ୍ରତିବର୍ଷ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିର ପରମ ପାବନ ବ୍ରାହ୍ମମୁହୂର୍ତ୍ତରେ ଏହି ମହାନ ମେଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପ୍ରାଚୀନ କ୍ଷେତ୍ର ଓଳକଣା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଡେରାବିଶ୍ ଓ ମାହାଙ୍ଗା ବ୍ଲକ୍ର ସୀମାକ୍ଷେତ୍ରରେ ହିଁ ଅନୁଷ୍ଠିତ ହୋଇଥାଏ । ଡେରାବିଶ୍ ବ୍ଲକ୍ର ଏଣ୍ଡର ଗ୍ରା:ପ:ସ୍ଥିତ ଅରାଖଣ୍ଡ ଓ ନୀଳକଣ୍ଠପୁର ଗ୍ରାମ ଏବଂ ମାହାଙ୍ଗା ବ୍ଲକ୍ର ଓଳକଣା ଗ୍ରାମରେ ହିଁ ଓଳକଣା ପଡ଼ିଆର ଅବସ୍ଥିତି । ଏହି ଅଞ୍ଚଳ ଏକ ମହାନ ବିଭୂତିର କ୍ଷେତ୍ର ଭାବରେ ବହୁ ପୁରାଣଶାସ୍ତ୍ର, ମାଳିକାରେ ବର୍ଣ୍ଣିତ ହୋଇଛି । ଓଳକଣା ମେଲଣର ପୃଷ୍ଠଭୂମି ଉପରେ ଲୋକମୁଖରେ ପ୍ରଚଳିତ କିମ୍ବଦନ୍ତୀଟି ଏହିଭଳି- ଦ୍ବାପରଯୁଗରେ ପାଣ୍ଡବଭାଇମାନେ ପଶାଖେଳରେ ସର୍ବସ୍ବାନ୍ତ ହେଲାପରେ କୌରବମାନଙ୍କ ମାତୁଳ ଶକୁନି ଓ ଜ୍ୟେଷ୍ଠ ଭ୍ରାତା ରାଜା ଦୁର୍ଯୋଧନଙ୍କ ଚକ୍ରାନ୍ତରେ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ଭୋଗ କରିବା ପରେ ମଧ୍ୟ ରାଜାନୁଗ୍ରହରୁ ବଂଚିତ ହୋଇଛନ୍ତି । ମହାଭାରତ ଯୁଦ୍ଧର ସଂଭାବ୍ୟ ପରିଣତିକୁ ଏଡ଼ାଇବାକୁ ଶ୍ରୀକୃଷ୍ଣ ଶାନ୍ତିର ବର୍ତ୍ତାବହ ଭାବରେ ଉଦ୍ୟମ କରି ମଧ୍ୟ କୁରୁ ରାଜସଭାରୁ ଶୂନ୍ୟ ହସ୍ତରେ ଫେରିଛନ୍ତି । ମାତ୍ର ପାଞ୍ଚଟି ପଡ଼ା ନ ପାଇ ଶ୍ରୀକୃଷ୍ଣ ଅପମାନିତ ହୋଇ ଫେରିବା ବାଟରେ ତାଙ୍କର ପରମ ଉପାସକ ଭକ୍ତ ବିଦୂରଙ୍କ ଘରକୁ ଯାଇଛନ୍ତି ଏବଂ ଶାଗଭାତ ଖାଇ ସନ୍ତୁଷ୍ଟ ହୋଇଛନ୍ତି । ମହାନ ଭକ୍ତର ମନୋବାଞ୍ଛା ପୂରଣ ପାଇଁ ତା’ର ଦରିଦ୍ର କୁଡ଼ିଆରେ ପାଦ ରଖି ଶ୍ରୀକୃଷ୍ଣ ଆତ୍ମସନ୍ତୋଷ ଲାଭ କରିଥିଲେ ମଧ୍ୟ ଭକ୍ତ ବିଦୂର ବହୁବାଂଛିତ କାମନା ହରି-ହର ରୂପ ଦର୍ଶନ ପାଇଁ ପ୍ରାର୍ଥନା କରିଛନ୍ତି । ମହାନ ଭକ୍ତର ଭକ୍ତିରେ ବନ୍ଧା ଶ୍ରୀକୃଷ୍ଣ ପରବର୍ତ୍ତୀ ସମୟରେ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ତାଙ୍କୁ ଏହି ଦେବଦୁର୍ଲ୍ଲଭ ରୂପରେ ଦର୍ଶନ ଦେବେ ବୋଲି ଆଶୀର୍ବାଦ କରିଛନ୍ତି । ମହାଭାରତ ଯୁଗରୁ ଅଦ୍ୟାବଧି ଏହି ପୌରାଣିକ ପୃଷ୍ଠଭୂମିର କିମ୍ବଦନ୍ତୀ ଅନୁଯାୟୀ ମହାନ ଭକ୍ତ ବିଦୂର ପ୍ରତି ଫଗୁ ଚତୁର୍ଦ୍ଦଶୀର ବ୍ରାହ୍ମନିଶିରେ ହରି-ହର ରୂପ ଦର୍ଶନ କରିଆସୁଛନ୍ତି । ଓଡ଼ିଶାର କୌଣସି ସ୍ଥାନରେ ଦ୍ବାପର ଯୁଗର ମହାନ ଭକ୍ତ ବିଦୂର, ଉଦ୍ଧବ, ଦ୍ରୋଣ, ଭୀଷ୍ମ ଓ ପାଣ୍ଡବ ପଞ୍ଚଭ୍ରାତାଙ୍କ ମନ୍ଦିର ନଥିଲା ବେଳେ ଓଳକଣା-ଅରାଖଣ୍ଡ-ଡେରାଢ଼ଇ ଗ୍ରାମରେ ଏହି ପ୍ରାଚୀନ ମନ୍ଦିର ଓ ପୌରାଣିକ ପୀଠସ୍ଥଳି ଗୁଡ଼ିକ ରହିଛି । ପାଣ୍ଡବଭ୍ରାତାମାନଙ୍କ ଅଜ୍ଞାତବାସସ୍ଥଳୀ ରୂପରେ ଡେରାଢ଼ିହ ଗ୍ରାମରେ ରହିଛି ସୁପ୍ରସିଦ୍ଧ ତଥା ପ୍ରାଚୀନ ପଞ୍ଚୁପାଣ୍ଡବ ମନ୍ଦିର । ସେଠାରେ ମାତା କୁନ୍ତୀଦେବୀ ଓ ଦ୍ରୌପଦୀଙ୍କ ସମେତ ପଞ୍ଚଭ୍ରାତାଙ୍କ ପାଷାଣ ବିଗ୍ରହ ସଂକେତ ରହିଛି ଏବଂ ପଞ୍ଚୁପାଣ୍ଡବ ନାମରେ ଉକ୍ତ ସ୍ଥାନ ବେଶ୍ ସୁପରିଚିତ । ଓଳକଣାଠାରୁ ଏହି ସ୍ଥାନର ଦୂରତ୍ବ ହେଉଛି ଦୁଇ କିଲୋମିଟର । ପାଞ୍ଚନମ୍ବର (କ) ଚଣ୍ଡୀଖୋଲ-ପାରାଦ୍ବୀପ ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକଠାରୁ ଓଳକଣାପୀଠର ଦୂରତ୍ବ ପ୍ରାୟ ଦୁଇ କି.ମି. । ଯଦିଓ ପଞ୍ଚୁପାଣ୍ଡବ ନାମରେ କୌଣସି ରାଜସ୍ବ ଗ୍ରାମ ନାହିଁ ତଥାପି ଲୋକମୁଖରେ ଏହା ବେଶ୍ ସୁପରିଚିତ । ଏହା ରାଜସ୍ବ ଗ୍ରାମର ଡେରାଢ଼ିହର ଅନ୍ତର୍ଭୁକ୍ତ । ମହାଭାରତର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ଧାର୍ମିକ ଚେତନାରେ ଦିନେ ଓଡ଼ିଶାର ଏହି ପ୍ରାଚୀନ ଭୂ-ଖଣ୍ଡ ପରିପୂର୍ଣ୍ଣ ଥିଲା । ‘ପଦ୍ମକଳ୍ପ’ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଓଳକଣା ପଡ଼ିଆଠାରୁ ବେଲାରପୁର ଭଗବତୀ ପର୍ଯ୍ୟନ୍ତ ପରିବ୍ୟାପ୍ତ 6 କି.ମି ଅଞ୍ଚଳ କୁରୁକ୍ଷେତ୍ର ନାମରେ ନାମିତ ଥିଲା । ଏହି ଅଞ୍ଚଳରେ ପାଣ୍ଡବଭ୍ରାତାଙ୍କ ଅଜ୍ଞାତବାସସ୍ଥଳୀ, ବିଦୂରଙ୍କ ଆଶ୍ରମ, ଉଦ୍ଧବଙ୍କ ଆଶ୍ରମ, ଶକୁନିଗଡ଼, ବେଲାଳସେନପୁର (ବେଲାରପୁର), ବୀର ଅଶ୍ବତ୍ଥମାଙ୍କ ବିଳ (ପଲାଇ ଗ୍ରାମସ୍ଥିତ ଗାଙ୍ଗୀ ପାହାଡ଼ର ଗିରିଗାତ୍ର), ଭୀଷ୍ମ ଓ ଦ୍ରୋଣଙ୍କ ଆସ୍ଥାନ, ମହାଗୁପ୍ତ ସୁଡ଼ଙ୍ଗ ପଥ ଭଳି ପୌରାଣିକ ଚିହ୍ନ ରହିଛି । ଏହି ଅଞ୍ଚଳର ପ୍ରତ୍ନତ୍ତାତ୍ତ୍ବିକ ତଥା ଐତିହାସିକ ଉତ୍ଖନନ ଏବଂ ଗବେଷଣା କରା ନ ଗଲେ ଇତିହାସର ଅନେକ ଲୁକ୍କାୟିତ ତଥ୍ୟ ଉନ୍ମୋଚିତ ହୋଇପାରିବ । ଫାଲ୍ଗୁନ ଶୁକ୍ଳ ତ୍ରୟୋଦଶୀ ମଧ୍ୟରାତ୍ରରୁ ଓଳକଣା ମେଲଣ ପଡ଼ିଆକୁ ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଠାକୁରବାଡ଼ିରୁ ପ୍ରାୟ ଦେଢ଼ଶହ ଛୋଟବଡ଼ ବିମାନ ଆସିଥାଏ । ବିମାନଗୁଡ଼ିକ ପ୍ରଥମେ ପଡ଼ିଆରେ ପ୍ରବେଶ ନ କରି ତିନି ଦିଗରୁ ମହା ଆଡ଼ମ୍ବର ସହକାରେ ଆସି ତିନିପଥରେ ରହିଥାନ୍ତି । ମେଲଣ ପଡ଼ିଆରେ ତିନିଟି ଦିଗରେ ତିନୋଟି ଫାଟକ ରହିଛି । ପ୍ରତି ଫାଟକରେ ଦୁଇଟି ପ୍ରସ୍ତରର ଖମ୍ବ ନିର୍ମାଣ କରାଯାଇଛି । ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ଥିବା ପ୍ରସ୍ତରଖୁମ୍ବର ପ୍ରତ୍ୟେକ ଦ୍ବାରରେ ବୃଷଭ ଓ ଗରୁଡ଼ଙ୍କର ବିଗ୍ରହ ସ୍ଥାନ ପାଇଛନ୍ତି । ହରି ଓ ହରଙ୍କ ବାହନ ଭାବରେ ଏହି ବିଗ୍ରହ ସ୍ଥାନ ପାଇବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ମେଲଣକୁ ଉଭୟ ମୋଗଲବନ୍ଦୀ ଓ ରାଜଯୋଡ଼ା ଅଞ୍ଚଳରୁ ବିମାନଗୁଡ଼ିକ ଆସିଥାନ୍ତି । ଆଳିରାଜାଙ୍କ ଅଧୀନରେ ରାଜାଯୋଡ଼ା ଓ ମୋଗଲବନ୍ଦୀ ଅଞ୍ଚଳ ତତ୍କାଳୀନ ବଂଗଳାର ସୁଲତାନ ସୁବେଦାର ସୁଲେମାନ କିରାନୀଙ୍କ ଅଧୀନରେ ରହିଥିଲା । ଡେରାବିଶର ରାଜନଗରରୁ ଆଳିରାଜାଙ୍କ ବିମାନରେ ରାଧାକୃଷ୍ଣ ଓ ଲକ୍ଷ୍ମୀଠାକୁରାଣୀ ପଡ଼ିଆର ପୂର୍ବ ଓ ଦକ୍ଷିଣ ଦିଗରେ ଥିବା ଫାଟକ ବାଟେ ପ୍ରଥମେ ମେଲଣ ପଡ଼ିଆକୁ ପ୍ରବେଶ କରିଥାନ୍ତି । ଏହାପରେ ପରେ ଅନ୍ୟ ଦିଗରୁ ସୁସଜ୍ଜିତ ବିମାନଗୁଡ଼ିକ ପଡ଼ିଆରେ ପ୍ରବେଶ କରିଥାନ୍ତି । ଦକ୍ଷିଣ ଦିଗରେ ପ୍ରଥମେ ଓଳକଣା ଗ୍ରାମର ଦଧିବାମନଜୀଉଙ୍କ ବିମାନ, ତା ପଛରେ ନୀଳକଣ୍ଠପୁର ଗ୍ରାମର ରାଧାକାନ୍ତ ଓ ଅନ୍ୟ ବିମାନଗୁଡ଼ିକ ପ୍ରବେଶ କରନ୍ତି । ପଶ୍ଚିମ ଦିଗରେ ପ୍ରଥମେ ଜିରା ଗ୍ରାମର ଗୋପୀନାଥଜୀଉଙ୍କ ବିମାନ ଏବଂ ଉତ୍ତର ଦିଗରେ ଓଳାଶୁଣୀ ଗୁମ୍ଫାର ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ବିମାନ ମେଲଣ ପଡ଼ିଆକୁ ପ୍ରବେଶ କରିଥାନ୍ତି । ପ୍ରଥମ ବିମାନ ଆସ୍ଥାନ ଗ୍ରହଣ କରବା ପରେ ଅନ୍ୟ ବିମାନଗୁଡ଼ିକ ଅତି ତୀବ୍ର ଗତିରେ ଯାଇ ଆସ୍ଥାନରେ ଅଧିଷ୍ଠାନ ହୋଇଥାନ୍ତି । ବିମାନଗୁଡ଼ିକ ଅତ୍ୟନ୍ତ ମନୋରମ ସାଜସଜ୍ଜାରେ ପରଂପରା ସହିତ ନୃତ୍ୟ, ଗୀତ, ସଂଗୀତ ଓ ଆକର୍ଷଣୀୟ ରଂଗରୋଷଣୀରେ ଆସିଥାନ୍ତି । ମେଳଣ ପଡ଼ିଆରେ ବିମାନଗୁଡ଼ିକ ଆଗରେ ନବବସ୍ତ୍ର ବିଛାଯାଇଥାଏ ଏବଂ ଭକ୍ତମାନେ ମାନସିକ ମୁତାବକ ନୈବେଦ୍ୟ ଅର୍ପଣ କରିଥାନ୍ତି । ପୂର୍ବରୁ ଓଳକଣା ମୋଗଲବନ୍ଦୀ ଅଞ୍ଚଳର ଅନ୍ତର୍ଭୁକ୍ତ ଥିଲା ଏବଂ ଅରାଖଣ୍ଡ ରାଜବନ୍ଦୀ ଅଞ୍ଚଳରେ ରହିଥିଲା । ଡେରାବିଶ ରାଜନଗରଠାରେ ଆଳିରାଜାଙ୍କ ଦ୍ବିତୀୟ ରାଜଧାନୀ ଥିଲା । ଏହା ଅଧୀନରେ ଅରାଖଣ୍ଡ ଶାସନାଧୀନ ଥିଲା । ଏହି ମେଲଣ ଯାତ୍ରା ଦ୍ବାପର ଯୁଗରୁ ଅନୁଷ୍ଠିତ ହୋଇଆସୁଥିଲେ ମଧ୍ୟ ଏହା ମୋଗଲବନ୍ଦୀ ଓ ରାଜଯୋଡ଼ା ଅଞ୍ଚଳର ସୀମାରେ ଥିବାରୁ ଆଳିର ସୂର୍ଯ୍ୟବଂଶୀ ରାଜା ଏହି ଦୁଇ ଶାସନାଧୀନ ଅଞ୍ଚଳରେ ଭାଇଚାରାର ରକ୍ଷା ପାଇଁ ଓଳକଣା ମେଲଣକୁ ପୃଷ୍ଠପୋଷକତା କରିଆସୁଥିଲେ । ମେଲଣ ପଡ଼ିଆରେ ସୁସଜ୍ଜିତ ମଣ୍ଡପତଳେ ନୀଳକଣ୍ଠପୁର (2) ମୌଜା ସ୍ଥାନରେ ଆଳିରାଜାଙ୍କ ବିମାନ ଆସ୍ଥାନ ଗ୍ରହଣ କରିଥାନ୍ତି । ମୋଗଲବନ୍ଦୀ ଅଂଶରେ ପ୍ରଥମେ ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ବିମାନ ଆସନ ଗ୍ରହଣ କରିବା ପରେ ଅନ୍ୟ ବିମାନଗୁଡ଼ିକ ଆସନ ଗ୍ରହଣ କରିଥାନ୍ତି । ମୋଗଲବନ୍ଦୀ ଇଲାକାରେ ଭଦ୍ରେଶ୍ବର ଓ ପୋଡ଼ାମରାଇ ମଠର ବିମାନ ଦୁଇଟିକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯାଇଥାଏ । ଓଳକଣା ମେଲଣ ପଡ଼ିଆର କ୍ଷେତ୍ରାଧିପତି ହେଉଛନ୍ତି ଭଦ୍ରେଶ୍ବରର ବୀରଭଦ୍ରେଶ୍ବର । ଶ୍ରୀ ଶ୍ରୀ ବୀରଭଦ୍ରେଶ୍ବର ବିମାନ ପାଇଁ ଏକ ନିର୍ଦ୍ଦିଷ୍ଟ ବିଧିମୁତାବକ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ପୂର୍ବ ଦିନ ପୂଜକ ସନ୍ଧ୍ୟା କାଳରେ ଆରତୀ ଅର୍ପଣ ପୂର୍ବକ ଭଦ୍ରେଶ୍ବରଙ୍କ ଉପରେ ଆଜ୍ଞାମାଳ ଚଢ଼ାଇଥାନ୍ତି । ଆଜ୍ଞାମାଳ ରାତ୍ରର ବିଳମ୍ବ ପ୍ରହରରେ ଖସିବା ପରେ ରାଧାକୃଷ୍ଣ ବିଗ୍ରହ ସହିତ ଶିବଶକ୍ତି (ହର) ମେଲଣ ପଡ଼ିଆକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି । ବିମାନରେ ଆଜ୍ଞାମାଳ ମଧ୍ୟ ଆସିଥାଏ । ପ୍ରତି ବିମାନରେ ହରି ବା ଶ୍ରୀକୃଷ୍ଣଙ୍କ ବିଗ୍ରହ ଆସୁଥିଲା ବେଳେ ଭଦ୍ରେଶ୍ବର ବିମାନରେ ଶିବଶକ୍ତି ଆସିଥାନ୍ତି । ଶିବଶକ୍ତି ଅର୍ଥାତ୍ ଚୂଳମାଳ ଆସିଥାଏ । ଏହି ଚୂଳମାଳରେ ଫୁଲ, ଚୁଆ, ବେଲପତ୍ରୀ ଓ ତମ୍ବା ନିର୍ମିତ ସର୍ପ ରହିଥାନ୍ତି । ଭଦ୍ରେଶ୍ବରଙ୍କ ବିମାନ ସହିତ 108ଟି ଘଣ୍ଟ ଓ ଦୁଇଟି ଦୀପ ଆସିଥାଏ । 108ଟି ଘଣ୍ଟକୁ 108 ଜଣ ଭକ୍ତ ନିନାଦ କଲେ ଅପୂର୍ବ ରୋମାଞ୍ଚ ସୃଷ୍ଟି ହୋଇଥାଏ । ଭଦ୍ରେଶ୍ବରଙ୍କ 108 ଜଣ ଘଣ୍ଟପାଟିଆ ମେଲଣର ଅନ୍ୟତମ ବିଶେଷ ଆକର୍ଷଣ । ପୂର୍ବରୁ 108 ଘଣ୍ଟ ସହିତ 108ଟି ବତୀ ମଧ୍ୟ ଆସୁଥିଲା । ଭଦ୍ରେଶ୍ବରଠାରେ ଥିବା ପୁରାତନ ଶିବମନ୍ଦିରରେ ଥିବା ବାସୁଆ ବଳଦ ବେକରେ ମଧ୍ୟ 108ଟି ଘଣ୍ଟି ରହିଥିବା ଲକ୍ଷ୍ୟ କରାଯାଇଛି । ମେଲଣ ପଡ଼ିଆକୁ ଦକ୍ଷିଣ ଦିଗରୁ ଭଦ୍ରେଶ୍ବର ବିମାନ ପ୍ରବେଶ କରି ଆସ୍ଥାନ ଗ୍ରହଣ କରିବା ପରେ ବିମାନ ନିକଟରେ ଗୋଟିଏ ମଶାଲ ରଖାଯାଏ । 108ଟି ଘଣ୍ଟବାଦ୍ୟ ସହିତ ଅନ୍ୟ ମଶାଲଟି ଚୂଆମାଳ ସହିତ ପଟୁଆରରେ ଉତ୍ତର ଦିଗରେ ଥିବା ବିଦୂର ପୋଖରୀ ନିକଟସ୍ଥ ବିଦୂର ମନ୍ଦିର ନିକଟକୁ ଯାଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଫଗୁ ଶୁକ୍ଳ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ପୂରାଣ ବର୍ଣ୍ଣିତ ରୀତିରେ ବିଦୂରଙ୍କ ନିକଟରେ ଶାଗଭାତ ମଧ୍ୟ ନୈବେଦ୍ୟ ଅର୍ପଣ କରାଯାଇଥାଏ । ବ୍ରାହ୍ମ ମୁହୂର୍ତ୍ତରେ, 108 ଜଣ ଘଣ୍ଟବାଦକ ପ୍ରଥମେ ବିଦୂର ମନ୍ଦିର ନିକଟରେ ପ୍ରଥମ ଘଣ୍ଟବାଦ୍ୟ ଆରମ୍ଭ କରିଥାନ୍ତି । ପଡ଼ିଆରେ ସମବେତ ସହସ୍ରାଧିକ ନରନାରୀଙ୍କ ଦେହରେ ଅପୂର୍ବ ଚମକ ସୃଷ୍ଟି ହୁଏ । ଏହାପରେ ଦ୍ବିତୀୟ ଘଣ୍ଟନାଦ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଆହ୍ଲାଦିତ କରିଥାଏ । ଏହାପରେ ଆସେ ଅନ୍ତିମ ଘଣ୍ଟନାଦ । ଭକ୍ତଜନଙ୍କ ମନରେ ଉଦବେଳନ ସୃଷ୍ଟି ହୁଏ । ତୃତୀୟ ଘଣ୍ଟନାଦ ସହିତ ମହାତ୍ମା ବିଦୂରଙ୍କ ମନ୍ଦିର ସମ୍ମୁଖରେ ବୟୋବୃଦ୍ଧ ପୂଜକ ବିଷ୍ଣୁ ଚରଣ ପଣ୍ଡା ମଙ୍ଗଳ ଆରତୀ ଅର୍ପଣ କରିଥାନ୍ତି । ଏହା ସହିତ ଏକସାଂଗରେ ଭଦ୍ରେଶ୍ବରଙ୍କ ବିମାନ ସମ୍ମୁଖରେ ମଧ୍ୟ ମଙ୍ଗଳ ଆରତୀ କରାଯାଏ । ଉଭୟ ଆରତୀର ମହାମିଳନ ଘଟେ । ଏହା ହିଁ ହୋଇଥାଏ ପୁରାଣ ପ୍ରସିଦ୍ଧ ଓଳକଣା ମେଲଣର ଅନ୍ତିମ ମୁହୂର୍ତ୍ତ । ମେଲଣର କ୍ଷେତ୍ରାଧିପତି ଭଦ୍ରେଶ୍ବର ବିମାନ ଏହାପରେ ଆସ୍ଥାନରୁ ଉଠିବା ସହିତ ଅନ୍ୟ ବିମାନଗୁଡ଼ିକ ମଧ୍ୟ ପ୍ରସ୍ଥାନ କରିଥାନ୍ତି । ବ୍ରହ୍ମ ମୁହୂର୍ତ୍ତରେ ହରି ଓ ହରଙ୍କର ମହାମିଳନ ଓଳକଣା ମେଲଣର ପରମ ବୈଶିଷ୍ଟ୍ୟ । ଭକ୍ତଗଣ ବ୍ରାହ୍ମ ମୁହୂର୍ତ୍ତରେ ଶୈବ ଓ ବୈଷ୍ଣବ ସଂସ୍କୃତିର ଯେଉଁ ଅପୂର୍ବ ସମନ୍ବୟ ସନ୍ଦର୍ଶନ କରନ୍ତି ତାହାଦ୍ବାରା ପରମାନନ୍ଦ ପ୍ରାପ୍ତ ହୋଇଥାନ୍ତି । ଓଳକଣା ପୀଠକୁ ଥରେ ଆସି ନଥିବା ବିମାନ 12 ବର୍ଷ ଧରି ନ ଆସିବାର ମଧ୍ୟ ପରଂପରା ରହିଛି । ଇତିହାସ ଓ ପୁରାଣ ପୃଷ୍ଠାରେ ମହିମାନ୍ବିତ ଏହି ସୁପ୍ରସିଦ୍ଧ ପୀଠର ଉନ୍ନତି କରାଯିବା ସହିତ ମେଲଣ ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଗରିମାମୟ କରାଯିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ସାଇଭବନ, ପଲାଇ (ବାଲିଚନ୍ଦ୍ରପୁର), ଯାଜପୁର-754205

Share :