ବର୍ଣ୍ଣି ବନାମ ଟ୍ରମ୍ପ- ଆମର କ’ଣ ଯାଏ ଆସେ?

ବର୍ଣ୍ଣି ବନାମ ଟ୍ରମ୍ପ- ଆମର କ’ଣ ଯାଏ ଆସେ?

Share :

ଡ. ଧନଦା କାନ୍ତ ମିଶ୍ର   ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଠ ପଢ଼ିଲା ବେଳେ ଭାରତର କୌଣସି ଖବର ସେଠିକାର ଖବରକାଗଜ ବା ଟେଲିଭିଜନରେ ପାଇବା ପାଇଁ ଖୋଜି ଖୋଜି ନୟାନ୍ତ ହେଲେ ବି ପାଇ ପାରୁ ନଥିଲି, ଓଡ଼ିଶା ଖବର ତ ଦୂରର କଥା । ସେତେବେଳେ (1989-1995) ଇଣ୍ଟରନେଟର ବ୍ୟବହାର ଆଜି ପରି ନଥିଲା । ଯଦିଓ ଇମେଲ୍ ଓ ଚାଟ୍ ବା ଆଲୋଚନା ଗୋଷ୍ଠୀ ସବୁ ଆରମ୍ଭ ହୋଇଥାଏ, ଆଜିପରି ଗୁଗୁଲ୍ ନିଉଜ୍ ମାଧ୍ୟମରେ ସାରା ପୃଥିବୀର ତାଜା ଖବର ଆଙ୍ଗୁଠି ଟିପରେ ମିଳୁନଥିଲା । ମୁଁ ସମ୍ବାଦ ମଗାଉଥାଏ ଯାହା କି ଡାକ ମାଧ୍ୟମରେ ପନ୍ଦର ଦିନପରେ ପହଞ୍ଚେ । ତଥାପି ସେହି ପୁରୁଣା ଓଡ଼ିଆ ଖବର କାଗଜଟିକୁ ପଢ଼ି ନିଜର ଦେଶାନ୍ତର ବେଦନା ବହୁ ପରିମାଣରେ ଲାଘବ କରେ । ହଠାତ୍ ଦିନେ ମିଶିଗାନ ୟୁନିଭର୍ସିଟିର କ୍ୟାମ୍ପସ ଖବର କାଗଜ ମିଶିଗାନ୍ ଡେଲିରେ ଓଡ଼ିଶା ବିଷୟରେ ଖବର ଟିଏ ଦେଖି ଆଶ୍ଚର୍ଯ ହେଲି । ଖବରଟି ପଢ଼ିଲା ପରେ ଲଜ୍ଜା ଓ ସଙ୍କୋଚରେ ମୁଣ୍ଡ ତଳକୁ କରିବାକୁ ହେଲା, କାରଣ ଖବରଟି ଥିଲା ଓଡ଼ିଶାର ଉତ୍କଟ ଅନାହାର ଭିତରେ କଳାହାଣ୍ଡି ଜିଲ୍ଲାରେ ଚିକେନ୍ ତରକାରୀର ଗୋଟିଏ ପ୍ଲେଟ୍ ପାଇଁ ଶିଶୁ କନ୍ୟା ବିକ୍ରି ଘଟଣା ସଂପର୍କରେ । ଯଦିଓ ଆମେରିକା ସର୍ବାଧିକ ବିଦେଶାଗତ ବା ବିଭିନ୍ନ ଦେଶରୁ ଆସିଥିବା ଲୋକଙ୍କର ଦେଶ, ଏହାର ସମାଜ ଅସାଧାରଣ ଭାବରେ ଅନ୍ତର୍ମୁଖୀ । ଆମେରିକୀୟ ମାନଙ୍କର ନିଜ ଦେଶ ବାହାର ଦୁନିଆ ବିଷୟରେ ଆଗ୍ରହ ଯେତିକି କମ୍ ଜ୍ଞାନ ତାଠାରୁ ଆହୁରି କମ୍ । ଯଦିଓ ଆମେରିକାର ରାଜନୀତି, ବୈଦେଶିକ ନୀତି, ଅର୍ଥନୀତି ଇତ୍ୟାଦି ସାରା ବିଶ୍ବକୁ ପ୍ରଭାବିତ କରେ, କିନ୍ତୁ ଆମେରିକାର ସାଧାରଣ ଲୋକେ ଆମେରିକାକୁ ହିଁ ସାରା ପୃଥିବୀ ବୋଲି ଚିନ୍ତା କରିଥାନ୍ତି । ଏପରି ସଂଙ୍କୀର୍ଣ୍ଣ ମାନସିକତା ବେଳେବେଳେ ଆମେରିକାର ଅପରିପକ୍ବ ଓ ଅପରିଣାମଦର୍ଶୀ ବୈଦେଶିକ ନୀତିରେ ପ୍ରତିଫଳିତ ହୋଇଥାଏ । ଏହି ସନ୍ଦର୍ଭରେ ବର୍ତ୍ତମାନ ଚାଲିଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ସାରା ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୁଏ । ଆମେରିକାର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଇତିହାସକୁ ଦେଖିଲେ ଜର୍ଜ ୱାଶିଂଟନ୍ ଆବ୍ରାହମ୍ ଲିଙ୍କନଙ୍କ ଠାରୁ ଆରମ୍ଭ କରି ରୁଜ୍ଭେଲଟ୍, କେନେଡ଼ି ବା ବାରାକ୍ ଓବାମାଙ୍କ ପର୍ଯନ୍ତ ଆମେରିକୀୟ ରାଷ୍ଟ୍ରପତିମାନେ ନିଜର ବ୍ୟକ୍ତିତ୍ବ, ଆଦର୍ଶ, କାର୍ଯକଳାପ ଦ୍ବାରା ନିଜ ଦେଶ ତଥା ସାରା ବିଶ୍ବ ଉପରେ ନିଜର ପ୍ରଭାବ ପକାଇ ପାରିଛନ୍ତି । ବିଶ୍ବର ଏକକ ମହାଶକ୍ତି ବୋଲାଉଥିବା ଦେଶର ସର୍ବୋଚ୍ଚ ପଦାଧିକାରୀଙ୍କୁ ସାରା ବିଶ୍ବର ସବୁଠାରୁ ପ୍ରତିପତ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେରିକାର ବର୍ତ୍ତମାନର ଅର୍ଥନୈତିକ ଦୁର୍ବଳତା ସତ୍ତ୍ବେ ଏବେବି ଏହା ବିଶ୍ବର ସବୁଠାରୁ ବଡ଼ ଅର୍ଥନୀତି, ସବୁଠାରୁ ବଡ଼ ପରମାଣୁ ଶକ୍ତି ତଥା ସାମରିକ ଶକ୍ତି ଇତ୍ୟାଦିର ଅଧିକାରୀ । ସେଥିପାଇଁ ସ୍ବାଭାବିକ ଭାବରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥାଏ । 2008 ମସିହାରେ ଯେତେବେଳେ ବାରାକ୍ ଓବାମା ଆମେରିକା ଇତିହାସରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତି ଭାବରେ ରାଷ୍ଟ୍ରପତି ନିର୍ବାଚିତ ହେଲେ ତାହା ସାରା ବିଶ୍ବରେ ଚହଳ ପକାଇଥିଲା । ଜର୍ଜ ବୁଶ୍ ଦୁଇ ଦୁଇ ଥର ରାଷ୍ଟ୍ରପତି ହେବା ସମୟରେ ଇରାକ୍ ଯୁଦ୍ଧ, ଆତଙ୍କବାଦ ବିରୁଦ୍ଧରେ ଆଫଗାନିସ୍ଥାନ ଓ ଅନ୍ୟାନ୍ୟ ସ୍ଥାନରେ ଲଢ଼େଇ, ଅର୍ଥନୈତିକ ସଙ୍କଟ ଆଦିର ସାମ୍ନା କରି ସାରିଥିବା ଆମେରିକାବାସୀ ବାରାକ୍ ଓବାମାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବ ପରିବର୍ତ୍ତନର ଆହ୍ବାନ, ପ୍ରଭାବଶାଳୀ ଭାଷଣ ଶୈଳୀରେ ମୁଗ୍ଧ ହୋଇଥିଲେ । ବାରାକ୍ ଓବାମା ମଧ୍ୟ ଦୁଇ ଦୁଇ ଥର ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ଓ ଆମେରିକାକୁ ଏକ ଗୁରୁତ୍ବପୂର୍ଣ୍ଣ ଓ ଘଡ଼ିସନ୍ଧି ସମୟରେ ବଳିଷ୍ଠ ନେତୃତ୍ବ ଦେଇ ପାରିଥିଲେ । ଡ଼େମୋକ୍ରାଟିକ୍ ଦଳର ହ୍ରାସ ପାଉଥିବା ଲୋକପ୍ରିୟତାକୁ ଓବାମା ପୁଣିଥରେ ସୁଧାରି ପାରିଥିଲେ । ଆମେରିକାରେ ପାରମ୍ପାରିକ ଭାବରେ ଦୁଇଟି ରାଜନୈତିକ ଦଳ ହିଁ ପ୍ରତିଦ୍ବନ୍ଦିତା କରିଥାନ୍ତି । ଗୋଟିଏ ହେଲା ଡେମୋକ୍ରାଟିକ୍ ଦଳ ଯାହାର ନିର୍ବାଚନ ଚିହ୍ନ ଗଧ ଓ ଆରଟି ହେଲା ରିପବ୍ଲିକାନ୍ ଦଳ ଯାହାର ଚିହ୍ନ ହେଲା ହାତୀ । ଆମେରିକାର ଗଣତାନ୍ତ୍ରିକ ଢ଼ାଞ୍ଚାରେ ସାଧାରଣ ନଗର ନିଗମଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯନ୍ତ ଏହି ଦୁଇ ଦଳର ପ୍ରତିନିଧିଙ୍କ ମଧ୍ୟରେ ହୋଇଥାଏ । ସବୁଠାରୁ ବଡ଼ କଥା ହେଲା ଦଳର କିଏ ପ୍ରାର୍ଥୀ ହେବ ସେଥିପାଇଁ ଏକ ପ୍ରାଥମିକ ନିର୍ବାଚନ କରାଯାଇଥାଏ ଯେଉଁଥିରେ ଦଳର ପଞ୍ଜିକୃତ ସଦସ୍ୟ ଓ ସ୍ବାଧୀନ ସମର୍ଥକ ଭୋଟ ଦେଇଥାନ୍ତି । ଏହି ପରମ୍ପରା ଆଭ୍ୟନ୍ତରୀଣ ଦଳୀୟ ଗଣତନ୍ତ୍ରକୁ ମଜବୁତ କରିଥାଏ । ଦଳର ନେତା ଯେକେହି ହୋଇଥିଲେ ମଧ୍ୟ ନିର୍ବାଚନରେ ଭାଗ ନେବାପାଇଁ ଦଳର ଟିକେଟ ପାଇବାକୁ ହେଲେ ସଦସ୍ୟମାନଙ୍କ ବହୁମତ ଜିତିବା ନିହାତି ଆବଶ୍ୟକ ହୁଏ । ଏ ବର୍ଷର ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଦଳୀୟ ପ୍ରାଥମିକ ନିର୍ବାଚନ ମାଧ୍ୟମରେ ଆରମ୍ଭ କରି ସାରିଛନ୍ତି । ରାଜ୍ୟପରେ ରାଜ୍ୟ ଏହି ପ୍ରକ୍ରିୟାରେ ଭାଗ ନିଅନ୍ତି ଓ ମୁଖ୍ୟ ନିର୍ବାଚନର ଭୋଟଦାନର 2-3 ମାସ ପୂର୍ବରୁ ଉଭୟ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚୁଡ଼ାନ୍ତ ହୁଏ । ଏହାପରେ ଉପରୋକ୍ତ ପ୍ରାର୍ଥୀ ନିଜର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିଥାନ୍ତି । ଏବେ ଏବେ ଆଇଓା ଓ ନିଉହାମଶାୟର ରାଜ୍ୟର ପ୍ରାଥମିକ ନିର୍ବାଚନରୁ ଚମକପ୍ରଦ ଫଳ ଆସିଛି । ଡେମୋକ୍ରାଟିକ୍ ଦଳର ବର୍ଣ୍ଣି ସାଣ୍ଡର୍ସ ଓ ରିପବ୍ଲିକାନ ଦଳର ଡୋନାଲ୍ଡ ଟ୍ରମଙ୍କ ସପକ୍ଷରେ । ଏହି ଦୁଇ ପ୍ରାର୍ଥୀ ଯେତେବେଳେ ନିଜର ରାଷ୍ଟ୍ରପତି ନିର୍ବାଚନରେ ଭାଗନେବାର ଇଚ୍ଛା ପ୍ରକାଶ କଲେ ବହୁତ କମ୍ ଲୋକ ଏମାନଙ୍କୁ ବିଶେଷ ସମର୍ଥନ ମିଳିବାର ଆଶା ଦେଖୁଥିଲେ । କିନ୍ତୁ ସମୟକ୍ରମେ ଏହି ଦୁଇଜଣ ଅନେକ ନାମୀ ଦାମୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଦେଇ ନିଜ ନିଜ ଦଳର ପ୍ରାର୍ଥୀପତ୍ର ପାଇବା ଦିଗରେ ଅଗ୍ରସର ହେଉଛନ୍ତି । 69 ବର୍ଷ ବୟସ୍କ ନିଉୟର୍କ ରାଜ୍ୟର ଅଧିବାସୀ ଡୋନାଲ୍ଡ ଟ୍ରମ୍ପ ଜଣେ ବଡ଼ ଉଦ୍ୟୋଗପତି । ତାଙ୍କର କୋଠାବାଡ଼ି, କ୍ୟାସିନୋ ଅର୍ଥାତ୍ ଜୁଆ ବ୍ୟବସାୟ, ମନୋରଞ୍ଜନ ବ୍ୟବସାୟ ଆଦି ଅଛି ଓ ସେଥିରୁ ସେ ଆମେରିକୀୟ 10୦୦ କୋଟି ଡଲାର ଅର୍ଥାତ୍ ପ୍ରାୟ 65000 କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ସେ ଯେହେତୁ ପେସାଦାର ରାଜନେତା ନୁହନ୍ତି, ତାଙ୍କୁ ମାପିଚୁପି ବା ଜଗିରଖି କଥା କହିବା ଆସେନି । ତାଙ୍କର ସ୍ପଷ୍ଟବାଦୀତା ତାଙ୍କୁ ଲୋକପ୍ରିୟ ବି କରିଛି ଏବଂ ଅସୁବିଧାରେ ମଧ୍ୟ ପକାଇଛି । ଯଦିଓ ତାଙ୍କର ପ୍ରତ୍ୟେକ ବକ୍ତବ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ରିପବ୍ଲିକାନ ଦଳର ଚିରାଚରିତ ମତ ସାଙ୍ଗରେ ସାମଞ୍ଜସ୍ୟ ରଖୁଛି ତଥାପି ଅନେକ ସମୟରେ ସେ ଏତେ ଚରମପନ୍ଥୀ ମତ ପୋଷଣ କରୁଛନ୍ତି ଯାହାକି ସହଜରେ ଗ୍ରହଣୀୟ ହେଇପାରୁ ନାହିଁ, ଯେପରିକି ସେ ଚାହୁଁଛନ୍ତି ମୁସଲିମ୍ ଧର୍ମର ଲୋକଙ୍କୁ ଆମେରିକା ଆସିବା ପାଇଁ ବାରଣ କରାଯାଉ ବା କଠୋର ଭାବରେ ନିୟନ୍ତ୍ରଣ କରାଯାଉ । ସେହିପରି ଆମେରିକାର ଦକ୍ଷିଣରେ ଥିବା ମେକ୍ସିକୋରୁ ଆସିଥିବା ଓ ବେଆଇନ ବାସ କରୁଥିବା ହିସ୍ପାନିକ ଲୋକଙ୍କୁ ଆମେରିକାରୁ ବାହାର କରିବା କଥା ସେ କହିଛନ୍ତି । ଏହାଦ୍ବାରା କେବଳ ହିସ୍ପାନିକ ନୁହେଁ, ବରଂ ଅନ୍ୟ ଅନେକ ବର୍ଗର ଅଳ୍ପସଂଖ୍ୟକ ସମୁଦାୟର ମତଦାତାଙ୍କ ଉପରେ ନିଶ୍ଚୟ କୁପ୍ରଭାବ ପଡ଼ିବ । ଏସବୁ ଛଡ଼ା ଟ୍ରମ୍ପଙ୍କର ବିଶେଷତ୍ବ ହେଲା କେବଳ ନିଜ ପଇସା ଖର୍ଚ୍ଚ କରି ନିର୍ବାଚନ ଲଢ଼ିବା, ନିଜେ ବ୍ୟକ୍ତିଗତ ଜୀବନରେ ଯେପରି ଆମୋଦ ପ୍ରମୋଦ ଓ ମନୋରଞ୍ଜନକୁ ପ୍ରାଧାନ୍ୟ ଦିଅନ୍ତି - ନିର୍ବାଚନକୁ ମଧ୍ୟ ସେହିପରି ଜାକଜମକରେ ଲଢ଼ିବା, ପୁଞ୍ଜିବାଦୀ ଅର୍ଥନୀତିରେ ବଜାରର ଗୁରୁତ୍ବକୁ ଆହୁରି ବଢ଼ାଇବା, ଆମେରିକାକୁ ପୁଣି ବିଶ୍ବରେ ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିମାନ ରାଷ୍ଟ୍ରରେ ପରିଣତ କରି ଏହାର ପ୍ରଭାବ ବିସ୍ତାର କରିବା ଇତ୍ୟାଦି । ଅପର ପକ୍ଷରେ ବର୍ଣ୍ଣ ସାଣ୍ଡର୍ସଙ୍କ ବୟସ 74 ବର୍ଷ ଓ ସେ ଭର୍ମଣ୍ଟ ରାଜ୍ୟର ମୂଳ ଅଧିବାସୀ ଓ ସେହି ରାଜ୍ୟର ପ୍ରତିନିଧି ଭାବରେ ପ୍ରଥମେ କଂଗ୍ରେସ ଓ ପରେ ସିନେଟରେ ସଦସ୍ୟ ଭାବରେ ବହୁ ଦଶନ୍ଧି ଧରି କାର୍ଯ କରି ଆସୁଛନ୍ତି । ସେ ଜଣେ ଶିକ୍ଷିତ, ଅଧ୍ୟାପକ ଓ ଅଳ୍ପସମୟ ପୂର୍ବ ପର୍ଯନ୍ତ ସ୍ବାଧୀନ ରାଜନୈତିକ ବ୍ୟକ୍ତି ଥିଲେ । ପ୍ରାୟ ବର୍ଷେ ତଳେ ଡେମୋକ୍ରାଟିକ ଦଳରେ ଯୋଗଦେଇ ନିଜର ପ୍ରାର୍ଥୀତ୍ବ ଘୋଷଣା କରିଥିଲେ । ତାଙ୍କର ବ୍ୟକ୍ତିଗତ ସଂପତ୍ତି ମାତ୍ର 4 ଲକ୍ଷ ଆମେରିକୀୟ ଡ଼ଲାର ବା 2.4 କୋଟି ଟଙ୍କା । ସେ ସମାଜବାଦୀ ବାମପନ୍ଥୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ଓ ସାରା ଜୀବନ ଛାତ୍ର, ଶ୍ରମିକ, ମହିଳା, ଅଳ୍ପସଂଖ୍ୟକ ଆଦିଙ୍କ ଅଧିକାରକୁ ନେଇ ଲଢ଼ି ଆସିଛନ୍ତି  ସେ ମୁକ୍ତ ବଜାର ପରିଚାଳିତ ପୁଞ୍ଜିବାଦର ବିରୋଧୀ ଓ ତାଙ୍କ ପ୍ରଚାର ଅଭିଯାନ ପାଇଁ ସେ କର୍ପୋରେଟରଙ୍କ ଦାନ ପ୍ରତ୍ୟାଖାନ କରିଛନ୍ତି ସମସ୍ତଙ୍କ ପାଇଁ ସୁଲଭ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା, ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି, ବଡ଼ ବଡ଼ କର୍ପୋରେଟ ଓ ବ୍ୟାଙ୍କମାନଙ୍କ ଉପରେ ଅଧିକ ନିୟନ୍ତ୍ରଣ, ଅକ୍ଷୟ ଶକ୍ତି ଉପରେ ଗୁରୁତ୍ବ ଇତ୍ୟାଦି ତାଙ୍କର ବିଶେଷତ୍ବ । ଏଥିପାଇଁ ଦରକାର ପଡ଼ିଲେ ଧନୀ ଶ୍ରେଣୀ ଉପରେ ଟିକସ ବଢ଼ାଇବା ପାଇଁ ସେ ପ୍ରସ୍ତୁତ । ସବୁଠାରୁ ବିଶେଷ କଥା ହେଲା ବର୍ଣ୍ଣି ସାଣ୍ଡର୍ସ ନିଜର ଅଧିକାଂଶ ନିର୍ବାଚନୀ ଖର୍ଚ୍ଚ ସାଧାରଣ ଅଗଣିତା ଲୋକଙ୍କ ସ୍ବଳ୍ପ ଦାନକୁ ନେଇ ହିଁ କରି ଆସିଛନ୍ତି । ଐତିହାସିକ ପରିପ୍ରେକ୍ଷୀରେ ଉଭୟ ଟ୍ରମ୍ପ ଓ ସାଣ୍ଡର୍ସ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଏକ ବ୍ୟତିକ୍ରମ । ଯଦି ଓ ଏପରି ବ୍ୟକ୍ତିମାନେ ପୂର୍ବରୁ ରାଷ୍ଟପ୍ରତି ନିର୍ବାଚନ ଦୌଡ଼ରେ ଭାଗ ନିଅନ୍ତି କିନ୍ତୁ ପ୍ରାୟ ପ୍ରଥମ ରାଜ୍ୟର ପ୍ରାଥମିକ ଭୋଟ ପୂର୍ବରୁ ବା ପରେ ପରେ ସେମାନେ ଓହରି ଯାଆନ୍ତି । ଯେପରିକି ମୁଁ ଥିବା ବେଳେ କ୍ଲିଣ୍ଟନଙ୍କ ବିରୁଦ୍ଧରେ ଲଢ଼ିଥିବା ସ୍ବାଧୀନ ପ୍ରାର୍ଥୀ ଓ ଅରବପତି ରସ୍ ପେରୋଟ ବା ବିଗତ ନିର୍ବାଚନରେ ଲଢ଼ିଥିବା ଖାଉଟି ଆନ୍ଦୋଳନର ନେତା ରାଲ୍ଫ ନାଦର କିନ୍ତୁ ଆଶ୍ଚର୍ଯ କଥା ହେଲା ବର୍ତ୍ତମାନର ନିର୍ବାଚନରେ ବର୍ଣ୍ଣ ସାଣ୍ଡର୍ସ ଓ ଡ଼ୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଦ୍ଭୁତପୂର୍ବ ସମର୍ଥନ ଯାହା ସମସ୍ତଙ୍କୁ ଆଶ୍ଚର୍ଯ ଚକିତ କରିଛି । ବିଶେଷ କରି ଆମେରିକାର ଖର୍ଚ୍ଚ ବହୁଳ ନିର୍ବାଚନରେ ଏକ ଦିଗରେ ଟ୍ରମ୍ପ ସମସ୍ତ ଖର୍ଚ୍ଚ ନିଜ ପଇସାରୁ କରିବା ଓ ବର୍ଣ୍ଣ ସାଣ୍ଡର୍ସ କୌଣସି ବଡ଼ ବଡ଼ କର୍ପୋରେଟଙ୍କ ପାଣ୍ଠି ନନେଇ କେବଳ ନିଜର ଅଗଣିତ ସମର୍ଥକଙ୍କ ସ୍ବଳ୍ପ ଦାନରେ ଅନ୍ୟମାନଙ୍କୁ ପଛରେ ପକାଇ ଅଧିକ ଅର୍ଥ ସଂଗ୍ରହ କରିବା ଚର୍ଚ୍ଚାର ବିଷୟ ହୋଇଛି । ଯଦି ବର୍ଷ ଶେଷକୁ ହେବାକୁ ଥିବା ଏହି ଐତିହାସିକ ନିର୍ବାଚନରେ ଲଢ଼ିବା ପାଇଁ ବର୍ଣ୍ଣ ସାଣ୍ଡର୍ସ ଓ ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ଦଳ ପକ୍ଷରୁ ମନୋନୀତ ହୁଅନ୍ତି, ତେବେ ଏହା ଏକ ବହୁର୍ଚ୍ଚିତ ଓ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ହେବ । ଏହାର ପରିଣାମ ପୃଥିବୀର ଭବିଷ୍ୟତ ନିର୍ଣ୍ଣୟ କରିବାରେ ବିଶେଷ ଭୂମିକା ନେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି । ଯଦି ଟ୍ରମ୍ପ ଜିତନ୍ତି ତେବେ ଆମେରିକା ପୁଣି ତା’ର ଚିରାଚରିତ ବଜାରଭିତ୍ତିକ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଟାଣ କରି ସାରା ବିଶ୍ବରେ ନିଜର ପ୍ରତିପତ୍ତି ବିସ୍ତାର କରିବାକୁ ଚେଷ୍ଟା କରିବ । ଯଦି ବର୍ଣ୍ଣ ବିଜୟୀ ହୁଅନ୍ତି ତାହେଲେ ଆମେରିକା ଏକ ଉଦାର, ସମାଜବାଦୀ ଓ ସହନଶୀଳ ଅର୍ଥନୀତି ଆଡ଼କୁ ଢ଼ଳିବ ଯାହା ଆଜି ସ୍କାଣ୍ଡିନେଭିଆ ଦେଶମାନଙ୍କୁ ପୃଥିବୀର ଉତ୍କୃଷ୍ଟତମ ସଭ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରଣୀ କରିପାରିଛି । ତେବେ ଓଡ଼ିଶାରେ ବସି ଆମେ କାହିଁକି ଏ ପ୍ରସଙ୍ଗରେ ମୁଣ୍ଡ ଖେଳାଇବା? ଆମେରିକାର ଲୋକଙ୍କ ପରି ଆମେ କାହିଁକି ଆପେ ବଞ୍ଚିଲେ ବାପର ନାଁ ନୀତିରେ ନାହି ମୁଣ୍ଡରେ ତେଲ ଦେଇ ଶୋଇ ନରହିବା? କାରଣ ଆମର ଦୁର୍ଦ୍ଦଶା ମୂଳରେ ଯେଉଁ ଭ୍ରଷ୍ଟ ରାଜନୈତିକ ବ୍ୟବସ୍ଥା ଅଛି, ତାକୁ ବଦଳାଇବା ପାଇଁ ଆମେରିକାର 250 ବର୍ଷରୁ ଅଧିକ ପୁରୁଣା ରାଜନୈତିକ ବ୍ୟବସ୍ଥାରୁ ବହୁ କିଛି ଶିଖିବାର ଅଛି । ସେଗୁଡ଼ିକ ହେଲା- ନେତା କିଏ ହେବ ତାହା କର୍ମୀ ବା ଦଳର ସଦସ୍ୟ ବାଛିବା ଦରକାର, ନିର୍ବାଚନ ନିଜର ସ୍ବଚ୍ଛ ସମ୍ପତ୍ତି ଅଥବା ଅନ୍ୟର ସ୍ବଚ୍ଛ ଦାନରେ ଲଢ଼ିବା ଦରକାର ଓ ସର୍ବୋପରି ମନୁଷ୍ୟ ଜାତିର ଭବିଷ୍ୟତ ସମାଜବାଦୀ, ସର୍ବମଙ୍ଗଳକାରୀ, ଉଦାରଚେତା ବ୍ୟବସ୍ଥା ହେବ ବା ସ୍ବାର୍ଥ ସର୍ବସ୍ବ, ପୁଞ୍ଜିବାଦୀ, ଲାଭଖୋର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିଷ୍ଠିତ ସାମ୍ରାଜ୍ୟବାଦୀ ଚିନ୍ତାଧାରା ବିଶିଷ୍ଟ ହେବ ତାହା ଆମେରିକାର ଆଗାମୀ ନିର୍ବାଚନରୁ ବହୁ ପରିମାଣରେ ଜଣା ପଡ଼ିବ ଓଡ଼ିଶା ଓ ଆମ ପ୍ରତ୍ୟେକଙ୍କ ଭବିଷ୍ୟତ ବଂଶଧର ଏହାଦ୍ବାରା ପ୍ରଭାବିତ ହେବେ । ଦୂରଭାଷ : ୯୪୩୭୫୧୩୦୮୦

Share :