ଆଜିକାର ଦୁନିଆରେ ମୋହଗ୍ରସ୍ତ ମଣିଷ

ଆଜିକାର ଦୁନିଆରେ ମୋହଗ୍ରସ୍ତ ମଣିଷ

Share :

ଡକ୍ଟର ବିବୁଧ ରଂଜନ   ମଣିଷ ଆଜି ଅନ୍ଧକାରର ଘେରରେ ହିଁ ଜୀଇଁ ରହିଛି । ଗୋଟେ ତ ସେଇ ଅନ୍ଧକାର ଯାହା ଦୀପଟିଏ ଜଳି ଉଠିଲେ ଚାଲିଯାଏ । କିନ୍ତୁ ଆଉ ଏକ ପ୍ରକାରର ଅନ୍ଧକାର ଅଛି ଯାହା ମଣିଷର ଶରୀରକୁ ନୁହେଁ ବରଂ ମଣିଷର ଚେତନାକୁ ଘେରିକରି ଥାଏ । ଆଉ ଏକ ଅନ୍ଧକାର ଯାହା ମଣିଷର ଆତ୍ମାକୁ ଚତୁର୍ଦ୍ଦିଗରୁ ଘେରିକରି ରହିଥାଏ । ଅନ୍ଧକାର ସହ ମୋହର ବଡ଼ ନିବିଡ଼ ସଂପର୍କ । କିନ୍ତୁ ଅନ୍ଧକାରର ସତରେ ଲକ୍ଷଣ କ’ଣ ? ଅନ୍ଧକାରର ଲକ୍ଷଣ ହେଲା ଯେଉଁଠାରେ କିଛି ଦେଖାଯାଏ ନାହିଁ । ଯେଉଁଠାରେ ଦୃଶ୍ୟ-ଅଦୃଶ୍ୟ ହୋଇଯାଏ । ଯେଉଁଠାରେ କିଛିବି ଦେଖିବା ଆଦୌ ସମ୍ଭବପର ହୁଏନାହିଁ । ଯେଉଁଠାରେ ଆଖି ଉପରେ ପରଦା ପଡ଼ିଯାଏ । ଦ୍ବିତୀୟ ଲକ୍ଷଣ ହେଲା - ଯେଉଁଠାରେ କିଛି ଦେଖା ନଯିବା ଦ୍ବାରା କୌଣସି ମାର୍ଗ ମଧ୍ୟ ଜଣାପଡ଼େ ନାହିଁ । କେଉଁଆଡ଼େ ଆମେ ଯିବୁ ! କ’ଣ କରିବୁ ! ତୃତୀୟ ଲକ୍ଷଣ ହେଲା - ଯେଉଁଠାରେ କିଛି ଦେଖା ନଯିବା ଦ୍ବାରା ପ୍ରତି ମୁହୂର୍ତ୍ତରେ କାହାରି ସହିତ ଧକ୍କା ଖାଇ ଯିବାର ସମ୍ଭାବନା ଦେଖା ଦେଇଥାଏ । ଅନ୍ଧକାର ଆମ ଦୃଷ୍ଟିହୀନତାର ମଧ୍ୟ ଅନ୍ୟ ଏକ ପାଖ । ମୋହରେ ମଧ୍ୟ ଅବିକଳ ଏଇମିତି ଘଟିଥାଏ । ସେଇଥିପାଇଁ ମୋହକୁ ଅନ୍ଧକାର କହିବାରେ ସାର୍ଥକତା । ମୋହରେ ଆମେ ଯାହାସବୁ କଲୁ, ମୋହରେ ଆମେ ଯାହା ହେଉ, ମୋହରେ ଆମେ ଯେପରି ଚାଲୁ, ମୋହରେ ଆମର ଆଚରଣ ଯାହା ଯେମିତି ହୋଇଥାଏ ତାହା ଅବିକଳ ଅନ୍ଧାର ଭିତରେ ଜଣେ ଘୁରିବୁଲିଲା ଭଳି । ଗାଢ଼ ଅନ୍ଧକାର ଭିତରେ ମଣିଷ ଜାଣିପାରେ ନାହିଁ ସେ କେଉଁ ଆଡ଼େ ଯାଉଛି । ସେ କଅଣ କରୁଛି । ରାସ୍ତା କେଉଁଆଡ଼େ ତାହା ମଧ୍ୟ ସେ ଜାଣିପାରେ ନାହିଁ । କାରଣ ଅନ୍ଧକାର ମଧ୍ୟରେ ଆଖି ତାର ଦୃଷ୍ଟିଶକ୍ତି ହରାଇ ବସେ । ଅନ୍ଧକାରରେ ଆଖି ନଥାଏ । ‘ମୋହ’ ମଧ୍ୟ ଅନ୍ଧ । ଆଉ ମୋହର ଅନ୍ଧତ୍ବ ଆଧ୍ୟାତ୍ମିକ ଅନ୍ଧତ୍ବ । ଘଟଣାଟିଏ ମୁଁ ଶୁଣିଥିଲି - କୌଣସି ଜଣେ ମଣିଷର କୋଠାଘରେ ନିଆଁ ଲାଗି ଯାଇଥାଏ । ଚାହୁଁ ଚାହୁଁ ଘର ସାମ୍ନାରେ ଲୋକମାନଙ୍କର ଭିଡ଼ ଜମିଗଲା । ସେହି ମଣିଷଟି ଛାତି ପିଟି କାନ୍ଦୁଥାଏ । ସ୍ବାଭାବିକ କଥା । ତା’ର ସମଗ୍ର ଜୀବନର ସଂପତ୍ତି ତା’ରି ଆଗରେ ଜଳିପୋଡ଼ି ପାଉଁଶ ହେବାରେ ଲାଗିଥାଏ । ଯାହାକୁ ସିଏ ଆଜିଯାଏଁ ତା’ର ଜୀବନ ବୋଲି ଭାବିଥିଲା – ତାହା ହିଁ ନଷ୍ଟ ହେବାରେ ଲାଗିଥାଏ । ଯାହାକୁ ଆଧାର କରି ତା’ର ଅହଂକାର, ତା’ର ଶକ୍ତି, ତା’ର ପରିଚୟ - ତାହାହିଁ ଜଳିଯାଉ ଥାଏ । ପ୍ରତ୍ୟେକ ବ୍ୟକ୍ତି ଚାହେଁ - ତା ନିଜର ଏକ ସୁଦୃଶ୍ୟ ଅଟ୍ଟାଳିକା । କାରଣ ସମାଜ ଆଖିରେ ତା’ର ଉଚ୍ଚ କୋଠାଘର ହିଁ - ତାର ପ୍ରଥମ ପରିଚୟ । ପ୍ରତିଷ୍ଠାର ଚିହ୍ନ । ଆଉ ଯାହାର କିଛି ହେବାଟା ବାହାରର ଆଉ କିଛି ଉପରେ ନିର୍ଭର କରିଥାଏ - ସେହି ମଣିଷକୁ ଦିନେ ନା ଦିନେ ଏଇମିତି କାନ୍ଦିବାକୁ ପଡ଼ିଥାଏ । ଦିନେ ନା ଦିନେ ଯନ୍ତ୍ରଣା ତାକୁ ଘେରିଥାଏ । ତାର ଏକମାତ୍ର କାରଣ ହେଲା - ଯାହାସବୁ ଏବଂ ଯେଉଁମାନେ ବାହାରର ସଂପତ୍ତି ଉପରେ ନିର୍ଭର କରିଥାଆନ୍ତି - ଦିନେ ନା ଦିନେ ସେସବୁ ଭୁଶୁଡ଼ି ପଡ଼େ । କାରଣ ବାହାରେ କିଛି ମଧ୍ୟ ଚିରସ୍ଥାୟୀ ନୁହେଁ । ତେଣୁ ସେହି ମଣିଷଟିର ଘରେ ଯେ ନିଆଁ ଲାଗି ଯାଉଥିଲା ଏପରି ନୁହେଁ । ପ୍ରତ୍ୟେଙ୍କର ବାହାର ଘରେ ନିଆଁ ଲାଗି ଯାଇଥାଏ । ଅସଲରେ ଯାହାସବୁ ଆମେ ବାହାରେ ଦେଖୁଛେ ସେସବୁ ପ୍ରଥମରୁ ନିଆଁ ଉପରେ ହିଁ ଛିଡ଼ା ହୋଇ ଥାଆନ୍ତି । ମଣିଷଟି ଛାତି ପିଟି କାନ୍ଦୁଥାଏ । ଠିକ୍ ଏତିକିବେଳକୁ ତା’ର ପଡ଼ୋଶୀ ଘରୁ କେହି ଜଣେ ଦୌଡ଼ି ଦୌଡ଼ି ଆସି କହିଲା - ଅଯଥାରେ ତୁମେ କାନ୍ଦୁଛ । ତୁମ ପୁଅ ତ କାଲିଠାରୁ ତୁମର ଏ ଘରକୁ ଅନ୍ୟକୁ ବିକ୍ରୟ କରି ଦେଇଛି । ଆଡ଼ଭାନ୍ସ ଟଙ୍କା ମଧ୍ୟ ଆଣି ସାରିଛି । କ’ଣ ତୁମେ ଏସବୁ କିଛି ଜାଣିନାହଁ ? ବାଶ୍, ଏହି ତକ ଶୁଣିଦେବା ମାତ୍ରକେ ସେହି କାନ୍ଦୁଥିବା ମଣିଷର ଆଖିରୁ ଲୁହ ଗଡ଼ିବା ତତକ୍ଷଣାତ୍ ବନ୍ଦ ହୋଇଗଲା । ଛାତି ପିଟିବା ବନ୍ଦ ହୋଇଗଲା । କାନ୍ଦିବା ବଦଳରେ ତା ମୁହଁରେ ହସ ଦେଖା ଗଲା । ସେ ହସିବାକୁ ଲାଗିଲା । ସବୁ ପୂରାପୂରି ବଦଳିଗଲା । ଏବେ ବି ନିଆଁ ଜଳୁଥାଏ । ଘର ଜଳି ଯାଉଥାଏ ଠିକ୍ କେଇକ୍ଷଣ ପୂର୍ବରୁ ଯେମିତି ଜଳୁଥିଲା । କିନ୍ତୁ ତଫାତ୍ କେଉଁଠାରେ ରହିଲା ? ହଁ, ତଫାତ୍ ହେଲା - ଏ ଘର ଏବେ ଆଉ ମୋର ହୋଇନାହିଁ । ଏ ଘର ଅନ୍ୟ କାହାର । ଏ ଘରକୁ ନେଇ କାହିଁ କେତେବର୍ଷ ହେଲା ମୋହର ଯେଉଁ ଚେର ଲମ୍ବିଥିଲା ତାହା ଏବେ ଛିଡ଼ିଗଲା । ଏବେ ବି ଘର ଜଳୁଅଛି କିନ୍ତୁ ଆଖିରେ ଆଉ ଲୁହ ନାହିଁ । ଆଖିରେ ଯେଉଁ ଅଶ୍ରୁ ଥିଲା ତାହା ଘର ଜଳିଯିବା ପାଇଁ ନୁହେଁ । ସେ ଅଶ୍ରୁର କାରଣ ଥିଲା - ମୋର ଜଳିଯିବା ପାଇଁ । ମୋ ଘର । ଏବେ ଯେଉଁଘର ଜଳିଯିବାରେ ଲାଗିଛି ତାହା ଆଉମୋର ହୋଇ ନାହିଁ । ସେ ଘର ବିକ୍ରୀ ସରିଛି । ସେ ଘର ଅନ୍ୟ କାହାର । ମୋର ନୁହେଁ । ତେଣୁ ଲୁହ ବୋହିବା ଆପେ ଆପେ ବନ୍ଦ ହୋଇଯାଇଛି । ଆଖି ଏବେ ପୂରାପୂରି ସଫା । ସବୁକିଛି ପରିଷ୍କାର ଦେଖାଯାଉଛି । ଅଥଚ କେଇକ୍ଷଣ ପୂର୍ବରୁ ସବୁକିଛି ଦେଖା ଯାଉଥିଲା ଧୂଆଁଳିଆ । ଦୁଃଖରେ, ଯନ୍ତ୍ରଣାରେ ଯେଉଁ ହାତଗୋଡ଼ କିଛିକ୍ଷଣ ପୂର୍ବରୁ ଥରିବାରେ ଲାଗୁଥିଲା ଏବେ ସେସବୁ ପୂରାପୂରି ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସେହି ମଣିଷଟି ଅବିକଳ ଅନ୍ୟ ସାଧାରଣ ଦେଖଣାହାରି ମଣିଷ ହୋଇ ଯାଇଥିଲା । ଆଉ ଏୟା ମଧ୍ୟ କହୁଥିଲା - ଯାହା ଭଗବାନଙ୍କର ଇଛା ତାହା ହିଁ ହେଉଛି ଏବଂ ସବୁ ଠିକ୍ ମଧ୍ୟ ହେଉଛି । ଠିକ୍ ଏତିକିବେଳକୁ ତା’ର ପୁଅ ଦୌଡ଼ି ଦୌଡ଼ି ଆସିଲା ଏବଂ ବାପାକୁ କହିଲା- ବାପା, ଏ ଘର ବିକି ଦେବାକୁ ମୁଁ ଗରାଖ ଠିକ୍ କରି ଦେଇଥିଲି । ଅଗ୍ରୀମ ମଧ୍ୟ ଆଣିଥିଲି । ହେଲେ ଘର କିଣିବାବାଲା ଶେଷ ମୁହୂର୍ତ୍ତରେ ଘର କିଣିବାକୁ ମନା କରିଦେଲା । ଅଗ୍ରୀମ ଟଙ୍କା ଫେରେଇ ନେଲା । ଘର ବିକ୍ରୀ ହୋଇପାରିଲା ନାହିଁ । ଆଉ ଆମର ଏ ନିଆଁରେ ଜଳୁଥିବା ଘରକୁ କିଏ ଏବେ କିଣିବ ???  ବାସ୍ ! ପୁଣିଥରେ ଲୁହମାନେ ଆଖିକୁ ଫେରି ଆସିଲେ । ପୁଣିଥରେ ଛାତି ପିଟିବା ଆରମ୍ଭ ହୋଇଗଲା । ଘର ଏବେବି ସେଇମିତି ଜଳୁଥିଲା । କିନ୍ତୁ ସବୁକିଛି ପୁଣିଥରେ ବଦଳି ଯାଇଥିଲା । ମୋହ ପୁଣିଥରେ ଫେରି ଆସିଥିଲା । ଆଖି ଅନ୍ଧ ହୋଇ ଯାଇଥିଲା । ଆହୁରି ଥରେ ମୋର ଜଳିବାକୁ ଆରମ୍ଭ କରି ଦେଇଥିଲା । ଏ ଜୀବନରେ ମୋହ ହିଁ ଜଳୁଥାଏ । ମୋହ ହିଁ ଚିନ୍ତାରେ ପଡ଼େ । ମୋହ ହିଁ ମଣିଷକୁ ଭୁଲ୍ ମାର୍ଗଗରେ ପରିଚାଳିତ କରିଥାଏ । ଯେମିତି ଦିନେ କରିଥିଲା ଧୃତରାଷ୍ଟ୍ରଙ୍କୁ । ମୋହ ହିଁ ମଣିଷକୁ ନିମ୍ନଗାମୀ କରାଏ । ଏ ଜୀବନର ଦୁଃଖ ହିଁ ଆଣିଥାଏ ମୋହ । ଯାହାକୁ ଗୀତାରେ କୃଷ୍ଣ କୁହନ୍ତି ମୋହ - ତାହାକୁ ବୁଦ୍ଧ କହିଥାଆନ୍ତି ତୃଷ୍ଣା । ଏହାକୁ ଯେତେ ନାମ ଦିଅ ସେଥିରେ କୌଣସି ଫରକ ପଡ଼ିବ ନାହିଁ । ଏହାର ଗୋଟିଏ ମାତ୍ର ଗୁଣଧର୍ମ ଅଛି ଯାହା ହେଲା - ଯାହା ଆଦୌ ମୋର ନୁହେଁ ତାହା ମୋର ଭଳି ମାଲୁମ ପଡ଼େ । ଆଉ ପ୍ରକୃତରେ ଯାହା ମୋର ତାହାର କୌଣସି ପତ୍ତା ନଥାଏ ମୋ ନିକଟରେ । ଏହାହିଁ ହେଉଛି ଜୀବନର ରହସ୍ୟ । କାରଣ ଘରଟାଏ ମୋର କେମିତି ହୋଇପାରିବ ? ସେ ମାଟିର ଭୂମି ଖଣ୍ଡକ ମୋର କେମିତି ହେଲା ? ମୁଁ ନଥିଲି ତାହା ଥିଲା । ମୁଁ ରହିବି ନାହିଁ ଅଥଚ ତାହା ରହିଥିବ । ଜମିକୁ ଆଦୌ ଏହା ଜଣା ନଥାଏ ଯେ ସେ ଏହା ମଧ୍ୟରେ ମୋର ହୋଇସାରିଛି ବୋଲି । ଆଉ ମୋହର ଏହି ମାୟାଜାଲ ଏକ ସମ୍ମୋହନ ପରି କାର୍ଯ୍ୟ କରିଥାଏ । ମୋ ପୁଅ, ମୋ ଝିଅ, ମୋ ସ୍ତ୍ରୀ, ମୋ ବାପା ମା, ମୋ ଧର୍ମ, ମୋ ଧର୍ମଗ୍ରନ୍ଥ, ମୋ ମନ୍ଦିର, ମୋ ମସଜିଦ୍ ଏଇମିତି କେତେ କେତେ ମୋହର ମାୟାଜାଲ । ମୁଁ ଆଉ ମୋର - ଏ ଯେଉଁ ପରିବ୍ୟପ୍ତ ମାନସିକତା ଏହା ହିଁ ହେଉଛି ମୋହର ଅନ୍ଧକାର । ଯେଉଁ ମଣିଷ ମୁଁ ଆଉ ମୋରରେ ଜୀଇଁ ରହିଥାଏ ସେ ଅନ୍ଧକାର ଭିତରେ ହିଁ ଜୀବନ ବିତାଇଥାଏ । ମୋହର ଅନ୍ଧକାର ଭିତରେ ସେ ଜୀଅନ୍ତା ଛଟପଟ ହିଁ ହେଉଥାଏ । ଯେମିତି ଦୀପଟିଏ ଜଳି ଉଠିଲେ ଅନ୍ଧକାର ହଟିଯାଏ - ଠିକ୍ ସେମିତି ‘ମୁଁ’ ଜଳି ଉଠିଲେ ଅନ୍ଧକାର ଘୋଟିଯାଏ । ତେଣୁ ମୋହରୂପୀ କାଳିମାରୁ ମୁକ୍ତ ହେବାକୁ ହେଲେ - ଆରେ ବାୟା, ତୋତେ ତୋ ଭିତରେ ଚୈତନ୍ୟର ଚିନ୍ମୟ ଜ୍ୟୋତି ଜଳେଇବାକୁ ପଡ଼ିବ । ତୁ ପାରିବୁ । ସେ ଦିଗରେ ତୋର ପ୍ରଥମ ପାଦ ପଡ଼ିବା ଆରମ୍ଭ ହେଉ । ପ୍ରଜ୍ଞାଲୋକ, ତଳମାଳି ସାହି, ପୁରୀ-୨, ମୋ- ୯୯୩୭୬୪୯୮୯୪

Share :