ରିଲାଏନ୍ସ ଓ ଆଦାନୀ ପାଇଁ ନୀତି !

ରିଲାଏନ୍ସ ଓ ଆଦାନୀ ପାଇଁ ନୀତି !

Share :

ହାଇଡ୍ରୋକାର୍ବନ ସନ୍ଧାନ ଓ ଲାଇସେନ୍ସ ନୀତିକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନୀତିର ତର୍ଜମା କରାଯାଇ ଅନୁମୋଦନ ଦିଆଯାଇଥିଲା | ଏହି ନୀତିର ଚାରୋଟି ପ୍ରମୁଖ ଦିଗ ହେଲା - (୧) ସମସ୍ତ ପ୍ରକାର ହାଇଡ୍ରୋକାର୍ବନର ସନ୍ଧାନ ଓ ଉତ୍ତୋଳନ ପାଇଁ ଏକ ପ୍ରକାରର ଲାଇସେନ୍ସ, (୨) ମୁକ୍ତ ଏକରେଜ ନୀତି, (୩) ସରଳ ରାଜସ୍ବ ଭାଗିଦାରୀ ଢ଼ାଂଚା ବା ପଦ୍ଧତି ଏବଂ (୪) ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପ ଉତ୍ପାଦନ ଲାଗି ମୁକ୍ତ ବଜାର ତଥା ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ଯାହାକି ଛୋଟ ସରକାର, ବେଶି ଶାସନ ନୀତିର ପରିପୂରକ ହେବ | କ୍ୟାବିନେଟ ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ହେଲା ଯେ, ଦେଶ ଭିତରେ ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପ ଉତ୍ପାଦନ କ୍ଷମତାର ବୃଦ୍ଧି ଘଟାଇବା | ତା’ଛଡା ନୂତନ ହାଇଡ୍ରୋକାର୍ବନ ନୀତି ଏହି କ୍ଷେତ୍ର ପ୍ରତି ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ | ହାଇଡ୍ରୋକାର୍ବନ ସନ୍ଧାନ, ଉତ୍ତୋଳନ ଓ ଉତ୍ପାଦନ କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା ସଙ୍ଗେ ସଙ୍ଗେ ସରକାରୀ ନିୟନ୍ତ୍ରଣକୁ ହ୍ରାସ କରିବା ହେଉଛି ନୂତନ ନୀତିର ଆଉ ଏକ ଲକ୍ଷ୍ୟ | ଏକୀକୃତ ଲାଇସେନ୍ସ ନୀତି ଦେଶରେ କୋଲ-ବେଡ ମିଥେନ, ସେଲ ବାଷ୍ପ ଓ ତୈଳ, ଟାଇଟ ବାଷ୍ପ ଏବଂ ଗ୍ୟାସ ହାଇଡ୍ରେଟ୍ସ ସମେତ ସବୁ ପ୍ରକାରର ପାରମ୍ପରିକ ଓ ଅଣ-ପାରମ୍ପରିକ ତୈଳ ତଥା ପ୍ରାକୃତିକ ବାଷ୍ପ ଉତ୍ସର ସନ୍ଧାନ ଏବଂ ଉତ୍ତୋଳନ ଦିଗରେ ଠିକା ସଂସ୍ଥାଙ୍କୁ ବେଶ ଉତ୍ସାହିତ କରିବ | ମୁକ୍ତ ଏକରେଜ ନୀତି ଅନୁସାରେ ଆଗ୍ରହୀ ତୈଳ ଓ ବାଷ୍ପ କମ୍ପାନୀମାନେ ଏକ ସୁନିର୍ଦ୍ଦିଷ୍ଟ ଅଂଚଳରେ ତୈଳ ଉତ୍ତୋଳନ ଲାଗି ନିଜସ୍ବ ବ୍ଲକ ବାଛିପାରିବେ | ସେହିପରି ପ୍ରଚଳିତ ଉତ୍ପାଦନ ଭିତିକ ଲାଭାଂଶ ଭାଗିଦାରୀତା ବ୍ୟବସ୍ଥା ପରିବର୍ତ୍ତେ ରାଜସ୍ବ ଭାଗିଦାରୀତା ମୋଡେଲ ସରଳ ଓ ସହଜ ପନ୍ଥା ହେବ | କେନ୍ଦ୍ର ସରକାରଙ୍କ ଇଜ-ଅଫ-ଡୁଇଙ୍ଗ-ବିଜିନେସ ବା ସରଳ ବ୍ୟବସାୟ ପଦ୍ଧତିର ଅନୁସରଣ ପୂର୍ବକ ନୂତନ ହାଇଡ୍ରୋକାର୍ବନ ନୀତି ପ୍ରସ୍ତୁତ କରାଯାଇଛି | ଅଫ-ସୋର କ୍ଷେତ୍ରରେ ତୈଳ ଓ ପ୍ରାକୃତିକ ବାଷ୍ପର ସନ୍ଧାନ ଓ ଉତ୍ତୋଳନ ବେଳର ବ୍ୟାବସାୟିକ ଓ ବ୍ୟାପାରଗତ କ୍ଷତିକୁ ଦୃଷ୍ଟିରେ ରଖି ପ୍ରଚଳିତ ଏନ.ଇ.ଏଲ.ପି ରୟାଲିଟି ବଂଟନ ଢ଼ାଂଚା ପରିବର୍ତ୍ତେ ବର୍ଗୀକୃତ ସ୍ବଳ୍ପ ରୟାଲିଟି ଦର ନିର୍ଦ୍ଧାରଣ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି | ଯାହାକି ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ | ଅଗଭୀର, ଗଭୀର ଓ ଅତି ଗଭୀର ତୈଳ ଓ ବାଷ୍ପ ଖନନ କାର୍ଯ୍ୟ ଲାଗି ପୃଥକ ପୃଥକ ରୟାଲିଟି ଦର ରହିବ | ଏହାଛଡା ଏଭଳି ରୟାଲିଟି ଦର ନିର୍ଦ୍ଧାରଣ କରାଯାଇଛି, ଯଦ୍ବାରା ରାଜ୍ୟମାନଙ୍କର କୌଣସି ରାଜସ୍ବ କ୍ଷତି ହେବ ନାହିଁ | ନୂତନ ହାଇଡ୍ରୋକାର୍ବନ ନୀତି ଅନୁଯାୟୀ ଆବଂଟିତ ବ୍ଲକଗୁଡିକ ଉପରେ ସେସ ଓ ଆମଦାନୀ ଶୁଳ୍କ ଲାଗିବ ନାହିଁ | ତେବେ ମୋଦି ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ କେତେକ ବହୁରାଷ୍ଟ୍ରୀୟ କମ୍ପାନୀ ଭାରତର ଏହି ଦୁର୍ମୂଲ୍ୟ ଖଣିଜ ଭଣ୍ଡାର ଶସ୍ତାରେ ଓ ସହଜରେ କବ୍ଜା କରିବା ନିଶ୍ଚିତ | ବିଶେଷ କରି ଏହି କ୍ଷେତ୍ରରେ ପୂର୍ବରୁ ପୁଂଜି ନିବେଶ କରିଥିବା ରିଲାଏନ୍ସ ଓ ଆଦାନୀ ଗୋଷ୍ଠୀ ସରକାରଙ୍କ ଏହି ନିଷ୍ପତ୍ତିରେ ଉପକୃତ ହେବେ ଏବଂ ଲକ୍ଷଲକ୍ଷ କୋଟି ଟଙ୍କାର ଆର୍ଥିକ ଫାଇଦା ପାଇବେ | ମୋଦି ସରକାର କ୍ଷମତାକୁ ଆସିବା ପରଠୁଁ ଏହି ଦୁଇ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ରିହାତି ହାସଲ କରି ଚାଲିଛନ୍ତି | ଏବେ ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସ୍ବାଧୀନ ରାଷ୍ଟ୍ରପାହ୍ୟା ଦାୟିତ୍ବରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ | କିନ୍ତୁ ତାଙ୍କ ମନ୍ତ୍ରଣାଳୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦପ୍ତରର ଭୂମିକା ରହିଥିବା ଶିଳ୍ପ ମହଲରେ ଆଲୋଚିତ ହୋଇଥାଏ | ମୋଦି ଓ ତାଙ୍କ ଅଫିସରମାନେ ଏହି କ୍ଷେତ୍ରର ସମସ୍ତ ନିଷ୍ପତ୍ତି ଚୂଡ଼ାନ୍ତ କରିଥାନ୍ତି |

Share :