ସେଲଫି ସଂସ୍କୃତି ବନାମ ଉବଣ୍ଟୁ

ସେଲଫି ସଂସ୍କୃତି ବନାମ ଉବଣ୍ଟୁ

Share :

ଡ଼ଃ. ଧନଦାକାନ୍ତ ମିଶ୍ର   ଷୋହଳ ବର୍ଷର ପିଲାଟିଏ ବିପରୀତ ଦିଗରୁ ଆସୁଥିବା ଟ୍ରେନ୍ଟିକୁ ପଛ କରି ମୋବାଇଲ୍ ଫୋନରେ ନିଜର ଫଟୋ ଉଠାଉ ଥିବା ବେଳେ ଗଲା ଫେବୃୟାରୀ ୧ ତାରିଖ ଦିନ ଚେନ୍ନାଇଠାରେ ମୃତ୍ୟୁ ମୁଖରେ ପଡିଲା । ଗଲା ନଭେମ୍ବର ମାସରେ ଗୁଜୁରାଟରେ ଦୁଇ ଜଣ ଇଂଜିନିୟରିଂ ଛାତ୍ର ନର୍ମଦା କେନାଲ ପାଖରେ ସେଲଫି ନେଲାବେଳେ ଗୋଡ ଖସି ପାଣିରେ ପଡି ବୁଡିଗଲେ । ତାମିଲନାଡୁର ଆଉ ଜଣେ ଇଂଜିନିୟରିଂ ଛାତ୍ର ଗୋଟିଏ ପଥର ଉପରେ ଠିଆ ହୋଇ ଫଟୋ ଉଠାଇବା ସମୟରେ ପଥରଟି ଫାଟି ଯିବାରୁ ପ୍ରାୟ ୬୦ ଫୁଟ୍ ତଳକୁ ଖସି ପଡି ପ୍ରାଣ ହରାଇଲା । ଗଲା ବର୍ଷ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ ଗୋଟିଏ ହ୍ରଦରେ ଡଙ୍ଗା ଉପରେ ଠିଆ ହୋଇ ଫଟୋ ଉଠାଇବାକୁ ଗଲାବେଳେ ଭାରସାମ୍ୟ ହରାଇବାରୁ ଡଙ୍ଗାଟି ଓଲଟି ଯିବା ଦ୍ବାରା ସାତ ଜଣ ଯୁବକ ପ୍ରାଣ ହରାଇଲେ । ଏବେ ନିକଟରେ ମୁମ୍ବାଇର ସମୁଦ୍ରକୂଳ ପଥର ଉପରେ ଫଟୋ ଉଠାଉଥିବା ଝିଅଟିଏ ଗୋଡ ଖସି ଯିବାରୁ ପାଣିରେ ବୁଡି ପ୍ରାଣ ହରାଇଲା ଓ ତାକୁ ଉଦ୍ଧାର କରିବା ଚେଷ୍ଟାରେ ଆଉ ଜଣେ ମଧ୍ୟ ଜୀବନ ହାରିଲା । ଏହି ସବୁ ଖବର ପ୍ରାୟ ନିତିଦିନିଆ ହୋଇ ଗଲାଣି । ଯଦିଓ ଏପରି ଦୁର୍ଘଟଣା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ଅଧିକରୁ ଅଧିକ ଘଟି ଚାଲିଛି, ତେବେ ବିଗତ ବର୍ଷ ସାରା ବିଶ୍ବରେ ଘଟିଥିବା ୨୭ଟି ମୃତ୍ୟୁ ମଧ୍ୟରୁ ଭାରତରେ ଅଧାରୁ ଅଧିକ ଘଟଣା ଘଟିଛି । ବର୍ତ୍ତମାନ ସରକାର ଅନେକ ସ୍ଥାନରେ ’ସେଲ୍ଫି ନିଷିଦ୍ଧ’ ଫଳକ ଲଗାଇବା ଆରମ୍ଭ କଲେଣି ! ଏହି ପ୍ରବନ୍ଧଟି ଲେଖୁଥିବା ସମୟରେ ଟିଭିରେ ଖବର ଆସିଲା କର୍ଣ୍ଣାଟକରେ ୩ ଜଣ ସେଲ୍ଫି ନେବା ସମୟରେ ପାଣିରେ ବୁଡି ପ୍ରାଣ ହରାଇଲେ । ସତେ ଯେପରି ଏକ ମହାମାରୀ ବ୍ୟାଧୀ ଧୀରେ ଧୀରେ ତାର କାୟା ବିସ୍ତାର କରି ଚାଲିଛି । ଏକ ପରିସଂଖ୍ୟାନରୁ ଜଣାପଡେ ଯେ ଏବେ ଶାର୍କ ମାଛ ଆକ୍ରମଣଠାରୁ ସେଲଫି ଦୁର୍ଘଟଣାରେ ଅଧିକ ମୃତ୍ୟୁ ଘଟୁଛି । ଏହି ’ସେଲ୍ଫି’ ହେଲା ନିଜେ ନିଜର ଫଟୋ ଉଠାଇବାର ଏକ ଝୁଙ୍କ୍ । ଯଦିଓ ଏହି ବେମାରୀଟି ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ଏହାର ଉତ୍ପତ୍ତି ବହୁ ପୁରୁଣା-ପ୍ରାୟ ଫଟୋ କ୍ୟାମେରା ଜନ୍ମଠାରୁ କହିଲେ ଚଳେ । ୧୮୩୯ ମସିହାରେ ଆମେରିକାରେ ରବର୍ଟ କର୍ନେଲିୟସ ପ୍ରଥମ କରି ନିଜର ଫଟୋ ଉଠାଇଥିଲେ - ଯାହାକି ଇତିହାସର ପ୍ରଥମ କେତେକ ଫଟୋ ମଧ୍ୟରେ ଅନ୍ୟତମ । ସେତେବେଳେ କ୍ୟାମେରାରେ ଫଟୋ ନେବାକୁ ଏତେ ସମୟ ଲାଗୁଥିଲା ଯେ ସେ କ୍ୟାମେରାର ଲେନ୍ସର ଘୋଡଣୀ ଖୋଲି ଦଉଡି ଯାଇ ସାମ୍ନାରେ ନିଜେ ଠିଆ ହୋଇ ଫଟୋ ଉଠିଲା ପରେ ପୁଣି କ୍ୟାମେରାକୁ ବନ୍ଦ କରିଥିଲେ । ୧୯୦୦ ମସିହା ବେଳକୁ କୋଡାକ୍ କମ୍ପାନୀର ବାକ୍ସ କ୍ୟାମେରା ଆସିଲା ପରେ ଦର୍ପଣ ମାଧ୍ୟମରେ ନିଜର ଛବି ଉଠାଇବା ବହୁତ ଲୋକପ୍ରିୟ ହୋଇଥିଲା । ୧୯୭୦ ମସିହା ଜନ୍ମ ଦେଲା ପୋଲୋରଏଡ୍ କମ୍ପାନୀର ତତକ୍ଷଣାତ୍ ପ୍ରିଣ୍ଟ ଦେଉଥିବା କ୍ୟାମେରାକୁ ଓ ପୁଣି ଲୋକପ୍ରିୟ ହେଲା ନିଜେ ନିଜର ଫଟୋ ଉଠାଇବାର ସଉକ୍ । ସ୍ବାଭାବିକ ଭାବରେ ପରବର୍ତ୍ତୀ ସମୟରେ ଡିଜିଟାଲ୍ କ୍ୟାମେରା (ଫିଲ୍ମ ବ୍ୟବହାର ନକରୁଥିବା) ସବୁ ଏ ଦିଗରେ ଆହୁରି ଆଗ୍ରହ ବଢ଼ାଇଲା । ସେଲ୍ଫି ଶବ୍ଦର ପ୍ରଥମ ବ୍ୟବହାର ୨୦୦୨ ମସିହାରେ ନାଥନ୍ ହୋପ୍ ନାମକ ଅଷ୍ଟ୍ରେଲୀୟ, ଏକ ଇଣ୍ଟରନେଟ୍ ଆଲୋଚନା ଚକ୍ରରେ ଦୈବାତ୍ ନିଜ ଫୋନରେ ନିଶାସକ୍ତ ଅବସ୍ଥାରେ ଉଠାଇଥିବା ନିଜର ଏକ ଫଟୋ ବିଷୟରେ ଲେଖିବା ସମୟରେ କରିଥିଲେ । ଯଦିଓ ଏହି ଶବ୍ଦର ବ୍ୟବହାର ଲୋକପ୍ରିୟ ହେବାର ବହୁ ଆଗରୁ ନିଜେ ନିଜର ବା ଅନ୍ୟମାନଙ୍କ ସାଙ୍ଗରେ ଦଳଗତ ଫଟୋ ଟାଇମର ମାଧ୍ୟମରେ ଉଠାଇବାର ଅନେକ ଉଦାହରଣ ରହିଛି, କିନ୍ତୁ ଏହି ସବୁ ଫଟୋକୁ ଇଣ୍ଟରନେଟର ସାମାଜିକ ନେଟଉଆର୍କ ଯଥା ଫେସବୁକ ଇତ୍ୟାଦିରେ ଛାଡିବାର ଅତ୍ୟଧିକ ଆଗ୍ରହ ଆଜି ଏହି ଶବ୍ଦକୁ ପ୍ରସିଦ୍ଧ କରିପାରିଛି । ୨୦୧୨ରେ ଟାଇମ୍ ମାଗାଜିନ୍ ଏହି ଶବ୍ଦକୁ ସେ ବର୍ଷର ସବୁଠୁ ଲୋକପ୍ରିୟ ଦଶଟି ଶବ୍ଦରେ ସ୍ଥାନ ଦେଇଥିଲା ଓ ୨୦୧୩ରେ ଅକ୍ସଫୋର୍ଡ ଡିକ୍ସିନାରୀ ଏହାକୁ ସେ ବର୍ଷର ଶ୍ରେଷ୍ଠ ’ଶବ୍ଦ’ ଘୋଷଣା କରିଥିଲା । ସୋସିଆଲ୍ ମେଡିଆ ବା ସାମାଜିକ ଗଣମାଧ୍ୟମରେ ସେଲ୍ଫିର ଲୋକପ୍ରିୟତା ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବିଶେଷ କରି ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାରମ୍ବାର ସେଲ୍ଫିର ବ୍ୟବହାର ଏହାକୁ ତାଙ୍କର ବହୁସଂଖ୍ୟକ ପ୍ରଶଂସକଙ୍କ ମଧ୍ୟରେ ଆହୁରି ଆଦୃତ କରିଛି । ଏହାକୁ ଏବେ ଏକ ଉତ୍କୃଷ୍ଟ ପ୍ରଚାରର ମାଧ୍ୟମ ଭାବରେ ଅଭିନେତା, ରାଜନେତା, ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ଫେସବୁକ, ଟ୍ବିଟର୍ ଓ ହ୍ବାଟ୍ସ୍ଆପ୍ ଆଦି ମାଧ୍ୟମରେ ବହୁଳ ବ୍ୟବହାର କଲେଣି । ଏକ ଦିଗରେ ସ୍ମାର୍ଟ ମୋବାଇଲ୍ ଫୋନର ଆଦର, ବ୍ୟବହାର ଓ ସୁଲଭ ହେବା ଓ ଏଥିରେ ଥିବା କ୍ୟାମେରା ତଥା ଅନ୍ୟ ଦିଗରେ ଇଣ୍ଟରନେଟ୍ ମାଧ୍ୟମରେ ସହଜରେ ଫଟୋ ପ୍ରେରଣ କରାଯାଇ ପାରିବାର କ୍ଷମତା ’ସେଲ୍ଫି’କୁ ଏକ ସଂସ୍କୃତିରେ ପରିଣତ କରି ସାରିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ’ସେଲ୍ଫ୍’ ବା ’ସ୍ବୟଂ’ରୁ ଆସିଛି ’ସେଲ୍ଫି’ ବା ’ସ୍ବୟଂଚିତ୍ର’ ଶବ୍ଦଟି । ସେଲ୍ଫ୍ ଶବ୍ଦରୁ ମଧ୍ୟ ଆସିଛି ’ସେଲ୍ଫିସ୍’ ବା ସ୍ବାର୍ଥପର ଶବ୍ଦଟି । ଏହି ସେଲ୍ଫି ସଂସ୍କୃତି ଯେପରି ଏକ ସ୍ବାର୍ଥପର ଆଧୁନିକ ଜୀବନଶୈଳୀର ଏକ ନିଛକ ପ୍ରତିବିମ୍ବ । ଯେପରି ଯୌଥ ପରିବାର ସ୍ଥାନରେ ଏକକ ପରିବାର (ବାପା, ମା ଓ ଗୋଟିଏ ବା ଯୋଡିଏ ପିଲା), ଯେପରି ସମବାୟ ସଂସ୍ଥା ଜାଗାରେ ଘରୋଇ କମ୍ପାନୀ, ଯେପରି ସାର୍ବଜନୀନ ପରିବହନ (ବସ୍, ଟ୍ରେନ୍ ଆଦି) ଜାଗାରେ ବ୍ୟକ୍ତିଗତ ବାହାନ (ଗାଡି, ମୋଟର ସାଇକଲ) ଆଦିର ଗୁରୁତ୍ବ ବଢ଼ି ଚାଲିଛି, ଠିକ୍ ସେହିପରି ସାଧାରଣ ଫଟୋର ସ୍ଥାନ ନେଇ ଚାଲିଛି - ସେଲ୍ଫି । ଦିନ ଥିଲା ଲୋକେ ନିଜର ପ୍ରଶଂସା, ନିଜର ସମ୍ପତ୍ତିବାଡି, ନିଜର ଫଟୋ ପର୍ଯ୍ୟନ୍ତ ସମସ୍ତଙ୍କ ଆଗରେ ଦେଖାଇ ହେବାକୁ ପସନ୍ଦ କରୁନଥିଲେ । ଏହା ପଛରେ ଏକ ଗର୍ବ ଓ ଅହଙ୍କାରର ଭାବନା ଲୁଚି ରହିଥିବା ବିଚାର କରି ଏପରି ବ୍ୟବହାରକୁ ନାପସନ୍ଦ କରାଯାଉଥିଲା । ଆଜି କିନ୍ତୁ ଠିକ୍ ଓଲଟା । ନିଜ ଢୋଲ ନିଜେ ନ ପିଟି ପାରିଲେ ଆଧୁନିକ ସଭ୍ୟତାର ଘୋଡା ଦଉଡରେ ପଛରେ ପଡିବା ଥୟ । ସ୍ମାର୍ଟ ମୋବାଇଲ୍ ଫୋନ୍ ଗୁଡିକ ଆଜି ଅଧିକାଂଶ ଲୋକଙ୍କର ଦୈନନ୍ଦିନ ବ୍ୟବହାର୍ଯ୍ୟ ଅତ୍ୟବଶ୍ୟକ ସାମଗ୍ରୀରେ ପରିଣତ ହୋଇ ସାରିଛି । ଭାରତ ଯେହେତୁ ଏକ ଯୁବ ବହୁଳ ରାଷ୍ଟ୍ର, ଅଧିକାଂଶ ଯୁବକ ଯୁବତୀ ଫୋନର ଅତ୍ୟଧିକ ବ୍ୟବହାରରେ ଅଭ୍ୟସ୍ତ । ଫୋନ୍ ଗୁଡିକ ଦିନକୁ ଦିନ ସୁଲଭ ଓ ଅଧିକରୁ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇ ଚାଲିଥିବାରୁ, ଏଥିରେ ଏକାଧାରରେ କଥାବାର୍ତ୍ତା, ଇଣ୍ଟରନେଟ୍ ବ୍ୟବହାର, ଫଟୋ ଓ ଭିଡିଓ ଉଠାଇବା, ଇମେଲ୍ ଓ ସୋସିଆଲ୍ ନେଟଉଆର୍କ ବ୍ୟବହାର ଆଦି କରି ହେଉଛି । ତେଣୁ ଏହା ଏକ ଅପରିହାର୍ଯ୍ୟ ଓ ସର୍ବତ୍ର ବିଦ୍ୟମାନ ଉପକରଣରେ ପରିଣତ ହୋଇଛି । ଏପରିକି ଅନେକେ ଏହି ଉପକରଣର ବ୍ୟବହାରରେ ଦିନକୁ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଛନ୍ତି । ଏଣେ ଇଣ୍ଟରନେଟ୍ ବ୍ୟବହାରର ମୂଲ୍ୟ ଦିନକୁ ଦିନ କମି ଚାଲିଛି - ଏପରିକି ଅନେକ ସ୍ଥାନରେ ଏହା ନିଶୁଃଳ୍କ ମଧ୍ୟ ଯୋଗାଇ ଦିଆଯାଉଛି- ଯାହାକି ମୋବାଇଲ୍ ଫୋନ୍ ବ୍ୟବହାରକୁ ଆହୁରି ପ୍ରୋତ୍ସାହିତ କରୁଛି । ଏ ସବୁର ଏକ ବଡ ଅଂଶ ହେଉଛି ଆମୋଦ ପ୍ରମୋଦ ଓ ସେଥିରେ ଏକ ବଡ ଅଂଶ ହେଉଛି ସେଲ୍ଫି ଉଠାଇବା ଓ ଅନ୍ୟ ସଙ୍ଗେ ବାଣ୍ଟିବା । ୧୯୧୫ ମସିହାରେ ଟାଇମ୍ ମାଗାଜିନର ଏକ ନିବନ୍ଧରେ ଅଧିକ ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ବାଣ୍ଟୁଥିବା ବ୍ୟକ୍ତିମାନଙ୍କର ମନୋବୈଜ୍ଞାନିକ ବିଶ୍ଲେଷଣ କରାଯାଇଥିଲା । ପ୍ରାୟ ୧୮-୪୦ ବର୍ଷ ବୟସ୍କ ୮୦୦ ଜଣ ପୁରୁଷଙ୍କର ସେଲ୍ଫି ବ୍ୟବହାରକୁ ନେଇ ଜଣା ପଡିଥିଲା ଯେ ଏମାନଙ୍କ ମଧ୍ୟରେ ଅନେକଙ୍କର ’ନିଜ ଚେହେରାରେ ନିଜେ ଖୁସୀ’ ହେବା ପ୍ରବୃତ୍ତି ଥାଏ । ଏହାକୁ ’ନାର୍ସିସିଜିମ୍’ କୁହାଯାଏ । ସେମାନେ ମଧ୍ୟ ଅଧିକ ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ଭଲ ପାଇନଥାନ୍ତି । ଏକ ପ୍ରକାର ମସ୍ତିଷ୍କ ବିକୃତିର (ସାଇକୋପାଥ୍) ମଧ୍ୟ ସମ୍ଭାବନା ଏମାନଙ୍କ ମଧ୍ୟରେ ଦେଖାଦେଇଥାଏ । ଆଜିର ଆଧୁନିକ ଦୁନିଆର ଘୋଡା ଦୌଡରେ ମାନସିକ ରୋଗରେ ତ ଅନେକ ଲୋକ ଅଧିକରୁ ଅଧିକ ଆକ୍ରାନ୍ତ ହେବାର ଦେଖାଯାଉଛି - ତେବେ ସେଲ୍ଫି ସଂସ୍କୃତି ନିଶ୍ଚୟ ଏହାକୁ ଆହୁରି ଅଧିକ ଜଟିଳ କରୁଛି ଏଥିରେ ସନ୍ଦେହ ନାହିଁ । ଅଷ୍ଟାଦଶ ଶତାବ୍ଦୀର ଶିଳ୍ପ ବିପ୍ଲବଠାରୁ ଆଜି ପର୍ଯ୍ୟନ୍ତ‘ ମଣିଷ ବିଜ୍ଞାନର ଅଦ୍ଭୁତପୂର୍ବ ପ୍ରଗତି ମାଧ୍ୟମରେ ନୂଆ ନୂଆ ଉଦ୍ଭାବନ କରିଚାଲିଛି । ପ୍ରତ୍ୟେକ ନୂଆ ପ୍ରଯୁକ୍ତିବିଦ୍ୟାର ଭଲ ଓ ଖରାପ ଦିଗ ନିଶ୍ଚୟ ରହିଛି । ଏହି ସବୁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ବାରା ମଣିଷ ଜୀବନ ଅଧିକରୁ ଅଧିକ ସୁଖ ସ୍ବାଚ୍ଛନ୍ଦ୍ୟ ପରିପୂର୍ଣ୍ଣ ହେବା କଥା । କିନ୍ତୁ ଅନେକ ସମୟରେ ବିଜ୍ଞାନର ଉଦ୍ଭାବନକୁ ଆମେ ବ୍ୟବହାର କରିବା ପରିବର୍ତ୍ତେ, ଆମକୁ କଳକବଜାର ଦାସତ୍ବ ଗ୍ରହଣ କରିବାକୁ ପଡୁଛି । ପ୍ରତିଯୋଗିତା ପ୍ରଧାନ ଜୀବନଶୈଳୀ ସବୁ ସମୟରେ ଆମକୁ ଅନ୍ୟ ତୁଳନାରେ ଅଧିକ ସଫଳତା ହାସଲ କରିବା ପାଇଁ ଏପରି ସଂସ୍କୃତି ଆଡକୁ ଆକର୍ଷିତ କରୁଛି ଯାହା ଜୀବନରେ ସୁଖ ଶାନ୍ତି ପରିବର୍ତ୍ତେ ଅସନ୍ତୋଷଷ ଓ ଅଶାନ୍ତି ଆଣି ଦେଉଛି । କିନ୍ତୁ ଯଦି ଆମେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅବଦାନକୁ ଠିକ୍ ଭାବରେ ବ୍ୟବହାର କରିବା ତାହା ନିଶ୍ଚୟ ଆମକୁ ସଫଳତା ଦେବାରେ ସାହାଯ୍ୟ କରିବ । ଗାନ୍ଧିଜୀ ଆଧୁନିକ ସଭ୍ୟତାର ଅନେକ ଅବଦାନ (ଯଥା ରେଳଗାଡିଠାରୁ ଲୁଗାକଳ ପର୍ଯ୍ୟନ୍ତ)ର ବିରୋଧୀ ଥିଲେ । କାରଣ ଏହି ସବୁ କଳକବ୍ଜା ଓ ଯନ୍ତ୍ରପାତି ମଣିଷ ହାତରୁ କାମ ଛଡାଇ ନେଉଥିଲା ଓ ତାଙ୍କୁ ବେରୋଜଗାର କରୁଥିଲା । ଗାନ୍ଧିଜୀ ଶାରୀରିକ ଶ୍ରମରେ ବିଶ୍ବାସ କରୁଥିଲେ ଓ ଅରଟ ପରି ସାଧାରଣ ଯନ୍ତ୍ରକୁ ଭଲ ପାଉଥିଲେ । କାରଣ ତାହା ମଣିଷର କାମ କରିବାର କ୍ଷମତା ଓ ଉତ୍ପାଦନକାରୀତା କୁ ବଢ଼ାଉଥିଲା, କିନ୍ତୁ ତାକୁ ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ କରୁ ନଥିଲା । ତେଣୁ ଜର୍ମାନ ଇଂଜନିୟର ସୁମାକର ଏହିପରି ଯାନ୍ତ୍ରିକ ବ୍ୟବସ୍ଥାକୁ ’ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା’ ନାଁ ଦେଇଥିଲେ ଓ ତାଙ୍କ ଭାଷାରେ ’ଛୋଟ ହିଁ ସୁନ୍ଦର’ କହୁଥିଲେ । ସେହିପରି ସନ୍ଥକବି ଭୀମଭୋଇଙ୍କଠାରୁ ଆରମ୍ଭ କରି ଅନେକ ମହାତ୍ମା ସମାଜକୁ ବ୍ୟକ୍ତିଠାରୁ ବଡ ଭାବରେ ଦେଖି ଆସିଛନ୍ତି । ନିଜେ ଦୁଃଖ ସହି ସବୁ ପ୍ରକାରର ତ୍ୟାଗ କରି ସମାଜର ମଙ୍ଗଳ କାମନା କରିଛନ୍ତି । ଆଫ୍ରିକୀୟ ଭାଷାରେ ଏକ ସୁନ୍ଦର ଶବ୍ଦ ଅଛି ଉବଣ୍ଟୁ - ଅର୍ଥାତ ’ବ୍ୟକ୍ତିର ସମୃଦ୍ଧି ଗୋଷ୍ଠୀର ସମୃଦ୍ଧି ମାଧ୍ୟମରେ’ । ଆଜି ଇଣ୍ଟରନେଟ ଗୋଷ୍ଠୀ ବଦ୍ଧ ହେବା ପାଇଁ ମନୁଷ୍ୟ ସମାଜ ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଛି । ଆମେ ଦୂରଦୂରାନ୍ତରେ ରହି ମଧ୍ୟ ପରସ୍ପର ସଙ୍ଗେ ସହଜରେ ସମ୍ପର୍କ ରଖିପାରୁଛେ । କିନ୍ତୁ ଏପରି ଅସୀମିତ ଯୋଗାଯୋଗ, ଗମନାଗମନ, ବିଚାର ବିମର୍ଶର ସୁବିଧା ଥିବା ଓ ସଙ୍କୁଚିତ ହୋଇ ଚାଲିଥିବା ବିଶ୍ବରେ ସେଲଫି ସଂସ୍କୃତି ଏକ ବିଡମ୍ବନା । ଏକ ଦିଗରେ ମନୋରୋଗ ଓ ଅନ୍ୟଦିଗରେ ଅକାଳ ମୃତ୍ୟୁ ! ସତରେ ମଣିଷ ଯେତେ ମହାନ ଚିନ୍ତାରେ ଉଦବୁଦ୍ଧ ହୋଇ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ପ୍ରୟୋଗ କଲେ ମଧ୍ୟ କୋଣସି ଉପାୟରେ ଏହା ଅନେକ ସମୟରେ ଆମର ଅମଙ୍ଗଳ ମଧ୍ୟ କରିଥାଏ । ଏଥିରୁ ମୁକ୍ତି ପାଇବା ନିତାନ୍ତ ଆବଶ୍ୟକ ଓ ସେଥିପାଇଁ ଆବଶ୍ୟକ ଏକ ଉତ୍ତର-ଆଧୁନିକ ବା ଆଧୁନିକତା-ପରର ବୌଦ୍ଧିକ ଚେତନା ଯାହା ବାସ୍ତବରେ ମଣିଷକୁ ଆଧୁନିକ ଉପକରଣର ଦାସ ନକରି ନିଜର ଓ ସମାଜର ମଙ୍ଗଳ ପାଇଁ ଏହାର ବ୍ୟବହାର ଶିଖାଇ ପାରିବ । ସେ ପର୍ଯ୍ୟନ୍ତ ସେଲ୍ଫି ସଂସ୍କୃତିର ବଢ଼ି ଚାଲିଥିବା ଜାଲ ମଧ୍ୟରେ ଆମକୁ ଆହୁରି କିଛି ସମୟ ଛଟପଟ ହେବାକୁ ହେବ । ମୋ: ୯୪୩୭୫୧୩୦୮୫

Share :